NIPR : ଓଡ଼ିଶାରେ ଏନ୍ଆଇପିଇଆର୍ ପ୍ରତିଷ୍ଠା ହେଲେ ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ସାକାର କରିବା ସହ ଔଷଧ କ୍ଷେତ୍ରରେ ପିଏଲ୍ଆଇ ଯୋଜନାର ଲକ୍ଷ୍ୟ ହାସଲ ରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଓଡ଼ିଶାରେ ଜାତୀୟ ଔଷଧ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଏନ୍ଆଇପିଇଆର) ପ୍ରତିଷ୍ଠା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରସାୟନ ଓ ସାର ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତି। ନଡ୍ଡାଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି ଯେ ପୂର୍ବ ଭାରତରେ ଔଷଧ ଏବଂ ବାୟୋଟେକ୍ କ୍ଷେତ୍ରର ଅଭିବୃଦ୍ଧିରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

ବାୟୋଟେକ୍ନୋଲୋଜି ଶିଳ୍ପ ଓ ଆନୁଷଙ୍ଗିକ ସେବା କ୍ଷେତ୍ର ପ୍ରତିଷ୍ଠା ପାଇଁ ଆବଶ୍ୟକ ହେଉଥିବା ଜଳ, ବିଜୁଳି, ବର୍ଜ୍ୟବସ୍ତୁ ବିଶୋଧନ ଏବଂ ଅନ୍ୟାନ୍ୟ ସୁବିଧା ସହିତ ଭୁବନେଶ୍ୱରସ୍ଥିତ ଓଡ଼ିଶା ବାୟୋଟେକ୍ ପାର୍କ ପୂର୍ବ ଭାରତର ପ୍ରଥମ ସୁବିଧା। ଏହା ଏନଆଇପିଇଆର ପ୍ରତିଷ୍ଠା ପାଇଁ ଏକ ଆଦର୍ଶ ପରିବେଶ ପ୍ରଦାନ କରୁଛି।
ଏହା କେବଳ ଔଷଧ କ୍ଷେତ୍ରରେ ଶିକ୍ଷାଗତ ଏବଂ ଗବେଷଣା ବ୍ୟବଧାନକୁ ଦୂର କରିବ ନାହିଁ ବରଂ ଉଦ୍ଭାବନ ଏବଂ ଦକ୍ଷ କର୍ମଚାରୀ ବିକାଶକୁ ପ୍ରୋତ୍ସାହିତ କରିବ, ଯାହା ଫଳରେ ଔଷଧ କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ।

ଓଡ଼ିଶାରେ ଏନ୍ଆଇପିଇଆର୍ ପ୍ରତିଷ୍ଠା ହେଲେ ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ସାକାର କରିବା ସହ ଔଷଧ କ୍ଷେତ୍ରରେ ପିଏଲ୍ଆଇ ଯୋଜନାର ଲକ୍ଷ୍ୟ ହାସଲ ରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଓଡ଼ିଶାକୁ ଏନ୍ଆଇପିଇଆରର ପରବର୍ତ୍ତୀ ସ୍ଥାନଭାବେ ବିଚାର କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ଏହି ପ୍ରସଙ୍ଗକୁ ଅନୁଧ୍ୟାନ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। ଯାହା ଭାରତର ଔଷଧ ଶିକ୍ଷା ଏବଂ ଗବେଷଣାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

