ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନରେ ପୂର୍ବ ଅଧିବେଶନ ଭଳି ବିରୋଧୀଙ୍କ ବାଧା ଜାରି ରହିଛି। ପ୍ରଶ୍ନକାଳ ଚାଲିଥିବା ବେଳେ ବିରୋଧୀ ଦଳ ପକ୍ଷରୁ ଗୃହର ମଧ୍ୟଭାଗରେ ବିକ୍ଷୋଭ ପ୍ରଦର୍ଶନ ହେତୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମାତ୍ର ୪ ମିନିଟ ସମୟ ପରେ ଗୃହ କାର୍ଯ୍ୟକୁ ଅପରାହ୍ଣ ୪ଟା ଯାଏ ମୁଲତବୀ କରିଛନ୍ତି ବାଚସ୍ପତି।
ଆଜି ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଗୃହର ମଧ୍ୟଭାଗକୁ ପ୍ରବେଶ କରିଥିଲେ। ଗୃହର ସମସ୍ତ କାର୍ଯ୍ୟକୁ ସ୍ଥଗିତ ରଖି ଚାଷୀଙ୍କ ସାର ସମସ୍ୟା ବିଷୟକୁ ଆଲୋଚନା କରିବାକୁ ବିଜେଡି ନେତାମାନେ ଦାବି କରିଥିଲେ। ଅପରପକ୍ଷେ ଏ ବିଷୟରେ କଂଗ୍ରେସ ପକ୍ଷରୁ ପୂର୍ବରୁ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା।

ଏଣୁ ଏହି ବିଷୟକୁ ମୁଲତବୀ ନୋଟିସରେ ଅଣାଯାଇ ଥିବାରୁ ସେ ସମୟରେ ଆଲୋଚନା କରିବାକୁ ଶାସକ ଦଳର ବିଧାୟକମାନେ କହିଥିଲେ। ପ୍ରଶ୍ନୋତ୍ତର କାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତର ଦେବାକୁ ହୋଇଥାଏ। ଏଣୁ ଏହି ଗୁରୁତ୍ୱପୂର୍ଣ୍ଣ ସମୟକୁ ସ୍ଥଗିତ ନକରିବାକୁ ଶାସକ ଦଳ ଦାବି କରିଥିଲା। ହେଲେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସଂକ୍ଷିପ୍ତ ସମୟ ଆବଣ୍ଟନ ହେଉଥିବାରୁ ସମସ୍ତ କାର୍ଯ୍ୟକୁ ବନ୍ଦ କରି ଆଲୋଚନା ପାଇଁ ଅଧିକ ସମୟ ଦାବି କରିଥିଲେ ବିଜେଡି ନେତା। ଏହାକୁ ବାଚସ୍ପତି ଗ୍ରହଣ ନକରିବାରୁ ସେମାନେ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ନାରାବାଜୀ କରିଥିଲେ। ଚାଷୀ ମାରଣ ନୀତି ଚଳିବ ନାହିଁ, ସାର କଳାବଜାରୀ ଚଳିବ ନାହିଁ ବୋଲି ସ୍ଲୋଗାନ ଦେଇଥିଲେ। ଏହାଦ୍ୱାରା ପ୍ରଶ୍ନ କାଳ ବାଧାପ୍ରାପ୍ତ ହୋଇଥିଲା।
ଏହି ଅସ୍ୱଭାବିକ ପରିସ୍ଥିତିରେ କିନ୍ତୁ ଗୃହରେ ପ୍ରଶ୍ନକାଳ ଚଳାଇବାକୁ କହିଥିଲେ ବାଚସ୍ପତି। ଫଳରେ ପ୍ରଥମ ପ୍ରଶ୍ନ ସ୍କୁଲ୍ ଓ ଗଣଶିକ୍ଷା ବିଭାଗକୁ ଶାସକ ଦଳ ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିଲେ। ଟଙ୍କଧରଙ୍କ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଦେଇଥିଲେ ମଧ୍ୟ ତାହା ଗୃହରେ ସ୍ପଷ୍ଟ ଶୁଣାଯାଇ ନଥିଲା। ବାଚସ୍ପତି ବାରମ୍ବାର ଗୃହକୁ ସ୍ୱଭାବିକ ସ୍ଥିତିକୁ ଆଣିବା ପାଇଁ ବିରୋଧୀ ଦଳର ନେତାମାନଙ୍କୁ ନିଜ ନିଜ ଆସନକୁ ଯିବାକୁ ଅନୁରୋଧ କରିଥିଲେ ମଧ୍ୟ ବିରୋଧୀ ଦଳ ତାହାକୁ କର୍ଣ୍ଣପାତ କରି ନଥିଲେ। ଫଳରେ ଗୃହ ମାତ୍ର ୪ ମିନିଟ ପରେ ମୁଲତବୀ ହୋଇଥିଲା।
ALSO READ https://purvapaksa.com/primary-school-status-in-the-state-4619-closed-40-opened/


