ପ୍ରଧାନମନ୍ତ୍ରୀଙ୍କ ରାସ୍ତାରେ ବୟସ ଆଉ କଣ୍ଟା ହେବ ନାହିଁ। ଆଗାମୀ ୧୭ ତାରିଖ ପରେ ତାଙ୍କ ଉପରକୁ କେହି ବୟସକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିବେ ନାହିଁ। ଏ ବାଟରେ ଥିବା ସମସ୍ତ କଣ୍ଟା କାଢ଼ିଛନ୍ତି ସଂଘ ପ୍ରମୁଖ ମୋହନ ଭାଗବତ। ବାସ୍ତବରେ ଏହି ବୟସ ପ୍ରତିବନ୍ଧକକୁ ନେଇ ତାଙ୍କୁ ହିଁ ପ୍ରତିବନ୍ଧକ ଭାବେ ଗ୍ରହଣ କରାଯାଉଥିଲା। ମୋଦୀ ସେପ୍ଟେମ୍ବର ୧୭ ପରେ ଆଉ ପଦବୀ ଗ୍ରହଣ ନ କରିପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ବର୍ତ୍ତମାନର ପରିସ୍ଥିତି ଓ ମୁଡ୍ ଅଫ୍ ଦି’ ନେସନ୍ ପରେ ଏବେ ଭାଗବତଙ୍କ ସ୍ପଷ୍ଟୀକରଣ ଦେଶରେ ଆସିବାକୁ ଥିବା ରାଜନୀତିକ ସଙ୍କଟକୁ ଦୂର କରିଛି।
- ଭାରତରେ ପ୍ରଧାନମନ୍ତ୍ରୀଙ୍କ ସର୍ବୋଚ୍ଚ ବୟସ ସୀମା କେତେ ହେବା ଆବଶ୍ୟକ?
- କେତେ ବର୍ଷରେ ଜଣେ ପ୍ରଧାନମନ୍ତ୍ରୀ ବି ଅବସର ନେବା ଉଚିତ?
ଏ ବିଷୟରେ ସମ୍ବିଧାନ ନିର୍ମାତାମାନେ କୌଣସି ବିଧି ବ୍ୟବସ୍ଥାକୁ ଆଲୋଚନା କରି ନାହାନ୍ତି। ଭାରତର ସମ୍ବିଧାନ ଏ ବିଷୟରେ ମଧ୍ୟ ଚୁପ ରହିଛି। ଜଣେ ପ୍ରଧାନମନ୍ତ୍ରୀ ସଂସଦର ସଦସ୍ୟ ହେବା ବାଧ୍ୟତାମୂଳକ ହୋଇଥିବାରୁ ସଂସଦର କୌଣସି ଗୃହର ସଦସ୍ୟଙ୍କ ସର୍ବୋଚ୍ଚ ବୟସ ସୀମା ସ୍ଥିର ହୋଇ ନାହିଁ। ଅର୍ଥାତ୍ ଭାରତରେ ପ୍ରଧାନମନ୍ତ୍ରୀ ହେବା ପାଇଁ ସର୍ବନିମ୍ନ ୨୫ ବର୍ଷ ବୟସ ହେବାର ଆବଶ୍ୟକତା ରହିଛି କିନ୍ତୁ ବୟସକୁ କେନ୍ଦ୍ର କରି ତାଙ୍କର ଅବସର ନେବା କେଉଁଠି ଉଲ୍ଲେଖ ନାହିଁ। ଏଣୁ ଯେତେଦିନ ଯାଏ ସେ ସାଧାରଣ ଲୋକଙ୍କ ଦ୍ୱାରା ନିର୍ବାଚିତ ହେଉଥିବେ ଏବଂ ନିର୍ବାଚନ ଲଢ଼ିବା ପାଇଁ ଆବଶ୍ୟକ ଯୋଗ୍ୟତା ତାଙ୍କର ଥିବ ସେତେଦିନ ଯାଏ ସେ ପ୍ରଧାନମନ୍ତ୍ରୀ ହେଉଥିବେ।
ଭାରତୀୟ ସମ୍ବିଧାନର ଧାରା ୭୫(୧) ଅନୁସାରେ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଥାଆନ୍ତି। ସାଧାରଣତଃ ଲୋକସଭାରେ ସଂଖ୍ୟା ଗରିଷ୍ଠ ଦଳର ନେତାଙ୍କୁ ହିଁ ପ୍ରଧାନମନ୍ତ୍ରୀଭାବେ ନିଯୁକ୍ତି ମିଳିଥାଏ। କିନ୍ତୁ ରାଜ୍ୟସଭାର ସଦସ୍ୟ ବି ପ୍ରଧାନମନ୍ତ୍ରୀ ହୋଇଥିବାର ନଜୀର ରହିଛି। ଯେହେତୁ ଯେକୌଣସି ଗୃହର ସଦସ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ହୋଇପାରିବେ, ଏଣୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ମଧ୍ୟ ଲୋକସଭା ବା ରାଜ୍ୟସଭାର ସଦସ୍ୟଙ୍କ ପାଇଁ ଆବଶ୍ୟକ ଯୋଗ୍ୟତା ରହିବା ଆବଶ୍ୟକ। ଅବଶ୍ୟ ବିନା କୌଣସି ଗୃହର ସଦସ୍ୟତାରେ ଜଣେ ବ୍ୟକ୍ତି ସର୍ବାଧିକ ୬ ମାସ ପ୍ରଧାନମନ୍ତ୍ରୀ ରହିପାରିବେ ହେଲେ ତାଙ୍କ ଯୋଗ୍ୟତା କିନ୍ତୁ ଗୃହର ସଦସ୍ୟଙ୍କ ଭଳି ହେବା ନିହାତି ଜରୁରୀ। ଧାରା ୮୪ରେ ସଂସଦ ଅର୍ଥାତ୍ ଲୋକସଭା ବା ରାଜ୍ୟସଭାର ସଦସ୍ୟ ହେବା ଲାଗି ଯୋଗ୍ୟତା ନିରୂପଣ କରାଯାଇଛି। ଏଥିରେ କୌଣସି ଗୃହର ସଦସ୍ୟ ହେବା ଲାଗି ସର୍ବାଧିକ ବୟସ ସୀମା ଉଲ୍ଲେଖ ନାହିଁ। ଅର୍ଥାତ୍ ପ୍ରଧାନମନ୍ତ୍ରୀରୁ ବରଖାସ୍ତ ହେବା ଲାଗି ବୟସ ପ୍ରତିବନ୍ଧକ ନୁହେଁ।

ତେବେ ଏଠାରେ ଏଭଳି ପ୍ରତିବନ୍ଧକ କାହିଁକି ଆଲୋଚନା ହେଉଛି? ଏ ପ୍ରଶ୍ନ ଆପଣଙ୍କ ମନରେ ଉଠିବା ସ୍ୱାଭାବିକ। ଏ ପ୍ରଶ୍ନ ପଛରେ ରହିଛି ବିଜେପିର ମୁଖ୍ୟ ପୃଷ୍ଠପୋଷକ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମାର୍ଗଦର୍ଶିକା ଓ ବର୍ତ୍ତମାନର ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ଅତୀତର କିଛି ଟିପ୍ପଣୀ।
ଏହି ମାର୍ଗଦର୍ଶିକା ଅନୁସାରେ ସଂଘରେ ଆଜୀବନ ପଦବୀ ଧାରକଙ୍କୁ ବାରଣ କରାଯାଇଛି। ଏହିକ୍ରମରେ ୭୫ ବର୍ଷ ବୟସ ପରେ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ବା ପ୍ରଚାରକଙ୍କୁ ଅବସର ନେବା ପାଇଁ ବିଧି ବ୍ୟବସ୍ଥା କରାଯାଇଛି। ଏହାର ଅର୍ଥ ନୁହେଁ ଯେ ତାଙ୍କର ସଦସ୍ୟତା ରଦ୍ଦ ହୁଏ, ବରଂ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ସଂଘର ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେବା ଲାଗି ସେ ବାଟ ଉନ୍ମୁକ୍ତ କରନ୍ତି। ସଂଘକୁ ନୂଆ ଉନ୍ମାଦନା ଚିନ୍ତାଧାରାରେ ଅନୁପ୍ରାଣିତ କରିବା ଲାଗି ଏହାର ଆବଶ୍ୟକତାକୁ ୧୦୦ ବର୍ଷ ପୂର୍ବରୁ ଆକଳନ କରାଯାଇଥିଲା।
ଏହି ଅର୍ଥରେ ପ୍ରମୁଖ ମୋହନ ଭାଗବତଙ୍କ ଅନେକ ଟିପ୍ପଣୀ ମଧ୍ୟ ଆସିଛି। ହେଲେ ୨୦୨୩ ବିଜୟା ଦଶମୀରେ ଭାଗବତଙ୍କ ଏହି ଟିପ୍ପଣୀ ଅନେକ ରାଜନୀତିକ ଚର୍ଚ୍ଚାକୁ ଖୋରାକି ଦେଇଥିଲା। ସେତେବଳେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ନିର୍ବାଚିତ ହେଲେ ମାତ୍ର ଏକବର୍ଷ ପ୍ରଧାନମନ୍ତ୍ରୀ ରହିବାପାରିବେ ବୋଲି ଚର୍ଚ୍ଚା ହେଲା। ବିରୋଧୀ ଦଳ ଏହାକୁ ନିର୍ବାଚନ ପ୍ରଚାର ସମୟରେ ନ୍ୟାରେଟିଭ ଭାବେ ବ୍ୟକ୍ତ କଲେ। ମୋଦୀ ଲୋକପ୍ରିୟ ଥିବାରୁ ତାଙ୍କୁ ଭୋଟ୍ ଦେଇ ଆଉଥରେ ନିର୍ବାଚିତ କରିବାର କିଛି କାରଣ ନାହିଁ ବୋଲି ବି କହିଥିଲେ।
ଏହାପରେ ଜୁଲାଇ ୨୦୨୫ରେ ଅବସର ବୟସକୁ ସେ ଗୁରୁତ୍ୱାରୋପ କରିଥିଲେ। ଜୀବନବ୍ୟାପୀ କୌଣସି ପଦବୀରେ ରହିୀବାକୁ ବାରଣ କରିବା ତଥା ଯୁବାବର୍ଗଙ୍କ ଲାଗି ବାଟ ଉନ୍ମୁକ୍ତ କରିବାକୁ ଅବସର ବୟସର ଆବଶ୍ୟକତା ବାବଦରେ ସେ କହିଥିଲେ। ପୂର୍ବତନ ସଂଘ ପ୍ରମୁଖ ମୋରପନ୍ତଙ୍କୁ ଯେତେବେଳେ ୭୫ ବର୍ଷ ହୋଇଥିଲା ସେତେବେଳେ ଏକ ସମ୍ବର୍ଦ୍ଧନ ସଭାରେ ଉତ୍ତରୀୟ ପାଇବା ପରେ ସେ କହିଥିଲେ ୭୫ ବର୍ଷ ବୟସରେ ଉତ୍ତରୀୟ ପାଇବାର ଅର୍ଥ ହେଉଛି ତାଙ୍କ କାମ ସରିଲା, ଏଥର ଚେୟାର ପକାଇ ଅନ୍ୟକୁ ଦେଖିବାର ବେଳ ଆସିଲା’।
ଯେହେତୁ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୭୫ ହେବ, ଏଣୁ ତାଙ୍କର ବି ଅବସର ବୟସ ଆସିବ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏହାକୁ ଗତକାଲି ସରସଂଘ ଚାଳକ ମୋହନ ଭାଗବତ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ୭୫ ବର୍ଷରେ ସେ ଅବସର ନେବେ କି ଆଉ କିଏ ଅବସର ନେବା ଉଚିତ ସେ ବିଷୟରେ ସେ କହି ନାହାନ୍ତି।
ଭାଗବତ କହିଛନ୍ତି ନିଷ୍ପତ୍ତି ସାମୂହିକ ଭାବରେ ନିଆଯାଇଥାଏ। ସେ କହିଥିଲେ ଯେ, ଆରଏସଏସ “କେବଳ ପରାମର୍ଶ ପ୍ରଦାନ କରେ” କିନ୍ତୁ କେବେବି ବିଜେପିର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ହସ୍ତକ୍ଷେପ କରେ ନାହିଁ। “ମୁଁ ୫୦ ବର୍ଷ ଧରି ଶାଖା ଚଳାଉଛି। ଯଦି କେହି ମୋତେ ପରାମର୍ଶ ଦିଅନ୍ତି, ମୁଁ ଶୁଣିବି। କିନ୍ତୁ ଦଳ ଦେଶ ଚଳାଉଛି। ସେମାନେ ଏଥିରେ ବିଶେଷଜ୍ଞ। ଆରଏସଏସ ନୁହେଁ,” ବୋଲି ଭାଗବତ କହିଥିଲେ।

ବିଜେପିର ନିଷ୍ପତ୍ତି ଗ୍ରହଣ ଭାବରେ ଦେଖାଯାଉଥିବା କାର୍ଯ୍ୟ ଉପରେ ମଧ୍ୟ ଏକ ଛୋଟ ଆକ୍ଷେପ କରିଛନ୍ତି ଭାଗବତ। କାହାର ନାମ ନ ନେଇ, ମୋହନ ଭାଗବତ କହିଛନ୍ତି, “ଯଦି ଆମେ ନିଷ୍ପତ୍ତି ନେଉଥାନ୍ତୁ, ତେବେ ଏଥିରେ ଏତେ ସମୟ ଲାଗିଥାନ୍ତା କି? ସେମାନେ ନିଜ ନିଜର ସମୟ ନେବା ଉଚିତ।” ଏହି ମନ୍ତବ୍ୟକୁ ଦଳୀୟ ମୁଖ୍ୟ ଜେପି ନଡ୍ଡାଙ୍କ ପାଇଁ ଉତ୍ତରାଧିକାରୀ ନାମ ଦେବାରେ ବିଜେପି ବିଳମ୍ବ ଭାବରେ ଦେଖାଯାଉଛି, ଯିଏ ପ୍ରାୟ ଦୁଇ ବର୍ଷ ପୂର୍ବରୁ – ୨୦୨୪ ଲୋକସଭା ନିର୍ବାଚନର ବହୁତ ପୂର୍ବରୁ ତାଙ୍କର କାର୍ଯ୍ୟକାଳ ସମାପ୍ତ କରିସାରିଛନ୍ତି।
ମୋହନ ଭାଗବତଙ୍କ ଏହି ଉକ୍ତକୁ ରାଜନୈତିକ ଦୃଷ୍ଟିରୁ ଦେଖିଲେ ଯାହା ଜଣାପଡ଼ୁଛି ସଂଘ ଅମିତ ଶାହଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି। ମୋଦୀ ଅବସର ନେଲେ ଅମିତ ଶାହ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ବଡ଼ ଦାବିଦାର ହେବେ। ତେଣୁ ମୋଦୀ ଅଭୟବାଣୀ ଦେଇ ସଂଘ ଅମିତ ଶାହଙ୍କ ପ୍ରଧାନମନ୍ତ୍ରୀ ଆଶା ଉପରେ ରୋକ ଲଗାଇ ଦେଇଛନ୍ତି।
ଏହାପରେ ଏବେ ପ୍ରଧାନମନ୍ତ୍ରୀଙ୍କ ଆକସ୍ମିକ ଅବସର ଘୋଷଣାର ଚର୍ଚ୍ଚା ଥମିବ ବୋଲି ଆଶା କରାଯାଇପାରେ। କାରଣ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ମୋଦୀ ହିଁ ଉପଯୁକ୍ତ ନେତା ରହିବେ। ପୁଣି ଜୁଲାଇ୧ରୁ ଅଗଷ୍ଟ ୧୪ ଯାଏ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ‘ମୁଡ ଅଫ୍ ଦି ନେସନ୍’ ସର୍ବେକ୍ଷଣରେ ମୋଦୀଙ୍କୁ ସର୍ବାଧିକ ଲୋକପ୍ରିୟ ନେତା ଭାବେ ସୂଚୀତ କରାଯାଇଛି। ଏବେ ନିର୍ବାଚନ ହେଲେ ମୋଦୀ ପୂର୍ବ ଅପେକ୍ଷା ଅଧିକ ଆସନରେ ଦଳକୁ ବିଜୟୀ କରିପାରିବେ ବୋଲି କୁହାଯାଇଛି। ଅର୍ଥାତ୍ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ନେତାଭାବେ କାହାକୁ ସ୍ଥିର କରାଯାଇ ନାହି।

ଏହି କଥା ଆରଏସଏସ ନେତା ରାମ ମାଧବ ଗତ ୧୭ ତାରିଖ ଦିନ ଭୁବନେଶ୍ୱରରେ ରାଷ୍ଟ୍ରଦୀପର ୬୦ ବର୍ଷ ପୂର୍ତ୍ତି ଉତ୍ସବରେ ପରୋକ୍ଷରେ ସୂଚନା ଦେଇଥିଲେ। ସେ କହିଥିଲେ ଶରୀରରେ ବଳ ଥିବା ପର୍ଯ୍ୟନ୍ତା କାମ କରିବା ଆବଶ୍ୟକ।

ଅପରପକ୍ଷେ ଭାରତରେ ୭୫ ବର୍ଷ ପରେ ପ୍ରଧାନମନ୍ତ୍ରୀ ହେବାର ମୂଳଦୁଆ କଂଗ୍ରେସ ନୁହେଁ ବରଂ ଅଣ କଂଗ୍ରସ ଦଳ ହିଁ ପକାଇଥିଲେ। ଏବଂ ଆଜି ଯାଏ ଯେଉଁ ଦୁଇଜଣ ପ୍ରଧାନମନ୍ତ୍ରୀ ୭୫ ବର୍ଷ ବୟସ ଉର୍ଦ୍ଧ୍ୱରେ ବି ପଦବୀ ଆହରଣ ବା ରକ୍ଷା କରିଥିଲେ ସେମାନେ କେହି କଂଗ୍ରେସର ନ ଥିଲେ। ଜରୁରୀକାଳୀନ ପରିସ୍ଥିତିରେ ଇନ୍ଦିରାଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଜନମତକୁ ଧରି ଯେତେବେଳେ ଜନତା ଦଳ ସରକାର ଗଠନ କରେ ସେତେବେବଳେ ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀଭାବେ ଅଧିଷ୍ଠିତ ହୋଇଥିଲେ। ୧୯୭୭ରୁ ୧୯୭୯ ଯାଏ ସେ ଶାସନ କରିଥିଲେ। ପ୍ରାୟ ଅଢ଼େଇ ବର୍ଷ ସେ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ। ପ୍ରଧାନମନ୍ତ୍ରୀ ହେବାବେଳକୁ ତାଙ୍କ ବୟସ ଥିଲା ୮୧ ଏବଂ ୮୩ ବର୍ଷ ବୟସରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।

ତାଙ୍କ ପରେ ଦ୍ୱିତୀୟ ଏବଂ ଏଯାଏ ଶେଷ ପ୍ରଧାନମନ୍ତ୍ରୀଭାବେ ଅଟଳ ବିହାରୀ ବାଜପେୟ ୭୬ ବର୍ଷରେ ପ୍ରଥମେ ଦାୟିତ୍ୱ ନେଇଥିଲେ। ଏହାଙ୍କ ପରେ କେହି ଏଯାଏ ୭୫ ବର୍ଷରେ ପ୍ରଧାନମନ୍ତ୍ରୀ ରହି ନାହାନ୍ତି। ସେ ରେକର୍ଡରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହେବାକୁ ଯାଉଛନ୍ତି।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇନ୍ଦିରା ଗାନ୍ଧିଙ୍କ ରେକର୍ଡକୁ ଭାଙ୍ଗି ଦେଶର ଦ୍ୱିତୀୟ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ହୋଇପାରିଥିବା ବ୍ୟକ୍ତି ଭାବେ ନିଜକୁ ସ୍ଥାନୀତ କରିଛନ୍ତି। ଯଦି ପରିସ୍ଥିତି ଏପରି ଅନୁକୂଳ ରହେ ଏବଂ ଆସନ୍ତା ନିର୍ବାଚନରେ ମୋଦୀ ପୁଣିଥରେ ନିର୍ବାଚିତ ହୁଅନ୍ତି ତେବେ ଜବାହାରଲାଲ୍ ନେହରୁଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିବାରେ ସକ୍ଷମ ହୋଇପାରନ୍ତି।
Also readhttps://purvapaksa.com/struggle-might-be-there-but-no-quarrel-mohan-bhagwat-on-rss-bjp-ties/
Mohan Bhagwat on RSS-BJP ties ।। ଆରଏସଏସ ଏବଂ ବିଜେପି ମଧ୍ୟରେ ମତଭେଦକୁ ସ୍ୱୀକାର କଲେ ଭାଗବତ


