ରାଜନୀତିରେ ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା, କିନ୍ତୁ ଯେତେବେଳେ ଏହି ପରିବର୍ତ୍ତନ ଏକ ପ୍ରଭାବଶାଳୀ ଦଳ ଭିତରୁ ଆରମ୍ଭ ହୁଏ, ସେତେବେଳେ ଏହା ରାଜନୀତିରେ ଏକ ବଡ଼ ଝଡ଼ର ସୂଚନା ଦେଇଥାଏ। ଓଡ଼ିଶାରେ ବିଜୁ ଜନତା ଦଳ ଭିତରେ ଏବେ ଯେଉଁ ଉଷ୍ମତା ଦେଖାଯାଉଛି, ତାହା ଦଳର ଭାବି ମୁଖିଆ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ନେତୃତ୍ୱ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। କେବଳ ଭଦ୍ରକର କିଛି ଯୁବ ନେତା ପ୍ରୟାସକାନ୍ତି ସାମଲ, ପ୍ରଣିତକାନ୍ତି ସାମଲ ଏବଂ ଉର୍ମିଳା ନାୟକଙ୍କ ବିଜେପିରେ ଯୋଗଦାନ ନୁହେଁ, ବରଂ ଏହାକୁ ଦଳ ବିପର୍ଯ୍ୟୟ ଆଡ଼କୁ ଯାଉଥିବାର ସଂକେତ ଭାବରେ ରାଜନୈତିକ ମହଲରେ ଦେଖାଯିବା ଚିନ୍ତାର ବିଷୟ। ବିଜେଡିରେ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଚାଲିଥିବାବେଳେ ପାଣ୍ଡିଆନଙ୍କ କାର୍ଯ୍ୟଶୈଳୀ ଦଳ ଭିତରେ ତିକ୍ତତା ସୃଷ୍ଟି କରିଛି। ବରିଷ୍ଠ ନେତାମାନଙ୍କୁ ଦଳରୁ ବାହାର କରିବା କିମ୍ବା ଟାର୍ଗେଟ କରିବା ଦ୍ୱାରା ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଏହି ପରିବେଶରେ, ଏକଦା ପାଣ୍ଡିଆନଙ୍କର ‘ଯୁବ ବିଗ୍ରେଡ଼’ ଭାବରେ ପରିଚିତ କିମ୍ବା ଭେଟେରାନ ନେତାଙ୍କ ପୁଅମାନେ ଅସନ୍ତୁଷ୍ଟ ହେବା ସ୍ୱାଭାବିକ।
ଯୁବ ନେତାଙ୍କ ଭରଷାଯୋଗ୍ୟ ନୁହେଁ ଦଳ

ଓଡ଼ିଶାର ରାଜନୀତିରେ ଲୁଚିଥିବା ରାଜନୈତିକ ଅନ୍ତୋଷର ଆନ୍ଦୋଳନ ଆରମ୍ଭ ହୋଇଛି, ଯାହାକି ଆଗାମୀ କିଛି ମାସରେ ରାଜ୍ୟର ସବୁଠୁ ବଡ଼ ପରିବର୍ତ୍ତନ ଆଗମନର ସୂଚନା ହୋଇପାରେ। ବିଜୁ ଜନତା ଦଳ ରାଜ୍ୟରେ ଚବିଶ ବର୍ଷ ପର୍ଯ୍ୟନ୍ତ ଅବିଚଳ ଶାସନ କରି କ୍ଷମତାଚ୍ୟୁତ ହେବା ପରେ ଏବେ ଏକ ବିଚ୍ଛିନ୍ନ ବିନ୍ଦୁରେ ପହଁଞ୍ଚିଛି। ଦଳରେ ପାରମ୍ପରିକ ନେତୃତ୍ୱ, ନୂଆ ଉତ୍ତରାଧିକାରୀ, ଅସନ୍ତୁଷ୍ଟ ଯୁବ ନେତା, ରାଜପରିବାର ସଦସ୍ୟମାନେ ଏବେ ଦଳ ଓ ଦଳ ଚଳାଉଥିବା ନେତାଙ୍କ ଉପରେ ଭରଷା କରିବା ସ୍ଥିତିରେ ଆଉ ନାହାନ୍ତି।
ଏହି ପର୍ଯ୍ୟନ୍ତ ଦଳରେ ଲୁଚି ରହିଥିବା ଅସନ୍ତୋଷ ଏବେ ରୂପାନ୍ତର ହେଉଛି ସଂଗଠିତ ‘ଯାତ୍ରା’- ବିଜେଡିରୁ ବିଜେପିକୁ ଯିବା ପାଇଁ ଯୁବ ନେତାମାନଙ୍କ ବୁଦ୍ଧିମାନ ଇଚ୍ଛା।
ଯାହାକୁ ବହୁ ରାଜନୈତିକ ପର୍ଯ୍ୟବେକ୍ଷକ ଭାବୁଛନ୍ତି- ଏହା ମାତ୍ର ଆରମ୍ଭ; ଦଳ ବୁଡ଼ିବା ପୂର୍ବରୁ ସମ୍ମାନ ଓ ରାଜନୈତିକ ପତିଆାରା ରକ୍ଷାର ଉଦ୍ୟମ।
ପାଣ୍ଡିଆନଙ୍କ ଉଦୟ: ବିଜେଡିର ନୂଆ ମୁଖିଆ ଏବଂ ପୁରୁଣା ଆଧାରର ସଙ୍କଟ
ନବୀନ ପଟ୍ଟନାୟକଙ୍କ ଶାସନ ଶେଷର ପରିବେଶରେ ପାଣ୍ଡିଆନଙ୍କୁ ଦଳର ଉତ୍ତରାଧିକାରୀ ଭାବେ ଘୋଷଣା ହୋଇନଥିଲେ ହେଁ ଦଳ ତାଙ୍କରି ନିର୍ଦ୍ଦଶରେ ଚାଲୁଥିବା ଜଣାଯାଉଛି।
ସେ ପାର୍ଟିରେ ନିଜର ପ୍ରଭାବକୁ ପ୍ରତିଦିନ ବଢ଼ାଉଛନ୍ତି, ନିଷ୍ପତ୍ତି ପ୍ରକ୍ରିୟାର କେନ୍ଦ୍ରରେ ନିଜକୁ ରଖୁଛନ୍ତି, ଏବଂ ପୁରୁଣା ନେତାମାନଙ୍କୁ ଦଳରୁ ବିଦା କରିବାର ପ୍ରକ୍ରିୟା ଆରମ୍ଭ କରିଥିବା କୁହାଯାଉଛି।
କିନ୍ତୁ; ପ୍ରତ୍ୟେକ କାର୍ଯ୍ୟର ପାର୍ଶ୍ୱ ପ୍ରତିକ୍ରିୟା ଥାଏ।
ପାଣ୍ଡିଆନଙ୍କ ପ୍ରଭାବ ବୃଦ୍ଧି ନିଶ୍ଚୟ ଦଳର ପୁନର୍ଗଠନ ପାଇଁ ଆବଶ୍ୟକ ହେଲେ ମଧ୍ୟ, ଏହା ଯୁବ ଓ ମଧ୍ୟମ ପ୍ରଜ୍ଞାର ନେତାମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷକୁ ବଢ଼ାଇଛି।
ଏହି ନେତାମାନେ ଭାବୁଛନ୍ତି-
ପାଣ୍ଡିଆନ ଆସିଲେ ଦଳରେ ସେମାନଙ୍କ ଗୁରୁତ୍ୱ ରହିବ ନାହିଁ, ନିଜ ଭବିଷ୍ୟତ ଅସ୍ଥିର ହେବ।
ଏହି ପୃଷ୍ଠଭୂମିରେ ତିନି ଯୁବ ନେତା-
ପ୍ରୟାସକାନ୍ତି ସାମଲ, ପ୍ରଣିତକାନ୍ତି ସାମଲ ଏବଂ ଉର୍ମିଳା ନାୟକ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା କେବଳ ଗୋଟିଏ ସ୍ୱିଚ୍ ଓଭର ନୁହେଁ; ଏହା ଗୋଟିଏ ସତର୍କ ଘଣ୍ଟି।
ରାଜନୈତିକ ମହଲ ଏହାକୁ ଦେଖୁଛି- “ଏହା ବିଜେଡିର ଭାଡ଼ି ଖାଲି ହେବାର ପ୍ରଥମ ସଂକେତ।”
କିଏ ଚାଲିଯିବେ ବୋଲି ଚର୍ଚ୍ଚା? ତାଲିକା ଦୀର୍ଘ, ଚାପ ବଢ଼ୁଛି
/odishatv/media/post_attachments/uploadimage/library/16_9/16_9_0/Dama-Rout-Son-Sambit_1627280147.jpg)
ବିଜେଡିର ଆନ୍ତରିକ ସୂଚନା ଭିତ୍ତିକ ଚର୍ଚ୍ଚାରେ ଦଳଛାଡ଼ିବାର ଯେଉଁ ନାମ ବାରମ୍ବାର ଆସୁଛି, ସେମାନେ ହେଲେ—
• ଚନ୍ଦ୍ରସାରଥୀ ବେହେରା
• ରୁଦ୍ରପ୍ରତାପ ମହାରଥୀ
• ବିପ୍ଳବ ପାତ୍ର
• ସମ୍ବିତ ରାଉତରାୟ
• ବିଷ୍ଣୁବ୍ରତ ରାଉତରାୟ
• ଅଂଶୁମାନ ମହାନ୍ତି
• ଦେବେଶ ଆଚାର୍ଯ୍ୟ
• ପ୍ରଣବ ବଳବନ୍ତ ରାୟ (ଜିତୁ)
• ପ୍ରୀତିରଞ୍ଜନ ଘଡ଼େଇ
• ବିଧାୟକ ଦେବରଞ୍ଜନ ତ୍ରିପାଠୀ
• ବିଧାୟକ ସୌଭିକ ବିଶ୍ୱାଳ
• ବିଧାୟକ କଳିକେଶ ନାରାୟଣ ସିଂହଦେଓ
ଏହି ସମସ୍ତ ନାମ ଗୋଟିଏ ଚିନ୍ତାରେ ଚିନ୍ତିତ – ସେମାନେ ଭାବୁଛନ୍ତି ଯେ, ପାଣ୍ଡିଆନ ନେତୃତ୍ୱ ନେବା ପୂର୍ବରୁ ଦଳ ଛାଡ଼ିଦେବା ସେମାନଙ୍କ ପାଇଁ ରାଜନୈତିକ ଭାବେ ଭଲ ପଦକ୍ଷେପ ହେବ।
କିଛି ନେତା ଏବେ ଅତ୍ୟନ୍ତ ସକ୍ରିୟ ଭାବରେ ‘ଦଳ ବଦଳ’ ପାଇଁ କାମ କରୁଛନ୍ତି।
କିଛି ଅପେକ୍ଷାରେ ଅଛନ୍ତି- “ପରିସ୍ଥିତିକୁ ଦେଖିବା” ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବେ।
କିଛି ରାଜପରିବାର ମଧ୍ୟ ଚିନ୍ତାରେ ଅଛନ୍ତି।
କିଛି ବ୍ୟକ୍ତିଗତ ଅସମ୍ମାନ ଓ ଅଭିଯୋଗର ପୁରୁଣା ଘାତରୁ ପ୍ରଭାବିତ।
ଏବଂ ବିଜେପି ସେମାନଙ୍କୁ ଉଭୟ ହାତ ଖୋଲି ସ୍ୱାଗତ ପାଇଁ ପ୍ରସ୍ତୁତ।
ରାଜପରିବାରମାନଙ୍କ ସଙ୍ଗଠନ: ଦକ୍ଷିଣ ଓଡ଼ିଶାରେ ନୂଆ ପଲିଟିକାଲ ମାପ୍?
ଏହି ଅସନ୍ତୋଷ କେବଳ ବ୍ୟକ୍ତିଗତ ନେତାଙ୍କ ମଧ୍ୟରେ ସୀମିତ ନୁହେଁ। ଦକ୍ଷିଣ ଓଡ଼ିଶାର ଅନେକ ରାଜପରିବାର ସଦସ୍ୟ ନିଜର ପ୍ରଭାବକୁ ବଜାୟ ରଖିବା ପାଇଁ ବିଜେପି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଜରିଆରେ ବିଜେପି ସହ କଥାବାର୍ତ୍ତା ଆରମ୍ଭ କରିଛନ୍ତି। ଏହା ସୂଚାଉଛି ଯେ ବର୍ତ୍ତମାନର ବିଜେଡି ନେତୃତ୍ୱ ଉପରେ ଏହି ପ୍ରଭାବଶାଳୀ ପରିବାରମାନେ ଆସ୍ଥା ହରାଇଛନ୍ତି।
ବିଶେଷକରି ଦକ୍ଷିଣ ଓଡ଼ିଶାର ରାଜପରିବାରମାନେ- କନକ ବର୍ଦ୍ଧନ ସିଂହଦେଓଙ୍କ ସହିତ ଯୋଗାଯୋଗ କରୁଛନ୍ତି ନିଜ ପୁଅ ଓ ଝିଅମାନଙ୍କୁ ବିଜେପିକୁ ଯିବା ପାଇଁ।
ଦଳୀୟ ରାଜନୀତି ବୁଝେ- ରାଜପରିବାର ଅନେକ ମାମଲାରେ ‘ସଂକେତ’ ଦେବା ପରେ ସେମାନେ ଟେକ୍ନିକାଲ ଭାବେ ପଦକ୍ଷେପ ନିଅନ୍ତି।
ତେଣୁ ଏହା କେବଳ ବ୍ୟକ୍ତିଗତ ନିଷ୍ପତ୍ତି ନୁହେଁ- ଆଞ୍ଚଳିକ ଶକ୍ତି ସମୀକରଣର ପରିବର୍ତ୍ତନ ମଧ୍ୟ।
ଯୁବ ନେତାମାନଙ୍କ ‘ଅସନ୍ତୋଷ’ର ମୂଳକାରଣ କ’ଣ?

୧) ପାଣ୍ଡିଆନଙ୍କ ଉଦୟରେ ନିଜର ସ୍ଥାନ ହଜାଇ ଦେବାର ଭୟ ରହିଛି। ଅନେକ ଯୁବ ନେତା ଭାବୁଛନ୍ତି- ପାଣ୍ଡିଆନ ସେମାନଙ୍କୁ ନିଜର ଟିମର ଅଂଶ ମାନି ନ ପାରନ୍ତି।
୨) ବାପାମାନଙ୍କୁ ମିଳିଥିବା ଅସମ୍ମାନ ଏବେବି ମନରେ ସତେଜ ରହିଛି।
ପ୍ରଭାତ ତ୍ରିପାଠୀଙ୍କୁ ଯେପରି ଅସମ୍ମାନ ଦଳର ନେତା ପାଣ୍ଡିଆନଙ୍କ ପରାମର୍ଶରେ ଦେଇଛନ୍ତି ସେହି ଘାଆ ଏବେବି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମନରୁ ଲିଭିନାହିଁ। କେବଳ ସମୟ ଓ ସୁଯୋଗକୁ ସେ ଅପେକ୍ଷା କରିଛନ୍ତି।
ପ୍ରୀତିରଞ୍ଜନ ଘଡ଼େଇଙ୍କ ବାପା ପ୍ରଫୁଲ ଘଡ଼େଇଙ୍କ ବିଷୟରେ ନିର୍ଦ୍ଦିଷ୍ଟ ଘଟଣା- ସେ ସେଥିଠାରୁ ମାନସିକ ଦୂରେଇଛନ୍ତି ସତ କିନ୍ତୁ ତାହାକୁ ଭୁଲିପାରୁନାହାନ୍ତି। ତେଣୁ ସେ ବିଜେପି ସଭାପତି ଥିବା ନିଜ ମାମୁଁଙ୍କଠାରୁ ବିଜେପିରେ ମିଶିବା ପାଇଁ ଅଭୟ ପାଇସାରିଥିବା କୁହାଯାଉଛି।
୩) ଜିଲ୍ଲା ଅଧିନସ୍ଥ ନେତାମାନଙ୍କ ଅତ୍ୟଧିକ ପ୍ରଭାବ ରହିଛି। ଅନେକ ଯୁବ ଗୋଷ୍ଠୀ ଭାବୁଛନ୍ତି- ଜିଲ୍ଲା ଦଳୀୟ ନେତୃତ୍ୱରେ ପାଣ୍ଡିଆନଙ୍କ “ଅନୁଗତମାନେ” ପୂର୍ବତନ ଯୁବ ନେତାମାନଙ୍କୁ ଚାପ ଦେଉଛନ୍ତି। ଦଳରେ ଏକଘରିକିଆ କରିଦେଉଛନ୍ତି। ଏହା ଦଳ ଭିତରେ ରାଜନୈତିକ ମାନସମ୍ମାନ ପ୍ରାପ୍ତିର ପଥକୁ ଅବରୋଧ କରୁଛି।
୪) ଆଗାମୀ ନିର୍ବାଚନରେ ଟିକେଟ୍ ମିଳିବ କି ନାହିଁ କିଛି ଗ୍ୟାରେଣ୍ଟି ନାହିଁ। ଟିକେଟ୍ କାହାକୁ ମିଳିବ? ପାଣ୍ଡିଆନଙ୍କ ପସନ୍ଦର ପ୍ରାର୍ଥୀ କିଏ? ସେଇ ଭୟ ବିଜେଡିର ଅନେକ ନେତାଙ୍କ ପାଇଁ ‘ସ୍ୱିଚ୍ ଓଭର’ର ମୂଳକାରଣ ହୋଇଛି।
ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଏବେ ଦଳରେ ଗୁରୁତ୍ୱହୀନ। ତାଙ୍କ ବାପା ଅନଙ୍ଗ ଉଦୟ ସିଂହଦେଓ ଦଳର ଜଣେ ପ୍ରତିଷ୍ଠାତା ସଦସ୍ୟ। ତାଙ୍କୁ ମଧ୍ୟ ଦଳ ସମ୍ମାନ ଦେଉନାହିଁ। ତେଣୁ କଳିକେଶ ବିଜେପିରେ ମିଶି ନିଜ ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ତାଙ୍କ ଭାଇ କନକ ବର୍ଦ୍ଧନ ସିଂହଦେଓଙ୍କ ସହିତ ସନ୍ଧି କରିସାରିଥିବା ଆଲୋଚନା ହେଉଛି।
ବିଜେପି-ଏହି ଅସନ୍ତୋଷକୁ ରାଜନୈତିକ ସୁଯୋଗରେ ପରିଣତ କରୁଛି
ବିଜେପିର ସଂଗଠନ ମେକାନିଜମ ଏହି ସମୟରେ ତୀବ୍ରତର। ବର୍ତ୍ତମାନ ସେମାନେ “ମଧ୍ୟ ଓ ଯୁବ-ବୟସ୍କ” ବିଜେଡି ନେତାମାନଙ୍କୁ ଟାର୍ଗେଟ୍ କରୁଛନ୍ତି। ଏହା ଦଳୀୟ ଭୂମିକାକୁ ଦୁଇଟି ଭାଗରେ ଭାଙ୍ଗି ଦେଉଛି—
• ପାଣ୍ଡିଆନଙ୍କ “କୋର୍ ଟିମ”
• ଅସନ୍ତୁଷ୍ଟ “ଓଲ୍ଡ ଓ ମିଡଲ ଗାର୍ଡ”
ଏବଂ ବିଜେପି ଏହି ସୁଯୋଗର ସଦୂପଯୋଗ କରୁଛି।
ଭାଡ଼ି ଖାଲି ହେବାର ସମ୍ଭାବ୍ୟ ପ୍ରଭାବ
୧) ବିଜେଡିର ଅର୍ଗାନାଇଜେସନାଲ ଷ୍ଟ୍ରକ୍ଚର ଦୁର୍ବଳ ହେବ। ଜିଲ୍ଲାସ୍ତରୀର ନେତାମାନେ ଯଦି ଦଳ ଛାଡ଼ନ୍ତି ଦଳର ସଂଗଠନ ଭଙ୍ଗିବା ସହିତ ସଂଗଠନର ମେରୁଦଣ୍ଡ ଭାଙ୍ଗିବ।
୨) ପାଣ୍ଡିଆନଙ୍କ ପାଇଁ ଶୂନ୍ୟ ରାଜନୈତିକ ଛାଞ୍ଚ। ପାଣ୍ଡିଆନ ଯଦି ନୂଆ ନେତାଙ୍କୁ ଆଣିବେ ସେମାନେ ଭୋଟ୍ ସମୟରେ ପୁରୁଣା ଯୁବନେତାମାନଙ୍କୁ ମୁକାବିଲ୍ଲା କରିପାରିବେ ତ?
୩) ବିଜେପି ଲାଭରେ ରହିବ। ବିଜେପି ଯୁବ, ଡାଇନାମିକ୍, ପରିଚିତ ଓ ଲୋକପ୍ରିୟ ଯୁବ ନେତାମାନଙ୍କୁ ପାଇବ। ଏହା ୨୦୨୯ ଏବଂ ଆଗାମୀ ନିର୍ବାଚନରେ ସୁବିଦାଜନକ ସ୍ଥିତିରେ ରହିବ।।
୪) ଦଳୀୟ ନୈତିକତା ଧ୍ୱଂସ ପାଇବ। ଦଳର ଭିତରୁ ଅନୁଭବୀ ନେତାମାନେ ଦୂରେଇ ଗଲେ ଏହା ରାଜ୍ୟରେ ବିଜେଡି ସମ୍ପର୍କରେ ଏକ ନେଗେଟିଭ୍ ଇମେଜ୍ ତିଆରି କରିବ।
ପାଣ୍ଡିଆନଙ୍କ ପାଇଁ ଆଗାମୀ ମାସ—ସବୁଠୁ ବଡ଼ ପରୀକ୍ଷା
ପାଣ୍ଡିଆନଙ୍କ ପାଖରେ ଏବେ ଦୁଇଟି ରାସ୍ତା-
ରାସ୍ତା ୧: ଦଳକୁ ଦୃଢ଼ କରିବା
• ବିରୋଧୀ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା
• ଏକ “ଇନକ୍ଲୁସିଭ୍ ଲିଡରଶିପ୍ ମଡେଲ୍” ଗଢ଼ିବା
• ଯୁବ ନେତାମାନଙ୍କୁ ଦଳରେ ପୁଣି ଗୁରୁତ୍ୱ ଦେବାକୁ ପଡ଼ିବ
ରାସ୍ତା ୨: କୋର୍ ଟିମ୍ ନେଇ ଏକ ସେଣ୍ଟ୍ରାଲାଇଜ୍ ଦଳୀୟ ସଂଗଠନ ତିଆରି କରିବା। ଏହା ହେଲେ ଅଧିକ ବିରୋଧ ହେବ ଏବଂ ଏହି ବିରୋଧର ପରିଣତି- ଭାଡ଼ି ଖାଲି।
ଓଡ଼ିଶାର ରାଜନୀତି ୨୦୨୫-୨୯—ଗୋଟିଏ ନୂଆ ଅଧ୍ୟାୟର ଆରମ୍ଭ
ବିଜେଡିର ୨୪ ବର୍ଷର ଶାସନରେ ଏପରି ଅସନ୍ତୋଷ ତରଙ୍ଗ ସୃଷ୍ଟି ହୋଇନଥିଲା। ପାଣ୍ଡିଆନଙ୍କ ଉଦୟ- ପୁରାଣା ପାର୍ଟି ଷ୍ଟ୍ରକ୍ଚରକୁ ନୂଆକରି ଲେଖିବାର ପ୍ରଚେଷ୍ଟା।
କିନ୍ତୁ- ଏହି ପୁନର୍ଗଠନ ଅନ୍ତରେ ପୁରୁଣା ସୈନ୍ୟ ବିସ୍ଥାପିତ ହେଲେ- ଦଳ ମଧ୍ୟରେ ଅନୁକୂଳ ପରିବର୍ତ୍ତନ ହେବ ନାହିଁ; ବିପକ୍ଷ ଲାଭ ଉଠାଇବ।
ଯଦି ଉପରେ ଉଲ୍ଲଖିତ ଯୁବନେତାମାନେ ବିଜେଡି ଛାଡ଼ନ୍ତି ପାଣ୍ଡିଆନଙ୍କ ନେତୃତ୍ୱ ଭାଡ଼ି ସତ୍ୟରେ ମାତ୍ର ଗୋଟିଏ ଝଟକାରେ ଖାଲି ହୋଇଯିବ।
ଏବଂ ଓଡ଼ିଶା- ନୂତନ ଦଳୀୟ ରାଜନୀତିରେ ପହଁଞ୍ଚିଯିବ।
also read https://purvapaksa.com/opposition-calm-ministers-sit-in-the-turbulent-assembly/


