କେନ୍ଦ୍ରାପଡ଼ା— ଯାହାକୁ ଦିନେ ବିଜୁ ପଟ୍ଟନାୟକଙ୍କ ‘କର୍ମଭୂମି’ ଓ ବିଜେଡିର ‘ଅପରାଜେୟ ଦୁର୍ଗ’ କୁହାଯାଉଥିଲା, ସେଠାରେ ଏବେ ଦଳ ନିଜ ଅସ୍ତିତ୍ୱ ଓ ଅନ୍ତର୍ଦ୍ୱନ୍ଦ୍ୱ ସହ ଲଢ଼ୁଛି । ନିର୍ବାଚନରେ ପରାଜୟ ପରେ ଦଳଗୁଡ଼ିକ ଦୁଇଟି ପଥ ଧରନ୍ତି—ଏକ ଆତ୍ମସମୀକ୍ଷା ଅନ୍ୟଟି ଦୋଷ ଖୋଜା । ବିଜୁ ଜନତା ଦଳ ଗତ ୨୦୨୪ ନିର୍ବାଚନ ପରେ ଦ୍ୱିତୀୟ ପଥଟିକୁ ବେଶି ପସନ୍ଦ କରିଛି । କେନ୍ଦ୍ରାପଡ଼ା ଲୋକସଭା ଆସନରେ ଭାରି ମାର୍ଜିନରେ ପରାଜୟ ପରେ ଦଳ ଭିତରେ ଯେଉଁ ଦୋଷାରୋପଣର ଖେଳ ଆରମ୍ଭ ହୋଇଥିଲା, ତାହାର କେନ୍ଦ୍ରବିନ୍ଦୁକୁ ଅଣାଟାଇଛି—ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ।

“ବିଶ୍ୱାସଘାତ”, “ଦଳବିରୋଧୀ କାର୍ଯ୍ୟ”, “ଭୋଟ୍ କଟାଇବା”—ଏଭଳି ଶବ୍ଦରେ ତାଙ୍କୁ ଚିହ୍ନଟ କରାଗଲା।
କିନ୍ତୁ ଗୁରୁବାର ଭୁବନେଶ୍ୱରରେ ଅରବିନ୍ଦ ମହାପାତ୍ର ଯେଉଁ ପ୍ରେସ୍ମିଟ୍ କଲେ, ସେଥିରେ ସେ କେବଳ ନିଜକୁ ବଞ୍ଚାଇଲେ ତାହା ନୁହେଁ— ଦଳର ଭିତରୁ ଦୋଷ ଲୁଚାଇବା ରାଜନୀତିକୁ ପଦାରେ ପକାଇଛନ୍ତି । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଶ୍ୱାସଘାତକତାର ଆଖ୍ୟା ଦେଇ ଦଳରୁ ବାହାର କରିଦେବା ପରେ, ସେ ଯେଉଁ ଢଙ୍ଗରେ ପରିସଂଖ୍ୟାନର ଆଇନା ଦେଖାଇଛନ୍ତି, ତାହା ଏବେ ବିଜେଡି ଶିବିରରେ ହଲଚଲ ସୃଷ୍ଟି କରିଛି। ବିଶେଷକରି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଗଡ଼ରେ ସାଂସଦ ପ୍ରାର୍ଥୀଙ୍କ ଶୋଚନୀୟ ପ୍ରଦର୍ଶନକୁ ନେଇ ଅରବିନ୍ଦ ଉଠାଇଥିବା ପ୍ରଶ୍ନ ଏବେ ‘ଶଙ୍ଖ ଭବନ’ ପାଇଁ ଏକ ଅଡ଼ୁଆ ସୂତା ପାଲଟିଛି।
ତଥ୍ୟର ତର୍ଜମା: କାହାର କଟିଲା ଭୋଟ୍?
ଅରବିନ୍ଦ ମହାପାତ୍ରଙ୍କ ଯୁକ୍ତି ହେଉଛି— ଯଦି ସେ ଜଣେ ବିଶ୍ୱାସଘାତକ, ତେବେ କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରୁ ୬ଟିରେ ଦଳ କାହିଁକି ପଛରେ ରହିଲା ? ଅରବିନ୍ଦ ଖୁବ୍ ଚତୁରତାର ସହ ମହାକାଳପଡ଼ାର ଡାଟା ଉପସ୍ଥାପନ କରିଛନ୍ତି । ୨୦୨୪ ନିର୍ବାଚନରେ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କର ସବୁଠାରୁ ଅଧିକ ଭୋଟ୍ କେଉଁଠି କମିଛି, ତାହାର ଉତ୍ତର ହେଉଛି ‘ମହାକାଳପଡ଼ା’। ଅରବିନ୍ଦ ମହାପାତ୍ରଙ୍କ ଯୁକ୍ତିର ସବୁଠୁ ଶକ୍ତିଶାଳୀ ଅଂଶ ହେଉଛି— ମହାକାଳପଡ଼ା। କାରଣ ଏହା ହେଉଛି ବିଜେଡି ସାଂସଦ ପ୍ରାର୍ଥୀଙ୍କ ପାଇଁ ସବୁଠୁ ବଡ଼ ଭୋଟ୍ ଲସ୍ ଅଞ୍ଚଳ ଏବଂ ଏହି ମହାକାଳପଡ଼ାରୁ—
• ବିଜେଡିର ପ୍ରାର୍ଥୀ ଥିଲେ ଅତନୁ ସବ୍ୟସାଚୀ ନାୟକ
• ସେ ୩୩,୫୨୬ ଭୋଟ୍ରେ ପରାସ୍ତ ହେଲେ
ଏଠାରେ ଅରବିନ୍ଦ ନାଁ ନ ନେଇ ପ୍ରଶ୍ନ କଲେ— “ତା’ହେଲେ ଦଳ ବିରୋଧୀ କାର୍ଯ୍ୟ କିଏ କରିଥିଲା?”
ଏହା କେବଳ ଅତନୁଙ୍କୁ ନୁହେଁ, ବରଂ ବିଜେଡିର ଦୋଷ ଚୟନ ରାଜନୀତିକୁ ଏକ ଆଇନା।
ଅତନୁ ସବ୍ୟସାଚୀ: ପରାଜୟ ପରେ ନିରବତା
ରାଜନୀତିରେ ପରାଜୟ ପରେ ଦୁଇ ପ୍ରକାର ନେତା ଥାଆନ୍ତି—
• ଯେଉଁମାନେ ଦାୟିତ୍ୱ ନେଇଥାଆନ୍ତି
• ଯେଉଁମାନେ ଦୋଷ ଅନ୍ୟ ଉପରେ ଲଦନ୍ତି
ଅତନୁ ସବ୍ୟସାଚୀ ନାୟକଙ୍କ ପରାଜୟ—
• ବିଧାନସଭାରେ
• ଏବଂ ସେହି ଅଞ୍ଚଳରେ ସାଂସଦ ପ୍ରାର୍ଥୀଙ୍କ ଭାରି ଭୋଟ୍ କମିବା
ଏହା କ’ଣ କେବଳ “ଅନ୍ୟ ଜଣଙ୍କ ଷଡ଼ଯନ୍ତ୍ର”? ନା ଏହା ନିଜ ଅଞ୍ଚଳରେ ସଂଗଠନ ଧ୍ୱଂସ ହୋଇଯିବାର ପରିଣାମ?
ଅରବିନ୍ଦ–ଅଂଶୁମାନ ସମ୍ପର୍କ: ଏକ ଅଦେଖା ସତ୍ୟ

ଅରବିନ୍ଦ ମହାପାତ୍ର ଯେଉଁ ତଥ୍ୟ ରଖିଲେ, ସେଥିରେ ରାଜନୀତିଠାରୁ ବେଶି ମାନବୀୟ ସମ୍ପର୍କ ଥିଲା।
• ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ପିଲାବେଳୁ ଅରବିନ୍ଦ ମହାପାତ୍ରଙ୍କ ସାଙ୍ଗ
• ସ୍କୁଲ, କଲେଜ, ଇଞ୍ଜିନିୟରିଂ ପାଠପଢ଼ା ଏକାଠି
• ଚାକିରି ଜୀବନ ଏକାଠି
• ପରିବାରିକ ସମ୍ପର୍କ ଏବେ ବି ରହିଛି
ଅରବିନ୍ଦଙ୍କ କହିବା କଥା, ଯିଏ ନିଜ ସାଙ୍ଗ ପାଇଁ ପ୍ରଚାର କରୁଥିଲା, ସେ କିଭଳି ତାଙ୍କ ବିରୋଧରେ କାମ କରିବ? ଏହି ଭାବପ୍ରବଣ ଯୁକ୍ତି କେନ୍ଦ୍ରାପଡ଼ାବାସୀଙ୍କ ମନକୁ ଛୁଇଁବା ସ୍ୱାଭାବିକ। ଏହା ସହିତ ଅରବିନ୍ଦ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ସୋଶାଲ ମିଡିଆରେ ଯେଉଁ ‘ମିଡ୍-ଡେ ଅପରେସନ’ କଥା କୁହାଯାଉଛି, ତାହା କେବଳ ତାଙ୍କୁ ରାଜନୈତିକ ଭାବେ ହତ୍ୟା କରିବା ପାଇଁ ଏକ ପ୍ରାୟୋଜିତ କାହାଣୀ।
ଅଂଶୁମାନଙ୍କ ପରାଜୟ: ଏକ ଦଳୀୟ ବିଫଳତା

ତଥ୍ୟ ସ୍ପଷ୍ଟ—
• ଅଂଶୁମାନ ମହାନ୍ତି ୬୬,୫୩୬ ଭୋଟ୍ରେ ପରାସ୍ତ
• ମୋଟ ଭୋଟ୍: ୫,୪୯,୧୬୯ ଭୋଟ ପାଇଥିଲେ
ଏଭଳି ବଡ଼ ମାର୍ଜିନରେ ବିଜେଡି ସାଂସଦ ପ୍ରାର୍ଥୀଙ୍କର ପରାଜୟ—
• ଗୋଟିଏ ବିଧାୟକର ଦୋଷ କି?
• ନା ଦଳୀୟ ସଂଗଠନ ଭାଙ୍ଗିଯିବାର ପରିଣାମ?
• ନା ନେତୃତ୍ୱର ଭୁଲ ରଣନୀତି?
ପାଟକୁରା ବନାମ ମହାକାଳପଡ଼ା: ଏକ ତୁଳନାତ୍ମକ ଚିତ୍ର
ଅରବିନ୍ଦ ନିଜ ସଫେଇରେ କହିଛନ୍ତି ଯେ ସେ ନୂଆ କରି ରାଜନୀତିକୁ ଆସିଥିଲେ। ପାଟକୁରାରେ ସେ ବିଜୟୀ ହୋଇଥିଲେ ମଧ୍ୟ ସାଂସଦ ପ୍ରାର୍ଥୀ ପଛୁଆ ରହିଲେ। କିନ୍ତୁ କେବଳ ପାଟକୁରା ନୁହେଁ, ମାହାଙ୍ଗା, ସାଲେପୁର, କେନ୍ଦ୍ରାପଡ଼ା ଓ ଆଳି ଭଳି ଅଞ୍ଚଳରେ ମଧ୍ୟ ବିଜେପିର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଲିଡ୍ କରିଥିଲେ। ଏପରି ସ୍ଥିତିରେ କେବଳ ଅରବିନ୍ଦଙ୍କୁ ବଳି ପକାଇବା ପଛରେ କୌଣସି ବଡ଼ ‘ଷଡ଼ଯନ୍ତ୍ର’ ଥିବା ସ୍ପଷ୍ଟ ଜଣାପଡ଼ୁଛି।
ବିଜେଡି ପାଇଁ ବଡ଼ ପ୍ରଶ୍ନ: କିଏ ପ୍ରକୃତ ଶତ୍ରୁ?
ବିଜେଡି ଏବେ ଏକ ଆତ୍ମଘାତୀ ମୋଡ଼ରେ ଛିଡ଼ା ହୋଇଛି। ଗୋଟିଏ ପଟେ ଦଳ ଅରବିନ୍ଦଙ୍କ ଭଳି ଯୁବ ଓ ଶିକ୍ଷିତ ଚେହେରାଙ୍କୁ ହରାଉଛି, ଅନ୍ୟପଟେ ପୁରୁଖା ନେତାଙ୍କ ମଧ୍ୟରେ ଥିବା କଳି ଦଳକୁ ଦୁର୍ବଳ କରୁଛି।
• ଯଦି ଅରବିନ୍ଦ ଦୋଷୀ, ତେବେ ବାକି ୬ଟି ବିଧାନସଭା କ୍ଷେତ୍ରର ନେତାମାନେ ନିର୍ଦ୍ଦୋଷ କି?
• ମହାକାଳପଡ଼ାରେ ବିଜେଡି ଲୋକସଭା ପ୍ରାର୍ଥୀ ୪୦ ହଜାର ଭୋଟ୍ କମିବା ପାଇଁ ଦାୟୀ କିଏ?
• କେନ୍ଦ୍ରାପଡ଼ାରେ ବିଜେଡିର ଏହି ବିପର୍ଯ୍ୟୟ ପାଇଁ କ’ଣ କେବଳ ଜଣେ ବିଧାୟକ ଦାୟୀ, ନା ପୂରା ରଣନୀତି ହିଁ ଭୁଲ୍ ଥିଲା?
ଅରବିନ୍ଦ ମହାପାତ୍ରଙ୍କ ଏହି ‘ରିପୋର୍ଟ କାର୍ଡ’ ବିଜେଡି ସୁପ୍ରିମୋଙ୍କ ପାଖକୁ ଏକ ସ୍ପଷ୍ଟ ବାର୍ତ୍ତା ପଠାଇଛି— “ଦୋଷୀ ଖୋଜିବାବେଳେ ନିଜ ପାଖରେ ବସିଥିବା ଲୋକଙ୍କୁ ମଧ୍ୟ ଦେଖନ୍ତୁ।” କେନ୍ଦ୍ରାପଡ଼ା ରାଜନୀତିରେ ଏବେ ‘ତାମିଲ ବନାମ ଓଡ଼ିଆ’ ଏବଂ ‘ପୁରୁଖା ବନାମ ନୂଆ’ ମଧ୍ୟରେ ଯେଉଁ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି, ତାହା ଆଗାମୀ ଦିନରେ ବିଜେଡି ପାଇଁ ବଡ଼ ବିପତ୍ତି ଆଣିପାରେ। ଅରବିନ୍ଦଙ୍କ ଆଇନା ଦେଖା ପରେ ଏବେ ବଲ୍ ଅତନୁ ସବ୍ୟସାଚୀ ଓ ଦଳୀୟ ହାଇକମାଣ୍ଡଙ୍କ କୋର୍ଟରେ।
also read https://purvapaksa.com/liku-bobby-pac-and-naveens-smile/
“Liku, Bobby, PAC and Naveen’s smile” ।। ଲିକୁ, ବବି, ପିଏସି ଓ ନବୀନଙ୍କ ହସ


