- ପର୍ଥରେ ବୁମରା ନେଇଥିଲେ ୯ଟି ୱିକେଟ
- ଜୈସ୍ୱାଲ ଖେଳିଥିଲେ ୧୬୧ ରନ୍ର ମାରାଥନ ଇନିଂସ
ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଦମ୍ଦାର ପ୍ରଦର୍ଶନ ପରେ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତୀୟ ଖେଳାଳିଙ୍କ ଆଧିପତ୍ୟ ଆରମ୍ଭ ହୋଇଯାଇଛି। ବୋଲିଂ ମାନ୍ୟତାରରେ ଯଶପ୍ରୀତ ବୁମରା ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ସେହିପରି ବ୍ୟାଟିଂ ମାନ୍ୟତାରେ ଯଶସ୍ୱୀ ଜୈସ୍ୱାଲ ଦ୍ୱିତୀୟକୁ ଉଠିଛନ୍ତି।
ପର୍ଥରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ବୁମରା ମୋଟ ୮ଟି ୱିକେଟ୍ ଅକ୍ତିଆର କରିଥିଲେ। ଏହି ପ୍ରଦର୍ଶନ ତାଙ୍କୁ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନକୁ ଫେରାଇ ଆଣିଥିଲା। କେବଳ ସେତିକି ନୁହେଁ, ସେ କ୍ୟାରିୟର୍ର ଶ୍ରେଷ୍ଠ ୮୮୩ ରେଟିଂ ପଏଣ୍ଟ ହାସଲ କରିଥିଲେ। ପର୍ଥରେ ମ୍ୟାଚ୍ ବିଜୟୀ ପ୍ରଦର୍ଶନ ବଳରେ ବୁମରାଙ୍କ ମାନ୍ୟତାରେ ୨ଟି ସ୍ଥାନ ଉନ୍ନତି ହୋଇଥିଲା। ସେ ଏକସଙ୍ଗେ କାଗିସୋ ରାବାଡ଼ା ଓ ଜୋସ ହାଜେଲଉଡ଼ଙ୍କୁ ପଛରେ ପକାଇ ଦେଇଥିଲେ। ବୁମରା ଏହା ପୂର୍ବରୁ ଗତ ଫେବ୍ରୁଆରୀରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୯ ୱିକେଟ୍ ନେଇ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିଲେ। ଏହାପରେ ସେ ଅକ୍ଟୋବରରେ ବାଂଲାଦେଶ ବିପକ୍ଷ ସିରିଜ ସଫଳତା ବଳରେ ପୁନର୍ବାର ଶୀର୍ଷ ମାନ୍ୟତା ଫେରି ପାଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ବିଫଳତା ପରେ ତାଙ୍କ ମାନ୍ୟତାରେ ଅବନତି ହୋଇଥିଲା।
ଅନ୍ୟ ଭାରତୀୟଙ୍କ ମଧ୍ୟରେ ରବି ଚନ୍ଦ୍ରନ ଅଶ୍ୱିନ ବୋଲିଂ ମାନ୍ୟତା ତାଲିକାର ଚତୁର୍ଥ ସ୍ଥାନ ଦଖଲ କରିଥିବାବେଳେ ରବିନ୍ଦ୍ର ଜାଡ଼େଜା ସପ୍ତମ ସ୍ଥାନରେ ରହିଛନ୍ତି। ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ଆଉ କୌଣସି ଭାରତୀୟ ସ୍ଥାନ ହାସଲ କରିପାରିନାହାନ୍ତି।
ବ୍ୟାଟିଂ ମାନ୍ୟତାରେ ଜୈସ୍ୱାଲ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲେ। ଗତ ସପ୍ତାହରେ ସେ ମାନ୍ୟତା ତାଲିକାର ଚତୁର୍ଥ ସ୍ଥାନରେ ରହିଥିଲେ। ପର୍ଥରେ ୧୬୧ ରନ୍ର ଇନିଂସ ତାଙ୍କୁ ଦ୍ୱିତୀୟ ସ୍ଥାନରେ ପହଞ୍ଚାଇଦେଇଥିଲା। ଅପରାଜିତ ଶତକୀୟ ପାଳି ପରେ ବିରାଟ କୋହଲିଙ୍କ ମାନ୍ୟତାରେ ମଧ୍ୟ ୯ଟି ସ୍ଥାନ ଉନ୍ନତି ହୋଇଥିଲା। ସେ ୧୩ତମ ସ୍ଥାନ ଦଖଲ କରିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ରିଷଭ ପନ୍ତ ଷଷ୍ଠ ସ୍ଥାନ ବଜାୟ ରଖିଥିବାବେଳେ ଶୁଭମନ ଗିଲ୍ ୧୭ତମ ସ୍ଥାନକୁ ଖସିଛନ୍ତି।
ଟେଷ୍ଟ ଅଲରାଉଣ୍ଡର ମାନ୍ୟତା ତାଲିକାରେ ରବିନ୍ଦ୍ର ଜାଡ଼େଜା ପୂର୍ବବତ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଅକ୍ଷର ପଟେଲ ସପ୍ତମ ସ୍ଥାନରେ ରହିଛନ୍ତି। ଓ୍ୱାସିଂଟନ ସୁନ୍ଦରଙ୍କ ମାନ୍ୟତାରେ ପରିବର୍ତ୍ତନ ହୋଇନାହିଁ। ସେ ୨୨ତମ ସ୍ଥାନ ବଜାୟ ରଖିଛନ୍ତି। ପର୍ଥେର ସେ ୨ଟି ୱିକେଟ ନେଇଥିଲେ।
previous article:https://purvapaksa.com/indias-biggest-win-in-australia-australias-first-optus-defeat/