୨୦୨୪ ନିର୍ବାଚନରେ ବହୁମତ ପାଇ ଅପ୍ରତ୍ୟାସିତଭାବେ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟି ଭିତରେ ଦିନକୁ ଦିନ ନୂଆ କ୍ଷମତା କେନ୍ଦ୍ର ସୃଷ୍ଟି ହେବାରେ ଲାଗିଛି। ବର୍ଷକ ଭିତରେ ଅନେକ ପୁରଣା କ୍ଷମତା କେନ୍ଦ୍ର ବିଜେପିର କେନ୍ଦ୍ରୀୟ ନେତା ଓ ଆରଏସଏସ ଚାପରେ ଚେପା ହୋଇଯାଇଥିବାବେଳେ ନୂତନ ଭାବରେ ଆବିର୍ଭାବ ହୋଇଛି ଆଉ ଏକ କ୍ଷମତା କେନ୍ଦ୍ର। ଏହି କ୍ଷମତା କେନ୍ଦ୍ରଟି ନିଜ ଦାୟିତ୍ୱ ନିର୍ବାହ କରିବାରେ ବାରମ୍ବାର ବିଫଳ ହେବାରେ ଲାଗିଛି। ନିଜର ବିଫଳତାକୁ ସ୍ୱୀକାର କରି ଦାୟିତ୍ୱ ହସ୍ତାନ୍ତର କରିବା ପରିବର୍ତ୍ତେ କ୍ଷମତା ଜାବୁଡ଼ି ଧରିଛି। ଯାହାଫଳରେ ରାଜ୍ୟ ବିଜେପି ସଂଗଠନ ଓ ସରକାର ଅକଳରେ ପଡ଼ିଛନ୍ତି। ଏହି କ୍ଷମତା କେନ୍ଦ୍ରକୁ ମନାଇବା ପାଇଁ ରାଜ୍ୟପାଳଙ୍କଠାରୁ ଆରମ୍ଭ କରି ଦଳର କ୍ଷେତ୍ରୀୟ ପ୍ରଭାରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନାକେଦମ ହେବାକୁ ପଡ଼ିଲାଣି।
ରାଜ୍ୟରେ ପ୍ରଥମ କରି ବିଜେପି ସରକାର ଗଠନ ହେବା ପରେ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ସୁପୁତ୍ର ପୃଥ୍ୱୀରାଜ ହରିଚନ୍ଦନ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ ମଧ୍ୟ ବାପାଙ୍କ ପ୍ରଭାବରୁ ତିନିତିନିଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଛନ୍ତି। ସେହି ବିଭାଗଗୁଡ଼ିକ ହେଉଛି- ଅବକାରୀ, ଆଇନ ଓ ପୂର୍ତ୍ତ ବିଭାଗ। ମନ୍ତ୍ରୀ ହେବାପରେ ପୃଥ୍ୱୀରାଜ ହରିଚନ୍ଦନ ନିଜ ବିଫଳ କାହାଣୀ ପ୍ରଥମରୁ ଲେଖିବା ଆରମ୍ଭ କରିଛନ୍ତି। ମନ୍ତ୍ରୀ ହେଉ ହେଉ ପ୍ରଥମ ରଥଯାତ୍ରା ପରିଚାଳନାରେ ନିଜର ପ୍ରଥମ ବିଫଳତା ପାଇଥିଲେ। ଆଡ଼ପ ପହଣ୍ଡିବେଳେ ବଡ଼ ଠାକୁର ବଳଭଦ୍ର ଖସିପଡ଼ିବା ଘଟଣାରୁ ସେ କିଛି ଶିକ୍ଷାଲାଭ କଲେ ନାହିଁ। ପହଲି ନାଚରୁ ଗୋଡ଼ ଫେରେକା ଭଳି ମନ୍ତ୍ରୀ ହେଉହେଉ ତାଙ୍କ ଅପାରଗପଣିଆ ଆରମ୍ଭ ହୋଇଯାଇଥିଲା।
ଏହାପରଠାରୁ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଦାୟିତ୍ୱ ନେଇଥିବା ଅଧିକାରୀଙ୍କ ହାତରେ ସଖୀ କଣ୍ଢେଇ ହୋଇ ଅନେକ ପ୍ରଳାପ କରିଛନ୍ତି। ଯାହାକି ଦେଢ଼ବର୍ଷ ଭିତରେ ତାହା କାର୍ଯ୍ୟକାରୀ ହୋଇନାହିଁ। ଫଳ ଏଭଳି ହେଲାଯେ ଚଳିତ ବର୍ଷ ଯାତ୍ରା ସମୟରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଦଳାଚକଟାରେ ତିନିଜଣ ଭକ୍ତଙ୍କର ପ୍ରାଣହାନି ହେଲା।
ଏହି ଘଟଣାରେ ରାଜ୍ୟବାସୀ ସ୍ତବ୍ଧ ହେବା ସହିତ ବିଜେପି ସରକାରର ଅପାରଗତାକୁ ପଦାରେ ପକାଇ ଦେଲା। ଚାରିଆଡ଼ୁ ସମାଲୋଚନାର ସୁଅ ଛୁଟିବାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିସର୍ତ୍ତ କ୍ଷମାପ୍ରାର୍ଥନା କରିଥିଲେ। କିନ୍ତୁ କ୍ଷମତା ନିଶାରେ ମତୁଆଲା ଥିବା ଆଇନମନ୍ତ୍ରୀ ଏହି ଘଟଣା ପାଇଁ ସାମାନ୍ୟତମ ଦୁଃଖ ପ୍ରକାଶ କରିବାକୁ ଉଚିତ ମନେ କରିନାହାଁନ୍ତି। ମନ୍ତ୍ରୀଙ୍କ ଏହି ବିଫଳତାକୁ ନେଇ ରାଜ୍ୟ ବିଜେପିରେ ସେହି ସମୟରେ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଥିଲା।
ଗତବର୍ଷ ଅଗଷ୍ଟ ୧୯ ତାରିଖରେ ଚିକିଟିରେ ବିଷାକ୍ତ ମଦ ପିଇ ୫ଜଣ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣା ଉପରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତଦନ୍ତ ଘୋଷଣା କରିଥିଲେ ହେଁ ଏପର୍ଯ୍ୟନ୍ତ ତଦନ୍ତ ଆରମ୍ଭ ହୋଇପାରିନାହିଁ। ଏବେ ସାରାରାଜ୍ୟରେ ବେଆଇନ ମଦ କାରବାର ସହିତ ଡ୍ରଗ୍ସ କାରବାର ମଧ୍ୟ ଚରମସୀମାରେ ପହଞ୍ଚିଛି। କିନ୍ତୁ ଅବକାରୀ ବିଭାଗର ଏହି ବିଫଳତାକୁ ନିଜ ଉପରକୁ ନେବା ପାଇଁ ମନ୍ତ୍ରୀ ନାରାଜ।
ପୂର୍ତ୍ତମନ୍ତ୍ରୀ ହିସାବରେ ତାଙ୍କର ସଫଳତା ଆଖିଦୃଶିଆ ହେଉନାହିଁ। ସାରାରାଜ୍ୟରେ ଏବେ ରାସ୍ତାଘାଟ ଅବସ୍ଥା କଥା କହିଲେ ନ ସରେ।
ରାଜ୍ୟମନ୍ତ୍ରିମଣ୍ଡଳ ବିସ୍ତାର ନେଇ ଗଲା ଦୁଇମାସ ହେଲା ଚର୍ଚ୍ଚା ହେଉଛି। କିନ୍ତୁ ଏହି ବିସ୍ତାର କାମଟି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିକଟରେ ଅଟକି ଯାଇଛି। ସେ ନିଜ ବିଫଳତାକୁ ସ୍ୱୀକାର କରିବେ ନାହିଁ କି କୌଣସି ବିଭାଗକୁ ହାତଛଡ଼ା କରିବେ ନାହିଁ ବୋଲି ଅଡ଼ି ବସିଛନ୍ତି। ଏପରିକି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି।
ଏହି ଘଟଣା ପରଠାରୁ ତାଙ୍କୁ ବୁଝାଇବା ପାଇଁ ପ୍ରଥମେ ଜୁଲାଇ ୨୧ ଜୁଲାଇରେ, ରାଜ୍ୟପାଳ କେ ହରିବାବୁ କମ୍ଭମପତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବା ପରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବାସଭବନକୁ ଯାଇଥିଲେ। ରାଜ୍ୟପାଳଙ୍କ କ୍ଷେତ୍ରରେ ଏହା ଏକ ଅସାଧାରଣ ପଦକ୍ଷେପ ଯାହା ଲୋକଙ୍କ ମନରେ ପ୍ରଶ୍ନ ଉଠାଇଥିଲା। ଏପରିକି ସେ କେନ୍ଦ୍ରୀୟ ନେତାଙ୍କ ବାର୍ତ୍ତା ଦେବାକୁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବାସଭବନକୁ ଯାଇଥିଲେ ବୋଲି ଆଲୋଚନା ହୁଏ।
ମନ୍ତ୍ରୀ ହିଚନ୍ଦନଙ୍କ ସହିତ ରାଜ୍ୟପାଳଙ୍କ ଭେଟଘାଟରୁ କୌଣସି ସୁଫଳ ନ ମିଳିବାରୁ, ଗତ ମଙ୍ଗଳବାର ଦିନ ବିଜେପି ଜାତୀୟ ସାଧାରଣ ସମ୍ପାଦକ ଏବଂ ଓଡ଼ିଶା ପର୍ଯ୍ୟବେକ୍ଷକ ସୁନୀଲ ବଂଶଲ କିଛି ପ୍ରସଙ୍ଗରେ ଆଲୋଚନା ପାଇଁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଘରକୁ ଯାଇଥିଲେ। ଉଭୟ ନେତାଙ୍କ ଭିତରେ ଆଗାମୀ ମନ୍ତ୍ରିମଣ୍ଡଳ ବିସ୍ତାର ଓ ତାଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଛି ବୋଲି ଦଳୀୟ ମହଲରେ ମତପ୍ରକାଶ ପାଇଛି।
ରାଜ୍ୟପାଳ କେ ହରିବାବୁ କମ୍ଭମପତି ଓ ବିଜେପିର ଓଡ଼ିଶା ପର୍ଯ୍ୟବେକ୍ଷକ ସୁନୀଲ ବଂଶଲ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ବୁଝାଇବାରେ ବିଫଳ ହେବାପରେ ଦଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହାୟତା ନେଇଥିବା ଆଲୋଚନା ହେଉଛି। କାରଣ ପୃଥ୍ୱୀରାଜ ହରିଚନ୍ଦନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କ୍ୟାମ୍ପର ବୋଲି କୁହାଯାଏ। ତେଣୁ ତାଙ୍କୁ ବୁଝାଇବା ଦାୟିତ୍ୱ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଦିଆଯାଇଛି। ଯାହାଫଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତକାଲି ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଭେଟିଛନ୍ତି। କାରଣ କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥକ କୁହାଯାଉଥିବା ଦଳର ବିଧାୟକ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ବିଏମସି ଅଧିକାରୀଙ୍କୁ ମାଡ଼ମରା ଘଟଣାରେ ମାଷ୍ଟରମାଇଣ୍ଡ ବୋଲି ଓଏଏସ ସଂଘ ତାଙ୍କୁ ଗିରଫ କରିବାକୁ ଅଡ଼ି ବସିଥିଲେ। କିନ୍ତୁ ପୁଲିସ ତାଙ୍କୁ ଗିରଫ କରୁନଥିଲା। ଏହି ଘଟଣାକୁ ନେଇ ଆଇନ ତା’ ବାଟରେ ଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିବା ପରେ ଜୁଲାଇ ତିନି ତାରିଖରେ ଜଗନ୍ନାଥ ପ୍ରଧାନ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ସେହି ନ୍ୟାୟରେ ନିଜ ଜିଦରେ ଅଡ଼ି ବସିଥିବା ଅମାନିଆ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ବୁଝାଇବା ଦାୟିତ୍ୱ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଦିଆଯାଇଛି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।
ଏହି ପଛକୁ ପଛ ସାକ୍ଷାତ୍ଗୁଡ଼ିକ ବିଜେପିର ଆଭ୍ୟନ୍ତରୀଣ ପଦାନୁକ୍ରମ ମଧ୍ୟରେ ଶ୍ରୀ ହରିଚନ୍ଦନଙ୍କ ଗୁରୁତ୍ୱ ବୃଦ୍ଧି କରୁଛି ନା ମନ୍ତ୍ରୀ ହିସାବରେ ତାଙ୍କ ବିଫଳତାକୁ ନେଇ ସ୍ୱତଃ ଓହରି ଯିବାକୁ ବାର୍ତ୍ତା ଦିଆଯାଉଛି ତାହା ଆଲୋଚନା ହେଉଛି।
ସୁନୀଲ ବଂଶଲ ଶ୍ରୀ ହରିଚନ୍ଦନଙ୍କୁ ଭେଟିଥିବା ଦିନ ହିଁ ଦଳର ଶୀର୍ଷ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ନେତାମାନଙ୍କ ସହିତ ଏକ ଭର୍ଚୁଆଲ୍ ବୈଠକ କରିଥିଲେ, ଯେଉଁଥିରେ ମୁଖ୍ୟମନ୍ତ୍ରୀ, ଉଭୟ ଉପମୁଖ୍ୟମନ୍ତ୍ରୀ ଏବଂ ମନୋନୀତ ମନ୍ତ୍ରୀମାନେ ସାମିଲ ଥିଲେ। କିନ୍ତୁ ଏହି ବୈଠକରେ ଶ୍ରୀ ହରିଚନ୍ଦନ ଯୋଗ ଦେଇନଥିଲେ। ସୁନୀଲ ବଂଶଲ, ବିନୋଦ ତାୱଡେଙ୍କ ସହ ମିଶି ସେହି ଭର୍ଚୁଆଲ୍ ଆଲୋଚନାକୁ ସହଜ କରିଥିଲେ।
ଏହି ଗସ୍ତ ଏବଂ ବୈଠକର ସମୟ ଉଲ୍ଲେଖନୀୟ, ଯାହା ଆସନ୍ନ କ୍ୟାବିନେଟ୍ ପୁନର୍ଗଠନ ଏବଂ ବିସ୍ତାର ବିଷୟରେ ବ୍ୟାପକ କଳ୍ପନାଜଳ୍ପନା ସହିତ ମେଳ ଖାଉଛି। ପରିବର୍ତ୍ତନ ଆଗକୁ ବଢ଼ିଲେ ବର୍ତ୍ତମାନ ତିନିଟି ବିଭାଗ ପରିଚାଳନା କରୁଥିବା ମନ୍ତ୍ରୀମାନଙ୍କୁ ଦୁଇଟି ବିଭାଗ ଛାଡ଼ିବାକୁ ପଡ଼ିପାରେ ବୋଲି ଦଳୀୟ ମହଲରେ ଆଲୋଚନା କରାଯାଉଛି।
ରାଜ୍ୟପାଳ କେ ହରିବାବୁ କମ୍ଭମପତି, ବିଜେପିର ଓଡ଼ିଶା ପର୍ଯ୍ୟବେକ୍ଷକ ସୁନୀଲ ବଂଶଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ପୃଥ୍ୱୀରାଜ ହରିଚନ୍ଦନଙ୍କ ତିନିଟି ବିଭାଗ ମଧ୍ୟରୁ ଦୁଇଟି ସହିତ ଜଡ଼ିତ କି ନାହିଁ ତାହା ଏକ ଖୋଲା ପ୍ରଶ୍ନ।
Also readhttps://purvapaksa.com/arun-ranendra-threat-to-sujata/
Arun-Ranendra threat to Sujata II ସୁଜାତାଙ୍କ ରାସ୍ତାରେ କଣ୍ଟା ଗୁରୁ-ଚେଲା
