ରାଜ୍ୟରେ ଏବେ “ଦୁର୍ନୀତି ନିବାରଣ ସପ୍ତାହ” ପାଳନ ହେଉଛି। ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ଓ ଉଚ୍ଚ ଅଧିକାରୀମାନେ ଦୁର୍ନୀତି ବିରୋଧରେ ଶପଥ ନେଉଛନ୍ତି— ଯେ, ସେମାନେ ସତ୍ୟ ଓ ସ୍ୱଚ୍ଛତା ଅବଲମ୍ବନ କରି ଦୁର୍ନୀତିକୁ ରୋକିବେ। କିନ୍ତୁ ଏହି ଶପଥ କେବଳ ପ୍ରଚାରରେ ସୀମିତ ରହିଯାଉଛି। ତଳସ୍ତରରେ ପ୍ରଶାସନ ଓ ଶାସନ ବ୍ୟବସ୍ଥା ଭିତରେ ଦୁର୍ନୀତି ଏତେ ଗଭୀରଭାବେ ବ୍ୟାପି ଯାଇଛି ଯେ, ଏକ ସପ୍ତାହର ଶପଥପାଠ ଦ୍ୱାରା ତାହାକୁ ହଟାଇବା ଅସମ୍ଭବ।
ସରକାର ଦୁର୍ନୀତି ବିରୋଧରେ ଦୁଇଟି ମହତ୍ତ୍ୱପୂର୍ଣ୍ଣ ଆଇନ ଆଣିଥିଲା— ସୂଚନା ଅଧିକାର ଆଇନ (RTI) ଓ ଲୋକାଯୁକ୍ତ ଆଇନ। ଏହି ଦୁଇ ଆଇନର ଉଦ୍ଦେଶ୍ୟ ଥିଲା ପ୍ରଶାସନରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଦୁର୍ନୀତି ରୋକିବା। କିନ୍ତୁ ବାସ୍ତବରେ ଏହି ଆଇନଗୁଡ଼ିକୁ ଦୁର୍ବଳ କରି, ପ୍ରଶାସନ ଦୁର୍ନୀତିକୁ ଲୁଚାଇବାରେ ଲାଗିଛି।

ସୂଚନା ଅଧିକାର ଆଇନ: ଲୋକଙ୍କ ଅସ୍ତ୍ର, କିନ୍ତୁ ଶିଥିଳ ଶାସନରେ ଶିକାର
ସୂଚନା ଅଧିକାର ଆଇନ ୨୦୦୫ ମସିହାରେ ଲାଗୁ ହେବା ପରେ ଜନସାଧାରଣ ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ଏକ ଶକ୍ତିଶାଳୀ ଅସ୍ତ୍ର ମିଳିଲା। କିନ୍ତୁ ଓଡ଼ିଶାରେ ଏହି ଆଇନର ପ୍ରଭାବ କ୍ରମେ ଅସାର ହେଉଛି। ନବୀନ ପଟ୍ଟନାୟକଙ୍କ ଶାସନକାଳରେ ସୂଚନା ମାଗିଥିବା ଅନେକ ଆରଟିଆଇ କର୍ମୀ ଧମକ, ଆକ୍ରମଣ ଓ ମରଣାତ୍ମକ ଆକ୍ରମଣର ଶିକାର ହୋଇଛନ୍ତି।
ଗତ ୨୦ ବର୍ଷରେ ଚାରିଜଣ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା କରାଯାଇଛି, ସତରେଜଣରୁ ଅଧିକଙ୍କୁ ଆକ୍ରମଣ ଓ ଧମକ ଦିଆଯାଇଛି। କେତେକଙ୍କୁ ମିଥ୍ୟା ମାମଲାରେ ଜେଲକୁ ମଧ୍ୟ ପଠାଯାଇଛି। ଏହି ସବୁ ଘଟଣା ଏକ ଚିନ୍ତାଜନକ ସତ୍ୟକୁ ପ୍ରକାଶ କରେ — ଯେଉଁଠାରେ ଜନତା ସତ୍ୟ ଜାଣିବା ଅଧିକାର ପାଇଁ ଲଢ଼ୁଛି, ସେଠାରେ ଶାସନ ତାଙ୍କୁ ଶାନ୍ତ କରିବାକୁ ଭୟ ଦେଖାଉଛି।
ବିଜେପି ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ଏହି ପରିସ୍ଥିତିରେ ପରିବର୍ତ୍ତନ ହୋଇନାହିଁ। ସୂଚନା କମିଶନ, ଯାହା ସୂଚନା ଆଇନର ରକ୍ଷକ ହେବାର ଥିଲା, ଏବେ ଆଇନ ଉଲଂଘନ କରିବାରେ ଅଭିଯୁକ୍ତ ହୋଇଛି।
ସୂଚନା କମିଶନରେ ଅକ୍ଷମତା ଓ ଅନିୟମିତତା
ସୂଚନା କମିଶନ ହେଉଛି ଆରଟିଆଇ ଆଇନର ମୂଳ ଅଂଶ। ଯେତେବେଳେ କୌଣସି ବିଭାଗ ସୂଚନା ଦେବାକୁ ଅସ୍ୱୀକାର କରେ, ତେବେ ନାଗରିକ ସୂଚନା କମିଶନ ନିକଟକୁ ଯାଇଥାଆନ୍ତି। କିନ୍ତୁ ଓଡ଼ିଶାରେ ଏହି ସୂଚନା କମିଶନ ଏବେ ଆଇନର ସଠିକ ପ୍ରୟୋଗ କରିବା ପରିବର୍ତ୍ତେ ଦୁର୍ନୀତିକୁ ଆଶ୍ରୟ ଦୂର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହେଉଛି।
ବିଜେପଡି ସରକାର ଅମଳର ପାଣ୍ଡିଆନ୍ ମାର୍କା କିଛି ଅମଲାମାନେ ସୂଚନା କମିଶନକୁ ନିୟନ୍ତ୍ରଣ କରି ଆଇନକୁ ଅକାମୀ କରିବାରେ ଲାଗିଛନ୍ତି। ସେଠାରେ ଅନଭିଜ୍ଞ, ଅଜ୍ଞ ଓ ଅପାରଗ ବ୍ୟକ୍ତିମାନଙ୍କୁ ନିଯୁକ୍ତ କରାଯାଇଛି— ଯେପରି ସେମାନେ ଆଇନ ପଢ଼ି ନ ପାରିବେ ଏବଂ କିଛି ନିଷ୍ପତ୍ତି ନେଇନପାରିବେ। ଫଳସ୍ୱରୂପ, ୮୦୦ରୁ ଅଧିକ କେଶ ଶୁଣାଣୀ ବିନା ନିଷ୍ପତ୍ତି ହେଉଛି। ଅନେକ ଅଭିଯୋଗକାରୀ ନ୍ୟାୟ ଆଶାରେ ବର୍ଷ ଧରି ଅପେକ୍ଷା କରୁଛନ୍ତି, କିନ୍ତୁ ଶେଷରେ ହାତଶ୍ ହୋଇ ଫେରୁଛନ୍ତି।
ଏହା ସହିତ, ଯେ ପିଆଇଓ (Public Information Officer) ସୂଚନା ଦେବାକୁ ମନା କରନ୍ତି, ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡିତ କରିବା ନିୟମ ଥିଲା। କିନ୍ତୁ ସୂଚନା କମିଶନ ଏହା ମଧ୍ୟ ପ୍ରୟୋଗ କରୁନାହିଁ। ତେଣୁ ସରକାରୀ ଅଧିକାରୀମାନେ ଆଉ ତଥ୍ୟ ଦେବାକୁ ଆଗ୍ରହୀ ନୁହନ୍ତି। ଏଭଳି ପରିସ୍ଥିତିରେ ଦୁର୍ନୀତି ବିରୋଧରେ ଲଢ଼ିବା ପ୍ରାୟ ଅସମ୍ଭବ।
ଲୋକାଯୁକ୍ତ ଆଇନ: ନାମ ରହିଲା, କାମ ହେଲା ନାହିଁ
ଦୁର୍ନୀତି ତଦନ୍ତ ପାଇଁ ଓଡିଶାରେ ୨୦୧୯ ମସିହାରେ ଲୋକାଯୁକ୍ତ ଗଠନ ହୋଇଥିଲା। ଏହା ହେଉଛି ଏକ ସ୍ଵାଧୀନ ସଂସ୍ଥା, ଯାହା ମୁଖ୍ୟମନ୍ତ୍ରୀଙ୍କଠାରୁ ନେଇ ସରକାରୀ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ତଦନ୍ତ କରିପାରେ। କିନ୍ତୁ ମାର୍ଚ୍ଚ ୨୦୨୪ପରେ ଲୋକାଯୁକ୍ତ ପଦ ଖାଲି ହୋଇଯାଇଛି। ପ୍ରାୟ ଦେଢ଼ ବର୍ଷ ହେଲା ନୂତନ ଲୋକାଯୁକ୍ତ ନିଯୁକ୍ତ ହୋଇନାହାନ୍ତି। ଫଳରେ ଶହ ଶହ ଦୁର୍ନୀତି କେଶ ଅନୁତ୍ତରିତ ରହିଛି।
ଲୋକାଯୁକ୍ତ ଯେତେବେଳେ କାମ ନ କରେ, ସେତେବେଳେ ଦୁର୍ନୀତିରେ ଜଡ଼ିତ ଅଧିକାରୀମାନେ ଆଉ ଧରାପଡ଼ନ୍ତି ନାହିଁ। ତଦନ୍ତ ହୋଇନଥିଲେ ଦୋଷୀମାନେ ନିର୍ଭୟ ହୋଇ ନୂତନ ଅନିୟମିତତା ଆରମ୍ଭ କରନ୍ତି। ଏଭଳି ପରିସ୍ଥିତିରେ ଦୁର୍ନୀତି ନିବାରଣ ଦିବସ କେବଳ ଏକ ଆନୁଷ୍ଠାନିକ ମାତ୍ର।
ଦୁର୍ନୀତି ନିବାରଣ ସପ୍ତାହ: ଆଡମ୍ବର ନା ଆନ୍ତରିକତା?

ସରକାରୀ ଅଫିସ, ସ୍କୁଲ, ବିଭିନ୍ନ ବିଭାଗ ଏବେ ଶପଥ ନେଉଛି— “ଦୁର୍ନୀତି କରିବିନି, କରିବାକୁ ଦେବିନି।” କିନ୍ତୁ ଏହି ଶପଥ କେବଳ କାଗଜରେ ରହିଯାଉଛି। ଯେଉଁଠାରେ ସୂଚନା ମାଗିଲେ କଲେ ଧମକ ମିଳୁଛି, ସେଠି ଦୁର୍ନୀତି ବିରୋଧରେ ସପ୍ତାହ ପାଳନ ଏକ ହାସ୍ୟସ୍ପଦ ଅନୁଷ୍ଠାନ ଛଡ଼ା ଅନ୍ୟ କିଛି ନୁହେଁ।
ସରକାର ଯଦି ସତରେ ଦୁର୍ନୀତି ବିରୋଧରେ ଗମ୍ଭୀର, ତେବେ ତାହାର ପ୍ରଥମ ପଦକ୍ଷେପ ହେବ — ସୂଚନା ଅଧିକାର ଆଇନ ଓ ଲୋକାଯୁକ୍ତ ଆଇନକୁ ସଶକ୍ତ କରିବା। ସୂଚନା କମିଶନ ଓ ଲୋକାଯୁକ୍ତ ନିଯୁକ୍ତି ନିରପେକ୍ଷ ଓ ଯୋଗ୍ୟ ବ୍ୟକ୍ତିଙ୍କୁ ଦେବା ଦରକାର। ଆଇନ ଉଲଂଘନ କରୁଥିବା ଅଧିକାରୀଙ୍କ ବିରୋଧରେ ଦଣ୍ଡ ବିଧାନ ନିଶ୍ଚିତ କରିବା ଜରୁରୀ।
ସ୍ୱଚ୍ଛ ଶାସନ ନାମରେ କେବଳ ଅଭିନୟ
ଓଡିଶାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହେଉଛି, କିନ୍ତୁ ଦୁର୍ନୀତି ନିବାରଣ ପାଇଁ ଆନ୍ତରିକ ଇଚ୍ଛା ନାହିଁ। ଜନତାଙ୍କ ଅଧିକାର ଅସ୍ତ୍ର — ସୂଚନା ଆଇନ — ଏବେ ଅସ୍ତ୍ରହୀନ। ଲୋକାଯୁକ୍ତ ନାମକ ସଂସ୍ଥା ନିଷ୍କ୍ରିୟ। ଏହା ଦେଖି ଏକମାତ୍ର ନିଷ୍କର୍ଷ ହେଉଛି — ଦୁର୍ନୀତି ନିବାରଣ ସପ୍ତାହ ହେଉଛି କେବଳ ପ୍ରଚାର ଓ ରାଜନୀତିକ ଅଭିନୟ।
ସତ୍ୟ ପରିବର୍ତ୍ତନ ଆସିବା ପାଇଁ ସରକାରକୁ ମନେ ପକାଇବା ଦରକାର —“ଶପଥ ନୁହେଁ, କାର୍ଯ୍ୟ ଦେଖାନ୍ତୁ; ପ୍ରଚାର ନୁହେଁ, ପରିବର୍ତ୍ତନ ଆଣନ୍ତୁ।”
also read https://purvapaksa.com/wp-content/uploads/2025/11/Captureoperation-sindoor.jpg



