ଓଡ଼ିଆ ସିନେମା ଜଗତର ପରିଚିତ ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ଆଇନଗତ ମୋର୍ଚ୍ଚାରେ ଏକ ବଡ଼ ଝଟକା ମିଳିଛି। ତାଙ୍କ ବିରୋଧରେ ରୁଜୁ ଥିବା ଯୌତୂକ ନିର୍ଯାତନା ମାମଲାରେ ଓଡ଼ିଶା ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହା ସହ ତଳ କୋର୍ଟ ଦ୍ୱାରା ହୋଇଥିବା ଚାର୍ଜଫ୍ରେମକୁ ହାଇକୋର୍ଟ କାଏମ ରଖିଛନ୍ତି। ଏହାର ଅର୍ଥ ହେଉଛି ଏବେ ଅନୁଭବ ମହାନ୍ତିଙ୍କ ବିରୋଧରେ ଯୌତୂକ ନିର୍ଯାତନା ମାମଲାରେ ବିଚାର ପ୍ରକ୍ରିୟା ଚାଲିବ।

ସୂଚନାଯୋଗ୍ୟ ଯେ, ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଏବଂ ତାଙ୍କ କର୍ମଚାରୀ ଘଗେଶ୍ୱରଙ୍କ ବିରୋଧରେ ପୁରୀଘାଟ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ବର୍ଷାଙ୍କ ଅଭିଯୋଗ ଅନୁଯାୟୀ, ସେ ଅନୁଭବଙ୍କ ଘରେ ଥିବା ସମୟରେ ମାନସିକ ଭାବେ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ।
ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଅଭିଯୋଗରେ କହିଥିଲେ ଯେ, ତାଙ୍କୁ ମାନସିକ ଚାପ ଦିଆଯାଉଥିଲା ଏବଂ ଭିଡିଓ ସୁଟିଂ କରି ଭୟଭୀତ କରାଯାଉଥିଲା। ଏହା ସହିତ ସେ ଦୀର୍ଘ ସମୟ ଧରି ମାନସିକ ନିର୍ଯାତନା ସହିବାକୁ ପଡ଼ିଥିବା ମଧ୍ୟ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ପୁରୀଘାଟ ଥାନାରେ ମାମଲା ରୁଜୁ ହୋଇଥିଲା ଏବଂ ପରେ ଏହା ଅଦାଲତରେ ପହଞ୍ଚିଥିଲା।
ଏହି ମାମଲାରେ ତଳ ଅଦାଲତ ଅନୁଭବ ମହାନ୍ତିଙ୍କ ବିରୋଧରେ ଚାର୍ଜଫ୍ରେମ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଅନୁଭବ ମହାନ୍ତି ହାଇକୋର୍ଟରେ ଆବେଦନ ଦାଖଲ କରି ତଳ ଅଦାଲତରେ ଚାଲିଥିବା ମାମଲାକୁ ଖାରଜ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିନଥିବା ସହ ତଳ କୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି।
ହାଇକୋର୍ଟଙ୍କ ଏହି ଆଦେଶ ପରେ ଏହା ସ୍ପଷ୍ଟ ହୋଇଛି ଯେ, ଅନୁଭବ ମହାନ୍ତିଙ୍କ ନାଁରେ ରୁଜୁ ଥିବା ଯୌତୂକ ନିର୍ଯାତନା ମାମଲାରେ ଆଗାମୀ ଦିନରେ ଶୁଣାଣି ଓ ବିଚାର ପ୍ରକ୍ରିୟା ଜାରି ରହିବ। ଏହି ମାମଲା ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ସହିତ ସାଧାରଣ ଜନତାଙ୍କ ମଧ୍ୟରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଆଗାମୀ ଦିନରେ ଅଦାଲତୀ ପ୍ରକ୍ରିୟା କେଉଁ ଦିଗକୁ ଯିବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।
Gold rate।। କାଲି ସନ୍ଧ୍ୟାରେ କମିଲା ସୁନା ଦର, କିଣି ନିଅନ୍ତୁ ମନ ପସନ୍ଦ ଅଳଙ୍କାର


