ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ଆସନ୍ତା ମାର୍ଚ୍ଚ ୩୧ ତାରିଖ ଶୁଦ୍ଧା ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ସିସିଟିଭି ଲଗାଇବା କାମ ଶେଷ କର। ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ନେଇ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇ ଏପରି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ। ସେଣ୍ଟ୍ରାଲ ମନିଟରିଂ ସିଷ୍ଟମରେ ସମସ୍ତ ସିସିଟିଭିକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ମଧ୍ୟ ସେହି ତାରିଖ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି।
ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ ସେନେଇ ରାଜ୍ୟ ସରକାର ଜାରି କରିଥିବା ଏସଓପିକୁ କଡାକଡି ପାଳନ କରିବାକୁ ମଧ୍ୟ ହାଇକୋର୍ଟ କହିଛନ୍ତି। ସମସ୍ତ ପୁଲିସ କର୍ମଚାରୀଙ୍କୁ ଏସଓପି ବାବଦରେ ଜଣାଇବା ପାଇଁ ରାଜ୍ୟର ସମସ୍ତ ଥାନା ଏବଂ ଫାଣ୍ଡିରେ ଓଡ଼ିଆ ଭାଷାରେ ଏସଓପିକୁ ବ୍ୟାପକ ଭାବେ ପ୍ରଚାର କରିବାକୁ ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ପୁଲିସ ଏଡ଼ିଜି ଦୟାଲ ଗଙ୍ଗୱାର ଦାଖଲ କରିଥିବା ସତ୍ୟପାଠକୁ ସରକାର ଓ ପୁଲିସ ମୁଖ୍ୟାଳୟ କଡାକଡି ଭାବେ ପାଳନ କରିବେ ବୋଲି ଆଶା ବ୍ୟକ୍ତ କରି ନିଜ ଆଡୁ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।
ଗତ ସେପ୍ଟେମ୍ବର ୧୫ ତାରିଖ ରାତିରେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତ ଥାନାରେ ପୁଲିସ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଇଆଇସି ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି।
ଏହି ମାମଲା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ସେତେବେଳେ ସିସିଟିଭି ଥାନାରେ ନ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। ଭରତପୁର ଆଦର୍ଶ ଥାନା ହୋଇଥିବା ବେଳେ କିପରି ସେଠାରେ ସିସିଟିଭି ଲାଗି ନାହିଁ ,ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।ହାଇକୋର୍ଟ ଭରତପୁର ମାମଲାର ଶୁଣାଣି କରିବା ସମୟରେ ରାଜ୍ୟର କେଉଁ ଥାନାରେ ସିସିଟିଭି ଲାଗିଛି ଓ କେଉଁ ଥାନାରେ ସିସିଟିଭି ଲାଗିନାହିଁ ସମସ୍ତ ସ୍ଥିତି ଜଣାଇବାକୁ ଏଡିଜି ଆଧୁନିକୀକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ଆସନ୍ତା ମାର୍ଚ୍ଚ ୩୧ସୁଦ୍ଧା ସିସି ଟିଭି କାର୍ଯ୍ୟକ୍ଷମ ହେବ। ଏହି ସମୟ ମଧ୍ୟରେ ଉକ୍ତ ସିସି ଟିଭିକୁ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ୍ (ସିଏମ୍ଏସ) ଓ ଭିଡ଼ିଓ ମ୍ୟାନେଜମେଣ୍ଟ ସିଷ୍ଟମ (ଭିଏମ୍ଏସ)ରେ ଯୋଡ଼ିବା କାର୍ଯ୍ୟ ଶେଷ ହେବା ନେଇ ଭରତପୁର ଥାନା ମାମଲାର ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରି ନିର୍ଦେଶ ଦେଇଛନ୍ତି। ସେହିପରି ଥାନାରେ ସେନା କର୍ମଚାରୀଙ୍କୁ ବ୍ୟବହାର ପ୍ରଦର୍ଶନ ନେଇ ରାଜ୍ୟ ସରକାର ମାନକ କାର୍ଯ୍ୟାନ୍ବୟନ ପ୍ରକ୍ରିୟା (ଏସଓପି) ପ୍ରସ୍ତୁତ କରିଛନ୍ତି। ଉକ୍ତ ଏସଓପିକୁ ଓଡ଼ିଆ ଭାଷାରେ ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ଟାଙ୍ଗିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।
ସିସି ଟିଭି କାର୍ଯ୍ୟକାରିତା ନେଇ ଅତିରିକ୍ତ ଡିଜିପି ଦୟାଲ ଗଙ୍ଗୱାର ପ୍ରଦାନ କରିଥିବା ସତ୍ୟପାଠ ଯେପରି ବିଶ୍ୱାସଭାଜନ ହୋଇ ରହିବ ରାଜ୍ୟ ସରକାର ଓ ପୁଲିସ ମୁଖ୍ୟାଳୟ ଏଥିପ୍ରତି ନିଶ୍ଚିତ ରହିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଭରତପୁର ଥାନା ମାମଲାର ତଦନ୍ତ କ୍ରାଇମ୍ବ୍ରାଞ୍ଚ ଓ କମିସନଙ୍କ ଦ୍ବାରା ଜାରି ରହିଛି। ଅଦାଲତଙ୍କ ନିର୍ଦେଶନାମା ମାମଲାର ତଦନ୍ତରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ସାବିତ୍ରୀ ରଥ ଏହି ମାମଲାର ରାୟ ପ୍ରକାଶ କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଘଟଣାରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବିଚାର ବିଭାଗୀୟ ତଦନ୍ତ କମିଟି ମଧ୍ୟ ବସାଇଥିଲେ। ଲେଫ୍ଟନାଣ୍ଟ ଜେନେରାଲ ପି.ଏସ ଶେଖାୱତ ଏ ପ୍ରସଙ୍ଗ ଉପରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ହାଇକୋର୍ଟ ମଧ୍ୟ ନିଜଆଡ଼ୁ ଏକ ମାମଲା ରୁଜୁ କରି ବିଭିନ୍ନ ପକ୍ଷଙ୍କୁ ଜବାବ ରଖିବା ଲାଗି ନିର୍ଦେଶ ଦେଇଥିଲେ । ଏହି ପ୍ରସଙ୍ଗରେ ସେନାଧିକାରୀ ଥାନାକୁ ଗଲେ ପୁଲିସ କିପରି ବ୍ୟବହାର ପ୍ରଦର୍ଶନ କରିବା ଉଚିତ୍ ଏହାକୁ ନେଇ ସ୍ବତନ୍ତ୍ର ଏସଓପି ଜାରି କରିଥିଲେ। କୌଣସି ସେନା ଅଧିକାରୀ ଥାନାକୁ ଆସିଲେ ପୁଲିସ ଶାଳୀନତାର ସହ ବ୍ୟବହାର ଦେଖାଇବ।
ଜଣେ ସେନା ଅଧିକାରୀ (ଆର୍ମି, ନୌସେନା ଅବା ବାୟୁସେନା) ଅଧିକାରୀ କର୍ତ୍ତବ୍ୟରେ ଥିଲାବେଳେ କେନ୍ଦ୍ର ସରକାରଙ୍କ ଅନୁମତି ବିନା ପୁଲିସ ତାଙ୍କୁ ଗିରଫ କରିପାରିବ ନାହିଁ। ଯଦି ଗିରଫ କରିବାର ନିହାତି ଆବଶ୍ୟକତା ଥାଏ ଏଥିପାଇଁ ନିକଟବର୍ତ୍ତୀ ସେନା କାର୍ଯ୍ୟାଳୟ କମାଣ୍ଡରଙ୍କୁ ଜଣାଇବାକୁ ପଡ଼ିବ। ଜଘନ୍ୟ ଅପରାଧ ମୂଳକ ଘଟଣା ଯଥା ହତ୍ୟା, ବଳାତ୍କାର ଓ ଅପହରଣ ମାମଲାରେ ପୁଲିସ୍ ସେନା ଅଫିସରଙ୍କୁ ଗିରଫ କରିପାରିବ। ଛୋଟମୋଟ ଘଟଣା ପାଇଁ ପୁଲିସ ଗିରଫ କରିବାକୁ ଚାହୁଁଥାନ୍ତି ତେବେ ସମ୍ପୃକ୍ତ ସେନା ଅଧିକାରୀଙ୍କ ମୁଖ୍ୟଙ୍କ ଅନୁମତି ବିନା ଗିରଫ କରାଯାଇ ପାରିବନାହିଁ ଏବଂ ସେନା ଅଧିକାରୀଙ୍କୁ ନିର୍ଯାତନା କିମ୍ବା ହାତକଡ଼ି ମଧ୍ୟ ପକାଯାଇପାରିବ ନାହିଁ ବୋଲି ରାଜ୍ୟ ସରକାର ଜାରି କରିଛନ୍ତି।
ଅତିରିକ୍ତ ଡିଜିପି ଦୟାଲ ଗଙ୍ଗୱାର ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ରାଜ୍ୟର ୩୬ଟି ପୁଲିସ ଜିଲା ଅଧୀନରେ ଥିବା ୨୯୫ଟି ଫାଣ୍ଡିରେ ମଧ୍ୟ ସିସିଟିଭି ଲଗାଯିବା ପାଇଁ ଯୋଜନା ହୋଇଛି। ରାଜ୍ୟର ୬୪୫ ଥାନା ମଧ୍ୟରୁ ୮୫% ଥାନା ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ୍ (ସିଏମ୍ଏସ) ସହ ସଂଯୁକ୍ତ ହୋଇସାରିଥିବା ସେ ଦର୍ଶାଇଥିଲେ। ୨୦୨୫ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ରାୟ ପ୍ରକାଶ ଅବସରରେ ଏହି ମାମଲାରେ ଅଦାଲତ ମିତ୍ର ଭାବେ ସହଯୋଗ କରିଥିବା ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଓ ଆଡ଼ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କ ସହଯୋଗକୁ ଅଦାଲତ ପ୍ରଶଂସା କରିଛନ୍ତି। ଏଥିସହ ଏହି ମାମଲାରେ ଓଡ଼ିଶା ପୁଲିସ ପକ୍ଷରୁ କୋର୍ଟ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ଦୟାଲ ଗଙ୍ଗୱାରଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯିବା ସହ ସେ ସିସି ଟିଭି ସଂଯୋଗୀକରଣ ପ୍ରକଳ୍ପରେ ଗୁରୁତ୍ୱ ଦେବାକୁ ଅଦାଲତ ଆଦେଶ ଦେବା ସହ ନିଜ ଆଡୁ ରୁଜୁ ମାମଲାର ଅନ୍ତ ଘଟାଇଛନ୍ତି।
previous article:https://purvapaksa.com/outgoing-governor-pays-obeisance-to-srijiu/
