Asaduddin Owaisi on Waqf Bill: ଲୋକସଭାରେ ନିଜ ଅଭିଭାଷଣରେ ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ସେ ଏହି ସରକାରଙ୍କୁ ଚେତାବନୀ ଦେଉଛନ୍ତି- ଯଦି ଆପଣ ୱାକଫ୍ ବିଲ୍କୁ ସଂସଦକୁ ବର୍ତ୍ତମାନର ରୂପରେ ଆଣନ୍ତି ଏବଂ ଏହାକୁ ଆଇନରେ ପରିଣତ କରନ୍ତି, ତେବେ ଏହା ଦେଶରେ ସାମାଜିକ ଅସ୍ଥିରତା ସୃଷ୍ଟି କରିବ। ଏହାକୁ ସମଗ୍ର ମୁସଲମାନ ସମ୍ପ୍ରଦାୟ ପ୍ରତ୍ୟାଖ୍ୟାନ କରିଛନ୍ତି।
ନିଜ ଗରମାଗରମ ବୟାନ ପାଇଁ ଜଣାଶୁଣ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ କେନ୍ଦ୍ର ସରକାରଙ୍କୁ ଚେତାନବୀନ ଦେଇଛନ୍ତି। ମୁସଲମାନ ଇଞ୍ଚେ ମଧ୍ୟ ୱାକଫ୍ ଜମି ଛାଡ଼ିବେ ନାହିଁ ବୋଲି ସେ କହିଛନ୍ତି। ୱାକଫ୍ ବିଲକୁ ନେଇ ଆସିଛି ଓୱେସିଙ୍କ ଏହି ବୟାନ। ୱାକଫ୍ ବିଲ୍ ଗୃହିତ ହେଲେ ଏହା ଦେଶରେ ସାମାଜିକ ଅସ୍ଥିରତା ସୃଷ୍ଟି କରିବ ବୋଲି ଚେତାବନୀ ଦେଇଛନ୍ତି ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ। ଲୋକସଭାରେ ଜେପିସି ବୈଠକ ଅବସରରେ ୱାକଫ୍ ବିଲ୍କୁ ବିରୋଧ କରି ଏହା କହିଛନ୍ତି ଓୱେସି।
ଓୱେସୀ କହିଛନ୍ତି, ଏହି ବିଲ୍କୁ ସାରା ମୁସଲିମ ସମୁଦାୟ ଖାରଜ କରିଦେଇଛି। ବିଲ୍ର ବର୍ତ୍ତମାନର ଡ୍ରାଫ୍ଟକୁ ନେଇ ଯଦି ଆଇନ ତିଆରି ହୁଏ, ତେବେ ତାହା ଧାରା ୨୫, ୨୬ ଓ ୧୪ର ଉଲ୍ଲଂଘନ କରିବ। ଆମେ ୱାକଫ୍ ସମ୍ପତ୍ତି ଛାଡ଼ି ପାରିବୁ ନାହିଁ। କିଛି ବି ଛଡ଼ାଯିବ ନାହିଁ। ଓୱେସୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଏହି ବିଲ୍ ଦେଶର ପ୍ରଗତିରେ ବାଧା ସୃଷ୍ଟି କରିବ। ଆପଣ ବିକଶିତ ଭାରତ ଚାହୁଁଛନ୍ତି, ଆମେ ମଧ୍ୟ ତାହା ଚାହୁଁ। ଆପଣ ଦେଶକୁ ୮୦ ଓ ୯୦ ଦଶକକୁ ଫେରାଇ ନେବାକୁ ଚାହୁଁଛନ୍ତି। ଯଦି ଏପରି କିଛି ହୁଏ, ସେଥିପାଇଁ ଦାୟୀ ଆପଣ ରହିବେ। କାରଣ ଜଣେ ଗୌରବାନ୍ୱିତ ଭାରତୀୟ ମୁସଲମାନଭାବେ ମୁଁ ନିଜର ମସଜିଦର ଏକ ଇଞ୍ଚ ହାତଛଡ଼ା କରିବି ନାହିଁ। ମୁଁ ନିଜର ଦରଗାହର ଏକ ଇଞ୍ଚ ମଧ୍ୟ ଛାଡ଼ିବି ନାହିଁ। ମୁଁ ଏଥିପାଇଁ ଅନୁମତି ଦେବି ନାହିଁ। ଆମେ ଏଠାକୁ ଆସି କୂଟନୀତିକ ଆଲୋଚନା କରିବୁ ନାହିଁ। ମୋ ସମୁଦାୟର ଲୋକମାନେ ଗୌରବାନ୍ୱିତ ଭାରତୀୟ ଅଟନ୍ତି, ମୁଁ ସଦନକୁ ଆସି ଛିଡ଼ା ହୋଇ ଦାୟିତ୍ୱବାନଭାବେ କହିବି। ଏହା ଆମ ସମ୍ପତ୍ତି, ଏହା ଆମକୁ କେହି ଦେଇ ନାହାନ୍ତି। ଆପଣ ଏହାକୁ ଆମଠାରୁ ଛଡ଼ାଇ ନେଇ ପାରିବେ ନାହିଁ। ୱାକଫ୍ ଆମର ପୂଜାପାଠର ଏକ ସ୍ୱରୂପ ଅଟେ।
ଏହା ପୂର୍ବରୁ ଜେପିସି ପକ୍ଷରୁ ୱାକଫ୍ ସଂଶୋଧନ ବିଲ୍କୁ ମଞ୍ଜୁରୀ ଦିଆଯାଇଥିଲା। ଭାଜପା ନେତୃତ୍ୱାଧୀନ ଏନଡିଏର ସଦସ୍ୟଙ୍କ ଦ୍ୱାରା ପ୍ରସ୍ତାବିତ ସମସ୍ତ ୧୪ଟି ସଂଶୋଧନକୁ ସେଥିରେ ସାମିଲ କରାଯାଇଥିଲା। ୱାକଫ୍ ବିଲର ଡ୍ରାଫ୍ଟରେ ସମସ୍ତ ୧୪ଟି ସଂଶୋଧନକୁ ବହୁମତରେ ଗ୍ରହଣ କରାଯାଇଥିବା ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ କହିଥିଲେ। ୧୬ ଜଣ ସଦସ୍ୟ ସଂଶୋଧନକୁ ସମର୍ଥନ କରିଥିବାବେଳେ ୧୦ ଜଣ ବିରୋଧ କରିଥିଲେ। ୱାକଫ୍ ବୋର୍ଡର ସ୍ୱାଧିନତାକୁ ଦୁର୍ବଳ କରିବା ଓ ମୁସଲିମ ସମୁଦାୟଙ୍କ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରିବାକୁ ବିଲର ଉପଯୋଗ କରାଯାଉଥିବା ନେଇ ବିରୋଧୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା।
Also readhttps://purvapaksa.com/indian-singles-now-choosing-concerts-over-coffee-dates/
ଭାରତରେ ଏବେ ଯୁବକମାନେ କଫି ପରିବର୍ତ୍ତେ କନସର୍ଟ ଡେଟ୍ କୁ ଯିବାକୁ କାହିଁକି ପସନ୍ଦ କରୁଛନ୍ତି?
