Odisha: ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦୂର କରିବା, ଭିତ୍ତିଭୂମିର ବ୍ୟାପକ ଉନ୍ନତି କରଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି ବୋଲି ପୂର୍ତ୍ତ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ଜୟଦେବ ବିହାରରୁ ନନ୍ଦନକାନନକୁ ସଂଯୋଗ କରୁଥିବା ଏକ ଏଲିଭେଟେଡ୍ କରିଡର କଳ୍ପନା ଛକ ଓ ମ୍ୟୁଜିୟମ ଛକରେ ଫ୍ଲାଏ ଓଭର ସହ ସଂଯୋଗ କରିବ। ମ୍ୟୁଜିୟମ ରୋଡ୍ରେ ନୂଆ ରୋଡ୍ ଓଭର ବ୍ରିଜ୍ (ଆରଓବି), ଏଜି ଛକରେ ଭୂତଳ ରାସ୍ତା (ସବଓ୍ୱେ) ଏବଂ ଭିତର ଓ ବାହ୍ୟ ରିଂ ରୋଡର ବିକାଶ ମଧ୍ୟ ପ୍ରସ୍ତାବିତ ଉନ୍ନୟନ ମୂଳକ କାର୍ଯ୍ୟର ଅଂଶ ବିଶେଷ।
ଉନ୍ନୟନ ଯୋଜନାଗୁଡ଼ିକ ମଧ୍ୟରେ ରହିଛି:
ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଲିଭେଟେଡ୍ କରିଡର ନିର୍ମାଣ ପାଇଁ ଭୁବନେଶ୍ୱର ସହର ପାଇଁ ଯୋଜନା; ବାରଙ୍ଗାରୁ ପଟିଆ ଷ୍ଟେସନ ଛକ, ଜାତୀୟ ରାଜପଥ-୧୬ ଓ ସୁଆଙ୍ଗ ଗ୍ରାମ (ଦୟା ପଶ୍ଚିମ କେନାଲ ରୋଡ୍) ଦେଇ ଜଟଣୀ ପର୍ଯ୍ୟନ୍ତ କେନାଲ ରୋଡ୍ର ଉନ୍ନତିକରଣ; କଳ୍ପନା ଛକ ଓ ମ୍ୟୁଜିୟମ ଛକରେ ଫ୍ଲାଏ ଓଭର ନିର୍ମାଣ; ଶିଶୁ ଭବନରୁ ମ୍ୟୁଜିୟମ ଛକ ପର୍ଯ୍ୟନ୍ତ ଆରଓବି ନିର୍ମାଣ; ଏଜି ଛକରେ ଅଣ୍ଡରପାସ୍ ନିର୍ମାଣ; କଳାରାହାଙ୍ଗରୁ ବାରିମୁଣ୍ଡ ଏବଂ ଗୁରୁ କେଳୁଚରଣ ପାର୍କରୁ ଫୁଲନଖରା ପର୍ଯ୍ୟନ୍ତ ନୂଆ ରେଳ ଓଭରବ୍ରିଜ୍ ସହ ରାସ୍ତା ନିର୍ମାଣ; ଏବଂ ଭିତର ଏବଂ ବାହାର ରିଂ ରୋଡ୍ ନିର୍ମାଣ ।
ଏହାବ୍ୟତୀତ ପୂର୍ତ୍ତ ମନ୍ତ୍ରୀ ବୁଧବାର ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଭାଗର ବଜେଟ୍ ଉପସ୍ଥାପନ କରିଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଶାସନିକ ବ୍ୟୟ ଅଧୀନରେ ବଜେଟ୍ ୨,୯୯୬ କୋଟି ୬୮ ଲକ୍ଷ ୩୨ ହଜାର ଟଙ୍କା ଏବଂ କାର୍ଯ୍ୟକ୍ରମ ବ୍ୟୟ ୯,୪୫୧ କୋଟି ୭୫ ଲକ୍ଷ ଟଙ୍କା ରହିଛି। ଅର୍ଥାତ୍ ମୋଟ ବଜେଟ୍ ହେଉଛି ୧୨,୪୪୮ କୋଟି ୪୩ ଲକ୍ଷ ୩୨ ହଜାର ଟଙ୍କା।
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ତଥା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟରେ ପରିକଳ୍ପିତ ବିଭିନ୍ନ ଯୋଜନା ସମ୍ପର୍କରେ ମନ୍ତ୍ରୀ ଆଲୋକପାତ କରିଥିଲେ। ସୂଚନାଯୋଗ୍ୟ, ପୂର୍ତ୍ତ ବିଭାଗ ୫ ବର୍ଷ ମଧ୍ୟରେ ୧୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନେଟୱର୍କ ନିର୍ମାଣ ପାଇଁ ବିବରଣୀ ପ୍ରସ୍ତୁତ କରିଛି।
Previous article:https://purvapaksa.com/for-home-guard-post-in-odisha-youths-with-b-tech-m-tech-mca-degrees-apply/
ଚାକିରି ସମସ୍ୟା: ହୋମଗାର୍ଡ ପଦବୀ ପାଇଁ ବିଟେକ, ଏମଟେକ, ଏମସିଏ ଡିଗ୍ରୀଧାରୀଙ୍କ ଆବେଦନ
