ଦକ୍ଷିଣ ଏସିଆର ରାଜନୈତିକ ଭୂଗୋଳରେ କିଛି ଅଞ୍ଚଳ ମାନଚିତ୍ରରେ ଛୋଟ ଦେଖାଯାଏ, କିନ୍ତୁ ତା’ର ରଣନୈତିକ ମୂଲ୍ୟ ଅପାର। ସେମିତି ଗୋଟିଏ ଅଞ୍ଚଳ ହେଉଛି ଭାରତର “ଚିକେନ୍ ନେକ୍”—ଯାହାକୁ ସାଧାରଣତଃ ସିଲିଗୁଡି କରିଡର ବୋଲି ଜଣାଯାଏ। ପଶ୍ଚିମବଙ୍ଗର ଏହି ୨୦–୨୨ କିଲୋମିଟର ଚଉଡ଼ା ସଂକୀର୍ଣ୍ଣ ଭୂମିଖଣ୍ଡ ଭାରତର ମୂଳ ଭୂଭାଗକୁ ଉତ୍ତର–ପୂର୍ବର ଆଠଟି ରାଜ୍ୟ ସହିତ ଯୋଡ଼ି ରଖିଛି। ଏହା ନେପାଳ, ଭୁଟାନ ଓ ବାଂଲାଦେଶ ମଧ୍ୟରେ ଅବସ୍ଥିତ, ଏବଂ ଚୀନର ଚୁମ୍ବି ଉପତ୍ୟକାରୁ ପ୍ରାୟ ୧୩୦ କିଲୋମିଟର ଦୂରରେ।
ବର୍ଷରୁ ବର୍ଷ ଧରି ଏହି କରିଡରକୁ ଭାରତର “ଦୁର୍ବଳ ସ୍ନାୟୁ” ବୋଲି କୁହାଯାଉଥିଲା। କାରଣ, ଏଠାରେ ସାମାନ୍ୟ ଅବରୋଧ ମଧ୍ୟ ଉତ୍ତର–ପୂର୍ବକୁ ଦେଶର ଅନ୍ୟାନ୍ୟ ଅଂଶରୁ ବିଚ୍ଛିନ୍ନ କରିପାରେ—ସାଧାରଣ ଯୋଗାଯୋଗ ଠାରୁ ଆରମ୍ଭ କରି ସେନା ଗତିବିଧି ପର୍ଯ୍ୟନ୍ତ ସବୁକିଛି ଉପରେ ପ୍ରଭାବ ପକାଇପାରେ। ଆଜି ଯେଉଁ ନିଷ୍ପତ୍ତି ଓ ଯୋଜନା ଘୋଷଣା ହେଉଛି, ସେଗୁଡ଼ିକୁ କେବଳ ଏକ ରେଳ ପ୍ରକଳ୍ପ ଭାବେ ଦେଖିଲେ ଭୁଲ ହେବ। ଏହା ହେଉଛି ଭାରତର ଏକ ସ୍ପଷ୍ଟ ରଣନୈତିକ ସନ୍ଦେଶ—ପଡ଼ୋଶୀଙ୍କ ପାଇଁ ସତର୍କ ସୂଚନା।

ବାଂଲାଦେଶ: ପଡ଼ୋଶୀ ନା ଚାପର କେନ୍ଦ୍ର?
ବାଂଲାଦେଶ ଭୌଗୋଳିକ ଭାବେ ଭାରତର ଅତ୍ୟନ୍ତ ନିକଟ ପଡ଼ୋଶୀ। ୪,୦୦୦ କିଲୋମିଟରରୁ ଅଧିକ ସୀମା ଭାରତ–ବାଂଲାଦେଶ ମଧ୍ୟରେ ବିସ୍ତାରିତ। ଏହି ସୀମା ମାତ୍ର ରେଖା ନୁହେଁ—ଏଠାରେ ଶତାଧିକ ସୀମା ଚେକ୍ପୋଷ୍ଟ, ହଜାର ହଜାର ଅନୌପଚାରିକ ଗ୍ରାମୀଣ ପଥ, ଏବଂ ଅସଂଖ୍ୟ ସାମାଜିକ–ଆର୍ଥିକ ସମ୍ପର୍କ ରହିଛି। ଦୀର୍ଘ ସମୟ ଧରି ବାଂଲାଦେଶ ଭାରତ ପାଇଁ ଏକ ସହଯୋଗୀ ପଡ଼ୋଶୀ ଭାବେ ଚିହ୍ନଟ ହୋଇଆସିଥିଲା, ବିଶେଷକରି ସେଖ୍ ହାସିନାଙ୍କ ଶାସନକାଳରେ।
କିନ୍ତୁ ଶେଖ୍ ହସିନା ସରକାରଙ୍କ ପତନ ପରେ ଢାକାର ରାଜନୀତିକ ଦିଗ ବଦଳିବା ଆରମ୍ଭ କଲା। ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ କିଛି ବକ୍ତବ୍ୟ ଓ ମନ୍ତବ୍ୟ ଭାରତ ପାଇଁ ସ୍ପଷ୍ଟ ଅସନ୍ତୋଷର ସଙ୍କେତ ଦେଇଥିଲା। “ଚିକେନ୍ ନେକ୍” ନେଇ ଆସିଥିବା ପ୍ରକାଶ୍ୟ ଓ ଗୁପ୍ତ ଧମକ, ଏବଂ “ଉତ୍ତର–ପୂର୍ବକୁ ବିଚ୍ଛିନ୍ନ କରିଦେବା” ଭଳି ଉକ୍ତି, ଭାରତର ରଣନୈତିକ ମହଳକୁ ଗଭୀର ଭାବେ ଚିନ୍ତିତ କରିଥିଲା।

ଭୂତଳ ରେଳ: ଏକ ଯାତାୟାତ ପ୍ରକଳ୍ପ ନୁହେଁ, ଏକ ରଣନୀତି
ସେହି ପରିପ୍ରେକ୍ଷୀରେ ଭାରତ ଯେଉଁ ନୂଆ ରେଳ ପ୍ରକଳ୍ପ ଘୋଷଣା କରିଛି, ତାହାକୁ କେବଳ ଉନ୍ନୟନ ଭାବେ ଦେଖିବା ଅଧୂରା ହେବ। ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି ଯେ ବଙ୍ଗଳାରୁ ଉତ୍ତର–ପୂର୍ବ ପର୍ଯ୍ୟନ୍ତ ରଣନୈତିକ “ଚିକେନ୍ ନେକ୍” କରିଡରକୁ ସୁରକ୍ଷିତ କରିବା ପାଇଁ ଏକ ଭୂତଳ (ଅଣ୍ଡରଗ୍ରାଉଣ୍ଡ) ରେଳ ଟ୍ରାକ୍ ନିର୍ମାଣ କରାଯିବ।
ନେପାଳ, ଭୁଟାନ ଓ ବାଂଲାଦେଶ ସୀମାନ୍ତର ପ୍ରାୟ ୪୦ କିଲୋମିଟର ଅଞ୍ଚଳରେ ଏହି ଟ୍ରାକ୍ ବିଛାଯିବ। ଉତ୍ତର–ପୂର୍ବ ସୀମାନ୍ତ ରେଳବାଇର ଜିଏମ୍ ଚେତନ ଶ୍ରୀବାସ୍ତବଙ୍କ ମତାନୁସାରେ, ବଙ୍ଗଳାର ଟିନ୍ମାଇଲ୍ ହାଟରୁ ରଙ୍ଗପାଣି ଷ୍ଟେସନ ପର୍ଯ୍ୟନ୍ତ ଏହି ଭୂତଳ ଅଂଶ ନିର୍ମାଣ କରାଯିବ।
ଏହାର ମୂଳ କାରଣ ସରଳ—ଉପରିଭାଗରେ ଥିବା ଟ୍ରାକ୍ ଯେକୌଣସି ଆକ୍ରମଣ, ସାବୋତାଜ୍ କିମ୍ବା ଡ୍ରୋନ୍ ନିରୀକ୍ଷଣ ପାଇଁ ସହଜ ଲକ୍ଷ୍ୟ। ଭୂତଳ ଟ୍ରାକ୍ ମାଧ୍ୟମରେ ସେହି ଝୁମୁକି ହ୍ରାସ ପାଇବ।

ଚୀନ୍ ଫ୍ୟାକ୍ଟର: ଢାକାରୁ ବେଇଜିଂ ପର୍ଯ୍ୟନ୍ତ
ବାଂଲାଦେଶ ଓ ଚୀନ୍ର ସମ୍ପର୍କ ଦିନକୁ ଦିନ ଗଭୀର ହେଉଛି—ଏହା ଭାରତ ପାଇଁ ସବୁଠାରୁ ବଡ଼ ଚିନ୍ତା। ସମ୍ପ୍ରତି ବାଂଲାଦେଶ ବାୟୁସେନା ଚୀନ୍ ସହଯୋଗରେ ଏକ ଡ୍ରୋନ୍ କାରଖାନା ସ୍ଥାପନ ପାଇଁ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଡ୍ରୋନ୍ଗୁଡ଼ିକୁ କେବଳ ସାମରିକ ଉଦ୍ଦେଶ୍ୟରେ ନୁହେଁ, ଗୁପ୍ତଚର କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ।
ଭାରତ–ବାଂଲାଦେଶ ସୀମାର ୪,୦୦୦ ରୁ ଅଧିକ କ୍ରସିଂ ପଏଣ୍ଟ ଉପରେ ନଜର ରଖିବାର କ୍ଷମତା ଏହି ଡ୍ରୋନ୍ରେ ଥାଇପାରେ। ଏହା ଅନୁପ୍ରବେଶ, ଚୋରାଚାଳାନ ଓ ସାବୋତାଜ୍ ଭଳି ଝୁମୁକିକୁ ବଢ଼ାଇପାରେ। ଏଠାରେ ଭାରତ ପାଇଁ ସନ୍ଦେହ ଦୁଇଗୁଣ—ଡ୍ରୋନ୍ ଢାକାର ହେଉ, କିନ୍ତୁ ଚକ୍ଷୁ ବେଇଜିଂର।
ଡୋକଲାମ ପରେ ଶିକ୍ଷା
୨୦୧୭ର ଡୋକଲାମ ଗତିରୋଧ ସମୟରେ ଭାରତୀୟ ସାମରିକ ଯୋଜନାକାରୀମାନେ ସିଲିଗୁଡି କରିଡରର ଦୁର୍ବଳତାକୁ ଗଭୀର ଭାବେ ଅନୁଭବ କରିଥିଲେ। ସେତେବେଳେ ସ୍ପଷ୍ଟ ହୋଇଥିଲା—ଯଦି ଏହି କରିଡରରେ କିଛି ସମୟ ପାଇଁ ମଧ୍ୟ ଅବରୋଧ ସୃଷ୍ଟି ହୁଏ, ଉତ୍ତର–ପୂର୍ବରେ ସେନା ଯୋଗାଣ, ଲଜିଷ୍ଟିକ୍ସ ଓ ଯୋଗାଯୋଗ ଭୟଙ୍କର ଭାବେ ପ୍ରଭାବିତ ହେବ।
ସେହି ଅନୁଭବ ପରେ ଭାରତ ଏବେ ଏକ ଦୀର୍ଘମ୍ୟାଦୀ ରଣନୀତି ଅନୁସରଣ କରୁଛି—ମାତ୍ର ସଡ଼କ କିମ୍ବା ଉପରିଭାଗ ରେଳ ନୁହେଁ, ବରଂ ଭୂତଳ ଯୋଗାଯୋଗ ମାଧ୍ୟମରେ ସମ୍ପୂର୍ଣ୍ଣ ନେଟୱର୍କକୁ ସୁରକ୍ଷିତ କରିବା।
“ବୃହତ୍ ବାଂଲାଦେଶ” ଧାରଣା: ରାଜନୈତିକ ଉତ୍ତେଜନା
ଶେଖ୍ ହସିନାଙ୍କ ପତନ ପରେ କିଛି ଚରମପନ୍ଥୀ ଗୋଷ୍ଠୀ “ବୃହତ୍ ବାଂଲାଦେଶ” ଭଳି ଧାରଣାକୁ ଆଗକୁ ଆଣିଥିଲେ। ସେମାନଙ୍କ ଦୃଷ୍ଟିରେ, ଉତ୍ତର–ପୂର୍ବ ଭାରତର କିଛି ଅଞ୍ଚଳ ଏହି କଳ୍ପିତ ଭୂଗୋଳର ଅଂଶ। ଏହି ପ୍ରକାର ମନ୍ତବ୍ୟ ରାଜନୈତିକ ଭାବେ ଯେତେ ଅବାସ୍ତବ, ରଣନୈତିକ ଭାବେ ସେତେଇ ଜଣେଇଦେଉଛି—ପଡ଼ୋଶୀ ଦେଶର ଭିତରେ ଭାରତ ବିରୋଧୀ ଚିନ୍ତାଧାରା ସକ୍ରିୟ ହେଉଛି।
ପ୍ରଶ୍ନ ଉଠୁଛି ଚିକେନ୍ ନେକ୍ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ?
ଚିକେନ୍ ନେକ୍ ମାଧ୍ୟମରେ—
• ସମ୍ପୂର୍ଣ୍ଣ ଉତ୍ତର–ପୂର୍ବକୁ ଖାଦ୍ୟ, ଇନ୍ଧନ ଓ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚେ,
• ସେନା ଓ ଅର୍ଧସେନା ବଳର ଚଳାଚଳ ହୁଏ,
• ରେଳ, ସଡ଼କ ଓ ଯୋଗାଯୋଗ ନେଟୱର୍କ ଏଠି ଏକାତ୍ମ ହୁଏ।
ଏହିକାରଣରୁ ଏହାକୁ ଭାରତର “ଲାଇଫ୍ଲାଇନ୍” କୁହାଯାଏ। ଯେକୌଣସି ବାଧା ଏଠାରେ କେବଳ ଭୌଗୋଳିକ ନୁହେଁ, ରାଜନୈତିକ ଓ ସାମରିକ ସଙ୍କଟ ସୃଷ୍ଟି କରିପାରେ।

ବାଂଲାଦେଶ ପାଇଁ ସନ୍ଦେଶ, ଭାରତ ପାଇଁ ସୁରକ୍ଷା
ଭାରତ ଯେଉଁ ଭୂତଳ ରେଳ ପ୍ରକଳ୍ପ ନେଇ ଆଗକୁ ବଢ଼ୁଛି, ତାହା ମାତ୍ର ଏକ ଢାଞ୍ଚାଗତ ବିକାଶ ନୁହେଁ। ଏହା ହେଉଛି ଏକ ରଣନୈତିକ ଘୋଷଣା—ଉତ୍ତର–ପୂର୍ବକୁ ବିଚ୍ଛିନ୍ନ କରିବାର ସ୍ୱପ୍ନ ଦେଖୁଥିବା ଯେକୌଣସି ଶକ୍ତି ପାଇଁ ସ୍ପଷ୍ଟ ସତର୍କବାଣୀ।
ବାଂଲାଦେଶ ଯଦି ଚୀନ୍ ଓ ପାକିସ୍ତାନର କୋଳରେ ନିଜର ଭୌଗୋଳିକ ଓ ରାଜନୈତିକ ସ୍ଥିତିକୁ ବ୍ୟବହାର କରି ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚାହୁଁଛି, ତେବେ ଏହି ନୂଆ ରଣନୀତି ତାକୁ ଚେତାଶୂନ୍ୟ କରିଦେବା ପାଇଁ ପର୍ଯ୍ୟାପ୍ତ। ଭାରତ ଏବେ ଆରମ୍ଭ କରିଦେଇଛି—ନିଜର ସବୁଠାରୁ ଦୁର୍ବଳ ବିନ୍ଦୁକୁ ସବୁଠାରୁ ସୁରକ୍ଷିତ କରିବାର ଯାତ୍ରା।
https://purvapaksa.com/do-you-have-hemoglobin-deficiency-find-out-which-diseases-you-will-fall-victim-to/

