କଥାରେ ଅଛି ପରପାଇଁ ଗାତ ଖୋଲିଲେ ସେଥିରେ ନିଜେ ପଡ଼ିବାର ଆଶଙ୍କା ଥାଏ। ଏହି କଥା ବିରୋଧୀ ଦଳନେତା କ୍ଷେତ୍ରରେ ଦେଖିବାକୁ ମିଳିଛି। ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରର୍ଥୀଙ୍କ ସମର୍ଥନରେ ପ୍ରଚାର କରିବାକୁ ଯାଇ କୋମନା ମଞ୍ଚରେ ଗତକାଲି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଯେତେବେଳେ ବିଜେପିକୁ “ପ୍ରାର୍ଥୀ ଚୋର” ବୋଲି ସମ୍ବୋଧନ କଲେ, ରାଜ୍ୟର ରାଜନୀତିକ ମହଲରେ ନୂତନ ତରଙ୍ଗ ତିଆରି ହୋଇଛି। କାରଣ ବିଜେଡି ଯେଉଁ ଜୟ ଢୋଲକିଆଙ୍କୁ ପ୍ରର୍ଥୀ କରିବ ବୋଲି କୁହାଯାଉଥିଲା ଠିକ୍ ନିର୍ବାଚନ ଘୋଷଣା ହେବା ପୂର୍ବରୁ ସେ ବିଜେପିରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ବିଜେଡିକୁ ସ୍ଥାନୀୟ ଅଞ୍ଚଳରୁ ପ୍ରାର୍ଥୀ ନ ମିଳିବାରୁ ବରଗଡ଼ ଜିଲ୍ଲାର ପରାଜିତ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି। ତେଣୁ ନବୀନ ପଟ୍ଟନାୟକ ବିଜେପି ବିରୋଧରେ ଏପରି ଅଭିଯୋଗ କରିଛନ୍ତି। କିନ୍ତୁ ନୀବନଙ୍କ ଏହି ଅଭିଯୋଗ ଏବେ ବୁମେରାଂ ହୋଇ ତାଙ୍କ ପାଖକୁ ଫେରି ଆସିଛି। ତେଣୁ ଆଜି ଆଲୋଚନା କରିବା- ଓଡ଼ିଶାରେ “ପ୍ରାର୍ଥୀ ଚୋରୀ” ରାଜନୀତି, ପରମ୍ପରା କିଏ ଆରମ୍ଭ କଲା? ଏହା କ’ଣ ଏକ ନୂତନ ରାଜନୀତିକ ଅଭିଯୋଗ, ନା ଦୀର୍ଘ ୨୪ ବର୍ଷର ଶାସନରେ ଗଢ଼ିଉଠିଥିବା ଏକ ନୂଆ ସଂସ୍କୃତି?
କୋମନା ସଭାର ଆଲୋଚିତ ଉକ୍ତି
ନବୀନ ପଟ୍ଟନାୟକଙ୍କ କୋମନା ସଭାର ଉକ୍ତି- “ବିଜେପି ଆମ ପ୍ରାର୍ଥୀମାନଙ୍କୁ ଚୋରି କରୁଛି”। ସେହି ମଞ୍ଚରେ ଥିବା ସଭାସଦମାନଙ୍କ ତାଳି ନିଶ୍ଚିତ ଭାବେ ଶବ୍ଦ କଲା, କିନ୍ତୁ ପ୍ରଶ୍ନ ଉଠିଲା- ଯେତେବେଳେ ଓଡ଼ିଶାରେ ବିରୋଧୀ ଦଳ ଯାହାଙ୍କୁ ପ୍ରାର୍ଥୀ କରୁଥିଲା ସେମାନଙ୍କୁ ଜୋରଦବଦସ୍ତ ନିଜ ଦଳକୁ ଆଣି ଟିକେଟ ଦେଇ ନିର୍ବାଚନ ଲଢ଼େଇବା ଦିଗରେ କିଏ ପଥ ଖୋଲି ଦେଇଥିଲା?
ପ୍ରାର୍ଥୀ ଚୋରୀର ପ୍ରଥମ ପଦକ୍ଷେପ: ଏକ ସଂସ୍ଥାଗତ ରାଜନୀତି

ଓଡ଼ିଶାରେ ୨୦୦୦ ପରେ ନବୀନ ପଟ୍ଟନାୟକ ନେତୃତ୍ୱ ନେଇଥିବା ବିଜୁ ଜନତା ଦଳ (ବିଜେଡି) ଯେତେବେଳେ ଶାସନରେ ଆସିଲା, ତା’ପରେ ବିଭିନ୍ନ ଦଳର ନେତାଙ୍କ ବିଜେଡିରେ ଯୋଗଦାନ ଓ ପ୍ରାର୍ଥୀ ଅଧିଗ୍ରହଣ ଏକ ରାଜନୀତିକ ଅସ୍ତ୍ର ହେଲା।
ବିପକ୍ଷ ଦଳର ଶକ୍ତିଶାଳୀ ନେତାଙ୍କୁ ଆକର୍ଷଣ କରି ଦଳରେ ନେବା- ଏହି ପ୍ରଥା ପ୍ରଚଳନ ପ୍ରଥମେ ବିଜେଡି ଶାସନରେ ସ୍ପଷ୍ଟଭାବେ ଦେଖା ଦେଇଥିଲା।
ସେତେବେଳେ ବିଜେଡିର ରଣନୀତି ସ୍ପଷ୍ଟ ଥିଲା- ଜିତିପାରିବା ପ୍ରାର୍ଥୀ ଯେଉଁ ଦଳର ହେଉ ନା କାହିଁକି ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦଳରେ ନେଇ ପ୍ରାର୍ଥୀ କରୁଥିଲେ। ଏହି ଭାବଧାରା ଦୀର୍ଘ ଦୁଇ ଦଶକ ଧରି ଓଡ଼ିଶା ରାଜନୀତିକୁ ପ୍ରଭାବିତ କରିଥିଲା।
ଉଦାହରଣ ଯାହା ସ୍ମୃତିରେ ରହିଛି
/sambad-english/media/post_attachments/wp-content/uploads/2017/09/rita-sahu.jpg)
୨୦୧୮ରେ ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳରେ ମିଶାଇ ପ୍ରାର୍ଥୀ କରିଥିଲେ ନବୀନ ପଟ୍ଟନାୟକ।

କାକଟପୁର ଅଞ୍ଚଳରେ ବିଜେପି ପ୍ରାର୍ଥୀ ତୁଷାରକାନ୍ତି ବେହେରା- ସେ ବିଜେପି ଟିକେଟ ପାଇବା ପରେ, ବିଜେଡି ତାଙ୍କୁ ନିଜ ଦଳକୁ ନେଇ ପ୍ରାର୍ଥୀ କରିଥିଲା।

ସେହିପରି ଆନନ୍ଦପୁରର ବିଜେପି ପ୍ରାର୍ଥୀ ଭାଗିରଥି ସେଠୀ ମଧ୍ୟ- ବିଜେପି ଟିକେଟ ପାଇଲେ ପରେ, ବିଜେଡି ତାଙ୍କୁ ନିଜ ପ୍ରାର୍ଥୀ କଲା।
ଏହି ଦେଖି ସଭାରେ ଉପସ୍ଥିତି ସଚେତନ ଲୋକମାନେ ମଧ୍ୟ ପ୍ରଶ୍ନ କରିଥିଲେ- “ଚୋର କିଏ, ପ୍ରାର୍ଥୀ ଚୋରି ପରମ୍ପରା କିଏ ଆରମ୍ଭ କରିଥିଲେ”?
ଭୂପିନ୍ଦର ସିଂହ ଘଟଣା: ବିରୋଧୀଦଳ ନେତାରୁ ବିଜେଡିରେ ଯୋଗଦାନ

ଓଡ଼ିଶା ବିଧାନସଭାରେ ବିରୋଧୀଦଳ ନେତା ଭୂପିନ୍ଦର ସିଂହଙ୍କ ଦଳ ପରିବର୍ତ୍ତନ ଓ ତାଙ୍କ ନୂଆ ଦଳରେ ପ୍ରବେଶ ଏହି “ପ୍ରାର୍ଥୀ ଚୋରୀ”ର ସାକ୍ଷାତ୍ ଦୃଷ୍ଟାନ୍ତ ଭାବେ ଲୋକମାନେ ଦେଖିଥିଲେ। ସେହିପରି ବିଜେଡିରେ ବହୁତ ପୂର୍ବତନ ବିଜେପି ଓ କଂଗ୍ରେସ ନେତାମାନେ ଦେଖାଯାଇଛନ୍ତି। ତେଣୁ, “ପ୍ରାର୍ଥୀ ଚୋରୀ” ଏକ ଆକାଶପତିତ ଅଭିଯୋଗ ନୁହେଁ- ଏହା ହେଉଛି ଦୀର୍ଘ ଦୁଇ ଦଶକ ଧରି ଚାଲୁଥିବା ଏକ ପ୍ରଚଳନା।
କେବଳ ପ୍ରାର୍ଥୀ ଚୋରୀ ନୁହେଁ ରାଜନୈତିକ ଦଳକୁ ବି ଆତ୍ମସାତ
ନବୀନ ପଟ୍ଟନାୟକ ତାଙ୍କ ଶାସନ କାଳରେ ଅନ୍ୟ ଦଳର ସମ୍ଭାବିତ ବିଜୟୀ ପ୍ରାର୍ଥୀ ଚୋରୀ କରୁନଥିଲେ, ତାଙ୍କୁ ସମର୍ଥନ କରୁଥିବା ଦଳକୁ ମଧ୍ୟ ଆତ୍ମସାତ କରିଦେଉଥିଲେ। ଏନସିପି, ଜେଏମଏମ, ଓଡ଼ିଶା ଗଣ ପରିଷଦ ଓ ଆମ ଓଡ଼ିଶା ଭଳି ରାଜନୈତିକ ଦଳକୁ ନବୀନ ପଟ୍ଟନାୟକ ନିଜ ଦଳରେ ବିଲୟ କରିଦେଇଥିବାର ନଜିର ମଧ୍ୟ ରହିଛି।
କୋମନା ସଭାର ଭିଡ଼: ଯାଥାର୍ଥ ଓ ପ୍ରସ୍ତୁତି
ସଭା ମଞ୍ଚରେ ଯେତେ ଭିଡ଼ ଦେଖାଗଲା, ତା’ର ବଡ଼ ଅଂଶ ଅନ୍ୟ ଜିଲ୍ଲାରୁ ଆଣାଯାଇଥିବା ଲୋକ ଥିବାର ଅଭିଯୋଗ ଜୋରରେ ଉଠିଛି। କାରଣ, ନୂଆପଡ଼ା ଜିଲ୍ଲାର ଲୋକ ଏବେ ନୀରବ ରହିଛନ୍ତି। ସେମାନେ ଜାଣିଛନ୍ତି ଯେ ୨୪ ବର୍ଷର ଶାସନର ଫଳ ତାଙ୍କ ଗାଁ, ତାଙ୍କ ଜୀବନ ଓ ତାଙ୍କ ଜମିରେ କେତେ ଦୂର ପହଞ୍ଚିଛି। ଜନତା ଏବେ ଦଳୀୟ ଭାଷାରେ ନୁହେଁ, ପରିବର୍ତ୍ତନର ଭାଷାରେ ଭାବୁଛନ୍ତି।
ରାଜନୀତିରେ ଦଳପରିବର୍ତ୍ତନ: ନୀତି କି ଆବଶ୍ୟକତା?
ପ୍ରାର୍ଥୀ ଚୋରୀ କିମ୍ବା ଦଳପରିବର୍ତ୍ତନକୁ କେବଳ ଅଭିଯୋଗ ଭାବେ ନେଲେ ଯଥେଷ୍ଟ ହେବ ନାହିଁ। ଏହା ହେଉଛି ଓଡ଼ିଶାର ବର୍ତ୍ତମାନ ରାଜନୀତିର ଏକ ମୂଳ ସମସ୍ୟା-ଦଳୀୟ ନୀତି ଓ ବିଚାରଧାରା ଅନୁପସ୍ଥିତି।
ଯେତେବେଳେ ନେତା ଓ ପ୍ରାର୍ଥୀମାନେ “ସୁଯୋଗ ଓ ସୁବିଧା” ଆଧାରରେ ଦଳ ବଦଳାନ୍ତି, ସେତେବେଳେ ରାଜନୀତି ଲୋକସେବାରୁ ବାଣିଜ୍ୟ ହୋଇଯାଏ।
ଏହି ଭାବଧାରାର ମୂଳ ଆରମ୍ଭ ହୋଇଥିଲା ଶକ୍ତିଧର ଶାସକ ଦଳ ବିଜେଡି ମଧ୍ୟରୁ-ଯେଉଁଠାରେ “ଦଳ ପରିବର୍ତ୍ତନ” ଏକ ସଫଳ ରଣନୀତି ହୋଇଥିଲା।
ଜନମତ ଓ ଆଗାମୀ ନିର୍ବାଚନ
ନୂଆପଡ଼ା ଉପନିର୍ବାଚନ ଓ କୋମନା ସଭା- ଦୁହିଁଟି ଘଟଣା ଏବେ ଓଡ଼ିଶାର ରାଜନୀତିର ଦିଗ ନିର୍ଣ୍ଣୟ କରିପାରେ।
ଭୋଟରମାନେ ଏବେ ପ୍ରଶ୍ନ କରୁଛନ୍ତି- “ଯେତେବେଳେ ଦଳମାନେ ପ୍ରାର୍ଥୀ ଚୋରି କରି ନିଜ ଦଳ ଶକ୍ତି ବଢ଼ାନ୍ତି, ସେତେବେଳେ ଆମ ଆଶା, ଆମ ଦାବି, ଆମ କଥା କିଏ ଶୁଣିବ?”
ଜନମାନସର ଏହି ନୀରବ ପ୍ରଶ୍ନ ହେଉଛି ଆଗାମୀ ନିର୍ବାଚନର ସତ୍ୟ ସଙ୍କେତ।
ଓଡ଼ିଶା ରାଜନୀତି ନୀତିର ପରୀକ୍ଷା
ପ୍ରାର୍ଥୀ ଚୋରୀ କେବଳ ଏକ ଅଭିଯୋଗ ନୁହେଁ- ଏହା ହେଉଛି ରାଜନୀତିକ ନୀତି ଓ ସତ୍ତା ମଧ୍ୟରେ ଚାଲିଥିବା ଗୁପ୍ତ ଯୁଦ୍ଧ।
କିଏ ଆରମ୍ଭ କଲେ, କିଏ ଚାଲୁ ରଖିଲେ- ଏହା ନିଶ୍ଚିତ ଭାବେ ଇତିହାସ ଲେଖିବ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ- ଜନତା ଆଉ ନେତାଙ୍କ ପ୍ରଲୋଭନ ଓ ଭାଷଣରେ ମୋହିତ ହେଉନାହାନ୍ତି।
ସେମାନେ ଦେଖୁଛନ୍ତି କିଏ ସତରେ ଲୋକଙ୍କ ପାଇଁ କାମ କରିଛି, କିଏ କେବଳ ମଞ୍ଚ ଓ ମାଇକ୍ରେ ଶବ୍ଦ କରିଛି। ଏହି ପ୍ରାର୍ଥୀ ଚୋରୀ ରାଜନୀତି ଯେତେ ଆଗକୁ ବଢ଼ିବ, ରାଜ୍ୟର ନୀତିଗତ ଧାରା ସେତେ ପଛକୁ ଯିବ।
କାରଣ, ଯେଉଁଠାରେ ନୀତି ହାରିଯାଏ, ସେଠାରେ ରାଜନୀତି ଜନସେବାରୁ ନିଜ ସେବାରେ ପରିଣତ ହୋଇଯାଏ।
ଜନତା ହେଉଛନ୍ତି ସତ୍ୟ ନ୍ୟାୟାଧୀଶ
କୋମନାର ସଭାମଞ୍ଚରୁ ନବୀନ ପଟ୍ଟନାୟକ ଯେପରି “ପ୍ରାର୍ଥୀ ଚୋର” ବୋଲି ଅଭିଯୋଗ କଲେ, ତାହା ରାଜନୀତିକ ଶବ୍ଦରେ ଭଲ ଶୁଣିଲା ଶବ୍ଦ ହେବ।
କିନ୍ତୁ ଓଡ଼ିଶାର ସାଧାରଣ ଜନତା ଏବେ ବିଚାର କରୁଛନ୍ତି- ଏହି ଅଭିଯୋଗ ନିଜେ ଏକ ପ୍ରତିଧ୍ୱନି ନୁହେଁ, ଯାହା ଗତ ୨୪ ବର୍ଷର ରାଜନୀତିକ ଆଚରଣରୁ ଫେରି ଆସୁଛି?
ଜନତା ଏବେ ଆବେଗରେ ନୁହେଁ, ଅନୁଭବରେ ଭୋଟ୍ ଦେବେ। ସେମାନେ ଭଲଭାବେ ଜାଣିଛନ୍ତି କିଏ କେତେ ବର୍ଷ ଧରି ତାଙ୍କ ଆଶାକୁ ମିଛ ଆଶ୍ୱାସନରେ ବନ୍ଦି କରି ରଖିଛି, ଏବଂ କିଏ ସେଇ ଆଶାକୁ ପୁଣି ଜୀବନ ଦେବାକୁ ଚେଷ୍ଟା କରୁଛି।
ଏକ ନୂତନ ପ୍ରସ୍ତାବନାର ଆବଶ୍ୟକତା
ଓଡ଼ିଶା ଏବେ ଏକ ସଂକ୍ରାନ୍ତି କାଳରେ ଅଛି।
ଯେଉଁଠାରେ ଦଳୀୟ ପରିଚୟଠାରୁ ଅଧିକ ମହତ୍ତ୍ୱ ହେଉଛି ଜନସମ୍ପର୍କ, ଜନସେବା ଓ ନୀତି। ରାଜନୀତିରେ ଚୋରି, ଦଳ ବଦଳ, ଏବଂ ଅପଶବ୍ଦର ଭିତିରେ ଯଦି ଯୁଦ୍ଧ ଚାଲିବ, ତେବେ ଜନତା ନିଜେ ନୂଆ ଦିଗ ନିର୍ଣ୍ଣୟ କରିଦେବେ।
କାରଣ ଏହି ରାଜ୍ୟର ଲୋକ ମିଛ ଭାଷଣ ଓ ଦଳୀୟ ରଣନୀତିରୁ ଆଜିକାଲି ବହୁତ ଅଧିକ ସଚେତନ। ଏହି ନିର୍ବାଚନ କେବଳ ଏକ ଆସନ ପାଇଁ ଯୁଦ୍ଧ ନୁହେଁ, ଏହା ହେଉଛି ଓଡ଼ିଶାର ରାଜନୀତିକ ନୀତି ଓ ଆଦର୍ଶର ପୁନଃପରୀକ୍ଷା।
ଏବଂ ଏହି ପରୀକ୍ଷାରେ ଜିତିବେ ସେହି ଦଳ- ଯାହା ଚୋରି ନୁହେଁ, ନୀତି ଓ ଜନସେବାରେ ଆସ୍ଥା ରଖେ।
Also readhttps://purvapaksa.com/congress-mp-says-politics-is-not-anyones-familys-property/

