୨୮୮ ଆସନ ମଧ୍ୟରୁ ୨୨୩ରେ ଆଗୁଆ ଶାସକ ମହାଯୁତି
ମହାରାଷ୍ଟ୍ରରେ ବିଜେପି ଝଡ଼। ଏଥର ପୁଣି ମହାରାଷ୍ଟ୍ରରେ ମହାଯୁତି ସରକାର। ବଡ଼ବିଜୟ ଅଭିମୁଖେ ବଢ଼ି ଚାଲିଛି ମହାଯୁତି।ମହାରାଷ୍ଟ୍ରବିଧାନସଭା ନିର୍ବାଚନର ଚାଲିଥିବା ଭୋଟ୍ ଗଣତିରୁ ଏଭିଳି କିଛି ଟ୍ରେଣ୍ଡ ସାମ୍ନାକୁ ଆସିଛି। ବର୍ତ୍ତମାନ ଆସୁଥିବା ଟ୍ରେଣ୍ଡ ଅନୁସାରେ ମହାବିକାଶ ଅଘାଡିକୁ ବହୁ ପଛରେ ପକାଇଛି ମହାଯୁତି । ବହୁମତକୁ ପାର୍ କରିଛି ମହାଯୁତି ମେଣ୍ଟ। ବିଜେପି ନେତୃତ୍ୱାଧୀନ ଏହି ମେଣ୍ଟ ମ୍ୟାଜିକ୍ ନମ୍ବରକୁ ପାର୍ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ ୨୮୮ ଆସନ ମଧ୍ୟରୁ ୨୨୩ଟିରେ ଶାସକ ମହାଯୁତି ଆଗୁଆ ରହିଛି।
କେବଳ ଭାରତୀୟ ଜନତା ପାର୍ଟି ୧୨୮ ଟି ଆସନରେ ଆଗୁଆ ରହିଛି। ସେହିପରି ୫୫ ଟି ଆସନରେ ସିନ୍ଦେ ସେନା ଏବଂ ଅଜିତ ପାୱାରଙ୍କ ଏନସିପି ୩୫ ଟି ସିଟରେ ଆଗୁଆ ରହିଛି। ଅନ୍ୟପଟେ ବିରୋଧୀଙ୍କ ମହାବିକାଶ ଅଘାଡି ମେଣ୍ଟ ୫୭ଟି ଆସନରେ ଆଗୁଆ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା କାଉଟିଂରେ କେବଳ ବିଜେପି ୨୨.୩୯ ପ୍ରତିଶତ ଭୋଟ ପାଇବାରେ ସଫଳ ହୋଇଛି। ତେବେ ଏମଭିଏରେ ସର୍ବାଧିକ ସଂଖ୍ୟକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କଂଗ୍ରେସ ମାତ୍ର ୨୦ ଟି ଆସନରେ ଆଗୁଆ ରହିଛି। ରାଜ୍ୟରେ ୨୮୮ଟି ଆସନ ପାଇଁ ନଭେମ୍ବର ୨୦ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା।
ବିଶେଷ କଥା ହେଉଛି ଚଳିତ ଥର ରାଜ୍ୟରେ ୬୫ ପ୍ରତିଶତରୁ ଅଧିକ ଭୋଟ୍ ହେବା ସହିତ ୩୦ ବର୍ଷର ରେକର୍ଡ ଭାଙ୍ଗିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାଯୁତି ମେଣ୍ଟ ଆଧିପତ୍ୟ ବଜାୟ ରଖିଥିବା ବେଳେ ବର୍ତ୍ତମାନର ଟ୍ରେଣ୍ଡ ଜାରି ରହିଲେ ବିଜେପି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ରେକର୍ଡ଼ ବ୍ରେକିଂ କରିବ। ବିଜେପି, ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ନେଇ ଗଠିତ ମହାଯୁତି ୨୦୦ରୁ ଅଧିକ ଆସନରେ ଆଗୁଆ ରହି ଆଣ୍ଟି-ଇନ୍କମ୍ବେନ୍ସିକୁ ପ୍ରତିରୋଧ କରିଛି।
ଅପରପକ୍ଷରେ କଂଗ୍ରେସ, ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଏବଂ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ନେଇ ଗଠିତ ବିରୋଧୀ ମହାବିକାଶ ଆଘାଡି (ଏମଭିଏ) ପ୍ରତ୍ୟାବର୍ତ୍ତନ ପାଇଁ ସଂଘର୍ଷ କରୁଛି। ଏକ୍ଜିଟ୍ ପୋଲ୍ ରେ ଏମଭିଏ ମେଣ୍ଟ ଉପରେ ମହାଯୁତି ମେଣ୍ଟକୁ ସ୍ପଷ୍ଟ ଅଗ୍ରଣୀ ମିଳିଛି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୧୪୫ ରହିଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତିରେ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୨୦ ରାଉଣ୍ଡ ଭୋଟ ଗଣତି ହେବ ବୋଲି ମତଦାନ ଅଧିକାରୀମାନେ କହିଛନ୍ତି।
ଏହାବ୍ୟତୀତ ମହାରାଷ୍ଟ୍ରର ନାନ୍ଦେଡରେ ଲୋକସଭା ଆସନ ପାଇଁ ଉପନିର୍ବାଚନ ପାଇଁ ମଧ୍ୟ ଭୋଟ ଗଣତି ଚାଲିଛି, ଯେଉଁଠାରେ ବିଜେପି ବର୍ତ୍ତମାନ ଆଗୁଆ ରହିଛି ଏବଂ କେରଳର ୱାୟନାଡରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏକ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି ।
ବିଜେପି ଅଫିସରେ ଜିଲାପି ଛଣା
ଫଳାଫଳ ପୂର୍ବରୁ ଉତ୍ସାହ। ବିଜେପି ଅଫିସରେ ବସିଛି ତେଲ କଢ଼େଇ। ଆଉ ଛଣା ଚାଲିଛି ଜିଲାପି। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଭିତରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ। ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରା ଅନୁଯାୟୀ ବିଜେପି ମହାରାଷ୍ଟ୍ରରେ ଲିଡ୍ କରୁଛି। ଏହାକୁ ନେଇ ବିଜେପି କାର୍ଯ୍ୟାଳୟରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ପ୍ରିୟଜନଙ୍କ ମୁହଁ ମିଠା କରିବା ପାଇଁ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଜିଲାପି ସେଲିବ୍ରେସନ୍ ଆରମ୍ଭ ହୋଇଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ସାମ୍ନାକୁ ଆସିଥିବା ଭିଡିଓରେ ଜଣେ ବ୍ୟକ୍ତି ଦିଲ୍ଲୀ ବିଜେପି ହେଡ୍ ଅଫିସ୍ ଭିତରେ ମୁଣ୍ଡରେ ଗେରୁଆ ପଗଡ଼ି ପିନ୍ଧି ଗରମା ଗରମ ଜିଲାପି ଛାଣୁଥିବା ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ଯେ ଉଭୟ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ବିଜେପି ନିଶ୍ଚିତ ରୂପେ ଜିତିବ ବୋଲି ଆଶା ରଖିଛି।
ଭୋଟ ଗଣତିର ଟ୍ରେଣ୍ଡ ଅନୁଯାୟୀ ମହାରାଷ୍ଟ୍ରରେ ବଡ଼ ବିଜୟ ଅଭିମୁଖେ ବଢ଼ି ଚାଲିଛି ମହାଯୁତି। ସେହିପରି ଝାଡ଼ଖଣ୍ଡରେ ଚାଲିଛି ଜୋରଦାର ଫାଇଟ୍। ଏଠାରେ ବିଜେପିକୁ ଝଟ୍କା ଲାଗିଛି। ଧୀରେ ଧୀରେ ଇଣ୍ଡିଆ ମେଣ୍ଟ ଆଗକୁ ବଢ଼ି ଚାଲଇଛି। ଇଣ୍ଡିଆ ମେଣ୍ଟ ୫୦ଟି ଆସନରେ ଲିଡ୍ କରୁଥିବା ବେଳେ ଏନ୍ଡିଏ ୨୯ଟି ଆସନରେ ଅଟକି ରହିଛି। ଝାଡ଼ଖଣ୍ଡର ୮୧ଟି ଆସନ ମଧ୍ୟରୁ ଜେଏମ୍ଏମ୍ ୩୨ଟି ଆସନରେ ଆଗୁଆ ରହିଛି। ସେହିପରି ସହଯୋଗୀ କଂଗ୍ରେସ ୧୨ ଓ ଆର୍ଜେଡି ୬ଟି ଆସନରେ ଆଗୁଆ ଥିବା ମଡିଆ ରିପୋର୍ଟରୁ ଜଣାପଡିଛି। ଅନ୍ୟପଟେ ବିଜେପି ମାତ୍ର ୨୫ଟି ଆସନରେ ଆଗୁଆ ରହିଛି।
previous article: https://purvapaksa.com/supreme-court-refused-to-send-petition-to-larger-bench-against-adding-secular-and-socialist-word-in-preamble/
