ଆଫଗାନିସ୍ତାନ–ପାକିସ୍ତାନ ସୀମାରେ ଉତ୍ତେଜନା ଏବେ ଚରମ ସୀମାକୁ ପହଞ୍ଚିଛି। ଆଫଗାନ ସେନା ଦ୍ୱାରା ପାକିସ୍ତାନର ଏକ F-16 ଯୁଦ୍ଧ ବିମାନକୁ ଗୁଳି କରି ଖସାଇଦେବା ଘଟଣା ପରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି। ଖବର ଅନୁସାରେ, ପାକିସ୍ତାନ ବାୟୁସେନାର F-16 ବିମାନ ଆଫଗାନ ଏୟାରସ୍ପେସ୍ ଉଲ୍ଲଂଘନ କରି ପ୍ରବେଶ କରିଥିଲା ଏବଂ ତାହାକୁ ପ୍ରତିହତ କରିବା ସମୟରେ ଆଫଗାନ ସେନା ଗୁଳି ଚାଲାଇଥିଲେ।

ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, କାବୁଲ ଓ କାନ୍ଦାହାରରେ ଥିବା ଆତଙ୍କବାଦୀ ଠିକଣାକୁ ଟାର୍ଗେଟ୍ କରି ଏୟାରଷ୍ଟ୍ରାଇକ୍ କରାଯାଇଥିଲା। କିନ୍ତୁ ଆଫଗାନ ପକ୍ଷ ଏହାକୁ ସ୍ପଷ୍ଟ ଭାବେ ଏୟାରସ୍ପେସ୍ ଉଲ୍ଲଂଘନ ବୋଲି ଅଭିଯୋଗ କରିଛି। କାବୁଲ, କନ୍ଦାହାର ଏବଂ ପାକଟିଆ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣର ଶବ୍ଦ ଶୁଣାଯାଇଥିବା ସ୍ଥାନୀୟ ଲୋକ ଦାବି କରିଛନ୍ତି।
ଏହି ପରିସ୍ଥିତିରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖଓ୍ୱାଜା ଅସିଫ୍ ଖୋଲା ଯୁଦ୍ଧର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଧୈର୍ଯ୍ୟର ସୀମା ପାର ହୋଇଯାଇଛି ଏବଂ ଆଫଗାନିସ୍ତାନ ପକ୍ଷରୁ ହୋଇଥିବା ଆକ୍ରମଣର ପ୍ରତିଶୋଧ ନିଆଯିବ। ଏହି ବୟାନ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଯାଇଛି।
ପାକିସ୍ତାନ ‘ଅପରେସନ ଗଜବ-ଲିଲ୍-ହକ୍’ ନାମରେ ଏକ ବିଶେଷ ସାମରିକ ଅଭିଯାନ ଆରମ୍ଭ କରିଥିବା ଘୋଷଣା କରିଛି। ଏହା ମାଧ୍ୟମରେ ଆଫଗାନିସ୍ତାନର ମିଲିଟାରୀ କ୍ୟାମ୍ପ ଓ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଟାର୍ଗେଟ୍ କରାଯାଉଛି। ପାକିସ୍ତାନର ଦାବି ଅନୁଯାୟୀ, ପୂର୍ବ ଦିନ ତାଲିବାନ ସେନା ପାକିସ୍ତାନୀ ସୀମାରେ ଆକ୍ରମଣ କରିଥିଲା, ଯେଉଁଥିରେ ୫୫ ପାକିସ୍ତାନୀ ସେନା ନିହତ ହୋଇଥିଲେ। ସେହିପରି ୧୯ଟି ସେନା ଆଉଟପୋଷ୍ଟ ଓ ଗୋଟିଏ ହେଡକ୍ୱାର୍ଟର କବଜା କରାଯାଇଥିବା ଦାବି କରାଯାଇଛି।

ଅନ୍ୟପଟେ, ତାଲିବାନ ମୁଖପାତ୍ର ଜୁବିବୁଲ୍ଲା ମୁଜାହିଦ ପାକିସ୍ତାନର ଏୟାରଷ୍ଟ୍ରାଇକ୍କୁ ‘କାପୁରୁଷୋଚିତ’ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ବିରୋଧରେ ପାଲଟା ଆକ୍ରମଣ ଆରମ୍ଭ ହୋଇଛି। ତାଲିବାନ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ସାଧାରଣ ନାଗରିକଙ୍କ କୌଣସି ମୃତ୍ୟୁ ହୋଇନାହିଁ।
ପାକିସ୍ତାନ ଦାବି କରିଛି ଯେ, ତାଙ୍କର ପ୍ରତିଆକ୍ରମଣରେ ୧୫୦ରୁ ଅଧିକ ତାଲିବାନ ସଦସ୍ୟ ନିହତ ଏବଂ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଦାବିକୁ ତାଲିବାନ ପକ୍ଷ ଖଣ୍ଡନ କରିଛି। ସୋସିଆଲ ମିଡିଆରେ ପାକିସ୍ତାନୀ ଯୁଦ୍ଧ ବିମାନ ଉଡ଼ୁଥିବା ଭିଡିଓ ଭାଇରାଲ ହେଉଥିବା ବେଳେ ଆନ୍ତର୍ଜାତୀୟ ସମୁଦାୟ ଏହି ପରିସ୍ଥିତି ଉପରେ ଗଭୀର ଚିନ୍ତା ପ୍ରକାଶ କରିଛି।
ବିଶେଷଜ୍ଞମାନଙ୍କ ମତାନୁସାରେ, ଏହି ସଂଘର୍ଷ ଯଦି ନିୟନ୍ତ୍ରଣରେ ନ ଆସେ, ତେବେ ଏହା ଏକ ବଡ଼ ଯୁଦ୍ଧର ରୂପ ନେଇପାରେ। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଚାଲିଥିବା ଏହି ତନାତନି ସମଗ୍ର ଅଞ୍ଚଳର ସୁରକ୍ଷା ପାଇଁ ଚିନ୍ତାଜନକ ହୋଇଉଠିଛି। ବର୍ତ୍ତମାନ ସୀମାରେ ଉଚ୍ଚ ସତର୍କତା ଜାରି ରହିଛି ଏବଂ ଆଗାମୀ କିଛି ଦିନ ଅତ୍ୟନ୍ତ ସମ୍ବେଦନଶୀଳ ହେବାର ଆଶଙ୍କା କରାଯାଉଛି।
also read https://purvapaksa.com/big-operation-for-hardcore-maoists/
ହାର୍ଡକୋର ମାଓବାଦୀ ପାଇଁ ବଡ଼ ଅପରେସନ || Big operation for hardcore Maoists


