ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ଭୟଙ୍କର ରୂପ ଧାରଣ କରିଛି। ଘଟଣାକ୍ରମରେ ପାକିସ୍ତାନ ସୀମା ଭିତରେ ସେନା ଘାଟି ଉପରେ ଭୟାବହ ବିସ୍ଫୋରଣ ଘଟିଥିବା ଖବର ମିଳିଛି। ଏହାକୁ ପାଲଟା ଆକ୍ରମଣ ବୋଲି ଦାବି କରିଛି ତାଲିବାନ। ଏହା ସହିତ ପାକ୍-ଆଫଗାନ୍ ସମ୍ପର୍କ ଅଧିକ ତିବ୍ର ହୋଇଯାଇଛି।

ସୂଚନା ଅନୁସାରେ, ପୂର୍ବରୁ ପାକିସ୍ତାନ ପକ୍ଷରୁ କାବୁଲ ଓ କନ୍ଦାର ପରି ସହର ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା। ପାକିସ୍ତାନୀ ସେନା ଦାବି କରିଛି ଯେ ସେମାନେ (TTP) ଶିବିର ଓ ତାଲିବାନର କିଛି ସାମରିକ ଘାଟିକୁ ଟାର୍ଗେଟ୍ କରିଥିଲେ। ଏହି ଆକ୍ରମଣରେ ଶତାଧିକ ତାଲିବାନୀ ନିହତ ହୋଇଥିବା ଦାବି ମଧ୍ୟ ପାକିସ୍ତାନ କରିଛି।
ଏହା ପରେ ଆଫଗାନ ପକ୍ଷରୁ କଡ଼ା ପ୍ରତିକ୍ରିୟା ଆସିଛି। ଆଫଗାନିସ୍ଥାନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନ ସୀମା ଭିତରେ କିଛି ସାମରିକ କେନ୍ଦ୍ର ଉପରେ ସଫଳ ଆକ୍ରମଣ କରାଯାଇଛି । ସୋସିଆଲ ମିଡିଆରେ ତାଲିବାନ ପକ୍ଷରୁ ଜାରି ହୋଇଥିବା ଭିଡିଓରେ ପାକିସ୍ତାନ ଭିତରେ ବିସ୍ଫୋରଣ ଓ ଆଗ୍ନିକାଣ୍ଡର ଦୃଶ୍ୟ ଦେଖାଯାଉଛି। ରାତିର ଅନ୍ଧକାର ମଧ୍ୟରେ ଧୂଆଁ ଓ ନିଆଁର ଲପଟା ଉଠୁଥିବା ଭିଡିଓ ଭାଇରାଲ ହେଉଛି।
ଆଫଗାନ ପକ୍ଷ ଦାବି କରିଛି ଯେ ପାକିସ୍ତାନର ନୌସେନା ସଂପର୍କିତ ସଂସ୍ଥାନ ଓ ଆବୋତବାତ ପରି ସାମରିକ କେନ୍ଦ୍ରକୁ ଲକ୍ଷ୍ୟ କରାଯାଇଥିଲା। ତେବେ ପାକିସ୍ତାନୀ ସେନା ଏହାକୁ ଖଣ୍ଡନ କରି କହିଛି ଯେ ସମସ୍ତ ଡ୍ରୋନ୍କୁ ଆକାଶରେ ଖସାଇ ଦିଆଯାଇଛି ଓ ବଡ଼ କୌଣସି କ୍ଷତି ହୋଇନାହିଁ।

ଦୁଇ ପକ୍ଷ ମଧ୍ୟରେ ଅଭିଯୋଗ-ପ୍ରତିଅଭିଯୋଗ ଚାଲିଛି। ପାକିସ୍ତାନ ଅଭିଯୋଗ କରୁଛି ଯେ ତାଲିବାନ TTP ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି ଓ ସେମାନଙ୍କୁ ସମର୍ଥନ କରୁଛି। ଏପଟେ ତାଲିବାନ ଏହାକୁ ସଂପୂର୍ଣ୍ଣ ଅସ୍ୱୀକାର କରି ପାକିସ୍ତାନକୁ ଆକ୍ରମଣକାରୀ ଭାବେ ଅଭିଯୋଗ କରିଛି। ସୀମାଞ୍ଚଳରେ ଗୋଳିବର୍ଷା ଓ ବିସ୍ଫୋରଣ ଘଟଣାରୁ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି।
ରାଜନୈତିକ ଓ ସାମରିକ ବିଶେଷଜ୍ଞମାନଙ୍କ ମତ ଅନୁସାରେ, ଯଦି ଏହି ପରିସ୍ଥିତି ନିୟନ୍ତ୍ରଣରେ ନ ଆସେ, ତେବେ ଏହା ଦକ୍ଷିଣ ଏସିଆର ସୁରକ୍ଷା ପରିସ୍ଥିତିକୁ ଗୁରୁତର ପ୍ରଭାବିତ କରିପାରେ। ଆନ୍ତର୍ଜାତୀୟ ସମ୍ପ୍ରଦାୟ ଉଭୟ ଦେଶକୁ ସଯମ ରଖିବା ଓ କୂଟନୀତିକ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବା ପାଇଁ ଆହ୍ୱାନ କରୁଛି। ସମ୍ପ୍ରତି ଘଟଣାକ୍ରମ ପରେ ପାକ୍-ଆଫଗାନ୍ ସୀମାରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଛି। ଦୁଇ ଦେଶର ସମ୍ପର୍କ ଆସନ୍ତା କିଛି ଦିନରେ କେଉଁ ଦିଗକୁ ଯିବ, ସେଥିପାଇଁ ସମଗ୍ର ବିଶ୍ୱର ନଜର ରହିଛି।
also read https://purvapaksa.com/haroscope-28/


