
ଭାସ୍କର ପରିଚ୍ଛା
ଭାରତର ପ୍ରାଚୀନ ମନ୍ଦିର ଏବଂ ଆଧ୍ୟାତ୍ମିକ ଇତିହାସର ସ୍ନାରକଗୁଡ଼ିକ ମଧ୍ୟରେ କାଶୀ ବିଶ୍ଵନାଥଙ୍କ ସ୍ଵତନ୍ତ୍ର ଉଲ୍ଲେଖ ମିଳେ। ଗଙ୍ଗା ନଦୀର ପଶ୍ଚିମ ତଟରେ ଅବସ୍ଥିତ ଭଗବାନ ଶିବଙ୍କୁ ସମର୍ପିତ କାଶୀ ବିଶ୍ଵନାଥ ମନ୍ଦିର ଦେଶର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ମନ୍ଦିରମାନଙ୍କ ଭିତରୁ ଗୋଟିଏ। କେହି କେହି ଏହାକୁ ବନାରସ, ବାରାଣସୀ ଆଉ କିଏ କାଶୀ ନାମରେ ଉଚ୍ଚାରଣ କରିଥାନ୍ତି। ଏଠି ଭଗବାନ ଶିବଙ୍କୁ ବ୍ରହ୍ମାଣ୍ଡର ଭଗବାନ ରୂପରେ ପ୍ରତିଷ୍ଠା କରାଯାଇଛି।
ବନାରସକୁ ବିଶ୍ଵସ୍ତରରେ ସବୁଠାରୁ ପୁରୁଣା ଓ ଜୀବିତ ସହରରୂପେ ଗ୍ରହଣ କରାଯାଏ। ଭବ୍ୟ ମନ୍ଦିର ବ୍ୟତିରେକେ ଦଶାଶ୍ୱମେଧ ଘାଟରେ ହେଉଥିବା ଗଙ୍ଗା ଆଳତୀ ବନାରସର ଅନ୍ୟତମ ଆକର୍ଷଣ। ଏହି ଆଳତୀ ବିଶ୍ଵର ବିଭିନ୍ନ ଭାଗରୁ ଦର୍ଶକ ଓ ପର୍ଯ୍ୟଟମାନଙ୍କୁ ଆକର୍ଷିତ କରିଥାଏ।
ନାମକରଣ ଇତିହାସ

ବାରାଣସୀର ପୁରାତନ ନାମ ଥିଲା କାଶୀ। ଧାର୍ମିକ ଗ୍ରନ୍ଥ ମାନଙ୍କରେ କାଶୀ ନାମକୁ ମହିମାମଣ୍ଡିତ କରାଯାଇଛି। ପ୍ରାୟ ତିନି ହଜାର ବର୍ଷ ଧରି ଏହାକୁ କାଶୀ କୁହା ଯାଇଆସିଛି। କାଶୀ ଶବ୍ଦର ଅର୍ଥ ଚମକିବା। କୁହାଯାଏ ଭଗବାନ ଶିବଙ୍କ ନଗରୀ ହୋଇଥିବା କାରଣରୁ ଏହି ସହର ସବୁବେଳେ ଚମକୁଥାଏ। ପ୍ରାଚୀନ ଗ୍ରନ୍ଥ ଋଗବେଦରେ ମଧ୍ୟ କାଶୀର ଉଲ୍ଲେଖ ମିଳେ।
ବାରାଣସୀର ସବୁଠୁଁ ପ୍ରସିଦ୍ଧ ନାମ ହେଉଛି ବନାରସ। ମୁଗଲ ଓ ପରେ ବ୍ରିଟିଶମାନଙ୍କ ଆଗମନ ଫଳରେ ଏହାର ନାମ ବନାରସ ହିଁ ଥିଲା । ଏପରିକି ପାଲି ଭାଷାରେ ମଧ୍ୟ ଏହାର ନାମ ବନାରସ ହିଁ ରହିଥିଲା। ବନାର ନାମକ ରାଜାଙ୍କ ସହିତ ବନାରସକୁ ଯୋଡ଼ା ହୋଇଛି। ମହମ୍ମଦ ଘୋରୀ ସହିତ ଯୁଦ୍ଧବେଳେ ଏହି ରାଜାଙ୍କ ମୃତ୍ୟୁ ହୋଇଥିଲା। ଏଠାକାର ଦୈନନ୍ଦିନ ଜୀବନର ରଙ୍ଗମୟତାକୁ ଦେଖି ମୋଗଲମାନେ ବନାରସ ନାମ ରଖିଥିବା ମଧ୍ୟ କୁହାଯାଏ ।
ବୌଦ୍ଧ ଜାତକ କଥା ଓ ହିନ୍ଦୁ ପୁରାଣମାନଙ୍କରେ ବାରାଣସୀର ନାମକରଣ ଇତିହାସ ରହିଛି ବରୁଣା ଓ ଅସୀ ନାମକ ଦୁଇଟି ନଦୀ ଏହି ସହର ଦେଇ ପ୍ରବାହିତ ହେଉଥିବାରୁ ଏହାକୁ ବାରାଣସୀ କୁହାଯିବା ଅନୁମେୟ। ଅବଶ୍ୟ ଆହୁରି ଅନେକ ଛୋଟ ବଡ଼ ନଦୀ ବାରାଣସୀ ଦେଇଯାଇଛନ୍ତି କିନ୍ତୁ ବରୁଣା ଓ ଅସୀ ହିଁ ସହରର ମୂଳାଧାର।
ରାଜ୍ୟ ମିଶ୍ରଣ

ଅଗଷ୍ଟ ୧୫,୧୯୪୮ ପୂର୍ବରୁ ବନାରସର ରାଜା ଥିଲେ ବିଭୂତି ନାରାୟଣ ସିଂହ। ଯେତେବେଳେ ରାଜ୍ୟ ମିଶ୍ରଣ ଆରମ୍ଭ ହେଲା ବନାରସ ବି ଭାରତ ସହିତ ମିଶିଲା। ସ୍ଵାଧୀନତା ପରେ ଯେତେବେଳେ ଉତ୍ତର ପ୍ରଦେଶ ଗଠନ ହେଲା ତେହରି ଗଡ଼ୱାଲ, ରାମପୁର ଓ ବନାରସକୁ ମିଶାଇ ଦିଆଗଲା। ତେବେ ବନାରସର ନାମକରଣର ସୀମା ହିଁ ନାହିଁ। ଭାରତରେ ଏହା ଏକମାତ୍ର ବିରଳ ସହର ଯାହାର ପଚାଶରୁ ବି ଅଧିକ ନାମ ରହିଛି।
କାଶୀ ବିଶ୍ଵନାଥ ମନ୍ଦିର ଭାରତର ଆଧ୍ୟାତ୍ମିକ ଓ ସାଂସାରିକ ମୂଲ୍ୟବୋଧର ପ୍ରତୀକ। ଏଣୁ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଥରେ ନିଶ୍ଚିତ ବନାରସ ବା ବାରାଣସୀ ଯିବା ଦରକାର।
ଦୀପର ସହର

ବନାରସର ଏକ ବଡ଼ ଆକର୍ଷଣ ଦେବତାଙ୍କ ଦୀପାବଳୀ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବ ଦୀପାବଳୀ ପାଳିତ ହୁଏ। ସାଧାରଣ ଲୋକଙ୍କ ଦୀପାବଳୀର ପନ୍ଦର ଦିନ ପରେ ଦେବ ଦୀପାବଳୀ ଉତ୍ସବ ପାଳନ କରାଯାଏ। ଗଙ୍ଗା ନଦୀର କୂଳେ କୂଳେ ରବିଦାସ ଘାଟ ଠାରୁ ଆରମ୍ଭ କରି ସମସ୍ତ ୮୪ ଘାଟ ଆଲୋକିତ ହୋଇ ଉଠେ।
ରାଘବ ଘାଟରୁ ରାଜଘାଟ ଶେଷ ପର୍ଯ୍ୟନ୍ତ ଗଙ୍ଗା ନଦୀ କୂଳରେ ନିର୍ମିତ ରାସ୍ତାରେ ଗଙ୍ଗା ନଦୀକୁ ପୂଜା କରିବା ପାଇଁ ଲକ୍ଷ ଲକ୍ଷ ଦୀପ ପ୍ରଜ୍ୱଳିତ ହୋଇଥାଏ ଏବଂ ମାତା ଗଙ୍ଗାଙ୍କୁ ସମ୍ମାନ ଦିଆଯାଇଥାଏ। ଦେବ ଦୀବାବଳୀ ପରମ୍ପରା ପ୍ରଥମେ ୧୯୮୫ ମସିହାରେ ପଞ୍ଚଗଙ୍ଗା ଘାଟରେ ହଜାର ହଜାର ଦୀପ ଜାଳି ଆରମ୍ଭ କରାଯାଇଥିଲା।
ପ୍ରାଚୀନ ପରମ୍ପରା ଏବଂ ସଂସ୍କୃତିରେ ଆଧୁନିକତାର ପରିଚୟ ଦେଇ କାଶୀ ବିଶ୍ୱସ୍ତରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ବିଗତ ପାଞ୍ଚ ଛଅ ବର୍ଷ ଧରି ଏହି ବିଶ୍ୱ ପ୍ରସିଦ୍ଧ ଘଟଣା ଲୋକମାନଙ୍କୁ ଆକର୍ଷିତ କରିବା ଆରମ୍ଭ କରିଦେଇଛି। ଭଗବାନଙ୍କ ଏହି ପର୍ବରେ କାଶୀର ଲୋକମାନେ ଅଂଶଗ୍ରହଣ କରନ୍ତି। ତା ସହିତ ବନାରସ କୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତ।
ରବିଦାସ ଘାଟ ଠାରୁ ବରୁଣା ନଦୀ କୂଳରେ ଅବସ୍ଥିତ ମନ୍ଦିର, ପ୍ରାସାଦ, କୋଠା, ମଠ ଏବଂ ଆଶ୍ରମ ଅସଂଖ୍ୟ ଦୀପ ଏବଂ ଚାନ୍ଦିର ଆଲୋକରେ ଝଲସି ଉଠିଥାନ୍ତି। ମନେହୁଏ ଯେପରି ସମଗ୍ର ଛାୟାପଥ କାଶୀରେ ଅବତରଣ କରିଛି।
ଧାର୍ମିକ ତଥା ସାଂସ୍କୃତିକ ସହର କାଶୀର ଐତିହାସିକ ଘାଟ ଉପରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯେଉଁ ଦେବ ଦୀପାବଳୀ ପାଳିତ ହୁଏ ତା ପଛରେ ପୌରାଣିକ ଆଖ୍ୟାନ ବି ରହିଛି। ବିଶ୍ୱାସ କରାଯାଏ ଯେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବତାମାନେ ଦୀପାବଳି ପାଳନ କରନ୍ତି ଏବଂ ଏହି ଦିନ ଦେବତାମାନେ କାଶୀରେ ପ୍ରବେଶ କରିଥିଲେ। କିମ୍ବଦନ୍ତୀ କହେ ତ୍ରିପୁରାସୁର ସମସ୍ତ ତିନୋଟି ଜଗତକୁ ଶାସନ କରୁଥିଲା ଓ ତାର ଅତ୍ୟାଚାର ଅସହନୀୟ ହୋଇଉଠିଥିଲା। କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ଶିବ ତ୍ରିପୁରାସୁରକୁ ହତ୍ୟା କରିଥିଲେ ଏବଂ ଦେବ ରାଜ୍ୟର ଲୋକଙ୍କୁ ଅତ୍ୟାଚାରରୁ ମୁକ୍ତ କରିଥିଲେ।
୨୦୨୪ ଦେବ ଦୀପାବଳୀ

ବନାରସରେ ଚଳିତ ବର୍ଷର ଦେବ ଦୀପାବଳୀ ଏକ ଚମତ୍କାର ଅନୁଭୂତି ଥିଲା। ସମସ୍ତ ୮୪ ଘାଟରେ ୨୧ ଲକ୍ଷ ମାଟି ଦୀପ ଜାଳି ଲୋକେ ଏହାକୁ ପାଳନ କରିଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ, ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପାଞ୍ଚ ପାଞ୍ଚଟି ଦୀପ ଜାଳି ମହୋତ୍ସବର ଶୁଭାରମ୍ଭ କରିଥିଲେ। ଉତ୍ତରବାହିନୀ ଗଙ୍ଗାର ଅର୍ଦ୍ଧ ଚନ୍ଦ୍ରାକାର ଘାଟ ଉପରେ ଦୀପଗୁଡ଼ିକର ପ୍ରଜ୍ଜ୍ୱଳନ ଏକ ବିରଳ ଅନୁଭବ ଥିଲା।
ଦଶାଶ୍ୱମେଧ ଘାଟରେ ଆୟୋଜିତ ମହାଆଳତୀରେ ଧର୍ମ ସହିତ ରାଷ୍ଟ୍ରବାଦର ସନ୍ଦେଶ ବି ଦିଆଯାଇଥିଲା। ଦେବ ଦୀପାବଳୀ ଅବସରରେ କାଶୀ ବିଶ୍ଵନାଥ ମନ୍ଦିରରେ ବିଶେଷ ପୂଜା ଅର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଘାଟମାନଙ୍କରେ ଆତସବାଜି ପ୍ରଦର୍ଶନ ବି ଖୁବ୍ ରୋମାଞ୍ଚକ ଥିଲା। ଲକ୍ଷ ଲକ୍ଷ ଲୋକ ଗଙ୍ଗାରେ ବୁଡ଼ ପକାଇବା ମଧ୍ୟ ଦେଖାଯାଇଥିଲା।
ଖାଲି ସେତିକି ନୁହେଁ, ଦେବ ଦୀପାବଳୀ ଉତ୍ସବ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ରେ ଲଗାତାର ଟ୍ରେଣ୍ଡ କରିଥିଲା।#DevDeepawali2024 ଜରିଆରେ ୟୁଜରମାନେ ନିଜ ନିଜ ଅନୁଭବ ପୋଷ୍ଟ କରୁଥିଲେ। କହିବା ବାହୁଲ୍ୟ ଯେ ଦେବ ଦୀପାବଳୀ ଉତ୍ସବ ଏବେ ବିଶ୍ଵର ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି। ମୋଦୀ- ଯୋଗୀ ସରକାର କାଶୀର ଦେବ ଦୀପାବଳୀକୁ ଏବେ ଲୋକାଲରୁ ଗ୍ଲୋବାଲ କରି ପାରିଛନ୍ତି।
ଦେବ ଦୀପାବଳୀକୁ ଅଧିକ ଲୋକପ୍ରିୟ କରିପାରିଛି ଇନ୍ଷ୍ଟାଗ୍ରାମ। ଇନ୍ଷ୍ଟାଗ୍ରାମରେ ଯେଉଁ ଯୁବକ ଯୁବତୀମାନେ ଅଛନ୍ତି ସେମାନେ ଏହି ଉତ୍ସବକୁ ଏବେ ଏତେ ପରିମାଣରେ ପ୍ରଚାରିତ ଓ ପ୍ରସାରିତ କରିଛନ୍ତି ଯେ ଦେବ ଦୀପାବଳୀ ଆଉ ପଛକୁ ଫେରି ଚାହିଁବାର ଅବକାଶ ରଖୁନାହିଁ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର। ସେ ଓଡ଼ିଶା ଅନେକ ଖବର କାଗଜରେ କାମ କରିଛନ୍ତି। ଉଭୟ ଇଂରାଜୀ ଓ ଓଡ଼ିଆରେ ଅନେକ ପୁସ୍ତକ ରଚନା କରିଛନ୍ତି।)

