ଭାରତ ନିଜର ପାକିସ୍ତାନ ଏବଂ ବାଂଲାଦେଶ ସୀମାନ୍ତରେ ଅନୁପ୍ରବେଶ ଓ ସାମରିକ ଆହ୍ୱାନର ସ୍ଥାୟୀ ମୁକାବିଲା ପାଇଁ ଏକ ବଡ଼ ପ୍ରତିରକ୍ଷା ଯୋଜନା ପ୍ରସ୍ତୁତ କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଘୋଷିତ ଏହି ଅତ୍ୟାଧୁନିକ ପ୍ରକଳ୍ପ ଅଧୀନରେ ଉଭୟ ଦେଶ ସହ ଲାଗିଥିବା ପ୍ରାୟ ୬,୦୦୦ କିଲୋମିଟର ଦୀର୍ଘ ସୀମାକୁ ଇଜ୍ରାଏଲ୍ର ସ୍ମାର୍ଟ ବର୍ଡର ସିଷ୍ଟମ୍ ଭଳି ଏକ ଚତୁଷ୍କୋଣୀୟ ସୁରକ୍ଷା ଗ୍ରିଡ୍ ମାଧ୍ୟମରେ ସୁରକ୍ଷିତ କରାଯିବ। ଏହି ବ୍ୟବସ୍ଥା ଲାଗୁ ହେବା ପରେ ଶତ୍ରୁ ପକ୍ଷର କୌଣସି ଅନୁପ୍ରବେଶକାରୀ କିମ୍ବା ଆତଙ୍କବାଦୀ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼ିବ।

୭ଟି ମୁଖ୍ୟ ଏବଂ ୩୩ଟି ଉପ-ବିନ୍ଦୁ ଉପରେ କାମ ଆରମ୍ଭ
ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ଏସପି ଏବଂ ଜିଲ୍ଲାପାଳମାନଙ୍କୁ ନେଇ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗୃହମନ୍ତ୍ରୀ ପ୍ରକାଶ କରିଥିବା ଏହି ସୁରକ୍ଷା ଗ୍ରିଡ୍ରେ ୭ଟି ମୁଖ୍ୟ ଆଧାର ଏବଂ ୩୩ଟି ଉପ-ବିନ୍ଦୁ ରହିଛି। ସୁରକ୍ଷା ବାହିନୀର ସମୀକ୍ଷା ଓ ପରାମର୍ଶ ଆଧାରରେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯିବ। ଏହା ପାରମ୍ପରିକ ସୀମା ସୁରକ୍ଷା ବଦଳରେ ସମଗ୍ର ସୀମାନ୍ତ ଅଞ୍ଚଳକୁ ‘ଟେରିଟୋରିଆଲ ସୁରକ୍ଷା’ ପ୍ରଦାନ କରିବ।
କେମିତି କାମ କରିବ ଏହି ଚତୁଷ୍କୋଣୀୟ ବ୍ୟବସ୍ଥା ?
ଏହି ନୂଆ କନସେପ୍ଟ ଅନୁଯାୟୀ, ସୁରକ୍ଷା ବଳୟକୁ ୪ଟି ପ୍ରମୁଖ ସ୍ତମ୍ଭ ଉପରେ ପ୍ରତିଷ୍ଠିତ କରାଯାଇଛି, ଯେଉଁଥିପାଇଁ ଏହାକୁ ଚତୁଷ୍କୋଣୀୟ ଗ୍ରିଡ୍ କୁହାଯାଉଛି:

- ୧. ବିଏସଏଫ (BSF) : ସୀମାର ପ୍ରଥମ ପ୍ରହରୀ ଭାବେ ସମ୍ମୁଖ ଭାଗର ସୁରକ୍ଷା ଦାୟିତ୍ୱ ତୁଲାଇବେ।
- ୨. ଭାରତୀୟ ସେନା (Army) : ସୀମାର ଅତି ସଂବେଦନଶୀଳ ସ୍ଥାନଗୁଡ଼ିକରେ ବ୍ୟାକଅପ୍ ଏବଂ ରଣନୈତିକ ସାମରିକ ସହାୟତା ଯୋଗାଇବେ।
- ୩. ସ୍ଥାନୀୟ ପୋଲିସ ଓ ପ୍ରଶାସନ : ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ତୀକ୍ଷ୍ଣ ନଜର ରଖିବେ।
- ୪. ସ୍ଥାନୀୟ ଜନସାଧାରଣ : ସୀମାନ୍ତ ଗ୍ରାମର ଲୋକମାନଙ୍କୁ ସଜାଗ କରାଯାଇ ସୂଚନାଦାତା ଭାବେ ବ୍ୟବହାର କରାଯିବ, ଯାହାଦ୍ୱାରା ଶତ୍ରୁର ଯେକୌଣସି ଗତିବିଧି ପ୍ରାରମ୍ଭିକ ସ୍ତରରେ ଜଣାପଡ଼ିବ।
ଇଜ୍ରାଏଲ ଭଳି ସ୍ମାର୍ଟ ଟେକ୍ନୋଲୋଜି ଦ୍ୱାରା ରଖାଯିବ ନଜର

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, କେବଳ ତାରବାଡ଼ ସାହାଯ୍ୟରେ ପାକିସ୍ତାନର ୧,୨୮୯ କିମି ଏବଂ ବାଂଲାଦେଶର ୪,୦୯୬ କିମି ସୀମାକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରାଯାଇପାରିବ ନାହିଁ। ଏଥିପାଇଁ ବିଶ୍ୱର ସବୁଠାରୁ ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଉଛି। ଏହି ସ୍ମାର୍ଟ ଗ୍ରିଡ୍ରେ ଲେଜର ଫେନ୍ସିଂ, ଜମି ତଳେ ଲାଗୁଥିବା ସେନ୍ସର, ଥର୍ମାଲ ଇମେଜିଂ କ୍ୟାମେରା, ଆଣ୍ଟି-ଟନଲିଂ (ସୁଡ଼ଙ୍ଗ ଚିହ୍ନଟକାରୀ) ବ୍ୟବସ୍ଥା ଏବଂ ଡ୍ରୋନ୍ ମାଧ୍ୟମରେ ୨୪ ଘଣ୍ଟିଆ ଡିଜିଟାଲ୍ ନଜର ରଖାଯିବ। ବିଶେଷ କରି ଗୁଜରାଟର ସିର କ୍ରିକ୍ ଓ ହରାମୀ ନାଲା ଏବଂ ପଶ୍ଚିମବଙ୍ଗର ନଦୀପଥ ସୀମାନ୍ତରେ ଏହି ବ୍ୟବସ୍ଥାକୁ ଅଧିକ ଦୃଢ଼ କରାଯାଉଛି। କେନ୍ଦ୍ରୀୟ ଗୃହ ସଚିବ ପ୍ରତି ୬ ମାସରେ ଏହି ମେଗା ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବେ।


