- ରାଜ୍ୟ ସରକାରଙ୍କୁ ଦେଲା ପ୍ରସ୍ତାବ
- ଶିଳ୍ପ ଓ ଅର୍ଥନୈତିକ ବିକାଶ ହେବ
ରାଜ୍ୟରେ ବନ୍ଦର ଓ ଖଣି ପ୍ରକଳ୍ପ ହାତେଇବା ପରେ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଆଦାନୀ ଗ୍ରୁପ୍ ରାଜ୍ୟରେ ଆଉ ଏକ ବଡ଼ ପ୍ରକଳ୍ପ କରିବାକୁ ଯୋଜନା ରଖିଛି। ରାଜ୍ୟରେ ଗୋପାଳପୁର-ରାୟଗଡ଼ା-ଜୟପୁର ଅର୍ଥନୈତିକ କରିଡର ବିକାଶ କରିବାକୁ ଏହା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। କମ୍ପାନୀ ଏଭଳି ଏକ ସମୟରେ ଏହି ପ୍ରସ୍ତାବ ଦେଇଛି ଯେତେବେଳେ ଗାନ୍ଧମାର୍ଦ୍ଦନ ପର୍ବତରେ ଏହାର କାର୍ଯ୍ୟକଳାପକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହାସହିତ ଓଡ଼ିଶାରେ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଆମେରିକୀୟ ଅଦାଲତଙ୍କ ଅଭିଯୋଗ ସତ୍ତ୍ୱେ ଏଭଳି ଏକ ସମୟରେ ଗୋପାଳପୁର-ରାୟଗଡ଼ା-ଜୟପୁର ପ୍ରକଳ୍ପ ଆଦାନୀ କରିବାକୁ ଯାଉଥିବା ଜଣାପଡ଼ିବା ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଦାନୀ କାହିଁକି? କୌଣସି ସ୍ଥାନୀୟ ସଂସ୍ଥାକୁ କାହିଁକି ନୁହେଁ? ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ପ୍ରଶ୍ନ କରିଛନ୍ତି।
କମ୍ପାନୀ ପକ୍ଷରୁ ଗତ ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ଅର୍ଥନୈତିକ କରିଡର ବିକାଶ କରିବା ପ୍ରସ୍ତାବ ଦିଆଯାଇଛି। ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍ର ନେତୃତ୍ବ ନେଉଥିବା ଗୌତମ ଆଦାନୀଙ୍କ ପୁଅ କରନ ଆଦାନୀ ଏହି ଚିଠି ଲେଖିଛନ୍ତି। ପିଏମ୍ ଗତିଶକ୍ତି ଯୋଜନା ଅଧୀନରେ କମ୍ପାନୀ ଏହି ପ୍ରକଳ୍ପ କରିବାକୁ ଚାହୁଛି। ତାହାକୁ ଗଠନ, ମାଲିକାନା, ପରିଚାଳନା ଓ ହସ୍ତାନ୍ତର ମଡେଲ୍ରେ ବିକାଶ କରାଯିବ। ଏହି କରିଡର୍ରେ କମ୍ପାନୀ ସଡ଼କ, ରେଳପଥ, ପାଇପ୍ଲାଇନ୍ ଓ ୟୁଟିଲିଟିର ବ୍ୟବସ୍ଥା କରିବ। ଛଅ ଲେନ୍ ବିଶିଷ୍ଟ ସଡ଼କ ଓ ଦୁଇ ଲାଇନ୍ ବିଶିଷ୍ଟ ରେଳପଥ ଭଳି ବଡ଼ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ବିକାଶ କରାଯିବ। ରାଜ୍ୟର ବିକାଶ ଲାଗି ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟ ଭିତରେ ଶେଷ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କମ୍ପାନୀ ସରକାରଙ୍କୁ ଜଣାଇ ଦେଇଛି।
ପ୍ରକଳ୍ପ ହେଲେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ସମେତ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ଭାଗରେ ଥିବା ଅଞ୍ଚଳଗୁଡ଼ିକରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ଉପକୃତ ହେବେ। ଗଞ୍ଜାମ ଓ ଜୟପୁର ମଧ୍ୟରେ ଯାତାୟାତ ସମୟ ୯ ଘଣ୍ଟାରୁ ସାଢ଼େ ତିନି ଘଣ୍ଟାକୁ ହ୍ରାସ ପାଇବ। ଦ୍ରୁତ ଗତିରେ ପଣ୍ୟ ପରିବହନ ହୋଇପାରିବ, ଯାହାର ପ୍ରଭାବରେ ଏହି ଅଞ୍ଚଳରେ ଶିଳ୍ପ ଓ ଅର୍ଥନୈତିକ ବିକାଶ ହୋଇପାରିବ ବୋଲି କମ୍ପାନୀ କହିଛି। ଓଡ଼ିଶାରେ ଆଦାନୀ ଗ୍ରୁପ୍ ଅଧୀନରେ ଧାମରା ବନ୍ଦର ଥିବା ବେଳେ ନିକଟରେ ଏହା ଗୋପାଳପୁର ବନ୍ଦରକୁ ଅଧିଗ୍ରହଣ କରିଛି। ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଏହାର ତଲାବିରା କୋଇଲା ଖଣି ରହିଛି। ଆଲୁମିନିୟମ କାରଖାନା ସ୍ଥାପନ କରିବା ଲାଗି କମ୍ପାନୀ ନିକଟରେ କୁଟ୍ରୁମାଳି ବକ୍ସାଇଟ ଖଣିକୁ ହାସଲ କରିଛି।
ପ୍ରମୋଟରମାନଙ୍କ ସହ ପ୍ରାରମ୍ଭିକ ପର୍ଯ୍ୟାୟ ଆଲୋଚନା ପରେ ସିଏମଓ ଏହି ପ୍ରସ୍ତାବ ପାଇଥିବା ଜଣେ ବରିଷ୍ଠ ଅଧିକାରୀ ନିଶ୍ଚିତ କରିଛନ୍ତି। ଇଡ଼କୋକୁ ଏକ ବିଶ୍ୱସ୍ତରୀୟ ପରାମର୍ଶଦାତା ସଂସ୍ଥାକୁ ସାମିଲ କରି ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ଡିପିଆର୍ ପ୍ରସ୍ତୁତ ହେବା ପରେ ଆମେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଆରମ୍ଭ କରିବୁ। ଏହାକୁ ବୁଟ୍ ଅଧୀନରେ ନିଆଯିବ ନା ଆଂଶିକ ବୁଟ୍ ଅଧୀନରେ ନିଆଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ତେବେ ଏଥିରେ ଘରୋଇ ସଂସ୍ଥା ବ୍ୟତୀତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଞ୍ଜିନିବେଶ କରାଯିବ।
ଗତ ମାସରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପିଏମ୍ ଗତି ଶକ୍ତି ଯୋଜନାରେ ବିକଶିତ ହେବାକୁ ଥିବା ଏହି ପ୍ରସ୍ତାବିତ ଅର୍ଥନୈତିକ କରିଡର ସମ୍ପର୍କରେ ସୂଚନା ଦେଇଥିଲେ। ଏହି ପ୍ରକଳ୍ପ ଅଧୀନରେ ଗୋପାଳପୁର ବନ୍ଦରରୁ ଜୟପୁର ସହର ପର୍ଯ୍ୟନ୍ତ ରାଜ୍ୟର ଖଣି ଅଞ୍ଚଳ, ବନ୍ଦର ଓ ଶିଳ୍ପାଞ୍ଚଳକୁ ସଂଯୋଗ କରି ଏକ ହାଇସ୍ପିଡ୍ ସଡ଼କ ନେଟୱାର୍କ ବିକଶିତ କରାଯିବ। ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସମାନ ଢଙ୍ଗରେ ସଡ଼କ ଯୋଗାଯୋଗ ପାଇଁ ଯୋଜନା କରାଯାଉଛି। ଏହି କରିଡର ଅର୍ଥନୈତିକ କାର୍ଯ୍ୟକଳାପକୁ ଖୋଲିବ ଏବଂ ବର୍ତ୍ତମାନ ଭାଇଜାଗ ବନ୍ଦର ଉପରେ ନିର୍ଭରଶୀଳ ଶିଳ୍ପର ପରିବହନ ଏବଂ ଲଜିଷ୍ଟିକ୍ ଆବଶ୍ୟକତାକୁ ଦୂର କରି ଦକ୍ଷିଣ-ପଶ୍ଚିମ ଜିଲ୍ଲାଗୁଡିକରେ ବିକାଶର ଏକ ନୂତନ ଯୁଗ ଆରମ୍ଭ କରିବ ବୋଲି ସୂତ୍ରରୁ ପ୍ରକାଶ।
previous article: https://purvapaksa.com/asos-job-sale-issue-assembly-adjourned/
