NEP: ଜାତୀୟ ଶିକ୍ଷା ନୀତି ଅନୁଯାୟୀ ପ୍ରଥମ ଶ୍ରେଣୀରେ ନାମଲେଖା ବୟସ କରାଯାଇଛି ୬ ବର୍ଷ
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ(ଏମଓଇ) ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ ସହ ଏକବିଂଶ ଶତାବ୍ଦୀର ଶିକ୍ଷା ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ ଆଣିବା ନେଇ ସଂକଳ୍ପବଦ୍ଧ । ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବେ । କାର୍ଯ୍ୟକାରିତାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଏବଂ ସ୍ଥାନୀୟ ପ୍ରସଙ୍ଗୀକରଣ ସହିତ ଜାତୀୟ ପାଠ୍ୟକ୍ରମ ରୂପରେଖ ଢାଞ୍ଚାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖକୁ ପ୍ରସ୍ତୁତ କରିବା ନେଇ ଚଳିତ ମାସର ଆରମ୍ଭରେ ବିଜ୍ଞପ୍ତି ସଂଖ୍ୟା ୧୨୩୪/୧୫.୦୧.୨୦୨୫ ମାଧ୍ୟମରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା।
ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଦୃଢ଼ ଭିତ୍ତିଭୂମି ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ଵ ପ୍ରଦାନ ସହ ଓଡ଼ିଶାର ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ୨୦୨୫-୨୦୨୬ ଶିକ୍ଷାବର୍ଷରୁ ସବୁ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ଅତିରିକ୍ତ ପ୍ରାକ୍ ପ୍ରାଥମିକ ଶ୍ରେଣୀ ବା ‘ଶିଶୁ ବାଟିକା’ ଖୋଲାଯିବାକୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୫ ରୁ ୬ ବର୍ଷ ବୟସର ପିଲାମାନଙ୍କୁ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ବା ଶିଶୁ ବାଟିକା ପାଇଁ ନାମଲେଖା ଓ ୨୦୨୫-୨୦୨୬ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀ ପାଇଁ ନାମଲେଖା ବୟସକୁ ୬ ବର୍ଷ କିମ୍ବା ତଦୁର୍ଦ୍ଧ୍ଵ ବର୍ଷ ବୟସ ବୋଲି ବିଜ୍ଞପ୍ତି ସଂଖ୍ୟା ୧୭୫୩/୨୦.୦୧.୨୦୨୫ ମାଧ୍ୟମରେ ଘୋଷଣା କରାଯାଇଛି ।
ଜାଦୁଇ ପିଟାରାକୁ ଏନସିଇଆରଟି ଦ୍ୱାରା ଜାତୀୟ ପାଠ୍ୟକ୍ରମ ଢାଞ୍ଚାରେ ବିକଶିତ କରାଯାଇଛି । ଆମ ରାଜ୍ୟରେ ପ୍ରତ୍ୟେକ ଡିଆଇଇଟି ଦ୍ୱାରା ଜାଦୁ ପେଡ଼ି ସାମଗ୍ରୀ ବିକଶିତ ଏବଂ ପ୍ରାସଙ୍ଗିକ କରାଯାଇଛି । ଏନେଇ ସଚେତନତା ବଢାଇବା ଏବଂ ଏନସିଏଫ-ଏସଏସର ପ୍ରତୀକ ଭାବେ ଏନସିଇଆରଟି ଦ୍ୱାରା ଇ-ଜାଦୁଇ ଆପ୍ ବିକଶିତ କରାଯାଇଛି । ପିଟାରାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଖେଳନା, ପଜଲ୍, କବିତା ପୋଷ୍ଟର, ଗପ କାର୍ଡ଼, ଚିତ୍ର କାର୍ଡ଼, ଶିକ୍ଷକ ତାରା, ଅଭିଭାବକ ତାରା ସଂଖ୍ୟାଜ୍ଞାନ ପାଇଁ ଶିକ୍ଷଣ ସାମଗ୍ରୀ କିଟ୍ ଇତ୍ୟାଦି ରହିଛି ।
ଏହାକୁ ଉଭୟ ଶିକ୍ଷକ ଓ ଅଭିଭାବକ, ଛାତ୍ରଛାତ୍ରୀ ବ୍ୟବହାର କରିବେ । ରାଜ୍ୟ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଜାଦୁ ପେଡ଼ି ଦିଆଯିବ । ଏସଇଆରଟି ଏକ ତାଲିମ ମଡ୍ୟୁଲ୍ ‘ପ୍ରୟୋଗ’ ବିକଶିତ କରିଛି ଯେଉଁଥିରେ ଜାଦୁ ପେଡ଼ି ସାମଗ୍ରୀର ବ୍ୟବହାର ଉପରେ ତାଲିମ୍ ଦିଆଯିବ । ସମସ୍ତ ଶିକ୍ଷକଙ୍କୁ ଇ-ଜାଦୁଇ ପିଟାରା ମୋବାଇଲ୍ ଆପ୍ ଡାଉନଲୋଡ୍ କରିବାକୁ ଏବଂ ଖେଳ ଭିତ୍ତିକ ଶିକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଜାତୀୟ ଶିକ୍ଷା ନୀତି କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟର ପ୍ରାରମ୍ଭିକ ପଦକ୍ଷେପର ଏକ ଅଂଶ ଭାବରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନକୁ ପ୍ରାଧାନ୍ୟ ଦେଇ ଜାତୀୟ ନୀତି ନିର୍ଦ୍ଦେଶାବଳୀ ସହିତ ସମନ୍ୱୟ ରଖି ସେପ୍ଟେମ୍ବର ୨୦୨୪ ରେ ନିପୁଣ ଓଡ଼ିଶା ଯୋଜନା ଆରମ୍ଭ କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସେପ୍ଟେମ୍ବର ୫ , ୨୦୨୪ ରେ ରାଜ୍ୟରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ନିପୁଣ ସଙ୍ଗୀତ ଓ ଲୋଗୋ ଉନ୍ମୋଚନ କରାଯାଇଥିଲା । ରାଜ୍ୟର ପ୍ରତ୍ୟେକ କ୍ଲଷ୍ଟର , ବ୍ଲକ ଓ ଜିଲ୍ଲା ସ୍ତରରେ ଗୋଷ୍ଠୀ ସଦସ୍ୟଙ୍କ ସଚେତନତା ପାଇଁ ନିପୁଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଭିନ୍ନ ଜିଲ୍ଲାରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ବର୍ତ୍ତମାନ ମଧ୍ୟ ଜାରିରହିଛି ।
ଦେଶର ବିଭିନ୍ନ ଶିକ୍ଷାବିତ୍ ଓ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ପରେ ଛାତ୍ରଛାତ୍ରୀମାନଙ୍କର ଉତ୍କୃଷ୍ଟ ଶୈକ୍ଷିକ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ ରେ ପ୍ରଥମଶ୍ରେଣୀରେ ନାମଲେଖାଇବା ବୟସକୁ ୬ ବର୍ଷ କିମ୍ବା ତଦୁର୍ଦ୍ଧ୍ଵ ଧାର୍ଯ୍ୟ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ୬ ବର୍ଷ ବୟସ ପୂର୍ତ୍ତି ସମୟସୀମାକୁ ମାର୍ଚ୍ଚ ମାସ ୩୧ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ମାସ ୧ ତାରିଖ ଧାର୍ଯ୍ୟ କରାଯାଇଛି । ଜାତୀୟ ଶିକ୍ଷା ନୀତି ଆଧାରରେ ଆମ ରାଜ୍ୟର ୫ ରୁ ୬ ବର୍ଷ ପିଲାଙ୍କ ପାଇଁ ‘ଶିଶୁ ବାଟିକା’ ଶ୍ରେଣୀ ପ୍ରତ୍ୟେକ ବିଦ୍ୟାଳୟରେ ଏପ୍ରିଲ ୨ ତାରିଖରୁ ପ୍ରତ୍ୟେକ ବିଦ୍ୟାଳୟରେ ବିଦ୍ୟମାନ ଭିତ୍ତିଭୂମି ଏବଂ ମାନବସମ୍ବଳ ସହିତ କାର୍ଯ୍ୟ କରିବ। ଏଥିପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ପିଲାଙ୍କ ପାଇଁ କାର୍ଯ୍ୟ ପୁସ୍ତିକା ଓ ଶିକ୍ଷକଙ୍କ ପାଇଁ ଶିକ୍ଷକ ସହାୟକ ପୁସ୍ତିକା ପ୍ରସ୍ତୁତ କରାଯାଇଛି ଓ ବିଦ୍ୟାଳୟରେ ବଣ୍ଟନ କରିବାକୁ ବ୍ୟବସ୍ଥା କରାଯାଇଛି ।
ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କୁ ଶିଶୁ ବାଟିକା ଶ୍ରେଣୀ ନେବା ପାଇଁ ତାଲିମ ଦିଆଯାଇଛି । ଓଡ଼ିଶା ସରକାର ଆଗାମୀ ଶିକ୍ଷାବର୍ଷ ୨୦୨୬-୨୦୨୭ ମଧ୍ୟରେ ଜାତୀୟ ପାଠ୍ୟକ୍ରମ ଅନୁସାରେ ଏନସିଇଆରଟି ଦ୍ୱାରା ପ୍ରସ୍ତୁତ ପୁସ୍ତକ ସହିତ ସମାନ୍ତରାଳ ଭାବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରିବାକୁ ଯୋଜନା କରିଛନ୍ତି ।
ପୂର୍ବରୁ ଓଡ଼ିଶା ସରକାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଥିଲେ । ଏହି ଟାସ୍କ ଫୋର୍ସ ରାଜ୍ୟରେ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବା ପାଇଁ ପରାମର୍ଶ ଦେଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ସଂଖ୍ୟା ୩୭୭୦/୦୬.୦୨.୨୦୨୫ ଅନୁଯାୟୀ ବର୍ତ୍ତମାନ ଭୋପାଳର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି ।
ଏହି ଷ୍ଟିୟରିଂ କମିଟି ସ୍ଥାନୀୟ ପରିପ୍ରେକ୍ଷୀରେ ଜାତୀୟ ପାଠ୍ୟକ୍ରମ ରୂପରେଖ ଅନୁସାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖ ପ୍ରସ୍ତୁତ କରିବ । ଏହାକୁ ଆଗକୁ ନେବା ପାଇଁ କମିଟି ପୂର୍ବରୁ ୩ ଟି ବୈଠକ କରିସାରିଛି ଏବଂ ଚତୁର୍ଥ ବୈଠକ ୨୬ ରୁ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିସହ ପାଠ୍ୟକ୍ରମ ଏବଂ ପାଠ୍ୟପୁସ୍ତକ ସମୀକ୍ଷା ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ ନିମନ୍ତେ ରାଜ୍ୟ ସରକାର ବିଚାର କରୁଛନ୍ତି ।
ବର୍ତ୍ତମାନର ଜାତୀୟ ଶିକ୍ଷା ନୀତି କେବଳ କ୍ଲାସ୍ ରୁମ୍ ଶିକ୍ଷା ଦାନକୁ ନୁହେଁ ବରଂ ବିବିଧ ଶିକ୍ଷାକୁ ଗୁରୁତ୍ବ ଦେଇଆସୁଛି । ମାତୃଭାଷାରେ ଶିକ୍ଷାଦାନ ସହିତ ବହୁଭାଷା ଶିକ୍ଷାକୁ ଏହି ନୀତି ପ୍ରୋତ୍ସାହିତ କରିବ । ଶିକ୍ଷାଦାନ ଓ ଶିକ୍ଷଣରେ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର କରାଯିବ । ସେଥିପାଇଁ ତୃତୀୟ ଶ୍ରେଣୀ ସୁଦ୍ଧା ସମସ୍ତ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ପ୍ରାଥମିକତା ଦିଆଯିବ । ଏପ୍ରିଲ ୨ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଶିଶୁ ବାଟିକା ଶ୍ରେଣୀ ଓ ପ୍ରଥମ ଶ୍ରେଣୀ ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଦିବସ ପାଳନ କରାଯିବ । ଏଥିପାଇଁ ଯୋଗ୍ୟ ବିବେଚିତ ପରିବାରକୁ ଜିଲ୍ଲା ପ୍ରଶାସନ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଉଛି । ଏହି ଉତ୍ସବକୁ ପ୍ରତ୍ୟେକ ବିଦ୍ୟାଳୟରେ ଚାରି ଦିନବ୍ୟାପୀ ଏକ ଆନନ୍ଦମୟ ପରିବେଶରେ ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
Previous article:https://purvapaksa.com/supreme-court-asks-odisha-govt-to-decide-remission-plea-of-repenting-dara-singh-in-staines-murder-case/
ଦାରା ସିଂହଙ୍କ କ୍ଷମା ଆବେଦନ ନିଷ୍ପତ୍ତି ନେବାକୁ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ


