ବିଜୁ ଜନତା ଦଳକୁ ସଙ୍କଟ ପିଛା ଛାଡ଼ୁ ନାହିଁ। ସମାଧାନ ତ ହେଉ ନାହିଁ କିନ୍ତୁ ଗୋଟିଏ ସଙ୍କଟକୁ ଚାପିବାକୁ ଯେଉଁ ଉଦ୍ୟମ ଛାମୁ କରୁଛନ୍ତି ସେଥିରେ ଅନେକ ସଙ୍କଟ ଜନ୍ମ ହେଉଛି। ଏମିତି ଆଉ ଏକ ସଙ୍କଟ ନୂଆପଡ଼ାରେ ଦେଖା ଦେଇଛି। ତାହା ପୁଣି ଛାମୁଙ୍କ ମୁଖ୍ୟ ସହଯୋଗୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନେଇ। ପରିସ୍ଥିତି ଏମିତି ଉତ୍କଟ ହେଲାଣି ଯେ ବିଜେଡି ଶିବିରରେ ପୁଣିଥରେ ଗୋଷ୍ଠୀବିବାଦର ସୂତ୍ରପାତ ହେଲାଣି। ଏହି ବିବାଦରେ ଜିଲ୍ଲା ସଂଗଠନ ବି ଭାଗଭାଗ ହୋଇଛି। ଏପରିକି ବିଜେଡିରୁ ଟିକଟ ପାଇବେ ବୋଲି ଯେଉଁ ଜୟ ଢୋଲକିଆ ଛାତି ଚଉଡ଼ା କରି ବୁଲୁଛନ୍ତି ତାହା ବି ସନ୍ଦେହ ଘେରକୁ ଆସିଛି।
ନୂଆପିଢ଼ିର ନେତାମାନେ ପାଣ୍ଡିଆନଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଦେଖିବାକୁ ଚାହାଁନ୍ତି
ବିଜେଡିରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ କିଏ ଓ କାହିଁକି ସେ ଚର୍ଚ୍ଚିତ ତାହା କାହାକୁ ବୁଝାଇବା ଦରକାର ନାହିଁ। କାରଣ ଆବାଳ ବୃଦ୍ଧବନୀତା ଯିଏ ବି ଓଡ଼ିଶା ରାଜନୀତିରେ ତିଳେମାତ୍ର ରୁଚି ରଖନ୍ତି ତାଙ୍କ ବାବଦରେ ଅବଗତ ଥିବେ। ବିଜେଡି ସରକାର ଥିବା ସମୟରେ ପାଣ୍ଡିଆନଙ୍କର ରାଜ୍ୟ ପ୍ରଶାସନରେ ଅଖଣ୍ଡ ପ୍ରଭାବ, ନବୀନଙ୍କ ସହ ତାଙ୍କର ଆତ୍ମୀୟତାକୁ ନେଇ ଅନେକ ଚର୍ଚ୍ଚା ପୂର୍ବରୁ ହୋଇଛି। ଏପରିକି କେହି କେହି ତାଙ୍କ ନାଁରେ ଏମିତି ଅଭିଯୋଗ ବି କରିଛନ୍ତି ଯେ ସେ ବିଜେଡିକୁ ଅପହରଣ କରିବାକୁ ଚାହୁଁଛନ୍ତି। ନବୀନଙ୍କ ଉତ୍ତରାଧିକାରୀ ହେବାକୁ ଚାହାନ୍ତି।
ନୂଆପିଢ଼ିର ନେତାମାନେ ମଧ୍ୟ ତାଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଦେଖିବାକୁ ଚାହାଁନ୍ତି। ପରୋକ୍ଷରେ ବିଜେଡିର ନେତୃତ୍ୱ ନେଉଥିବା ପାଣ୍ଡିଆନ୍ଙ୍କୁ ପ୍ରତ୍ୟକ୍ଷଭାବେ ଦାୟିତ୍ୱ ନେବା ପାଇଁ କହନ୍ତି। କିନ୍ତୁ ତାଙ୍କୁ ପୁରୁଣା ନେତାମାନେ ବିରୋଧ କରୁଛନ୍ତି। ଅନେକ ସମୟରେ ମେଳି ବି କରିଛନ୍ତି। ମେଳିକୁ ଉସ୍କାଇଛନ୍ତି। ଗଣମାଧ୍ୟମରେ ବୟାନ ବି ଦେଇଛନ୍ତି। ଆଉ ଏହି ବୟାନକୁଡ଼ିକ ଦ୍ୱାରା ରାଜ୍ୟରେ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଛି। ଶେଷରେ ବେଶ୍ କିଛି ପୁରୁଖା ଅଭିଜ୍ଞ ନେତା ଜଣକ ପରେ ଜଣେ ଦଳରୁ ବିଦା ହୋଇଛନ୍ତି। ଏହାକୁ ପାଣ୍ଡିଆନ୍ ରାଜନୀତିର ପ୍ରଥମ ରଣନୀତି ଭାବେ ଗ୍ରହଣ କରାଯାଉଛି।
ପ୍ରଣବ ପ୍ରକାଶ ନୁହେଁ, ସୁଜାତା କାର୍ତ୍ତିକେୟ ପାଣ୍ଡିଆନ୍ ହେବେ ନୂଆପଡ଼ାର ନିର୍ବାଚନ ଇନ୍ଚାର୍ଜ
ତଥାପି ବିବାଦ ଥମୁ ନାହିଁ। ଉତ୍କଟ ପରିସ୍ଥିତିକୁ ସଭାପତି ନବୀନ ବି ସମ୍ମୁଖୀନ ହୋଇପାରୁନଥିବା ଅଭିଯୋଗ ହୋଇଛି। ସେଥିଲାଗି ନବୀନ ବାବୁ ଆଉ ରାଜ୍ୟରେ ରହିବାକୁ ଚାହୁଁ ନାହାନ୍ତି। ବିରୋଧୀ ଦଳ ନେତା ହେଲେ ବି ବିଧାନସଭାରେ ରହିବାକୁ ଚାହାନ୍ତି ନାହିଁ। ଦିଲ୍ଲୀର କଳା ସମାବେଶ ତାଙ୍କୁ ଭଲ ଲାଗୁଛି ସିନା ଓଡ଼ିଶାର ରାଜନୀତି ନୁହେଁ। ରାଜ୍ୟରେ ଥିବାବେଳେ ବି ରାଜ୍ୟର ନେତାଙ୍କ ସହ ସମ୍ପର୍କ ରକ୍ଷା କରୁନଥିବା ନବୀନ ଏବେ ଦିଲ୍ଲୀରେ ବି କିଛି ନିର୍ଦ୍ଦିଷ୍ଟ କୋଟେରୀଭୁକ୍ତ ନେତାଙ୍କୁ ଛାଡ଼ି ଦେଲେ ଆଉ କାହା ସହ କଥା ବି ହୁଅନ୍ତି ନାହିଁ।
ଏମିତି ଏକ ପରିସ୍ଥିତିରେ ବିଜେଡି ଶିବିରରେ ଆଉ ଏକ ଚର୍ଚ୍ଚା ଜନ୍ମ ନେଇଛି। ତାହା ହେଲା ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍ଙ୍କ ପତ୍ନୀ ସୁଜାତାଙ୍କ ରାଜନୀତିକ ଡେବ୍ୟୁ ବା ଆବିର୍ଭାବ। ସୂଚନା ଅନୁସାରେ ତାଙ୍କୁ ରାଜନୀତିକ ପଣ୍ଡାଲରେ ଉଦ୍ଘାଟନ କରିବା ପାଇଁ ବିଜେଡି ପକ୍ଷରୁ ଉଦ୍ୟମ ହୋଇଛି କିନ୍ତୁ ସବୁ ଉଦ୍ୟମ ବିଫଳ ହୋଇଛି। ଖାଲି ସେତିକି ନୁହେଁ ଏ ଉଦ୍ୟମଗୁଡ଼ିକୁ ଷଡ଼ଯନ୍ତ୍ର ଭାବେ ଅଭିଯୋଗ କରିଛନ୍ତି ସାଧାରଣ କର୍ମୀ ଓ ନେତା।
ଏବେ ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ବେଳେ ବି ସେହି ଚର୍ଚ୍ଚା ହେଉଛି। ଏ ଚର୍ଚ୍ଚାରେ ଦୁଇଟି ମୁଖ୍ୟ ବିନ୍ଦୁ ରହିଛି। ଗୋଟିଏ ହେଉଛି ପ୍ରଣବ ପ୍ରକାଶ ନୁହେଁ, ସୁଜାତା କାର୍ତ୍ତିକେୟ ପାଣ୍ଡିଆନ୍ ହେବେ ନୂଆପଡ଼ାର ନିର୍ବାଚନ ଇନ୍ଚାର୍ଜ। ଆଉ ଦ୍ୱିତୀୟଟି ହେଉଛି ଜୟ ନୁହେଁ, ସୁଜାତା ହୋଇପାରନ୍ତି ନୂଆପଡ଼ାର ବିଧାନସଭା ପ୍ରାର୍ଥୀ।
ଜୟଙ୍କ ପ୍ରାର୍ଥୀତ୍ୱ ବିଜେଡି ଘୋଷଣା କରିନାହିଁ
ଆପଣଙ୍କ ମନରେ ପ୍ରଶ୍ନ ଉଠୁଥାଇପାରେ, ଜୟ ଢୋଲକିଆ ତ ବିଜେଡିର ପସନ୍ଦ ଆଉ ଏହା ପୂର୍ବରୁ ସେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଛି ପୁଣି ସୁଜାତାଙ୍କୁ ଏ ଭିତରେ କାହିଁକି ଟଣାଯାଉଛି? ଏହା ଏକ ଅଯଥା ଚର୍ଚ୍ଚା ହୋଇପାରେ।
କିନ୍ତୁ ଏ ଚର୍ଚ୍ଚା ପଛର ଯୁକ୍ତି ହେଉଛି ନିର୍ବାଚନ ଆସନ୍ନ ହୋଇଥିଲେ ମଧ୍ୟ ବିଜେଡି ପକ୍ଷରୁ ଆନୁଷ୍ଠାନିକଭାବେ ଏଯାଏ ଜୟ ଢୋଲକିଆଙ୍କ ନାଁ ଘୋଷଣା କରାଯାଇ ନାହିଁ। କେବଳ ଜୟ ନିଜକୁ ନିଜେ ଏପରି ଏକ ଘୋଷଣା କରିଛନ୍ତି। ଅର୍ଥାତ୍ ଯେମିତି ନୂଆପଡ଼ାରେ ଅଣ ଆନୁଷ୍ଠାନିକ ଭାବେ ପ୍ରଣବ ପ୍ରକାଶ ଦାସଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ କରାଯାଇଥିଲା ଠିକ୍ ସେମିତି ଅଣ ଆନୁଷ୍ଠାନିକ ଭାବେ ଜୟଙ୍କୁ ନୂଆପଡ଼ାର ପ୍ରାର୍ଥୀ ବୋଲି କୁହାଯାଉଛି।
ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଭାବେ ଜୟଙ୍କ ନାଁରେ ଅନୁକମ୍ପାମୂଳକ ଭୋଟ ରହିଛି ବୋଲି ବିଜେଡି ଜାଣି ମଧ୍ୟ ଆନୁଷ୍ଠାନିକ ଘୋଷଣା ନ କରିବା ଏପରି ଦ୍ୱନ୍ଦ୍ୱ ସୃଷ୍ଟି କରିବା ସ୍ୱାଭାବିକ। ମଝିରେ କିଛି ରାଜନୀତିକ ଚର୍ଚ୍ଚା ଜୟ ବିଜେପିକୁ ଯିବେ ବୋଲି ହେଉଥିଲା। ହେଲେ ସେ ବିଜେଡିର ପ୍ରାର୍ଥୀ ବୋଲି ତାଙ୍କୁ ସଭାପତି କହିଥିବା ନେଇ ନିଜେ ଘୋଷଣା କଲା ପରେ ଏ ଚର୍ଚ୍ଚା ଥମିଛି।
ଜୟଙ୍କୁ ନେଇ ଲଢ଼ିବାକୁ ବିଜେଡି ଚାହୁଁ ନାହିଁ
ଏବେ ଚାଲିଥିବା ଚର୍ଚ୍ଚା ଅନୁସାରେ, ନୂଆପଡ଼ାରେ ଅନୁକମ୍ପାମୂଳକ ଭୋଟ ଥିଲେ ବି ନୂଆପଡ଼ା ଜୟଙ୍କୁ ନେଇ ଲଢ଼ିବାକୁ ଦଳ ଚାହୁଁ ନାହିଁ। କାରଣ ନୂଆପଡ଼ା ସମୀକରଣରେ ରାଜେନ୍ଦ୍ର ଢୋଲକିଆଙ୍କ ଭଳି ବ୍ୟକ୍ତିତ୍ୱ ଜୟଙ୍କର ନାହିଁ। ଏଣୁ ୨୦୨୪ ନିର୍ବାଚନରେ ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ହାରିଲା ଭଳି ଏଠାରେ ସେ ବି ପରାଜିତ ହୋଇପାରନ୍ତି ବୋଲି ଏକ ଧାରଣା ସୃଷ୍ଟି କରାଯାଉଛି। ଏଣୁ ଯେମିତି ୨୦୨୪ ନିର୍ବାଚନରେ ବିଜେପି ଅଭିନନ୍ଦନଙ୍କୁ ପ୍ରାର୍ଥୀ କରିବ ନା ନାହିଁ ବୋଲି ନିଷ୍ପତ୍ତି ନେଇପାରୁନଥିଲା ଠିକ୍ ସେମିତି ଏବେ ପରିସ୍ଥିତି ହୋଇଛି।
ପ୍ରଭାବଶାଳୀ ନେତାଙ୍କ ଲବି ହେତୁ ଅଭିନନ୍ଦନଙ୍କୁ ଟିକଟ ଦିଆଯାଇଥିଲା
୨୦୨୪ ନିର୍ବାଚନରେ ବିଜେପି ପକ୍ଷରୁ ଅନେକ ବିରୋଧ ଓ ହାରିବାର ପୂର୍ବାନୁମାନ ସତ୍ତ୍ୱେ ଜଣେ ପ୍ରଭାବଶାଳୀ ନେତାଙ୍କ ଲବି ହେତୁ ଅଭିନନ୍ଦନଙ୍କୁ ଟିକଟ ଦିଆଯାଇଥିଲା। ଆଉ ପରିଣାମ ସ୍ୱରୂପ ଅଭିନନ୍ଦନ ସ୍ୱାଧୀନ ପ୍ରାର୍ଥୀଙ୍କଠୁ ବି କମ୍ ଭୋଟ୍ ପାଇଥିଲେ। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୦୮୮୧ ଭୋଟରେ ହରାଇଥିଲେ। ରାଜେନ୍ଦ୍ର ପାଇଥିବା ସମୁଦାୟ ଭୋଟ୍ ପରିମାଣ ଥିଲା ୬୧ହଜାର ୮୨୨। ଆଉ ଘାସିରାମ ପାଇଥିଲେ ୫୦ ହଜାର ୯୪୧। ଏହି ରଣାଙ୍ଗନରେ ତୃତୀୟ ସ୍ଥାନରେ ରହିଥିଲା ବିଜେପି। ଏହାର ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୧୭ ହଜାର ୮ଖଣ୍ଡ ଭୋଟରେ ରାଜେନ୍ଦ୍ରଙ୍କଠାରୁ ପଛରେ ଥିଲେ।
ଏବେ ଜୟଙ୍କ ଉପରେ ବିଜେପିର ନଜର
ଏଣୁ ବିଜେପିର ଏକ ଗୋଷ୍ଠୀ ନୂଆପଡ଼ା ଜିତିବା ଲାଗି ବିଜେଡି ଭିତରେ ଥିବା ଫାଟର ସୁଯୋଗ ନେଇ ଜୟଙ୍କୁ ନିଜ ଦଳକୁ ଆଣିବା ପାଇଁ ଯୁକ୍ତି ବାଢ଼ିଛନ୍ତି। ଏହା ହେଲେ ଜୟଙ୍କ ନାଁରେ ଥିବା ସମବେଦନାମୂଳକ ଭୋଟ୍ ଆଉ ଦଳର ସଂଗଠନ ବିଜେପିକୁ ବିଧାନସଭାରେ ଆଉ ଗୋଟିଏ ଆସନ ଯୋଡ଼ିବାରେ ସହାୟକ ହେବ। ଏହାଛଡ଼ା ସରକାର ଗଠନ ପରେ ବିଜେପି ପାଇଁ ଏହା ରାଜ୍ୟରେ ପ୍ରଥମ ଉପ ନିର୍ବାଚନ ଥିବାରୁ ଏହାକୁ ଜିତିବା ଲାଗି ଏଭଳି ଏକ ପଦକ୍ଷେପ ନେବାକୁ ଚିନ୍ତା କରୁଛି ବିଜେପି।
ସୁଜାତାଙ୍କ ଏଣ୍ଟ୍ରି ଖବର ଶୁଣି ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳ ଭାଗଭାଗ
ଏବେ ନୂଆପଡ଼ା ରାଜନୀତିରେ ସୁଜାତାଙ୍କ ପ୍ରବେଶ ଇଙ୍ଗିତ ଏପରି ସମୀକରଣକୁ ଅଧିକ ଘନୀଭୂତ କରିଛି। ସୁଜାତାଙ୍କ ଏଣ୍ଟ୍ରି ଖବର ଶୁଣି ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳ ଭାଗଭାଗ ହୋଇଯାଇଛି। ଆଉ ଏ ବିଭାଜନକୁ ସୁଯୋଗ ଭାବେ ନେଇ ବିଜେଡିର ପାଣ୍ଡିଆନ୍ ଗୋଷ୍ଠୀ ସୁଜାତାଙ୍କୁ ନୂଆପଡ଼ାରେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି। ମହିଳା ଭୋଟ୍ ଆଉ ବିଜେଡିର ପାରମ୍ପରିକ ଆସନ ଭାବେ ଏହି ଆସନକୁ ଜିତି ସୁଜାତା ବିଧାନସଭାକୁ ଆସିଲେ ବିଜେଡିର ସଂଗଠନକୁ ସମ୍ଭାଳିବାରେ ସେ ସହାୟକ ହେବେ।
ପତ୍ନୀଙ୍କ ମାଧ୍ୟମରେ ପାଣ୍ଡିଆନ୍ ଦଳକୁ ହାଇଜାକ୍ କରୁଥିବା ଅଭିଯୋଗ
ପୂର୍ବରୁ ସୁଜାତାଙ୍କୁ କେନ୍ଦ୍ର କରି ଉପକୂଳ ଓଡ଼ିଶାରେ ବିଜେଡି ଭାଗ ଭାଗ ହୋଇଥିଲା। ନବୀନଙ୍କ ଅସୁସ୍ଥତା ସମୟରେ ପରିଚିତ ବରିଷ୍ଠ ନେତାମାନଙ୍କୁ ଅଣଦେଖା କରିବା ନେଇ ଅଭିଯୋଗ ହୋଇଥିଲା। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ଦଳର ବରିଷ୍ଠ ନେତାଙ୍କୁ ନ ଜଣାଇ ତାଙ୍କୁ ସେମାନଙ୍କଠାରୁ ଅଲଗା ରଖିବାକୁ ପ୍ରୟାସ କରାଯାଉଥିବା ନେଇ ଅଭିଯୋଗ ଆସିଥିଲା।
ଏପରିକି ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ ସୁଜାତା ନବୀନଙ୍କୁ ଦଳର ଅନ୍ୟ ନେତାମାନଙ୍କୁ ଦେଖା କରିବାରେ ପ୍ରତିବନ୍ଧକ ହେଉଛନ୍ତି ବୋଲି ବି ଅଭିଯୋଗ ହୋଇଥିଲା। ଆଉ ଯେତେବେଳେ କିଛି ନେତାଙ୍କ ସହ ସୁଜାତା ହସ୍ପିଟାଲ୍ର କନ୍ଫରେନ୍ସ ହଲରେ ଆଲୋଚନା କରୁଥିବାର ଭିଡିଓ ଭାଇରାଲ ହୋଇଥିଲା ତାହା ବିଜେଡିର ବରିଷ୍ଠ ନେତାଙ୍କ ମନରେ ଆଶଙ୍କା ସୃଷ୍ଟି କରିଥିଲା।
ଅଣ ଓଡ଼ିଆ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍ଙ୍କୁ ବିରୋଧ କାରଣରୁ ସେ ଚତୁରତାର ସହ ପତ୍ନୀଙ୍କ ମାଧ୍ୟମରେ ଦଳକୁ ହାଇଜାକ୍ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ହେଲେ ଏ ଅଭିଯୋଗକୁ ନେଇ ଦଳର ସଭାପତି ମୁହଁ ଖୋଲିବାକୁ ନାରାଜ। ଏ ବାବଦରେ ଦଳୀୟ ନେତାଙ୍କ ସହ ଖୋଲା ଆଲୋଚନା ବଦଳରେ ଦଳର ସଭାପତି ଦିଲ୍ଲୀ ପଳାୟନ କରିଥିବା ଅଭିଯୋଗ ହୋଇଛି।
ଗତ ନିର୍ବାଚନରେ ବିଜୁ ଜନତା ଦଳ ପଶ୍ଚିମ ଓଡ଼ିଶାର ୩୨ଟି ବିଧାନସଭା ଆସନରୁ ମାତ୍ର ୧୦ଟି ଆସନରେ ବିଜୟୀ ହୋଇଥିଲା। ଯଦି ସୁଜାତାଙ୍କୁ ନୂଆପଡ଼ାରେ ଏଣ୍ଟ୍ରି କରାଯାଏ ତେବେ ନୂଆପଡ଼ା ଉପ ନିର୍ବାଚନ ସମେତ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ଦଳର ଚିହ୍ନ ରହିବ ନାହିଁ ବୋଲି ବରିଷ୍ଠ ନେତାମାନେ ମତ ପୋଷଣ କରିଛନ୍ତି। ଏପରିକି ଦଳର ବରିଷ୍ଠ ନେତା ଯେଉଁମାନେ ପାଣ୍ଡିଆନଙ୍କୁ ନେଇ ଭିନ୍ନମତ ପୋଷଣ କରୁଛନ୍ତି ସେମାନେ ପ୍ରଚାର କରିନପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ଏଣୁ ଅପେକ୍ଷା ଦିଲ୍ଲୀରୁ ସଭାପତି ନବୀନ ପଟ୍ଟନାୟକ କି ନିଷ୍ପତ୍ତି ନେଉଛନ୍ତି।
Also readhttps://purvapaksa.com/who-is-the-mastermind-behind-the-leaked-sub-inspector-question-paper/
