ସାଧାରଣତଃ ପିଲାମାନଙ୍କର ପ୍ରଥମ ଦାନ୍ତ ୬ ମାସ ବୟସରୁ ଉଠିବା ଆରମ୍ଭ ହୋଇଥାଏ । ଏହି ସମୟରେ ଅଧିକାଂଶ ବାପା–ମା’ମାନେ ପିଲାଙ୍କ ଦାନ୍ତ ଯତ୍ନ ନେବାକୁ ନେଇ ଦ୍ୱନ୍ଦ୍ୱରେ ରହିଥାଆନ୍ତି । ପ୍ରଥମ ଦାନ୍ତ ତ ଝଡ଼ିଯିବ, ତେଣୁ ଯତ୍ନ ଦରକାର ନାହିଁ—ଏଭଳି ଧାରଣା ଅନେକଙ୍କ ମନରେ ରହିଛି । କିନ୍ତୁ ଡାକ୍ତରମାନେ କହୁଛନ୍ତି ଯେ, ପିଲାଙ୍କ ଦାନ୍ତ ଉଠିବା ମାତ୍ରେ ତାହାର ସଠିକ୍ ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ । ଦାନ୍ତ ଉଠିବା ପୂର୍ବରୁ ପିଲାମାନେ ନରମ ମାଢ଼ି ସାହାଯ୍ୟରେ ଖାଦ୍ୟ ଖାଇଥାଆନ୍ତି । ଏହି ସମୟରେ ମଧ୍ୟ ମାଢ଼ିରେ ଜୀବାଣୁ ଜମିପାରେ । ତେଣୁ ପ୍ରତ୍ୟେକ ଥର ପିଲାକୁ ଖାଇବାକୁ ଦେବା ପରେ ଏକ ସଫା ଓ ଓଦା କପଡ଼ା କିମ୍ବା ଗଜା କପଡ଼ାରେ ମାଢ଼ିକୁ ହଲୁକା ଭାବରେ ପୋଛିବା ଉଚିତ୍। ଏହା ମୁହଁରେ ଜୀବାଣୁ ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରେ।

ପିଲାଙ୍କ ପ୍ରଥମ ଦାନ୍ତ ଦେଖାଦେବା ସହିତ ସେଗୁଡ଼ିକୁ ସଫା କରିବା ଆରମ୍ଭ କରନ୍ତୁ । ଆରମ୍ଭରେ ବ୍ରଶ ବଦଳରେ ଆପଣ ନିଜ ଆଙ୍ଗୁଠିରେ ସଫା କପଡ଼ା ଗୁଡ଼ାଇ ଦାନ୍ତ ଓ ମାଢ଼ିକୁ ହଲୁକା ଭାବରେ ସଫା କରିପାରିବେ । ପରେ ପିଲାଙ୍କ ପାଇଁ ବିଶେଷ ଭାବରେ ତିଆରି ହୋଇଥିବା ଛୋଟ ଏବଂ ନରମ ବ୍ରସ୍ ବ୍ୟବହାର କରିବା ଉଚିତ୍।
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ୩ ବର୍ଷ ବୟସ ପରେ ପିଲାଙ୍କ ଦାନ୍ତ ସଫା ପାଇଁ ଫ୍ଲୋରାଇଡ୍ ଥିବା ଟୁଥପେଷ୍ଟ ବ୍ୟବହାର କରାଯାଇପାରେ। ତେବେ ଏହାର ପରିମାଣ ଚାଉଳ ଦାନା ପରି ଅତି କମ୍ ହେବା ଦରକାର । ଅଧିକ ପେଷ୍ଟ ବ୍ୟବହାର କରିଲେ ପିଲା ଗିଳିଦେବାର ଆଶଙ୍କା ରହିଥାଏ।

ବଡ଼ ଲୋକଙ୍କ ପରି ପିଲାମାନଙ୍କୁ ମଧ୍ୟ ଦିନକୁ ଦୁଇଥର—ସକାଳେ ଓ ରାତିରେ—ଦାନ୍ତ ଘଷିବା ଅଭ୍ୟାସ ଗଢ଼ିଦେବା ଉଚିତ୍। ସକାଳେ ବ୍ରଶ କରିବା ଦ୍ୱାରା ରାତି ସାରା ମୁହଁରେ ଜମା ହୋଇଥିବା ଜୀବାଣୁ ଦୂର ହୋଇଥାଏ। ସେହିପରି ରାତିରେ ବ୍ରଶ କରିବା ଦ୍ୱାରା ଦିନ ସାରା ଖାଇଥିବା ଖାଦ୍ୟର ମଇଳା ଦାନ୍ତରୁ ସଫା ହୋଇଯାଏ।ବିଶେଷଜ୍ଞମାନେ କହୁଛନ୍ତି ଯେ, କେବଳ ରାତିରେ ଥରେ ଦାନ୍ତ ଘଷିବା ପର୍ଯ୍ୟାପ୍ତ ନୁହେଁ, ବିଶେଷକରି ଯଦି ପିଲା ଦିନରେ ମିଠା ଖାଏ। ଦିନକୁ ଦୁଇଥର ଦାନ୍ତ ଘଷିବା ଦ୍ୱାରା ଦାନ୍ତ କ୍ଷୟର ଆଶଙ୍କା କମିଥାଏ ଏବଂ ଶିଶୁ ଦାନ୍ତ ସହ ସ୍ଥାୟୀ ଦାନ୍ତକୁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରଖିବାରେ ସାହାଯ୍ୟ ମିଳେ।
also read https://purvapaksa.com/gadchiroli/


