ଦିନେ ରାଜ୍ୟର ଅଘୋଷିତ ମହାରାଜା ଓ ମହାରାଣୀ ଥିଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଓ ସୁଜାତା ରାଉତ। ଏବେ କିନ୍ତୁ ମୁହଁ ଲୁଚାଇ ବୁଲୁଛନ୍ତି। ରାଜ୍ୟ ପ୍ରଶାସନରେ ଆଉ ସେ ଦବ୍ଦବା ନାହିଁ। ତେଣୁ କିପରି ମୁହଞ ଳୁଚାଇ ରାଜ୍ୟ ଛାଡ଼ିବେ ସେହି ଚିନ୍ତାରେ ଅଛନ୍ତି।
ଜୁନ୍ ମାସରେ ନିର୍ବାଚନ ଫଳାଫଳରେ ରାଜ୍ୟର ଶାସନ ଡୋରୀ ବିଜେପି ହାତକୁ ଗଲା ପରେ ସମସ୍ତେ ଭାବୁଥିଲେ ପାଣ୍ଡିଆନ ଦମ୍ପତ୍ତିଙ୍କ ଉପରେ ମୋହନ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କାରଣ ବିଜେଡି ସରକାର ସମୟରେ ଯେତେ ଦୁର୍ନୀତି ହୋଇଛି ତାହାକୁ ଆଳ କରି ଏହି ଦମ୍ପତ୍ତିଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ବୋଲି ଧାରଣା ଥିଲା। କିନ୍ତୁ ଏହି ଧାରଣା ଏବେ ପାଣି ଫୋଟକା ଭଳି ମିଳାଇବାରେ ଲାଗିଛି।
ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀମାନେ ପାଣ୍ଡିଆନ କରିଥିବା କାମର ତଦନ୍ତ ହେବ ଓ ଦୋଷୀକୁ ଦଣ୍ଡ ମିଳିବ ବୋଲି କହୁଥିଲେ। କିନ୍ତୁ ଏହି କଥା କେବଳ କଥାରେ ସୀମିତ ଥିଲା ବୋଲି ପ୍ରମାଣିତ ହେବାରେ ଲାଗିଛି।
ଇତି ମଧ୍ୟରେ ୧୦ ମାସ ବିତିଗଲାଣି। ପାଣ୍ଡିଆନ ଦମ୍ପତ୍ତିଙ୍କ ବିରୋଧରେ ଛୋଟିଆ ତଦନ୍ତ ଆଦେଶ ଦେଇପାରିନାହିଁ ବିଜେପି ସରକାର। ଏହାର କାରଣ ଏବେ ଧିରେ ଧିରେ ପଦାକୁ ଆସିବାରେ ଲାଗିଛି। ମୁଖ୍ୟ କାରଣ ହେଲା ପାଣ୍ଡିଆନ ଦମ୍ପତ୍ତିଙ୍କୁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ସୁରକ୍ଷା ଦେଉଛନ୍ତି। ଗତ ଦୁଇ ସ୍ତପ୍ତାହ ହେଲା ରାଜ୍ୟରେ ପାଣ୍ଡିଆନ ଦମ୍ପତ୍ତିଙ୍କୁ ନେଇ ଯେଉଁ ଘଟଣାବଳୀ ସାମ୍ନାକୁ ଆସିଛି ସେଥିରୁ ଏହା ସ୍ପଷ୍ଟ ହୋଇଗଲାଣି।
ନବୀନଙ୍କ ଏକାନ୍ତ ଅନୁଗତ ଭିକେ ପାଣ୍ଡିଆନ ଭାରତ ଛାଡ଼ି ଇଂଲଣ୍ଡରେ ବିଲଗେଟ୍ସଙ୍କ କମ୍ପାନୀରେ ବରିଷ୍ଠ ପଦବୀରେ କାମ କରିବେ ବୋଲି ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଯଦି ବିଜେପି ସରକାର ପାଣ୍ଡିଆନଙ୍କୁ ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ଦୁର୍ନୀତିରେ ଦୋଷୀ ପ୍ରମାଣ କରିବାର ଥାଆନ୍ତା ତେବେ ତାଙ୍କୁ ବିଦେଶରେ ଚାକିରି କରିବାର ସୁଯୋଗ ମିଳିନଥାନ୍ତା। ପାଣ୍ଡିଆନ ବିଲଗେଟ୍ସ କମ୍ପାନୀରେ ବିଦେଶରେ ରହି କାମ କରିବା ପାଇଁ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ବିନା ଅଜାଣତରେ ହୋଇନଥିବ।
ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କର ବିଜେପିର କେନ୍ଦ୍ରୀୟ ନେତାଙ୍କ ସହିତ ସୁସମ୍ପର୍କ ରହିଛି। ଯାହାଫଳରେ ପାଣ୍ଡିଆନ ଓଡ଼ିଶା ଛାଡ଼ି ବିଦେଶ ଯିବାକୁ କେନ୍ଦ୍ର ସରକାର ସବୁଜ ସଂକେତ ଦେଇଛନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।
ପାଣ୍ଡିଆନଙ୍କର ଆଇଏଏସ ପଦବୀରୁ ଇସ୍ତଫା ଓ ନିର୍ବାଚନରେ ବିଜେଡିର ପରାଜୟ ପରେ ସୁଜାତାଙ୍କର ଚାକିରିରୁ ଇସ୍ତଫା ନେଇ ମଧ୍ୟ ଆଲୋଚନା ହେଉଥିଲା। ଛୁଟି ନ ମିଳିବାରୁ ବାଧ୍ୟ ହୋଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ କାମ କରୁଛନ୍ତି। ଏହି ଦାୟିତ୍ୱରା ସୁଜାତା ନିଜକୁ ଅସହଜ ମନେକରୁଛନ୍ତି। ଏବେ ତାଙ୍କ ସ୍ୱାମୀ ଓଡ଼ିଶା ଛାଡ଼ି ଚାକିରି ପାଇଁ ବିଦେଶ ଯାଉଥିବାରୁ ସୁଜାତା ଆଉ ଚାକିରିରେ ରହିବା ଉଚିତ ମନେ କରିନାହାନ୍ତି। ତେଣୁ ଭିଆରଏସ ନେବାକୁ ସ୍ଥିର କରିଥିଲେ।
ସୁଜାତାଙ୍କ ଏହି ନିଷ୍ପତ୍ତିକୁ ବିଜେପି ନେତାଙ୍କ ଦ୍ୱାରା ନବୀନ ପଟ୍ଟନାୟକ ଓ ପାଣ୍ଡିଆନ କାର୍ଯ୍ୟକାରୀ କରିଥିବା କୁହାଯାଇଛି। ସୁଜାତା ଭିଆରଏସ ଆବେଦନ କରିବା ପରେ ଗତ ସପ୍ତାହରେ ଉଭୟ ନବୀନ ଓ ପାଣ୍ଡିଆନ ଦିଲ୍ଲୀ ଯାଇଥିଲେ। ଏହି ଗସ୍ତ କାଳରେ ଉଭୟେ ବିଜେପିର କେନ୍ଦ୍ରୀୟ ନେତାଙ୍କୁ ଭେଟି ସୁଜାତାଙ୍କ ଭିଆରଏସ ଆବେଦନକୁ ମଞ୍ଜୁର କରାଇ ଦେଇଛନ୍ତି ବୋଲି ପ୍ରଶାସନିକ ମହଲରେ ଆଲୋଚନା ହେଉଛି।
ସୁଜାତାଙ୍କ ଭିଆରଏସ ଆବେଦନ ମଞ୍ଜୁର ହେବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି। ତାହା ହେଲା ପାଣ୍ଡିଆନ ଓ ସୁଜାତାଙ୍କ ସୁରକ୍ଷା ଦାୟିତ୍ୱ ବିଜେପିର କେନ୍ଦ୍ରୀୟ ନେତା ନେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କ ଅନୁଗତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଗତ ସପ୍ତାହରେ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ। ଏହି ଗସ୍ତର ଉଦ୍ଦେଶ୍ୟ କ’ଣ ସେମାନେ କାହାକୁ କିଛି ସୂଚନା ଦେଇନଥିଲେ।
ଗତ ୧୩ ତାରିଖରେ ସୁଜାତା ତାଙ୍କର ଭିଆରଏସ ଆବେଦନ କରିଥିଲେ। ସମ୍ଭବତଃ ଏହି ଆବେଦନକୁ କେନ୍ଦ୍ର ସରକାର କିପରି ସହଜରେ ଗ୍ରହଣ କରିନେବେ ସେଥିପାଇଁ ନବୀନ ଓ ପାଣ୍ଡିଆନ ଦିଲ୍ଲୀ ଯାଇଥିଲେ ବୋଲି ଚର୍ଚ୍ଚା ହେଉଛି।
ନବୀନ ଓ ପାଣ୍ଡିଆନଙ୍କର ବିଜେପିର କେନ୍ଦ୍ରୀୟ ନେତାଙ୍କ ସହିତ ସୁସମ୍ପର୍କ ଥିବାରୁ ସୁଜାତାଙ୍କ ଭିଆରଏସ ଆବେଦନ ବିନା ବାଧାରେ ଗ୍ରହଣ ହୋଇଥିବା ପାୱାର କରିଡରରେ ଆଲୋଚନା ହେଉଛି।
Also readhttps://purvapaksa.com/pandiyans-wife-quits-job-what-will-happen-to-the-bjd/
