ରହିଛି ଅତ୍ୟାଧୁନିକ ବ୍ୟବସ୍ଥା
୮ ବ୍ୟାଡମିଣ୍ଟନ କୋର୍ଟ, ୫୦୦ ଦର୍ଶକଙ୍କ ପାଇଁ ଗ୍ୟାଲେରୀ
ଜିମ୍ନାସିୟମ, ମେଡିକାଲ, ଫିଜିଓଥେରାପି ସେଣ୍ଟର
ରହିଛି ଅଲିମ୍ପିକ୍ସ ଭଳି ବଡ଼ ପ୍ରତିଯୋଗିତା ଆୟୋଜନ କରିବାର କ୍ଷମତା
୬୬୦୦ ବର୍ଗଫୁଟ୍ ପରିମିତ ଜମିରେ ନିର୍ମାଣ ହୋଇଛି ଷ୍ଟାଡ଼ିୟମ୍
କଟକ-ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥରେ ଯାତାୟତ ସମୟରେ ଏକ ସୁଉଚ୍ଚ ଅଟାଳିକା ହଠାତ୍ ନଜରକୁ ଆସେ। ହଳଦିଆ ରଙ୍ଗର ଏହି ଗୋଲାକୃତି ବିଲ୍ଡିଂ ଦେଖଣାହାରୀଙ୍କ ମନରେ ପଶ୍ନ ଶୃଷ୍ଟି କରେ, ଏତେ ସୁନ୍ଦର ଘରଟି କାହାର? ରାତିରେ ଏହି ଅଟ୍ଟାଳିକାଟି ଆଲୋକମାଳାରେ ଝଲସି ଉଠେ। ସତେ ଯେପରୀ ଅଟ୍ଟାଳିକାର ଛାତ ଉପରେ ଜଳୁଥିବା ଲାଇଟ୍ ଆକାଶକୁ ରଙ୍ଗୀନ କରିଦେବା ଭଳି ମନେ ହୁଏ। ଗତ କିଛି ମାସ ହେଲା ଏହି ବିଶାଳ ଅଟ୍ଟାଳିକାଟି ଭୁବନେଶ୍ୱରବାସୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସୋସିଆଲ ମିଡ଼ିଆରେ ଏହି ବିଲ୍ଡିଂ ବେଶ ଭାଇରାଲ ହେଉଛି। ଯୁବ ପିଢୀ ସେଲ୍ଫି ପାଇଁ ଭିଡ଼ ଜମାଉଛନ୍ତି। ଆପଣମାନେ ଏହି ବିଲ୍ଡିଂ ବିଷୟରେ ଯାଣିଲେ ଚକିତ ହେବେ ନିଶ୍ଚୟଁ। ଏହି ଅଟ୍ଟାଳିକାଟି ଅସଲରେ ଏକ ଇନ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡ଼ିୟମ୍। ଏଠାରେ ଅଲିମ୍ପିକ୍ସ ଭଳି ବିଶ୍ୱର ସର୍ବବୃହତ୍ ପ୍ରତିଯୋଗିତାର ବ୍ୟାଡମିଣ୍ଟନ ଇଭେଣ୍ଟ ଆୟୋଜନ ହୋଇପାରିବ। ବର୍ତ୍ତମାନ ଏସିଆ ମହାଦେଶରେ ଏତେ ବଡ଼ ବ୍ୟାଡମିଣ୍ଟନ ଇନ୍ଡୋର ଷ୍ଟାଡ଼ିୟମ୍ ନାହିଁ।
ଓଡ଼ିଶାକୁ ଭାରତର କ୍ରୀଡ଼ା ରାଜଧାନୀଭାବେ ଗଢ଼ିତୋଳିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନା କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ଭୁବେନଶ୍ୱରଠୁ ଆରମ୍ଭ କରି ରାଉରକେଲା ଓ ସବୁ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମୀ ପ୍ରସ୍ତୁତ କରାଯାଇଥିଲା। ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମ୍ ଭଳି ଏହି ବ୍ୟାଡମିଣ୍ଟନ ଷ୍ଟାଡ଼ିୟମ ମଧ୍ୟ ଏକ ଅନନ୍ୟ କଳାକୃତି କହିଲେ ଭୁଲ ହେବନାହିଁ।
ହକି, ଫୁଟ୍ବଲ ଭଳି ବ୍ୟାଡ଼ମିଣ୍ଟନକୁ ମଧ୍ୟ ନବୀନ ସରକାର ପ୍ରୋତ୍ସାହନ ଯୋଗାଇ ଦେଇଥିଲେ। ଓଡ଼ିଶାରେ ବ୍ୟାଡ଼ମିଣ୍ଟନ କ୍ରୀଡ଼ାର ବିକାଶ, ପ୍ରତିଭାବାନ ଖେଳାଳି ସୃଷ୍ଟି ଏବଂ ସେମାନଙ୍କ ଅଭ୍ୟାସ ପାଇଁ ବିଶ୍ୱ ସ୍ତରୀୟ ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକ ବ୍ୟାଡ଼ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି) ନିର୍ମାଣ କରାଯାଇଥିଲା। ୨୦୧୮ ନଭେମ୍ବର ମାସରେ ପୁଲେଲା ଗୋପିଚାନ୍ଦ ବ୍ୟାଡ଼ମିଣ୍ଟନ ଫାଉଣ୍ଡେସନ୍ (ପିଜିବିଏଫ୍) ଏବଂ ଡାଲମିଆ ଭାରତ ଗ୍ରୁପ ସହ ଚୁକ୍ତି ସ୍ୱାକ୍ଷର କରିଥିଲେ। ଗତ ୨୦୧୯ ଫେବୃଆରୀ ମାସରେ ଏଚ୍ପିସିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ରାଜ୍ୟ ସରକାର ଏହି ବ୍ୟାଡମିଣ୍ଟନ ସେଣ୍ଟର ନିର୍ମାଣ ପାଇଁ ୩.୦୪ ଏକରରୁ ଉର୍ଦ୍ଧ୍ୱ ଜମି ପ୍ରଦାନ କରିଥିଲେ।
ବିଲ୍ଡିଂର ଡିଜାଇନ୍
ବ୍ୟାଡମିଣ୍ଟନ ଷ୍ଟାଡ଼ିୟମ୍ ଓ ଏହାର ହାଇ ପରଫର୍ମାନ୍ସ ସେଣ୍ଟର ଡିଜାଇନ୍ ଠିକ୍ ବ୍ୟାଡମିଣ୍ଟନ ସଟଲ୍ କକ୍(କର୍କ) ଭଳି। ଏକାଡେମୀ ଓ ହାଇପର୍ଫର୍ମାନ୍ସ ସେଣ୍ଟର ନିର୍ମାଣ ପାଇଁ ସରକାର ୫୫କୋଟି ଟଙ୍କା ପ୍ରଦାନ କରିଛନ୍ତି। ୬୬,୦୦୦ ବର୍ଗ ଫୁଟ୍ ଜମି ଉପରେ ଏକାଡେମୀର ବଲ୍ଡିଂ ନିର୍ମାଣରେ ବ୍ୟବହାର କରାଯାଇଛି।
ଏକାଡେମୀରେ ରହିଛି ବିଶ୍ୱ ସ୍ତରୀୟ ପ୍ରଶିକ୍ଷଣ ବ୍ୟବସ୍ଥା। ପ୍ରସିଦ୍ଧ ବ୍ୟାଡମିଣ୍ଟନ କୋଚ୍ ପୁଲେଲା ଗୋପିଚାନ୍ଦଙ୍କ ଉପରେ ପ୍ରଶିକ୍ଷଣର ସମସ୍ତ ଦାୟିତ୍ୱ ନ୍ୟସ୍ତ ରହିଛି।
ଏକାଡ଼େମୀ ମଧ୍ୟରେ ୧୦ଟି ବ୍ୟାଡମିଣ୍ଟନ କୋର୍ଟ ରଖିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ବ୍ୟବସ୍ଥା ହୋଇଥିଲା। କିନ୍ତୁ ୮ଟି କୋର୍ଟରେ ସୀମିତ ରହିଛି। ଫଳରେ ଦର୍ଶକ ସିଟ୍ ବୃଦ୍ଧି ହୋଇପାରିଛି। ଅଲିମ୍ପିକ୍ସ ଭଳି ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଭଳି ଏହି ଏକାଡ଼େମୀରେ କ୍ଷମତା ରହିଛି।
ପ୍ରଶିକ୍ଷାର୍ଥୀ ଓ ଟୁର୍ଣ୍ଣାମେଣ୍ଟର ପ୍ରତିଯୋଗୀମାନଙ୍କ ପାଇଁ ଅତ୍ୟାଧୁନିକ କ୍ରୀଡ଼ା ଉପକରଣ ରହିଛି। ଏକାଡ଼େମୀ ଗୃହର ଡିଜାଇନ୍ ବିଶ୍ୱର ଅନ୍ୟ ସମସ୍ତ ଏକାଡ଼େମୀର ଡିଜାଇନ୍ ତୁଳନାରେ ଉନ୍ନତ ଓ ସ୍ୱତନ୍ତ୍ର । ଏକାଡ଼େମୀର ବିଲ୍ଡିଂକୁ ବ୍ୟାଡମିଣ୍ଟନ କର୍କ ବା ମୁଣ୍ଡ ସଦୃଶ ରୂପପ୍ରଦାନ କରାଯାଇଛି । ଦୂରରୁ ଦେଖିଲେ ଏକ ଭାସମାନ ବ୍ୟାଡ଼ମିଣ୍ଟନ ସଟଲ୍ ଭଳି ଏହି ବିଲ୍ଡିଂ ଦୃଶ୍ୟମାନ ହେଉଛି।
ସମ୍ପୂର୍ଣ୍ଣ ଗୋଲାକୃତି ଏହି ଏକାଡ଼େମୀର ତଳ ମହଲାରେ ରିସିପସନ ହଲ୍, ଅତି କମରେ ୨୦ଜଣ ବସିପାରିବା ଭଳି କାଫେଟେରିଆ, ଜିମ୍ନାସିୟମ ଓ ଯୋଗ ରୁମ୍, ମେଡିକାଲ୍ ସେଣ୍ଟର ଆଦି ରହିଛି। ଏହା ବ୍ୟତୀତ ତଳ ମହଲାରେ ଏକ ଡାଇନିଂ ହଲ୍ ମଧ୍ୟ ରହିଛି। ଏହି ଡାଇନିଂ ହଲରେ ଏକସଙ୍ଗେ ୪୦ଜଣ ଖେଳାଳି ଓ ୨୦ ଜଣ ସଦସ୍ୟ ବସି ପାରିବେ । ଡାଇନିଂ ନିକଟରେ ଏକ ଲାଇବ୍ରେରୀ ଗୃହ ମଧ୍ୟ ନିର୍ମାଣ କରାଯାଇଛି। ପ୍ରଥମ ମହଲରେ ୮ଟି ବ୍ୟାଡମିଣ୍ଟନ କୋର୍ଟ ସହ ୫୦୦ ଦର୍ଶକ ବସି ଖେଳ ଦେଖିବା ଭଳି ଗ୍ୟାଲେରୀ ରହିଛି। ଏହା ବ୍ୟତୀତ ଏକାଡ଼େମୀ ମଧ୍ୟରେ ମୁଖ୍ୟ କାର୍ଯ୍ୟାଳୟ, ଖେଳାଳି କକ୍ଷ(ଡ୍ରେସିଂ ରୁମ୍), ଆଲୋଚନା କକ୍ଷ, କୋଚ କ୍ୟାବିନ ଆଦି ରହିଛି।
ସମ୍ପୂର୍ଣ୍ଣ ବିଲ୍ଡିଂ ଗୋଲାକାର ଆକୃତି ହୋଇଥିବାରୁ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଏକାଡ଼େମୀ ବିଶେଷ କ୍ଷତି ହେବ ନାହିଁ। ଗୋଲାକାର ଗ୍ୟାଲେରୀରେ ଅଧିକ ସଂଖ୍ୟକ ଦର୍ଶକ ବସି ଖେଳ ଦେଖିପାରିବେ । ଦର୍ଶକ ଓ ଖେଳାଳିଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରବେଶ ପଥ ନିର୍ମାଣ କରାଯାଇଛି । ଯାହା ଫଳରେ ଦର୍ଶକ ଓ ଖେଳାଳିମାନଙ୍କ ମଧ୍ୟରେ ସିଧା ସଳଖ ସାକ୍ଷାତ ହୋଇପାରିବ ନାହିଁ କି ଦର୍ଶକ ଗହଳିରେ ଖେଳାଳିମାନେ ଅସୁବିଧା ଭୋଗିବେ ନାହିଁ। ଖେଳାଳିମାନେ ସିଧା ପ୍ରଥମ ମହଲାକୁ ଯିବା ପାଇଁ ଏକ ଫୁଟ୍ ଓଭରବ୍ରିଜ ନିର୍ମାଣ କରାଯାଇଛି।
ଏକାଡେମୀ ଗୃହ ବ୍ୟତୀତ ହଷ୍ଟେଲ ପାଇଁ ସ୍ୱତନ୍ତ୍ର ବିଲ୍ଡିଂ ନିର୍ମଣ କରାଯାଇଛି। ହଷ୍ଟେଲରୁ ସିଧା ଏକାଡେମୀକୁ ଏହି ଫୁଟ୍ ଓଭରବ୍ରିଜ୍ ସଂଯୋଗ କରୁଛି। ହଷ୍ଟେଲର ତଳ ମହଲାରେ ୨୦ଜଣ ପୁରୁଷ ପ୍ରଶିକ୍ଷାର୍ଥୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରଥମ ମହଲାରେ ୮ଜଣ କୋଚଙ୍କ ପାଇଁ ସ୍ୱତନ୍ତ୍ର କକ୍ଷ ରହିଛି। ସେହିପରି ଦ୍ୱିତୀୟ ମହଲାରେ ୨୦ଜଣ ମହିଳା ପ୍ରଶିକ୍ଷାର୍ଥୀ ରହିବେ । ତୃତୀୟ ମହଲାରେ ଅଫିସ ଓ ଅତିଥିଙ୍କ ପାଇଁ ସ୍ୱତନ୍ତ୍ର କକ୍ଷ ରହିଛି। ପ୍ରତି ମହଲାରେ ଅତିରିକ୍ତ କକ୍ଷ ରଖାଯାଇଛି। ଖେଳାଳି ଓ କୋଚଙ୍କ ମଧ୍ୟରେ ଆଲୋଚନା ଓ ଅନ୍ୟାନ୍ୟା କାର୍ଯ୍ୟରେ ଏହି କକ୍ଷ ବ୍ୟବହାର କରାଯିବ ।
previous article: https://purvapaksa.com/evm-the-target-of-blame-for-failures/