ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକସେବା ଭବନରେ ‘ଏମଏଲଏ ଲ୍ୟାଡ୍’ ଓ୍ବେବ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହା ସହିତ ସିଏମଏସଏର ସରଳୀକୃତ ଗାଇଡଲାଇନ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବୁଧବାର କ୍ୟାନେଟ୍ ବୈଠକ ଆରମ୍ଭ ହେବା ପୂର୍ବରୁ ସମସ୍ତଙ୍କ ଉପସ୍ଥିତିରେ ଉନ୍ନୋଚିତ ହୋଇଛି ‘ଏମଏଲଏ ଲ୍ୟାଡ୍’ ଓ୍ବେବ ପୋର୍ଟାଲ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ‘ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବା ଏମଏଲଏ ଲ୍ୟାଡ୍’ ନିର୍ଦ୍ଦେଶାବଳୀର ସରଳୀକରଣ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, “ଏହି ନୂତନ ନିର୍ଦ୍ଦେଶାବଳୀ ପ୍ରଶାସନିକ ପ୍ରକ୍ରିୟାକୁ ସରଳ କରିବ ଏବଂ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନାଗୁଡ଼ିକୁ ଶୀଘ୍ର ଏବଂ ସ୍ୱଚ୍ଛ ଭାବରେ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବ” ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏହି ନୂତନ ନିର୍ଦ୍ଦେଶାବଳୀ ପ୍ରଶାସନିକ ପ୍ରକ୍ରିୟାରେ ସରଳତା ଆଣିବା ସହିତ ଜନସାଧାରଣଙ୍କ ପାଇଁ ଅତି ଆବଶ୍ୟକ ଓ ଛୋଟ ଛୋଟ ମୌଳିକ ଭିତ୍ତିଭୂମି ଗୁଡିକୁ ଶୀଘ୍ର ଓ ସ୍ବଚ୍ଛତାର ସହ ସମ୍ପାଦନ କରିବାରେ ସହାୟକ ହେବ । ଏହି ନୂଆ ଗାଇଡଲାଇନରେ ବିଭିନ୍ନ କ୍ଷେତ୍ରକୁ ଧ୍ୟାନ ଦିଆଯିବା ସହ ଅତ୍ୟାବଶ୍ୟକ ପ୍ରକଳ୍ପଗୁଡିକୁ ଗ୍ରହଣ କରିବାର ବ୍ୟବସ୍ଥା ରହିଛି । ଅନାବଶ୍ୟକ ପ୍ରକଳ୍ପଗୁଡିକୁ ଏଥିରୁ ବାଦ୍ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହା ସହିତ ପ୍ରକଳ୍ପର ସୁପାରିଶଠାରୁ ଅନୁମୋଦନ ପ୍ରକ୍ରିୟା ସମାପ୍ତ ହେବା ପର୍ଯ୍ୟନ୍ତ ସମୟ ଅବଧି ୩୦ଦିନ ରଖାଯାଇଛି। ସେହିପରି ସିଏମଏସଏ ଗାଇଡଲାଇନର ମଧ୍ୟ ସରଳୀକରଣ କରାଯାଇଛି । ଏହାଦ୍ୱାରା ପ୍ରକଳ୍ପ ଗୁଡ଼ିକ ତ୍ୱରାନ୍ୱିତ ଭାବେ କାର୍ଯ୍ୟକାରୀ କରାଯାଇପାରିବ ବୋଲି ସେ କହିଥିଲେ। ଏହି ନୂତନ ‘ଏମଏଲଏ ଲ୍ୟାଡ୍ ୱେବ ପୋର୍ଟାଲ’ରେ ବିଧାୟକ ମାନଙ୍କ ଦ୍ବାରା ପ୍ରକଳ୍ପ ସୁପାରିଶ, ପ୍ରକଳ୍ପ ଆବଶ୍ୟକତାର ତର୍ଜମା, ଯୋଜନା ଓ ବ୍ୟୟ ଅଟକଳ ପ୍ରସ୍ତୁତି, ପ୍ରକଳ୍ପର ଅନୁମୋଦନ, କାର୍ଯ୍ୟାଦେଶ, ତଦାରଖ, ନିରୀକ୍ଷଣ, ବ୍ୟୟ ଓ କାର୍ଯ୍ୟ ସମ୍ପାଦନ ଆଦି ନିର୍ଦ୍ଧାରିତ ସମୟରେ ସମ୍ପାଦନ କରାଯାଇପାରିବ।
ଏହି ପୋର୍ଟାଲ ମାଧ୍ୟମରେ ବିଧାୟକମାନେ ସେମାନଙ୍କର ନିର୍ବାଚନ ମଣ୍ଡଳୀରେ ସୁପାରିଶ କରିଥିବା ସମସ୍ତ ପ୍ରକଳ୍ପର ବାସ୍ତବ ସ୍ଥିତି ବିଷୟରେ ଅବଗତ ହୋଇପାରିବେ ଓ ଜନସାଧାରଣଙ୍କ ପାଇଁ ଯୋଜନା ସମ୍ୱନ୍ଧୀୟ ସବିଶେଷ ତଥ୍ୟ ଏହି ପୋର୍ଟାଲରେ ଉପଲବ୍ଧ ହେବ । ଏହା ସହିତ ବିଧାନସଭା ଅଞ୍ଚଳର ଜନସାଧାରଣ ମଧ୍ୟ ସେମାନଙ୍କ ବିଧାୟକଙ୍କ ଦ୍ଵାରା ସୁପାରିଶ କରାଯାଇଥିବା ପ୍ରକଳ୍ପଗୁଡିକର ତଥ୍ୟ ଏହି ପୋର୍ଟାଲ ଜରିଆରେ ଅବଗତ ହୋଇପାରିବେ। ଏହି ନୂତନ ଗାଇଡଲାଇନ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ବିଧାନସଭା କମିଟି ସଦସ୍ୟ ଓ ମାନ୍ୟବର ବିଧାୟକମାନଙ୍କ ପରାମର୍ଶ ନିଆଯାଇଛି, ପଡୋଶୀ ରାଜ୍ୟ ଗୁଡିକର ‘ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ନିର୍ଦ୍ଦେଶାବଳୀ’ର ଅଧ୍ୟୟନ କରାଯାଇଛି ଏବଂ କ୍ଷେତ୍ର ସ୍ତରରେ ଉପୁଜୁଥିବା ସମସ୍ୟାଗୁଡିକର ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ଏହି ‘ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି’ ଯୋଜନା ୧୯୯୭-୯୮ରୁ ଆରମ୍ଭ ହୋଇ ଜନସାଧାରଣଙ୍କ ଛୋଟ ଛୋଟ କିନ୍ତୁ ନିତ୍ୟାନ୍ତ ଆବଶ୍ୟକୀୟ ଭିତ୍ତିଭୂମି ଗଠନ କରିବାରେ ଏକ ମଜବୁତ୍ ମାଧ୍ୟମ ହୋଇପାରିଛି । ପ୍ରତ୍ୟେକ ବିଧାନସଭା କ୍ଷେତ୍ର ପାଇଁ ଏମ୍ଏଲଏ ଏଲ୍ଏଡି ପାଣ୍ଠିର ଅନୁଦାନ ପୂର୍ବରୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ରହିଥିବା ବଏଲେ ୨୦୨୫-୨୬ ଆର୍ଥିକ ବର୍ଷରେ ୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା।
Also Readhttps://purvapaksa.com/china-and-america-forces-clashed-scarborough-shoal/


