ରାଜନୀତିରେ ଜିତିବା ପାଇଁ ନେତାମାନେ କେଉଁ ସ୍ତରକୁ ଯାଇପାରନ୍ତି, ତାହା ଆପଣମାନେ ଅନେକ ସମୟରେ ଦେଖିଥିବେ। କିନ୍ତୁ ଯେତେବେଳେ ନିଜର ଭୋଟ୍ ବ୍ୟାଙ୍କ ବଢ଼ାଇବା ପାଇଁ, ନିଜର ରାଜନୈତିକ ସଂଗଠନକୁ ମଜବୁତ କରିବା ପାଇଁ ଓଡ଼ିଆ ଜାତିର ସ୍ୱାଭିମାନ, ଆମର ଅସ୍ମିତା ଏବଂ ପଞ୍ଚସଖାଙ୍କ ଅନ୍ୟତମ ମହାନ ସାଧକ ମହାପୁରୁଷ ବଳରାମ ଦାସଙ୍କ ସାରସ୍ୱତ କୃତି ସହ ଖେଳାଯାଏ… ସେତେବେଳେ ଚୁପ୍ ରହିବା ସବୁଠୁ ବଡ଼ ଅପରାଧ।
ଘଟଣାଟି ହେଉଛି, ପୁରୀର ବେଗୁନିଆ ଗ୍ରାମରେ ଥିବା ମହାପୁରୁଷ ବଳରାମ ଦାସଙ୍କ ସ୍ମୃତିସ୍ଥଳ ବା ସମାଧି ପୀଠର ବିକାଶ ପାଇଁ ସରକାର ₹୨୮ କୋଟି ଟଙ୍କାର ‘ଲକ୍ଷ୍ମୀ ପୁରାଣ କରିଡର’ ଘୋଷଣା କରିଛନ୍ତି। କବିଙ୍କ ସ୍ମୃତିସ୍ଥଳର ବିକାଶ ହେବା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏଥିରେ କାହାରି ଦ୍ୱିମତ ନାହିଁ। କିନ୍ତୁ ଏହା ପଛର ଯେଉଁ ଅସଲ କାହାଣୀ ଆସୁଛି, ତାହା ଅତ୍ୟନ୍ତ ଚିନ୍ତାଜନକ।
ଖବର ମିଳୁଛି କି, ଏହି କରିଡର ସହିତ ରାଜ୍ୟବ୍ୟାପୀ ‘ସଂଶୋଧିତ ଲକ୍ଷ୍ମୀ ପୁରାଣ’ର ପ୍ରାୟ ୧ କୋଟି କପି ବଣ୍ଟନ କରିବା ପାଇଁ ଏକ ବଡ଼ ଅଭିଯାନ ଆରମ୍ଭ ହେଉଛି। ଆଉ ଏଥିପାଇଁ ରାଜ୍ୟ ଗୋଦାମରୁ ଖର୍ଚ୍ଚ ହେବ ପ୍ରାୟ ₹୫୦ କୋଟି ଟଙ୍କା! ଏତିକିରେ କଥା ସରିନି, ଚର୍ଚ୍ଚା ହେଉଛି ଏହି ବିପୁଳ ଟଙ୍କାର କାମ ବି କୁଆଡ଼େ ପ୍ରଭାତୀ ସ୍ୱାମୀଙ୍କ ହାତକୁ ଯାଇପାରେ।
ଏବେ ଆସନ୍ତୁ ବୁଝିବା ଏହି ପୂରା ଖେଳର ଅସଲ କାରଣ କ’ଣ? କାହିଁକି ହଠାତ୍ ଲକ୍ଷ୍ମୀ ପୁରାଣକୁ ନେଇ ଏତେ ବଡ଼ ଯୋଜନା? ଏହା ପଛରେ ରହିଛି ପୁରୀ ନିମାପଡ଼ା ନିର୍ବାଚନ ମଣ୍ଡଳୀର ଭିତରି ରାଜନୀତି।
ଆପଣ ଜାଣନ୍ତି, ନିମାପଡ଼ାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିରୁ ଆସିଥିବା ନେତା ସମୀର ରଞ୍ଜନ ଦାସଙ୍କର ଏକ ବଡ଼ ଦବଦବା ରହିଛି। ଗତ ନିର୍ବାଚନରେ ପ୍ରଭାତୀ ପରିଡ଼ା ସମୀର ଦାସଙ୍କ ସମର୍ଥନ ଏବଂ ତାଙ୍କ ସଂଗଠନ ବଳରେ ହିଁ ନିର୍ବାଚନ ବୈତରଣୀ ପାର ହୋଇପାରିଥିଲେ, ଏ କଥା କାହାକୁ ଅଜଣା ନାହିଁ। କିନ୍ତୁ ନିର୍ବାଚନ ସରିବା ପରେ, ସମୀର ଦାସଙ୍କୁ ଯେଉଁ ସମ୍ମାନ ମିଳିବା କଥା, ତାହା ମିଳିଲାନାହିଁ ବୋଲି ତାଙ୍କ ସମର୍ଥକମାନେ ଖୋଲାଖୋଲି ଅଭିଯୋଗ କରୁଛନ୍ତି। ଫଳରେ ସମୀର ଦାସ ଏବେ ଅସନ୍ତୁଷ୍ଟ ଅଛନ୍ତି।
ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ସମୀର ଦାସଙ୍କର ବିଶେଷ କରି ‘ଗୋପ’ ଅଞ୍ଚଳରେ ସଂଗଠନ ଅତ୍ୟନ୍ତ ମଜବୁତ। ଅପରପକ୍ଷରେ, ସେହି ଅଞ୍ଚଳରେ ପ୍ରଭାତୀଙ୍କର ନିଜସ୍ୱ ସଂଗଠନ ଟିକେ ଦୁର୍ବଳ ଅଛି। ଆଉ ସେଇଥିପାଇଁ, ସମୀର ଦାସଙ୍କ ଉପରୁ ନିର୍ଭରଶୀଳତା କମାଇବା ପାଇଁ ଏବଂ ନିଜର ସଂଗଠନକୁ ସୁଦୃଢ଼ କରିବା ପାଇଁ ପ୍ରଭାତୀ ଏବେ ମହାପୁରୁଷ ବଳରାମ ଦାସଙ୍କ ପୀଠ ଏବଂ ତାଙ୍କ ଦ୍ୱାରା ରଚିତ ପବିତ୍ର ‘ଲକ୍ଷ୍ମୀ ପୁରାଣ’କୁ ନିଜର ରାଜନୈତିକ ଅସ୍ତ୍ର କରିଛନ୍ତି।
କିନ୍ତୁ ଏଠାରେ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି—ନିଜ ସଂଗଠନ ମଜବୁତ କରିବା ଚକ୍କରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଡ଼ିଶାର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବନା ସହ ଖେଳୁନାହାନ୍ତି ତ? ଆପଣ ନିଜ ଦଳ ବିଜେପିକୁ ପ୍ରଥମ ପାଳିରୁ ହିଁ ଏକ ବଡ଼ ବିପଦ ଆଡ଼କୁ ଟାଣି ନେଉନାହାନ୍ତି ତ?
ଆପଣ ଭାବୁଥିବେ ବିପଦ କ’ଣ? ବିପଦ ହେଉଛି—”ସଂଶୋଧିତ ଲକ୍ଷ୍ମୀ ପୁରାଣ”
“ପିଲାଙ୍କ ପାଠ୍ୟପୁସ୍ତକରେ ଭୁଲ୍ କରି ସିନା ଭୁଲ୍ରେ ହୋଇଗଲା କହି ଖସିଗଲ, କିନ୍ତୁ ମହାପୁରୁଷ ବଳରାମ ଦାସଙ୍କ ଲିଖିତ ‘ଲକ୍ଷ୍ମୀ ପୁରାଣ’କୁ ସଂଶୋଧନ କରିବାକୁ ସାହସ ଦେଲା କିଏ? ବଳରାମ ଦାସଙ୍କ ଲେଖାକୁ କାଟିବା ବା ତାକୁ ନିଜ ହିସାବରେ ଏଡିଟ୍ କରିବା, ତା’ର ସଂସ୍କରଣ ବଦଳାଇବା ପାଇଁ ଆଜିର ସମୟରେ କାହାର ସାହସ ବା ସାମର୍ଥ୍ୟ ଅଛି?”
ବଳରାମ ଦାସ ସେତେବେଳର ସାମାଜିକ ପରିସ୍ଥିତି, ଜାତିପ୍ରଥା ବିରୁଦ୍ଧରେ ସ୍ୱର ଏବଂ ମହାପ୍ରଭୁଙ୍କ ଲୀଳାକୁ ନଜରରେ ରଖି ଲକ୍ଷ୍ମୀ ପୁରାଣ ରଚନା କରିଥିଲେ। ତାହା ଓଡ଼ିଶାର ପ୍ରତିଟି ଘରର ଏକ ପବିତ୍ର ଗ୍ରନ୍ଥ। ଆଜି ସମାଜ ବଦଳି ସାରିଛି ସତ, କିନ୍ତୁ ଏହି ବଦଳିଯାଇଥିବା ସମାଜର କୌଣସି ଆଧୁନିକ କବି କିମ୍ବା ନେତା କ’ଣ ସେ ସମୟର ଚିତ୍ରକୁ ବଦଳାଇ ପାରିବେ? ଆଉ ଯଦି ନିଜ ରାଜନୈତିକ ଫାଇଦା ପାଇଁ ଆପଣ ଲକ୍ଷ୍ମୀ ପୁରାଣର ଶବ୍ଦ କିମ୍ବା ଭାବକୁ ବଦଳାଇ ସଂଶୋଧିତ ବହି ବାଣ୍ଟିବେ, ତେବେ ଓଡ଼ିଶାର ସଂସ୍କୃତିପ୍ରେମୀ ଜନସାଧାରଣ କ’ଣ ଏହାକୁ କେବେ ଗ୍ରହଣ କରିବେ?
ଆଜିର ବିଜେପି ନେତାମାନଙ୍କର ଦମ୍ ଅଛି କି ସନ୍ଥ ତୁଳସୀ ଦାସ ଲେଖିଥିବା ରାମାୟଣକୁ ପରିବର୍ତ୍ତନ କିମ୍ବା ସଂଶୋଧନ କରିପାରିବେ କି?
ସଂସ୍କୃତିର ବିକାଶ ନାଁରେ ଭୋଟ୍ର ଖେଳ ବନ୍ଦ ହେବା ଦରକାର। ବଳରାମ ଦାସଙ୍କ ସ୍ମୃତିର ସମ୍ମାନ ହେଉ, ସେଥିରେ ଆମର ପୂର୍ଣ୍ଣ ସମର୍ଥନ ଅଛି। କିନ୍ତୁ ସାହିତ୍ୟ ଏବଂ ଧାର୍ମିକ ଭାବନାକୁ ରାଜନୈତିକ ଅସ୍ତ୍ର କରି ଓଡ଼ିଆ ଅସ୍ମିତାକୁ ଆଘାତ ଦେବା ଅତ୍ୟନ୍ତ ନିନ୍ଦନୀୟ।
AlsoRead; https://purvapaksa.com/tiger-scare-in-odisha-video-goes-viral/
ଓଡ଼ିଶାରେ ବାଘ ଭୟ: ଭିଡିଓ ଭାଇରାଲ || Tiger scare in Odisha: Video goes viral


