ଓଡ଼ିଶାର ରାଜନୀତିରେ କେତେକ ଘଟଣା ଥାଏ, ଯାହା ଦୃଶ୍ୟତଃ ଗୋଟିଏ ସ୍ଥାନୀୟ ବିବାଦ ପରି ଲାଗେ; କିନ୍ତୁ ତାହାର ଭିତରେ ଲୁଚିଥାଏ ଦଳୀୟ ଶକ୍ତି-ସମୀକରଣ, ଭବିଷ୍ୟତ ନେତୃତ୍ୱର ସଙ୍କେତ ଏବଂ ସଂଗଠନୀୟ ଅସୁସ୍ଥତାର ଗଭୀର ସତ୍ୟ। କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ଯାହା ଘଟୁଛି, ତାହା ଠିକ୍ ସେହିପରି ଗୋଟିଏ ରାଜନୈତିକ ପରିସ୍ଥିତି—ଯେଉଁଠାରେ ଗୋଟିଏ ନାମ, ଗୋଟିଏ ସମ୍ଭାବ୍ୟ ଏଣ୍ଟ୍ରି ଓ ଗୋଟିଏ “ସନ୍ନିହିତ ପରିଚୟ” ସମଗ୍ର ଜିଲ୍ଲା ବିଜେଡିକୁ ଦୁଇ ଫାଳ କରିଦେଇଛି। ଆଉ ସେଇ ନାମ ହେଉଛି—ସୁଜାତା ରାଉତ କାର୍ତ୍ତିକେୟନ। ସେଇ ସନ୍ନିହିତ ପରିଚୟ—ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ତ ସହଯୋଗୀ ଭାବେ ପରିଚିତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଧର୍ମପତ୍ନୀ।

ସୁଜାତାଙ୍କ ଏଣ୍ଟ୍ରି : ଘୋଷଣା ପୂର୍ବରୁ ରାଜନୀତି ଆରମ୍ଭ
ସୁଜାତାଙ୍କ ରାଜନୀତିରେ ଔପଚାରିକ ଏଣ୍ଟ୍ରି ନେଇ କୌଣସି ଦଳୀୟ ଘୋଷଣା ହୋଇନଥିଲେ ମଧ୍ୟ, କେନ୍ଦ୍ରାପଡ଼ାର ବିଜେଡି ରାଜନୀତି ଦେଖିଲେ ଏମିତି ଲାଗୁଛି—ଯେପରି ଏହି ଏଣ୍ଟ୍ରି ପୂର୍ବରୁ ହିଁ ଦଳ ତାହାକୁ ମାନସିକ ଭାବେ ଗ୍ରହଣ କରିନେଇଛି। ସୁଜାତାଙ୍କ ନାମକୁ ଘିରି ଯେଉଁ ପ୍ରକାର ଆଲୋଚନା ହେଉଛି, ସେହି ଆଲୋଚନା ଆଉ ସାଧାରଣ ଚର୍ଚ୍ଚାର ସୀମାରେ ନାହିଁ। ଏହା ଏବେ ସାଂଗଠନିକ ରଣନୀତି, ନେତାଙ୍କ ଆଚରଣ ଓ ଦଳୀୟ ଏକତାକୁ ପ୍ରଭାବିତ କରୁଥିବା ଏକ ମୁଖ୍ୟ ତତ୍ତ୍ୱ ହୋଇଯାଇଛି। ଜିଲ୍ଲାର ଅନେକ ନେତାଙ୍କ ଭିତରେ ଏକ ଅଦୃଶ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି—କିଏ ପାଣ୍ଡିଆନଙ୍କ ସବୁଠାରୁ ନିକଟ? ଏହି ପ୍ରଶ୍ନର ଉତ୍ତର ଖୋଜିବା ନାଁରେ ଦଳୀୟ ଶିଷ୍ଟାଚାର, ସଂଗଠନୀୟ ମର୍ଯ୍ୟାଦା ଓ ସମନ୍ୱୟ ପଛକୁ ପଡ଼ିଯାଇଛି।
ରାଜନଗର ଘଟଣା : ପ୍ରତିବାଦ ନା ଶକ୍ତି ପ୍ରଦର୍ଶନ?

ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କ ଉପରେ ଆକ୍ରମଣ ଉଦ୍ୟମ ଘଟଣାକୁ ନେଇ ବିଜେଡି ଯେଉଁ ପ୍ରକାର ପ୍ରତିକ୍ରିୟା ଦେଲା, ତାହା କେବଳ ଏକ ପ୍ରଶାସନିକ ଅନ୍ୟାୟ ବିରୋଧରେ ଦଳୀୟ ପ୍ରତିବାଦ ଥିଲା ନାହିଁ। ଏହା ଥିଲା ଜିଲ୍ଲା ଭିତରେ ଚାଲୁଥିବା ଶକ୍ତି ସମୀକରଣର ଏକ ସାର୍ବଜନୀନ ପ୍ରଦର୍ଶନ।
ଚାରିଜଣ ବିଧାୟକ ଓ କିଛି ପରାଜିତ ପ୍ରାର୍ଥୀ ମିଶି ଜିଲ୍ଲାପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସେହି ପ୍ରତିନିଧିମଣ୍ଡଳୀରେ ନ ଥିଲେ—
• ବିଧାୟକ ଅରବିନ୍ଦ ମହାପାତ୍ର
• ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ
• ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି
ଏହି ଅନୁପସ୍ଥିତି ଆପେ-ଆପେ ଅନେକ ପ୍ରଶ୍ନ ଉଠାଇଦେଲା। ଦଳରେ କି ଦୁଇଟି ଧାରା ସ୍ପଷ୍ଟ ଭାବେ ଗଢ଼ିଉଠୁଛି? ଗୋଟିଏ ଧାରା—ଯେଉଁମାନେ “ପାଣ୍ଡିଆନଙ୍କ ସହିୀତ ନିକଟତା”କୁ ଆଗରେ ରଖୁଛନ୍ତି, ଓ ଅନ୍ୟ ଧାରା—ଯେଉଁମାନେ ନିଜ ରାଜନୈତିକ ଆତ୍ମସମ୍ମାନ ଓ ସ୍ୱାଧୀନତାକୁ ରକ୍ଷା କରିବାକୁ ଚାହୁଁଛନ୍ତି।
ଅଂଶୁମାନ ମହାନ୍ତିଙ୍କ ବିସ୍ଫୋରକ ବୟାନ : ଅସନ୍ତୋଷର ଖୋଲା ଘୋଷଣା
ଏହି ସମଗ୍ର ପରିସ୍ଥିତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ରାଜନୈତିକ ଭାବେ ଅର୍ଥପୂର୍ଣ୍ଣ ଘଟଣା ହେଲା—ଅଂଶୁମାନ ମହାନ୍ତିଙ୍କ ବୟାନ। ଯାହା ସେ କହିଥିଲେ “ଦଳ ମୋତେ ଲୋଡୁନି, କି ପଚାରୁନି। କେହି ନେତା ବି ଡାକୁ ନାହାନ୍ତି। ତେଣୁ ମୁଁ କେମିତି ଯିବି?” ଏହି କଥା କେବଳ ଜଣେ ଅସନ୍ତୁଷ୍ଟ ନେତାଙ୍କର ଅଭିଯୋଗ ନୁହେଁ; ଏହା ହେଉଛି ବିଜେଡି ଭିତରେ ଚାଲୁଥିବା ଗଭୀର ସାଂଗଠନିକ ସଙ୍କଟର ଏକ ଖୋଲା ସ୍ୱୀକାରୋକ୍ତି। ଅଂଶୁମାନ ମହାନ୍ତି ଦଳରେ ମିଶିବା ପରଠାରୁ ଧ୍ରୁବଚରଣ ସାହୁଙ୍କ ସହିତ ତାଙ୍କର ଶୀତଳଯୁଦ୍ଧ ଚାଲିଛି। କିନ୍ତୁ ଏବେ ଯେଉଁ ଅଣଦେଖା ଓ ଅନୁପସ୍ଥିତି ଦେଖାଯାଉଛି, ତାହା ସୂଚାଉଛି—ଦଳ ଭିତରେ କେବଳ ବ୍ୟକ୍ତିଗତ ଦ୍ୱନ୍ଦ୍ୱ ନୁହେଁ, ଦୁଇଟି ରାଜନୈତିକ ଧାରଣା ମଧ୍ୟରେ ଟକ୍କର ଚାଲିଛି।
ଦଳୀୟ ଶକ୍ତିର ନୂଆ କେନ୍ଦ୍ର ?
ସୁଜାତାଙ୍କ ନାମକୁ ଘେରି ଯେଉଁ ରାଜନୀତି ଚାଲିଛି, ତାହା ଏକ ମୂଳ ପ୍ରଶ୍ନ ଉଠାଉଛି—ବିଜେଡିର ଶକ୍ତି କେନ୍ଦ୍ର କେଉଁଠି? ଦୀର୍ଘ ବର୍ଷ ଧରି ବିଜେଡିର ଏକମାତ୍ର ଅପରିହାର୍ଯ୍ୟ କେନ୍ଦ୍ର ଥିଲେ ନବୀନ ପଟ୍ଟନାୟକ। କିନ୍ତୁ ଗତ କିଛିବର୍ଷ ଧରି ପ୍ରଶାସନିକ ଓ ରାଜନୈତିକ ଦୁଇ କ୍ଷେତ୍ରରେ ଭି.କେ. ପାଣ୍ଡିଆନଙ୍କ ପ୍ରଭାବ ଏକ ନୂଆ ଶକ୍ତି କେନ୍ଦ୍ର ଭାବେ ଉଭା ହୋଇଥିଲା। ଏବେ ସୁଜାତାଙ୍କ ସମ୍ଭାବ୍ୟ ଏଣ୍ଟ୍ରି ସେହି ଶକ୍ତିକୁ ଆଉ ଗୋଟିଏ ପାରିବାରିକ ଆୟାମ ଦେବାକୁ ଯାଉଛି—ଯାହା ଦଳର ପୁରୁଣା କାର୍ମୀ ଓ ନେତାଙ୍କୁ ଅସ୍ୱସ୍ଥ କରୁଛି।
କେନ୍ଦ୍ରାପଡ଼ା : ଗୋଟିଏ ଜିଲ୍ଲା, ଦୁଇ ବିଜେଡି
ଆଜି କେନ୍ଦ୍ରାପଡ଼ାରେ ଗୋଟିଏ ବିଜେଡି ନାହିଁ।
ଗୋଟିଏ ବିଜେଡି—ଯେଉଁଠାରେ “ନିକଟତା”, “ସନ୍ନିହିତତା” ଓ “ଭବିଷ୍ୟତ ଶକ୍ତି” ହେଉଛି ମୁଖ୍ୟ ମୁଦ୍ରା।
ଅନ୍ୟ ବିଜେଡି—ଯେଉଁଠାରେ ଅଛି ଅଭିମାନ, ଅଭିଯୋଗ, ଅଣଦେଖା ଓ ନିରାଶା।
ଏହି ଦୁଇ ଧାରା ଯଦି ଆଗକୁ ଆଉ ଦୂରେଇଯାଏ, ତେବେ ତାହାର ପ୍ରଭାବ କେବଳ କେନ୍ଦ୍ରାପଡ଼ାରେ ସୀମିତ ରହିବ ନାହିଁ। ସୁଜାତା ରାଉତ କାର୍ତ୍ତିକେୟନଙ୍କ ରାଜନୀତିରେ ଆସିବା ନିଜେ ଗୋଟିଏ ଅପରାଧ ନୁହେଁ। ଯେକେହି ରାଜନୀତିରେ ଆସିପାରେ। କିନ୍ତୁ ସେହି ଏଣ୍ଟ୍ରିକୁ ନେଇ ଯଦି ଦଳ ଭିତରେ ଭୟ, ଲୋଭ ଓ ପ୍ରତିଯୋଗିତାର ରାଜନୀତି ଆରମ୍ଭ ହୋଇଯାଏ, ତେବେ ସେହି ଦଳର ମୂଳ ଚରିତ୍ର ପ୍ରଶ୍ନର ସମ୍ମୁଖୀନ ହୁଏ। ବିଜେଡି ଯଦି ଆଜି ମଧ୍ୟ ନିଜକୁ ଏକ ଶିଷ୍ଟ, ଶୃଙ୍ଖଳିତ ଓ ସମନ୍ୱୟାଧାରିତ ଦଳ ବୋଲି ଦାବି କରେ, ତେବେ କେନ୍ଦ୍ରାପଡ଼ାରେ ଘଟୁଥିବା ଏହି ଦି’ଫାଳକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ। ନଚେତ୍, ଏହି ଧାରା ଆସନ୍ତା ଦିନରେ ଆଉ ଗଭୀର ହେବ—ଏବଂ ସେହି ଧାରା ଭିତରୁ ଦଳର ଶକ୍ତି ଧୀରେ ଧୀରେ ଖସିଯିବ।


