- କେନ-ବେତଓ୍ୱା ନଦୀ ସଂଯୋଗୀକରଣର ଶୁଭାରମ୍ଭ
- ୧୧୫୩ଟି ଅଟଳ ଗ୍ରାମ ସୁଶାସନ ସଦନର ଶିଳାନ୍ୟାସ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଖଜୁରାହୋଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଓ ସମଗ୍ର ବିଶ୍ୱର ଖ୍ରୀଷ୍ଟିଆନମାନଙ୍କୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ନେତୃତ୍ୱାଧୀନ ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସେ ମଧ୍ୟପ୍ରଦେଶର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଗତ ବର୍ଷକ ମଧ୍ୟରେ ନୂଆ ନୂଆ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସହ ବିକାଶମୂଳକ କାର୍ଯ୍ୟ ତ୍ୱାରାନ୍ୱିତ ହୋଇଛି । ଆଜି ଐତିହାସିକ କେନ-ବେତଓ୍ୱା ନଦୀ ସଂଯୋଗୀକରଣ ପ୍ରକଳ୍ପ, ଦୌଧନ ଡ୍ୟାମ ଓ ମଧ୍ୟପ୍ରଦେଶର ପ୍ରଥମ ଭାସମାନ ସୌର ପ୍ରକଳ୍ପ ଓମକାରେଶ୍ୱର ଭାସମାନ ସୌର ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ।
ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଯୋଗୁଁ ଆଜିର ଦିନକୁ ଏକ ସ୍ମରଣୀୟ ଦିନ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଦିନଟି ହେଉଛି ସୁଶାସନ ଓ ଉତ୍ତମ ସେବା ପ୍ରଦାନର ଉତ୍ସବ ଯାହାକି ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ବାଜପେୟୀଙ୍କ ସ୍ମୃତିରେ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରିବା ଅବସରରେ ତାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାଜପେୟୀ ବିଗତବର୍ଷମାନଙ୍କରେ ତାଙ୍କପରି ଅନେକ ସାଧାରଣ କର୍ମୀମାନଙ୍କୁ ଗଢିଥିଲେ । ଦେଶର ବିକାଶ ଦିଗରେ ଅଟଳଜୀଙ୍କ ସେବା ଆମ ସ୍ମୃତିରେ ସର୍ବଦା ଅବିସ୍ମରଣୀୟ ରହିବ। ଆଜିଠାରୁ ୧୧୦୦ରୁ ଅଧିକ ଅଟଳ ଗ୍ରାମ ସୁଶାସନ ସଦନର କାମ ଚାଲିବ ଏବଂ ଏଥିପାଇଁ ପ୍ରଥମ କିସ୍ତି ଜାରି କରାଯାଇଛି। ଅଟଳ ଗ୍ରାମ ସେବା ସଦନ ଗ୍ରାମର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ସେ ମନ୍ତବ୍ୟ ଦେଇଥିଲେ।
ସୁଶାସନ ଏକ ଗୋଟିଏ ଦିନକ ବ୍ୟାପାର ନୁହେଁ ସୁଶାସନ ଆମ ସରକାରର ପରିଚୟ ରହିଆସିଛି । କେନ୍ଦ୍ରରେ କ୍ରମାଗତ ୩ୟ ଥର ପାଇଁ ଓ ମଧ୍ୟପ୍ରଦେଶର କ୍ରମାଗତଭାବେ ସେବା କରିବାର ସୁଯୋଗ ଦେଇଥିବାରୁ ସେ ଲୋକମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଏହା ପଛରେ ସବୁଠାରୁ ବଡ଼ କାରଣ ଥିଲା ସୁଶାସନ। ସୁଶାସନର ଅର୍ଥ ହେଉଛି ନାଗରିକମାନଙ୍କୁ ସରକାରଙ୍କ ନିକଟରେ ନିଜର ଅଧିକାର ମାଗିବାକୁ ପଡିବ ନାହିଁ କିମ୍ବା ସରକାରୀ ଅଫିସକୁ ଦୌଡ଼ିବାକୁ ପଡିବ ନାହିଁ । ତାଙ୍କ ନୀତି ହେଉଛି ଶତ ପ୍ରତିଶତ ହିତାଧିକାରୀଙ୍କ ନିକଟକୁ ଶତ ପ୍ରତିଶତ ଲାଭ ପହଞ୍ଚାଇବା, ଯାହାକି ତା୍ଙ୍କ ସରକାରକୁ ଅନ୍ୟମାନଙ୍କଠାରୁ ଅଲଗା କରୁଛି । ସମଗ୍ର ଦେଶ ଏହା ଦେଖୁଛି, ଏଥିପାଇଁ ଦେଶବାସୀ ତାଙ୍କୁ କ୍ରମାଗତଭାବେ ସେବା କରିବାର ସୁଯୋଗ ଦେଉଛନ୍ତି ବୋଲି ସେ କହିଥିଲେ ।
ବାଜପେୟୀଙ୍କ ସରକାର ଜଳ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବା ପାଇଁ ଗମ୍ଭୀରତାର ସହ କାର୍ଯ୍ୟ କରିବା ଆରମ୍ଭ କରିଥିଲେ, କିନ୍ତୁ ୨୦୦୪ ପରେ ସେଗୁଡ଼ିକୁ ପଛକୁ ଠେଲିଦିଆଯାଇଥିଲା । ସେ ଗୁରୁତ୍ୱାରୋପ କରିଥିଲେ ଯେ ତାଙ୍କ ସରକାର ବର୍ତ୍ତମାନ ସାରା ଦେଶର ନଦୀଗୁଡ଼ିକୁ ସଂଯୋଗ କରିବା ଅଭିଯାନକୁ ତ୍ୱରାନ୍ୱିତ କରୁଛନ୍ତି । ସେ କହିଛନ୍ତି ଯେ କେନ୍-ବେଟୱା ସଂଯୋଗୀକରଣ ପ୍ରକଳ୍ପ ବାସ୍ତବରୂପ ନେବାକୁ ଯାଉଛି, ଯାହା ବୁନ୍ଦେଲଖଣ୍ଡ ଅଞ୍ଚଳରେ ସମୃଦ୍ଧି ଏବଂ ଖୁସିର ନୂତନ ଦ୍ୱାର ଖୋଲିବ । ନଦୀ ସଂଯୋଗୀକରଣ ପରି ଏକ ବୃହତ ଅଭିଯାନ ଅଧୀନରେ ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ମଧ୍ୟପ୍ରଦେଶ ପ୍ରଥମ ରାଜ୍ୟ ହୋଇଛି ବୋଲ ସେ କହିଛନ୍ତି । ନିକଟରେ ରାଜସ୍ଥାନ ଗସ୍ତ ସମୟରେ ପାର୍ବତୀ-କାଲିସିନ୍ଧ-ଚମ୍ବଲ ଏବଂ କେନ୍-ବେଟଓ୍ଵା ସଂଯୋଗୀକରଣ ପ୍ରକଳ୍ପ ମାଧ୍ୟମରେ ଅନେକ ନଦୀକୁ ସଂଯୋଗ କରିବା ନିଶ୍ଚିତ ହୋଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବୁଝାମଣା ଦ୍ୱାରା ମଧ୍ୟପ୍ରଦେଶ ମଧ୍ୟ ବହୁତ ଉପକୃତ ହେବ ।
ଜଳ ନିରାପତ୍ତା ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଆହ୍ୱାନ। କେବଳ ସେହି ଦେଶ ଏବଂ ଅଞ୍ଚଳ ଗୁଡ଼ିକ ହିଁ ପ୍ରଗତି କରିବେ ଯେଉଁଠାରେ ପର୍ଯ୍ୟାପ୍ତ ଜଳ ରହିଛି ଏବଂ ଜଳ ସମୃଦ୍ଧ କୃଷି ଏବଂ ସମୃଦ୍ଧ ଶିଳ୍ପ ପାଇଁ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ମଧ୍ୟପ୍ରଦେଶରେ ନର୍ମଦା ନଦୀର ଆଶୀର୍ବାଦ ଗୁଜରାଟର ଭାଗ୍ୟ ବଦଳାଇ ଦେଇଛି । ମଧ୍ୟପ୍ରଦେଶର ମରୁଡ଼ି ପ୍ରଭାବିତ ଅଞ୍ଚଳକୁ ଜଳ ସଙ୍କଟରୁ ମୁକ୍ତ କରିବା ତାଙ୍କର ଦାୟିତ୍ୱ ବୋଲି ସେ କହିଥିଲେ। “ଗତ ଦଶନ୍ଧି ଭାରତର ଇତିହାସରେ ଜଳ ସୁରକ୍ଷା ଏବଂ ଜଳ ସଂରକ୍ଷଣର ଏକ ଅଭୂତପୂର୍ବ ଦଶନ୍ଧି ଭାବରେ ସ୍ମରଣୀୟ ହୋଇ ରହିବ। ସମଗ୍ର ଦେଶରେ ୨,୧୦୦ ଜଳ ଗୁଣବତ୍ତା ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଛି ଏବଂ ୨୫ ଲକ୍ଷ ମହିଳାଙ୍କୁ ଗ୍ରାମରେ ପାନୀୟ ଜଳ ପରୀକ୍ଷା ପାଇଁ ତାଲିମ ଦିଆଯାଇଛି । ଏହି ପଦକ୍ଷେପ ହଜାର ହଜାର ଗ୍ରାମକୁ ଦୂଷିତ ପାଣି ପିଇବାର ବାଧ୍ୟବାଧକତାରୁ ମୁକ୍ତ କରିବା ସହ ଶିଶୁ ଓ ଲୋକମାନଙ୍କୁ ରୋଗ ଦାଉରୁ ରକ୍ଷା କରିଛି ବୋଲି ସେ କହିଥିଲେ।
ସମଗ୍ର ଦେଶରେ ୬୦,୦୦୦ରୁ ଅଧିକ ଅମୃତ ସରୋବର ସୃଷ୍ଟି ହୋଇଛି । ଜଳଶକ୍ତି ଅଭିଯାନ ଏବଂ କ୍ୟାଚ୍ ଦି ରେନ୍ ଅଭିଯାନର ଶୁଭାରମ୍ଭ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ଯାହା ଅଧୀନରେ ସମଗ୍ର ଦେଶରେ ୩ ଲକ୍ଷରୁ ଅଧିକ ରିଚାର୍ଜ କୂପ ନିର୍ମାଣ କରାଯାଉଛି । ମଧ୍ୟପ୍ରଦେଶ ସମେତ ଭୂତଳ ଜଳସ୍ତର ସର୍ବନିମ୍ନ ଥିବା ରାଜ୍ୟରେ ଅଟଳ ଭୂଜଳ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ । ଗତ ଦୁଇ ଦଶନ୍ଧି ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଥିବାରୁ ମଧ୍ୟପ୍ରଦେଶକୁ ପ୍ରଶଂସା କରି ମୋଦି କହିଥିଲେ ଯେ ଆଗାମୀ ଦଶନ୍ଧିରେ ମଧ୍ୟପ୍ରଦେଶ ଦେଶର ଶୀର୍ଷ ଅର୍ଥନୀତି ମଧ୍ୟରୁ ଅନ୍ୟତମ ହେବ, ଯେଉଁଥିରେ ବୁନ୍ଦେଲଖଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
previous article:https://purvapaksa.com/farmers-produce-to-reach-global-markets/
