K-4 missile : ଆଇଏନ୍ଏସ୍ ଅରିଘାତଠାରୁ ୩,୫୦୦ କିଲୋମିଟର ଦୂରତା ବିଶିଷ୍ଟ କେ-୪ କ୍ଷେପଣାସ୍ତ୍ରର ଏହା ଥିଲା ପ୍ରଥମ ପରୀକ୍ଷଣ। ଅଗଷ୍ଟ ମାସରେ ଏହି ବୁଡ଼ାଜାହାଜକୁ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା।
ଆଇଏନ୍ଏସ୍ ଅରିଘାତରୁ ହେଲା ପରୀକ୍ଷଣ
ପରମାଣୁ କ୍ଷମତାସମ୍ପନ୍ନ ବାଲିଷ୍ଟିକ କ୍ଷେପଣାସ୍ତ୍ର କେ-୪କୁ ସଫଳତାର ସହ ପରୀକ୍ଷା କରିଛି ଭାରତ। ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିଘାତଠାରୁ ଭାରତ ୩,୫୦୦ କିଲୋମିଟର ଆକ୍ରମଣ ପାଇଁ ଡିଜାଇନ୍ ହୋଇଥିବା ପରମାଣୁ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜ-ପ୍ରକ୍ଷେପିତ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର (ଏସ୍ଏଲବିଏମ)ର ପରୀକ୍ଷଣ କରିଛି। ୩୫୦୦ କିଲୋମିଟର ଦୂରତା ବିଶିଷ୍ଟ କେ-୪ କ୍ଷେପଣାସ୍ତ୍ରର ଏହା ଥିଲା ପ୍ରଥମ ପରୀକ୍ଷଣ। ଅଗଷ୍ଟ ମାସରେ ଏହି ବୁଡ଼ାଜାହାଜକୁ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା। ଗତକାଲି ଠୁ ଆସନ୍ତା ୩୦ ତାରିଖ ମଧ୍ୟରେ ୩୪୯୦ କିଲୋମିଟର ଉଡ଼ାଣ କରିଡରରେ ମଧ୍ୟମ ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଭାରତ ନୋଟିସ୍ ଟୁ ଏୟାରମ୍ୟାନ୍ (ନୋଟାମ୍) ଜାରି କରିବା ସହ ସାର୍ବଜନୀନ ଚେତାବନୀ ଦେଇଥିଲା। ଆଣବିକ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ ଆଇଏନଏସ ଅରିଘାତ ସୂତ୍ରରୁ ପ୍ରକାଶ ଯେ ବିଶାଖାପାଟଣା ଉପକୂଳରେ ହୋଇଥିବା ଏହି ପରୀକ୍ଷଣରେ କେ-୪ କ୍ଷେପଣାସ୍ତ୍ର ଏକ କଠିନ ଇନ୍ଧନ ଯୁକ୍ତ ଏସଏଲବିଏମ ସାମିଲ ଥିଲା ।
ଅଗଷ୍ଟରେ ଭାରତୀୟ ନୌସେନାରେ ସାମିଲ ହୋଇଥିବା ଆଇଏନଏସ ଅରିଘାତରୁ କେ-୪ କ୍ଷେପଣାସ୍ତ୍ରର ଏହା ହେଉଛି ପ୍ରଥମ ପରୀକ୍ଷଣ । ଗତ କିଛିବର୍ଷ ଧରି କେ-୪ କୁ କେବଳ ସବମାରିସବଲ ପୋଟୁନସରୁ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ର ଏହାର ପରୀକ୍ଷଣ ମାନଦଣ୍ଡ ଓ ଉଦ୍ଦେଶ୍ୟକୁ ସଫଳତାର ସହ ପୂରଣ କରିଛି କି ନାହିଁ ତାହା ଜାଣିବା ପାଇଁ ପରୀକ୍ଷଣ ଫଳାଫଳର ବିସ୍ତୃତ ବିଶ୍ଳେଷଣ ଏବେ ଚାଲୁ ରହିଛି।
ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ କେ-୪ କ୍ଷେପଣାସ୍ତ୍ରକୁ ଦେଶର ଆଣବିକ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜଗୁଡ଼ିକୁ ସଶସ୍ତ୍ର କରିବା ପାଇଁ ବିକଶିତ କରାଯାଇଛି। ଆମେରିକା, ରୁଷିଆ ଓ ଚାଇନା ଭଳି ଦେଶରେ ୫ହଜାର କିଲୋମିଟରରୁ ଅଧିକ ରେଞ୍ଜ ଏସଏଲବିଏମ ରହିଛି । ୬,୦୦୦ ଟନ୍ ଓଜନ ବିଶିଷ୍ଟ ଆଇଏନ୍ଏସ୍ ଅରିଘାତ ହେଉଛି ଭାରତର ଅତ୍ୟାଧୁନିକ ଆଣବିକ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ, ଯାହା ଦେଶର ଦ୍ୱିତୀୟ ଆକ୍ରମଣ କ୍ଷମତାକୁ ସୁଦୃଢ଼ କରିବ। ୨୦୧୬ରେ କାର୍ଯ୍ୟକ୍ଷମ ହୋଇଥିବା ପ୍ରଥମ ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ ଆଇଏନଏସ ଅରିହନ୍ତରେ ମାତ୍ର ୭୫୦ କିଲୋମିଟର ଦୂରତା ବିଶିଷ୍ଟ କେ-୧୫ କ୍ଷେପଣାସ୍ତ୍ର ରହିଛି।
୭ହଜାର ଟନ୍ ବିସ୍ଥାପନ ହେବାକୁ ଥିବା ଏହି ବୁଡ଼ାଜାହାଜ ଗୁଡ଼ିକ ମଧ୍ୟରୁ ତୃତୀୟଟି ବର୍ତ୍ତମାନର ଦୁଇଟି ବୁଡ଼ାଜାହାଜ ତୁଳନାରେ ବଡ଼ ଏବଂ ଅଧିକ ସକ୍ଷମ ହେବ। ଆସନ୍ତା ବର୍ଷ ଏହାକୁ ସାମିଲ କରାଯିବାର ସମ୍ଭାବନା ରହିଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତର ଉପସ୍ଥିତି ବଢ଼ାଇବା ପାଇଁ ଗତ ମାସରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଏସ୍) ଆଉ ଦୁଇଟି ପରମାଣୁ ଶକ୍ତି ସମ୍ପନ୍ନ ଆକ୍ରମଣକାରୀ ବୁଡ଼ାଜାହାଜ ନିର୍ମାଣକୁ ମଞ୍ଜୁରି ଦେଇଥିଲା।
previous article:https://purvapaksa.com/chandrayaan-4-mission/
