ସାରା ବିଶ୍ୱରେ ମୃତ୍ୟୁର ଦ୍ୱିତୀୟ ସର୍ବବୃହତ କାରଣ ଭାବେ କର୍କଟ ରୋଗ ଆଜି ଚିହ୍ନଟ ହୋଇଛି । ଦିନକୁ ଦିନ ଜୀବନଶୈଳୀରେ ପରିବର୍ତ୍ତନ, ଅସୁସ୍ଥ ଖାଦ୍ୟାଭାସ, ଓ ଅସଚେତନତା, କର୍କଟ ଭଳି ଭୟାବହ ରୋଗକୁ ଆମ ନିକଟକୁ ଆଣିଦେଇଛି । ଶରୀରରେ ଅସ୍ଵାଭାବିକ କୋଷ ବୃଦ୍ଧି ହେଲେ କର୍କଟ ରୋଗ ହୁଏ। ଏହି ଖରାପ କୋଷଗୁଡ଼ିକ ସାଧାରଣ କୋଷକୁ ନଷ୍ଟ କରି ଟ୍ୟୁମର ଆକାରରେ ଧୀରେଧୀରେ ସମଗ୍ର ଶରୀରରେ ବ୍ୟାପିଯାଏ।

ବିଶେଷଜ୍ଞଙ୍କ ମତାନୁସାରେ କର୍କଟ ଏକ ରୋଗ ନୁହେଁ ବରଂ ଏହା ବିଭିନ୍ନ ପ୍ରକାରର ରୋଗର ସମୁହ । ମୁଖ୍ୟତଃ ତମ୍ବାଖୁ ସେବନ, ମଦ୍ୟପାନ, ଅସ୍ୱସ୍ଥ ଖାଦ୍ୟାଭାସ, ଓ ପରିବେଶିକ କାରଣ ଏହି ରୋଗର ପ୍ରଧାନ ଦାୟୀ ।
କର୍କଟ ରୋଗର ସବୁଠାରୁ ବଡ଼ କାରଣ ହେଉଛି ତମ୍ବାଖୁ । ଧୂମପାନ ହୋଉ କି ଗୁଟଖା, ଖଇନି, ପାନମସଲା—ସବୁ ପ୍ରକାର ତମ୍ବାଖୁ ଶରୀର ପାଇଁ ଅତ୍ୟନ୍ତ ହାନିକାରକ । ଏହା ମୁଖ, ଗଳା, ଫୁସଫୁସ ଓ ପେଟ କର୍କଟର ମୁଖ୍ୟ କାରଣ ହୋଇଥାଏ। ସେହିପରି ମଦ୍ୟପାନ ଯକୃତ, ଆନ୍ତ୍ର ଓ ସ୍ତନ କର୍କଟର କାରଣ ।
ଆଜିକାଲି ଖାଦ୍ୟାଭାସରେ ବଡ଼ ପରିବର୍ତ୍ତନ ଦେଖାଯାଉଛି । ରେଡ୍ ମିଟ୍ ବା ଲାଲ୍ ମାଂସ, ପ୍ୟାକେଟ୍ ମାଂସ ଓ ପ୍ରକ୍ରିୟାକୃତ ଖାଦ୍ୟ ଅଧିକ ମାତ୍ରାରେ ଖାଇବା କର୍କଟ ରୋଗ ବଢ଼ାଏ। ଏଥିରେ ଥିବା କେମିକାଲ ଓ ପ୍ରିଜର୍ଭେଟିଭ୍ ଶରୀରର କୋଷଗୁଡ଼ିକୁ କ୍ଷତିଗ୍ରସ୍ତ କରେ।
ଅନେକ ଲୋକ ପୁନଃ ଗରମ କରାଯାଇଥିବା ଖାଦ୍ୟ ଖାଇବାକୁ ଅଭ୍ୟସ୍ତ । କିନ୍ତୁ ଏହା ଶରୀର ପାଇଁ ଭୟଙ୍କର । ଏହା ସହ ପୋଡ଼ା ଖାଦ୍ୟ କିମ୍ବା ବାରବିକ୍ୟୁ ଖାଦ୍ୟ ଖାଇବା ଦ୍ୱାରା କାର୍ସିନୋଜେନ୍ ଉତ୍ପନ୍ନ ହୁଏ, ଯାହା କର୍କଟ ହେବାର ଆଶଙ୍କା ବଢ଼ାଏ।
ଅତ୍ୟଧିକ ଗରମ ପାନୀୟ ଯେପରିକି ଗରମ ଚା, କଫି ବା ସୁପ୍ ଖାଇବା ଗଳା ଓ ମୁଖ କର୍କଟ ବଢ଼ାଏ। ସେହିପରି ଆଫ୍ଲାଟକ୍ସିନ୍ ଭଳି ଫଙ୍ଗସ ଜନିତ ବିଷାକ୍ତ ପଦାର୍ଥ ମଧ୍ୟ କର୍କଟ ସୃଷ୍ଟିର ଏକ ବଡ଼ କାରଣ। ଏହା ସାଧାରଣତଃ ଖରାପ ଭାବେ ସଂରକ୍ଷିତ ଧାନ୍ୟ, ମୁଗ, ଚିନାବଦାମ ଆଦିରେ ଦେଖାଯାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି, କର୍କଟ ରୋଗରୁ ବଞ୍ଚିବା ପାଇଁ ସଚେତନତା ସବୁଠାରୁ ବଡ଼ ଅସ୍ତ୍ର। ସମୟ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା, ସୁସ୍ଥ ଖାଦ୍ୟାଭାସ, ବ୍ୟାୟାମ ଓ ତମ୍ବାଖୁ–ମଦ୍ୟପାନ ଠାରୁ ଦୂରେ ରହିଲେ କର୍କଟର ଝୁମକିକୁ ବହୁ ହଦ ପର୍ଯ୍ୟନ୍ତ କମାଇହେବ।
also read https://purvapaksa.com/political-transition/


