- ଲୁନା ନଦୀ ଶଯ୍ୟା ଜବରଦଖଲ
- ୧୮ ଏକର ଜମିରେ ହୋଇଛି ବେଆଇନ ନିର୍ମାଣ
ଓଡ଼ିଶା ସରକାରଙ୍କୁ ଏନଜିଟି ଛାଟ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ତହସିଲ ଅନ୍ତର୍ଗତ ବଡ଼ପାଳସ୍ଥିତ ଲୁନା ନଦୀ କୂଳରେ ୧୮ ଏକର ଜମିରେ ଲଗାତାର ଜବରଦଖଲ ହୋଇଥିବା ନେଇ ହୋଇଥିବା ଏକ ମାମଲାର ଶୁଣାଣି କରି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନଜିଟି) ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। କୋଲକାତାସ୍ଥିତ ଏନଜିଟିର ପୂର୍ବାଞ୍ଚଳ ଖଣ୍ଡପୀଠ ଓଡ଼ିଶାର ମୁଖ୍ୟ ଶାସନ ସଚିବ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ସଚିବ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ମାର୍ଶାଘାଇ ତହସିଲଦାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଟ୍ରିବ୍ୟୁନାଲ୍ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି)ର ସଦସ୍ୟ ସଚିବ ଏବଂ ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ (ଏସ୍ଇଆଇଏଏ)ର ସଦସ୍ୟ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି।
ଚଣ୍ଡୀଖୋଲରୁ ପାରାଦୀପ ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ନିୟୋଜିତ ଝାଡ଼ଖଣ୍ଡର ଏକ ଘରୋଇ ନିର୍ମାଣ କମ୍ପାନୀ ସାଇଟ୍ କ୍ୟାମ୍ପ ଓ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରରେ ଜବରଦଖଲ କରିଥିବା ଅଭିଯୋଗରେ ସ୍ଥାନୀୟ ବାସିନ୍ଦା ଅଳୟ ସାମନ୍ତରାୟ ଏନେଇ ଏନଜିଟିରେ ପିଟିସନ୍ ଦାଖଲ କରିଛନ୍ତି। ଗତ ନଭେମ୍ବର ୨୭ ତାରିଖରେ ମାମଲାର ଶୁଣାଣି ବେଳେ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଓ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶୁତୋଷ ପାଢ଼ୀ ଭର୍ଚୁଆଲ ମୋଡରେ ଅଭିଯୋଗ କରିଥିଲେ ଯେ ଜବରଦଖଲ ନଦୀକୂଳ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ସହ ଲୁନା ନଦୀର ନିରନ୍ତର ପ୍ରବାହ ପ୍ରତି ବିପଦ ସୃଷ୍ଟି କରିଛି।
ଆବେଦନକାରୀଙ୍କ ଓକିଲଙ୍କ ଯୁକ୍ତିକୁ ବିଚାରକୁ ନେଇ ବି ଅମିତ ସ୍ଥାଲେକର (ନ୍ୟାୟିକ ସଦସ୍ୟ) ଏବଂ ଅରୁଣ କୁମାର ବର୍ମା (ବିଶେଷଜ୍ଞ ସଦସ୍ୟ)ଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ସପ୍ତାହ ମଧ୍ୟରେ ପ୍ରତିପକ୍ଷଙ୍କ ଠାରୁ ଜବାବ ମାଗିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ଜାନୁଆରି ୨୭ ତାରିଖ ଧାର୍ଯ୍ୟ କରିଛନ୍ତି।ଜଳସମ୍ପଦ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଓ ମାର୍ଶାଘାଇ ତହସିଲଦାରଙ୍କ ବିନା ଅନୁମତିରେ କମ୍ପାନୀ ବେଆଇନ ଭାବେ ଲୁନା ନଦୀର ବନ୍ୟା ପ୍ଲାବିତ ସ୍ଥାନକୁ ଜବରଦଖଲ କରି ୧୮ ଏକରରୁ ଅଧିକ ବିସ୍ତୃତ ନଦୀ ଶଯ୍ୟା ଅଞ୍ଚଳରେ ବିଭିନ୍ନ ବେଆଇନ ନିର୍ମାଣ କରିଥିବା ଅଭିଯୋଗ ହୋଇଛି।
ବଡ଼ପାଳ ନିକଟରେ ଥିବା ନଦୀ ପତନରୁ ବେଆଇନ ଭାବେ ବାଲି ଉତ୍ତୋଳନ, ଶ୍ରମିକ କୁଡ଼ିଆ, ସାମଗ୍ରୀ ଷ୍ଟକ୍ ୟାର୍ଡ, କ୍ୟାମ୍ପ ଅଫିସ ଓ ଗାଡ଼ି, ଯନ୍ତ୍ରପାତି ପାର୍କିଂ ଆଦି ବେଆଇନ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। ଆରଟିଆଇ ଆବେଦନ ଜରିଆରେ ମିଳିଥିବା ତଥ୍ୟ ଆଧାରରେ ମଧ୍ୟ ଅଭିଯୋଗ ହୋଇଛି ଯେ ନିର୍ମାଣ କମ୍ପାନୀକୁ ପ୍ରତିଷ୍ଠା ପାଇଁ ସମ୍ମତି (ସିଟିଇ) କିମ୍ବା କାର୍ଯ୍ୟ ପାଇଁ ସମ୍ମତି (ସିଟିଓ) ପ୍ରଦାନ କରାଯାଇନାହିଁ।
previous article: https://purvapaksa.com/president-of-india-to-visit-odisha-from-today/


