ପିସିସି ସଭାପତି ଭକ୍ତ ଦାସ ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ତତ୍ପର ହୋଇ ଉଠିଛନ୍ତି। ଉଦ୍ଦେଶ୍ୟ ହେଉଛି ରାଜ୍ୟର ପ୍ରମୁଖ ବିରୋଧି ଦଳ ବିଜେଡି ଓ ଏହାର ନେତା ନବୀନ ପଟ୍ଟନାୟକଙ୍କୁ ଅସୁବିଧାରେ ପକାଇବା। କଂଗ୍ରେସ ପକ୍ଷରୁ ଆଗତ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଘୋଷଣା କରିବାକୁ ଭକ୍ତ ଦାସ ବିଜେଡିକୁ ଆହ୍ୱାନ ଦେଇଥିଲେ। ଏଭଳି ପ୍ରସ୍ତାବରେ ବିଜେଡି ଅସୁବିଧାରେ ପଡ଼ିବା ପରିବର୍ତ୍ତେ କଂଗ୍ରେସ ଏକ ପ୍ରକାର ହରଡ଼ ଘଣାରେ ପଡ଼ିଯାଇଛି।

ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ନେଇ ଭୁବନେଶ୍ୱରଠାରେ ହୋଇଥିବା ସଭା ଏବଂ ଓଡ଼ିଶା ବନ୍ଦର ଅଭୂତପୂର୍ବ ସଫଳତା ପରେ ଭକ୍ତ ବେଶ୍ ଆକ୍ରାମକ ହୋଇ ଉଠିଛନ୍ତି। ମାତ୍ର ୬ମାସର କାର୍ଯ୍ୟକାଳ ଭିତରେ ଭକ୍ତ ଦାସ କେବଳ ରାଜ୍ୟସ୍ତରରେ ଏକ ସକ୍ରିୟ ସଂଗଠନଭାବେ କଂଗ୍ରେସକୁ ଠିଆ କରାଇଛନ୍ତି ବୋଲି କହିଲେ ଭୁଲ ହେବ ନାହିଁ। କିନ୍ତୁ ଭକ୍ତ ଦାସ ଅନାସ୍ଥା ମାଧ୍ୟମରେ ବିଜେଡି ପାଇଁ ଯେଉଁ ଗାତ ଖୋଳିବାକୁ ଚେଷ୍ଠା କରିଛନ୍ତି ସେଥିରେ ସେ ନିଜେ ପଡ଼ିବାକୁ ଯାଉଛନ୍ତି। ଏହା କଂଗ୍ରେସକୁ ଲାଭ ଦେବା ପରିବର୍ତ୍ତେ କ୍ଷତି କରିବ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।
ଭକ୍ତ ଦାସଙ୍କ ସମର୍ଥକମାନଙ୍କ ଯୁକ୍ତି ହେଉଛି, ଅନାସ୍ଥା ଜରିଆରେ ବିଜେଡି-ବିଜେପି ମଧ୍ୟରେ ଥିବା ଭିତରିଆ ସମ୍ପର୍କକୁ ପଦାରେ ପକାଇ ଦେବାକୁ ଏହି ପ୍ରସ୍ତାବ ଦିଆଯାଇଛି। ଅନାସ୍ଥା ଆସିଲେ ରାଜ୍ୟ ବିଜେପି ସରକାର ବିରୋଧରେ ଖୋଲା ଆଲୋଚନା ହେବ। ବିଜେପି ସରକାରକୁ ବିଜେଡି ସମାଲୋଚନା କଲେ ସରକାର ପ୍ରତିଶୋଧ ପରାୟଣ ହୋଇ ଗତ ୨୪ ବର୍ଷର ବିଜେଡି ସରକାରରେ ଥିବା ବିଭିନ୍ନ ଅନିୟମିତତାକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଫଳରେ ବିଜେଡି ବଦନାମ ହେବ, ଯାହା ଫଳରେ କଂଗ୍ରେସ ଲାଭବାନ ହୋଇପାରିବ।
ଭକ୍ତ ଦାସଙ୍କ ଏଭଳି ଯୁକ୍ତିକୁ କିନ୍ତୁ କଂଗ୍ରେସରେ ଥିବା ତାଙ୍କ ବିରୋଧିମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସେହି କଂଗ୍ରେସ ନେତାଙ୍କ କହିବା କଥା ହେଲା ଯେ ନିଜର କିଛି ପୁରୁଣା ବନ୍ଧୁଙ୍କ ପରାମର୍ଶରେ ଭକ୍ତ ଦାସ ଏଭଳି ଅବାସ୍ତବ ପ୍ରସ୍ତାବ ଦେଇଛନ୍ତି। ଏକଥା ସମସ୍ତେ ଜାଣିଛନ୍ତି ଯେ ବିଜେଡିର ବହୁ ବରିଷ୍ଠ ନେତା ଭକ୍ତ ଦାସ ଜନତା ଦଳରେ ଥିବାବେଳର ସାଥୀ। ସେମାନେ ଏବେ ବିଜେଡିରେ ଏକପ୍ରକାର କଣଠେସା ହୋଇ ରହିଛନ୍ତି। ଦଳ ଭିତର ପାଣିଗୋଳିଆ ନ ହେଲେ ସେମାନଙ୍କ ଗୁରୁତ୍ୱ ବଢ଼ିବ ନାହିଁ। ତେଣୁ ଦଳ ଭିତରେ ନିଜର ଗୁରୁତ୍ୱ ବଢ଼ାଇବାକୁ ଯୋଜନାବଦ୍ଧ ଭାବେ ସେମାନେ ଭକ୍ତଙ୍କୁ ମୋହରା କରିଛନ୍ତି।
ଓଡ଼ିଶାବାସୀ ଜାଣିଛନ୍ତି ଯେ ବିଜେପି ଓ ବିଜେଡି ହେଉଛନ୍ତି ପରସ୍ପର ଅଘୋଷିତ ସହଯୋଗୀ। ବିଜେଡି-ବିଜେପି ମଧ୍ୟରେ ଯେଉଁ ତଥାକଥିତ ରାଜନୈତିକ ଲଢ଼େଇ ହେଉଛି ତାହା ଲୋକ ଦେଖାଣିଆ ବ୍ୟତୀତ ଅନ୍ୟକିଛି ନୁହେଁ। କେବଳ ସେତିକି ନୁହେଁ, ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡିକୁ ଶୋଚନୀୟଭାବେ ପରାସ୍ତ କରିବା ପରେ ମଧ୍ୟ ବିଜେଡି ଲୋକସଭାରେ ୱାକଫ୍ ବିଲରେ ବିଜେପି ସରକାରକୁ ସମର୍ଥନ ଦେବା ପରେ ରାଜ୍ୟର ସଂଖ୍ୟାଲଘୁ ମୁସଲମାନମାନଙ୍କର ବିଶ୍ୱାସ ହରାଇଛି। ଏହାଛଡ଼ା ପେସା ଆଇନ ଲାଗୁ ନ କରିବାରୁ ଆବାସୀମାନେ ଉଭୟ ଦଳକୁ ସମାନ ଦୃଷ୍ଟିରେ ଦେଖୁଛନ୍ତି।
ଏଭଳି ସ୍ଥିତିରେ ଭକ୍ତ ଦାସଙ୍କ ସମର୍ଥକମାନଙ୍କ ଯୁକ୍ତି ହେଲା କେନ୍ଦ୍ର ସରକାରକୁ ସମର୍ଥନ ଦେବା ଫଳରେ ବିଜେଡିର ମୁସଲମାନ, ଦଳିତ ଓ ଆଦିବାସୀ ଭୋଟର ଏବେ କଂଗ୍ରେସ ଆଡ଼କୁ ଢଳୁଛନ୍ତି। ବିଜେଡି-ବିଜେପିର ଭିତିରିଆ ସମ୍ପର୍କକୁ ନେଇ ଯେତେ ପ୍ରଚାର ଓ ପ୍ରସାର ହେବ ବିଜେଡିର ଭୋଟ୍ ବ୍ୟାଙ୍କ ସେତେ ଦୁର୍ବଳ ହେବ। ଏବେ ବିଜେଡି ତାର ଭୋଟ୍ ବ୍ୟାଙ୍କଙ୍କୁ ସୁରକ୍ଷିତ ରଖିବାକୁ ପ୍ରାଣପଣ ଚେଷ୍ଟା କରୁଛି।
ଏଭଳି ରାଜନୈତିକ ସମୀକରଣରେ ଭକ୍ତଙ୍କ ଅନାସ୍ଥା ପ୍ରସ୍ତାବ ବିଜେଡି ପାଇଁ ଆଶୀର୍ବାଦ ହୋଇପାରେ ବୋଲି କଂଗ୍ରେସର ସେହି ନେତାମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ବିଜେପିର କେନ୍ଦ୍ରୀୟ ନେତୃଙ୍କ ସହିତ ବିଜେଡିର ଭଲ ସମ୍ପର୍କ ରହିଛି। ସେମାନଙ୍କୁ ରାଜ୍ୟର ରାଜନୈତିକ ଅଙ୍କ ବୁଝାଇ ଦେଇ ଯଦି ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲା ତେବେ ସଂଖ୍ୟାଲଘୁ ମୁସଲମାନ, ଦଳିତ ଓ ଆଦିବାସୀମାନଙ୍କ ମଧ୍ୟରେ ବିଜେଡିକୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହ କିଛି ପରିମାଣରେ ଦୂର ହୋଇଯିବ। ଯାହା ଫଳରେ ସଂଖ୍ୟାଲଘୁ, ଦଳିତ ଓ ଆଦିବାସୀଙ୍କ ନିକଟରେ ବିଜେଡି ନିଜକୁ ଆଉଥରେ ବିଜେପି ତା’ର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି ପ୍ରମାଣିତ କରିବାକୁ ସୁଯୋଗ ପାଇବ। ଫଳରେ କଂଗ୍ରେସକୁ ଢଳୁଥିବା ଉପରୋକ୍ତ ଭୋଟ୍ ବ୍ୟାଙ୍କ ପୁଣିଥରେ ଭ୍ରମିତ ହେବ।
ରାଜନୈତିକ ସମୀକ୍ଷକମାନଙ୍କ ମତରେ ଯଦି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ମେଣ୍ଟ ପାଇଁ ପ୍ରସ୍ତାବ ଆସେ ତେବେ ବିଜେଡି ବିନା ସଂକୋଚରେ ବିଜେପିକୁ ହିଁ ଗ୍ରହଣ କରିବ। ଗତ ସାଧାରଣ ନିର୍ବାଚନ ସମୟରେ ସାଂଗଠନିକ ଦୃଷ୍ଟିରୁ ସର୍ବଶକ୍ତିମାନ ଥିବା ବିଜେଡି କିପରି ସମସ୍ତ ନୀତି ନୈତିକତା ଓ କର୍ମୀମାନଙ୍କ ସ୍ୱାର୍ଥକୁ ପଛରେ ପକାଇ ତାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପି ସହିତ ମେଣ୍ଟ କରିବାକୁ ଆଗଭର ଥିଲା ତାହା ସମସ୍ତେ ଦେଖିଛନ୍ତି। ଏଭଳି ସ୍ଥିତିରେ ବିଜେଡିକୁ ରାସ୍ତା ଛାଡ଼ିଦେବା ରାଜନୈତିକ ଦୃଷ୍ଟିରୁ ଅପରିଣାମଦର୍ଶୀ ହେବ ବୋଲି କଂଗ୍ରେସରେ ଥିବା ଭକ୍ତ ଦାସଙ୍କ ବିରୋଧିମାନେ ଯୁକ୍ତି ଦର୍ଶାଉଛନ୍ତି।
ସବୁଠାରୁ ବଡ଼ କଥା ହେଲା, ସଂଖ୍ୟା ଦୃଷ୍ଟିରୁ ବିଜେପି ସରକାର ପ୍ରତି ସେଭଳି କିଛି ବିପଦ ନାହିଁ। ଯଦି କିଛି ବିଜେପି ବିଧାୟକଙ୍କ ମପନରେ ଅସନ୍ତୋଷ ରହିଛି, ତେବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଦଳ କ୍ଷମତାସୀନ ଥିବାରୁ ସେହି ବିଧାୟକମାନେ ଆଗକୁ ଆସିବାର ସମ୍ଭାବନା ନାହିଁ।
ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ସିଧାପ୍ରସାରଣ ହେଉନଥିବାରୁ ଲୋକସଭା କିମ୍ବା ରାଜ୍ୟସଭା ଭଳି ପ୍ରଭାବଶାଳୀ ହୋଇନଥାଏ। ଏଣୁ ଓଡ଼ିଶା ବିଧାନସଭାରେ ଅନାସ୍ଥା ଆଲୋଚନା ରାଜ୍ୟର ମତଦାତାଙ୍କ ଉପରେ ସେଭଳି କିଛି ବଡ଼ ପ୍ରଭାବ ପକାଇବାର ସମ୍ଭାବନା ନାହିଁ। ଯଦି ଏହା ଆଲୋଚନା ହେଲା, ତେବେ ସମୟ ଅନୁସାରେ ବିଜେପି ସର୍ବାଧିକ ସମୟ ପାଇବ, ତା’ ତଳକୁ ମୁଖ୍ୟ ବିରୋଧି ଦଳ ବିଜେଡିକୁ ସମୟ ମିଳିବ। ସର୍ବନିମ୍ନ ସମୟ କଂଗ୍ରେସକୁ ମିଳିବ।
କଂଗ୍ରେସ ବିଧାୟକମାନଙ୍କ ମଧ୍ୟରେ ସେଭଳି କୌଣସି ପ୍ରଭାବଶାଳୀ ବକ୍ତା ନାହାନ୍ତି। ଯାହାର ଭାଷଣ ରାଜ୍ୟବାସୀଙ୍କୁ ପ୍ରଭାବିତ କରିବ। ଅର୍ଥାତ୍ କଂଗ୍ରେସକୁ ସେଭଳି କୌଣସି ଲାଭ ମିଳିବାର ସମ୍ଭାବନା ନାହିଁ। ଏପରିକି ଗଣମାଧ୍ୟମରେ ମଧ୍ୟ କଂଗ୍ରେସର ସରକାର ବିରୋଧି ଭାଷଣ ଅଧିକ ଗୁରୁତ୍ୱ ପାଇବା ସମ୍ଭାବନା ମଧ୍ୟ କମ୍। ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଓ ବିରୋଧି ଦଳ ନେତାଙ୍କ ଭାଷଣ ଅଧିକ ପ୍ରସାର ଦେବ। ତେଣୁ ଭକ୍ତ ଦାସଙ୍କ ଏହି ଅନାସ୍ଥା ପ୍ରସ୍ତାବ କଂଗ୍ରେସକୁ ଲାଭ ଦେବା ପରିବର୍ତ୍ତେ ଅଧିକ କ୍ଷତି କରିବ ବୋଲି ଦଳୀୟ ନେତାମାନେ ଯୁକ୍ତି ଦେଉଛନ୍ତି।
ନାରୀ ନ୍ୟାୟ ପାଇଁ କଂଗ୍ରେସର ବନ୍ଦ ଡାକରାକୁ ଓଡ଼ିଶାବାସୀଙ୍କ ଅଭୂତପୂର୍ବ ସମର୍ଥନ ଦେଖି ବିଜେଡି ଓ ବିଜେପି ଉଭୟ ଆଶଙ୍କିତ ହୋଇପଡ଼ିଥିଲେ। କୌଣସି ପ୍ରକାରେ କଂଗ୍ରେସକୁ ବ୍ୟାକ୍ ଫୁଟ୍କୁ ଆଣିବା ସହିତ ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ଉସୁକାଇବା ପାଇଁ ଉଭୟ ଦଳ ଚେଷ୍ଟା କରୁଥିଲେ। ବିଲେଇ କପାଳକୁ ସିକା ଛିଣ୍ଡିବା ପରି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି।

ଏହି ଘଟଣାରେ କଂଗ୍ରେସର ନାରୀ ନ୍ୟାୟ ଆନ୍ଦୋଳନକୁ ପାଣିଚିଆ କରିବାରେ ବିଜେପି କିଛି ପରିମାଣରେ ସଫଳ ହେଲା। ଦଳରେ ଭକ୍ତ ଦାସଙ୍କର ବଢ଼ୁଥିବା ଲୋକପ୍ରିୟତାକୁ ସହି ନ ପାରି ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ଉଦିତଙ୍କୁ ଫସାଇବା ସହିତ ଭକ୍ତ ଦାସଙ୍କ ନାରୀ ନ୍ୟାୟ ଆନ୍ଦୋଳନକୁ ରାଜ୍ୟବାସୀଙ୍କ ସାମ୍ନାରେ ବିଫଳ କରାଇଛନ୍ତି ବୋଲି ଆଲୋଚନା ହେଉଛି।
କଂଗ୍ରେସ ଦଳର ତୃଣମୂଳ ସ୍ତରରେ ସଂଗଠନ ଆଦୌ ନାହିଁ କହିଲେ ଚଳେ। ୱାର୍ଡ, ପଞ୍ଚାୟତ, ଜିଲ୍ଲା ପରିଷଦ, ବ୍ଲକ୍ ଓ ଜିଲ୍ଲାର ସଂଗଠନ ନ ସଜାଡ଼ି ଭକ୍ତ ଦାସ ଉପରେ ଉପରେ ତାଙ୍କ ନେତୃତ୍ୱର ଦମ୍ ଦେଖାଇବାକୁ ଚାହୁଁଛନ୍ତି। ଅତ୍ୟଧିକ ଉତ୍ସାହ ଓ ସାମୟିକ ତଥା ଲୋକଦେଖାଣିଆ ସଫଳତା ଭକ୍ତ ଦାସଙ୍କୁ ଧୀରେ ଧୀରେ ଅହଂକାରୀ କରିଦେଉଛି। ଯାହା ଦଳ ପାଇଁ ବୁମେରାଂ ହେବା ଜଳଜଳ ହୋଇ ଦିଶୁଛି।
Also readhttps://purvapaksa.com/arrogant-power-center-in-bjp/
Arrogant power center in BJP II ବିଜେପିରେ ଅମାନିଆ କ୍ଷମତା କେନ୍ଦ୍ର


