କଂଗ୍ରେସଠୁ ବି ବିଜେପିରେ ଅବସ୍ଥା ଖରାପ। ନେତା, ସଂଗଠନ ସବୁଠି କେବଳ ଲବି, ଗୋଷ୍ଠୀବିବାଦ ଏବଂ ନିଜ ଚୌକି ବଞ୍ଚାଇବାର ପ୍ରୟାସ। ଯେଉଁ ପରମ୍ପରା ଲାଗି କଂଗ୍ରେସ ତଳିତଳାନ୍ତ ହୋଇଗଲା ଠିକ୍ ସେହି ଅବସ୍ଥାର ରୂପାନ୍ତରଣ ଦେଖିବାକୁ ମିଳୁଛି ଭାରତୀୟ ଜନତା ପାର୍ଟିରେ। ଓଡ଼ିଶାର ସଂଗଠନ ଓ ସରକାରଙ୍କୁ ଦେଖିଲେ ଏହାକୁ ଆକଳନ କରିବା ବହୁତ ସହଜ। ସେଥିଲାଗି ବର୍ଷେ ପୂରିଲା ପରେ ବି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରୁ ନାହିଁ। ସଂଗଠନରେ ଦାୟିତ୍ୱ ବଣ୍ଟା ହୋଇପାରୁନାହିଁ। ପରିସ୍ଥିତି ଏମିତି ହୋଇଛି ଯେ ଏହା କ୍ଷମତାର ରୋଗ ନା ଅଛିଣ୍ଡା ଅଙ୍କ ତାହା ଜଣାପଡ଼ୁନି।
କିଛିଦିନ ହେଲା ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଖୁବ୍ ଜୋର ଧରିଛି। ବିଶେଷ କରି ଏକ ବର୍ଷ ପୂର୍ତ୍ତି ପରେ ମୁଖ୍ୟମନ୍ତ୍ରୀ ଯେବେଠୁ ଦିଲ୍ଲୀ ଟୁର ସାରି ଫେରିଲେଣି ଏହି ଚର୍ଚ୍ଚା ପ୍ରତିଦିନ କୌଣସି ନା କୌଣସି ଗଣମାଧ୍ୟମରେ ପ୍ରତିଫଳିତ ହେଉଛି। ପୁଣି ନିକଟରେ ମୁଖ୍ୟମନ୍ତ୍ରୀ ଅଚାନକ ରାଜ୍ୟପାଳଙ୍କୁ ଭେଟିବା ଆଉ ରାଜ୍ୟପାଳ ଆସି ସେହି ରାତିରେ ଜଣେ ମନ୍ତ୍ରୀଙ୍କ ଘରକୁ ଆସି ତାଙ୍କ ସହ ବିଭାଗ ସମ୍ପର୍କରେ ଆଲୋଚନା କରିବା ରାଜ୍ୟରେ ଚର୍ଚ୍ଚାକୁ ଅଧିକ ମଜଭୁତ କରିଛି।
ରାଜ୍ୟ ବିଜେପି ସଭାପତି ମନମୋହନ ସମାଲ ଓ ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ଦୀର୍ଘ ସପ୍ତାହେ ହେଲା ଦିଲ୍ଲୀରେ ଡେରା ପକାଇବା ପରେ ଆଜି ଭୁବନେଶ୍ୱର ଫେରି ଆସିଛନ୍ତି। ମନ୍ତ୍ରିମଣ୍ଡଳ ବିସ୍ତାର ସମ୍ପର୍କରେ ବିଜେପି କେନ୍ଦ୍ରୀୟ ନେତାମାନଙ୍କ ସହିତ କୌଣସି ଆଲୋଚନା ହୋଇନାହିଁ। କେବଳ ରାଜ୍ୟ ସଂଗଠନ ପୁନର୍ଗଠନ ସମ୍ପର୍କରେ ଆଲୋଚନା ହୋଇଛି ଓ ଖୁବ୍ଶୀଘ୍ର ରାଜ୍ୟ ସଂଗଠନ ସଶକ୍ତ ହେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟ ମନ୍ତ୍ରିମଣ୍ଡଳ ବିସ୍ତାର ଓ ଅଯୋଗ୍ୟ ମନ୍ତ୍ରୀମାନଙ୍କୁ ରାସ୍ତା ଦେଖାଇବା ଯୋଜନାକୁ କେନ୍ଦ୍ରୀୟ ଅନୁମୋଦନ ମିଳିପାରୁନାହିଁ।
ଏ ଭିତରେ ଗୋଟିଏ ଜିନିଷ ସ୍ପଷ୍ଟ ହୋଇଛି ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବା ଅଦଳବଦଳ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର ହୋଇଥିଲେ ମଧ୍ୟ ଏଠାରେ ତାହା ଉପଯୋଗୀ ନୁହେଁ। ଏଠି ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାରେ କିଛି ଚାଲେ ନାହିଁ ତାହା ଜଳଜଳ ଦିଶୁଛି।
ଏ କଥା କହିବା ପଛରେ ବଳିଷ୍ଠ ଯୁକ୍ତି ରହିଛି। ପ୍ରଥମଟି ହେଉଛି ବିଜେପି ସରକାରକୁ ୧୩ ମାସ ପୂରି ୧୪ ମାସରେ ପହଞ୍ଚିଛି। ହେଲେ ମନ୍ତ୍ରିମଣ୍ଡଳରେ ୬ ପଦବୀ ଏବେବି ଖାଲି ପଡ଼ିଛି। ଏ ପଦବୀସବୁ କେବେ ପୂରଣ ହେବ ସେ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଜଣା ଅଛି କି ନା ତାହା କହିବାତ ସମ୍ଭବ ନୁହେଁ କିନ୍ତୁ ସେ କେବେ ମନଖୋଲି କହିବା ଆମେ ଶୁଣି ନାହୁଁ। ଏ ବାବଦରେ କିନ୍ତୁ ଅନେକ ଚର୍ଚ୍ଚା ହେଉଥିଲେ ବି ସେ ନୀରବତା ଭାଙ୍ଗି ନାହାନ୍ତି। ପୁଣି କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ମନ୍ତ୍ରୀଙ୍କ ଦକ୍ଷତା ଆକଳନ ପାଇଁ କାର୍ଯ୍ୟ ରିପୋର୍ଟ ମାଗିଥିଲେ। କେତେଜଣ ମନ୍ତ୍ରୀ , ଭିତରେ ଏହି ରିପୋର୍ଟ ଦେଇଛନ୍ତି ତାହା ବି ଗୋପନୀୟ ବ୍ୟାପାର ହୋଇ ରହିଛି। କୁହାଯାଉଛି ଏହି ରିପୋର୍ଟ ଆଧାରରେ ତାଙ୍କୁ ଆକଳନ କରାଯିବ। ଅର୍ଥାତ୍ ଯେମିତି ବର୍ଷ ଶେଷରେ କର୍ପୋରେଟ ବା ଘରୋଇ ସ୍ତରର କର୍ମଚାରୀଙ୍କ ଦକ୍ଷତା ଓ କାର୍ଯ୍ୟ ଆକଳନ କରାଯାଇଥାଏ ଠିକ୍ ସେମିତି।
ଦ୍ୱିତୀୟ ଯୁକ୍ତିଟି ହେଉଛି, ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ମନ୍ତ୍ରିମଣ୍ଡଳ ବାବଦରେ ଦଳର ସଭାପତି ତତ୍ପର ହେଉଥିବା ଜଣାପଡ଼ୁଛି। ନିକଟରେ ତାଙ୍କ ପଦବୀ ପରମାନେଣ୍ଟ ହେବା ପରେ ସେ ମନ୍ତ୍ରିମଣ୍ଡଳର ଖୁବ ଶୀଘ୍ର ସମ୍ପ୍ରସାରଣ ହେବ ବୋଲି ଏକ ବିବୃତ୍ତି ଗଣମାଧ୍ୟମରେ ଦେଲେ। ଫଳରେ କିଛିଦିନ ହେଲା ଦୁର୍ବଳ ହୋଇଯାଇଥିବା ଚର୍ଚ୍ଚା ପୁଣିଥରେ ସାମ୍ନାକୁ ଆସିଲା।
ମୁଖ୍ୟମନ୍ତ୍ରୀ ଓ ସଭାପତି ଯୋଡ଼ି ହୋଇ ଯେବେ ଦିଲ୍ଲୀ ଗଲେ ଆଉ ସଂଗଠନ ମହାମନ୍ତ୍ରୀଙ୍କଠାରୁ ପ୍ରଧାନମନ୍ତ୍ରୀଙ୍କ ଯାଏ ବଡ଼ ବଡ଼ ନେତାଙ୍କୁ ଭେଟିଲେ; ସେତେବେଳେ ଏ ବିଷୟ ଆଲୋଚନା ହୋଇଥିବା ନେଇ ଖବର ପ୍ରକାଶ ହେଲା। ଏହାପରେ ହଠାତ୍ ଦିନେ ମୁଖ୍ୟମନ୍ତ୍ରୀ ରାଜଭବନ ଯାଇ ସେଠାରେ ଆଲୋଚନା କଲେ। ଗୋଟିଏ ସପ୍ତାହ ଭିତରେ ମନ୍ତ୍ରିମଣ୍ଡଳ କାୟା ବଦଳିବ ବୋଲି କୁହାଗଲା। ହେଲେ ଏଯାଏ କିନ୍ତୁ ତାହା ହୋଇପାରୁନାହିଁ। ଏବେ ରାଜ୍ୟ ସଭାପତି କେନ୍ଦ୍ରୀୟ ନେତାଙ୍କ ସହ ମନ୍ତ୍ରିମଣ୍ଡଳ ବଦଳ-ଅଦଳ ବାବଦରେ କିଛି ଆଲୋଚନା ହୋଇ ନାହିଁ ବୋଲି କହିଛନ୍ତି। ଏଥିରୁ ଜଣାପଡ଼ୁଛି ମୁଖ୍ୟମନ୍ତ୍ରୀଙ୍କଠାରୁ ଦଳର ସଭାପତି ଉର୍ଦ୍ଧ୍ୱରେ। ନୁହେଁ କି?
ସମ୍ପ୍ରସାରଣ ବା ଅଦଳ ବଦଳ ସହ ରହିଛି ନିଗମ ଅଧ୍ୟ ବଣ୍ଟନ। ଯେତେ ବିଳମ୍ବ ହେବ ସେତେ ବିବାଦ ବଢ଼ିବ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ ଯେଉଁ ନେତାମାନେ ୫ ବର୍ଷ ଗୋଟିଏ ପଦବୀ ଭୋଗ କରିବେ ବୋଲି ଭାବିଥିଲେ ଏବେ ସେମାନଙ୍କ ସମୟ ଏହି ବିଳମ୍ବ କାରଣରୁ ହ୍ରାସ ପାଇ ଚାଲିଛି। ଏହା କ’ଣ ଗଣତନ୍ତ୍ର ବୋଲି ଭିତରେ ପ୍ରଶ୍ନ ହେଲାଣି।
ଏଭଳି ପରିସ୍ଥିତି କଂଗ୍ରେସ ଯେତେବେଳେ କ୍ଷମତାରେ ଥିଲା ସେତେବେଳେ ଦେଖିବାକୁ ମିଳୁଥିଲା। କାରଣ ଗୋଟିଏ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଇପାରୁନଥିଲେ। ହାଇକମାଣ୍ଡଙ୍କ ଏଥିଲାଗି ଅନୁମତି ଦରକାର ପଡ଼ୁଥିଲା। ପୁଣି ହାଇକମାଣ୍ଡ କେତେବେଳେ କ’ଣ କହିବେ ତାଙ୍କ ପାଖରେ କି ତଥ୍ୟ ପହଞ୍ଚିବ ତାହା ଥିଲା ଗୁରୁତ୍ୱପୂର୍ଣ୍ଣ। ଏଥିଲାଗି ଅନେକ ଲବି, ଗୋଷ୍ଠୀ କାମ କରୁଥିଲେ।
ଏବେ ଠିକ୍ ସେହିଭଳି ପରିସ୍ଥିତି ବିଜେପିରେ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ଦଳେ ଗୋଷ୍ଠୀ ଏକାଠି ହୋଇ ରାଜନାଥ ସିଂହଙ୍କ ଉପରେ ଚାପ ପକାଉଛନ୍ତି ତ ଆଉ ଦଳ ସଂଘ ନେତାଙ୍କୁ ଧରିଛନ୍ତି। ପୁଣି କିଏ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ଭାବେ ପରିଚିତ ହେଉଛି ତ ଆଉ କିଏ ଅଶ୍ୱିନୀଙ୍କୁ ଆୟୁଧ କରିଛନ୍ତି। ଏଭଳି ସ୍ଥଳରେ କେନ୍ଦ୍ରରେ ଓଡ଼ିଶାକୁ ନେଇ ଭିନ୍ନ ଭିନ୍ନ ମତ ପହଞ୍ଚି ସବୁକିଛି ଅମୀମାଂସିତ ଭାବେ ଝୁଲି ରହୁଛି।
ଏଣୁ ରାଜ୍ୟରେ ବହୁଆଡ଼କୁ ଟାଣି ହେଉଥିବା ସରକାର କେବଳ ସ୍ଥିର ହୋଇ ବସିବା ଛଡ଼ା କୌଣସି କାର୍ଯ୍ୟରେ ଧ୍ୟାନ ଦେଉ ନାହାନ୍ତି। ସରକାର ଯେମିତି ସ୍ଥାଣୁ ହେଲା ଭଳି ବି ମନ ହେଲାଣି। ଏଣୁ ଲୋକଙ୍କ ସରକାର ଭାବେ ଆଖ୍ୟାୟିତ ଏହି ସରକାର ଲୋକଙ୍କ କଥା କେବେ ବୁଝିବେ ତାହା ପ୍ରଶ୍ନ ଘେରକୁ ଆସୁଛି। ଏ କ୍ଷେତ୍ରରେ ଏବେ ଆବଶ୍ୟକ ପଡ଼ୁଛି ତୁରନ୍ତ କେନ୍ଦ୍ରୀୟ ଚିକିତ୍ସା ନ ହେଲେ ନେଡ଼ିଗୁଡ଼ କହୁଣିକୁ ବୋହିଗଲେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର କି ଲାଭ ରହିବ?
Also readhttps://purvapaksa.com/odisha-high-court-cases-are-increasing-verdicts-are-decreasing/
