ସାଧାରଣତଃ ଯେତେବେଳେ ଜଣେ ଯୁବକ କିମ୍ବା ଯୁବତୀଙ୍କୁ ୨୫ରୁ ୨୮ ବର୍ଷ ବୟସ ହୋଇଥାଏ, ସେତେବେଳେ ସେମାନେ ନିଜର କ୍ୟାରିୟର ଗଢ଼ିବା ପାଇଁ ସଂଘର୍ଷ କରୁଥା’ନ୍ତି କିମ୍ବା ନୂଆ ଚାକିରି ଖୋଜୁଥା’ନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଯୁବ ଚେହେରାଙ୍କ ବିଷୟରେ କହିବୁ, ଯେଉଁମାନେ ଏହି ବୟସରେ କୌଣସି ସାଧାରଣ ଚାକିରି ନୁହେଁ, ବରଂ ସିଧାସଳଖ ଦେଶର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା- ଅର୍ଥାତ୍ ଭାରତୀୟ ସଂସଦରେ ବସି ଦେଶର ନୀତି ନିର୍ଦ୍ଧାରଣ କରୁଛନ୍ତି।
ଭାରତୀୟ ସଂସଦର ୫ ଜଣ ସବୁଠାରୁ କମ୍ ବୟସ୍କ ଯୁବ ସାଂସଦଙ୍କ ସମ୍ପର୍କରେ, ଯେଉଁମାନେ ୨୦୨୪ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ଇତିହାସ ରଚିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଯୁବ ନେତାମାନେ କିଏ ଏବଂ ସଂସଦରେ ସେମାନଙ୍କର ପ୍ରଦର୍ଶନ କିପରି ରହିଛି?
ତାଲିକାର ପାଞ୍ଚ ନମ୍ବରରେ ଅଛନ୍ତି କର୍ଣ୍ଣାଟକର ବିଦର ଲୋକସଭା ଆସନରୁ କଂଗ୍ରେସ ସାଂସଦ ସାଗର ଈଶ୍ୱର ଖଣ୍ଡରେ। ୨୯ ଡିସେମ୍ବର ୧୯୯୭ ମସିହାରେ ଜନ୍ମଗ୍ରହଣ କରିଥିବା ସାଗର, ୨୦୨୪ ମସିହାରେ ମାତ୍ର ୨୬ ବର୍ଷ ବୟସରେ ପ୍ରଥମଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
• ସାଗର ବେଙ୍ଗାଲୁରୁର ପ୍ରସିଦ୍ଧ କ୍ରାଇଷ୍ଟ ବିଶ୍ୱବିଦ୍ୟାଳୟରୁ BBA ଏବଂ LLB (ଡବଲ୍ ଡିଗ୍ରୀ) ହାସଲ କରିଛନ୍ତି । ଅର୍ଥାତ୍ ଆଇନ ଏବଂ କର୍ପୋରେଟ୍ ମ୍ୟାନେଜମେଣ୍ଟ ଉଭୟରେ ତାଙ୍କର ଦଖଲ ରହିଛି।
• ରାଜନୀତି ତାଙ୍କ ପାଇଁ ନୂଆ ନଥିଲା, କାରଣ ତାଙ୍କ ପିତା ଈଶ୍ୱର ଖଣ୍ଡରେ କର୍ଣ୍ଣାଟକ ରାଜନୀତିର ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ଅଟନ୍ତି ।
• ୨୦୨୪ ନିର୍ବାଚନରେ ବିଦର ଆସନରେ ସେ ବିଜେପିର ପୂର୍ବରୁ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ ଥିବା ଭଗବନ୍ତ ଖୁବାଙ୍କୁ ଲକ୍ଷାଧିକ ଭୋଟରେ ପରାସ୍ତ କରି ସାଂସଦକୁ ଆସିଥିଲେ।
• ସଂସଦରେ ତାଙ୍କର ଉପସ୍ଥିତି ୮୩% ରହିଥିବାବେଳେ, ସେ ଗତ ଦୁଇ ବର୍ଷ ଭିତରେ ମାତ୍ର ୭ଟି ଆଲୋଚନାରେ ଭାଗ ନେଇଛନ୍ତି ଏବଂ ୧୫ଟି ପ୍ରଶ୍ନ ପଚାରିଛନ୍ତି ।
ତାଲିକାର ଚାରି ନମ୍ବର ସ୍ଥାନରେ ଅଛନ୍ତି ରାଜସ୍ଥାନର ଭରତପୁରରୁ କଂଗ୍ରେସ ସାଂସଦ ସଞ୍ଜନା ଜାଟବ। ୧ ମଇ ୧୯୯୮ରେ ଜନ୍ମଗ୍ରହଣ କରିଥିବା ସଞ୍ଜନା ଏହି ତାଲିକାର ସବୁଠାରୁ ସ୍ୱତନ୍ତ୍ର ଏବଂ ଭୂମି ସଂଲଗ୍ନ ନେତା ଅଟନ୍ତି, କାରଣ ତାଙ୍କ ପଛରେ କୌଣସି ବଡ଼ ରାଜନୈତିକ ପରିବାରର ପୃଷ୍ଠଭୂମି ନଥିଲା।
• ସଞ୍ଜନା BA LLB ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ସେ ଗ୍ରାମାଞ୍ଚଳରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ- ପ୍ରଥମେ ଜିଲ୍ଲା ପରିଷଦ ସଦସ୍ୟ ଏବଂ ପରେ ବିଧାନସଭା ନିର୍ବାଚନରେ ମାତ୍ର କିଛି ଭୋଟ୍ରେ ହାରିବା ପରେ ମଧ୍ୟ ହାର ନ ମାନି ୨୦୨୪ରେ ଲୋକସଭାକୁ ଆସିଥିଲେ।
• ଭରତପୁର ଆସନରେ ବିଜେପିର ମଜବୁତ ପ୍ରାର୍ଥୀ ରାମସ୍ୱରୂପ କୋହଲିଙ୍କୁ ପ୍ରାୟ ୫୨,୦୦୦ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ।
• ଜମି ସହ ଜଡ଼ିତ ଥିବା କାରଣରୁ ସଂସଦରେ ତାଙ୍କର ଉପସ୍ଥିତି ୯୯% ରହିଛି। ସେ ୧୯ଟି ଆଲୋଚନାରେ ଭାଗ ନେଇ ୧୪୬ଟି ତୀକ୍ଷ୍ଣ ପ୍ରଶ୍ନ ପଚାରି ଜାତୀୟ ହାର (୧୨୦)କୁ ପଛରେ ପକାଇ ଦେଇଛନ୍ତି। ଇଷ୍ଟର୍ନ ରାଜସ୍ଥାନ କେନାଲ୍ ପ୍ରୋଜେକ୍ଟ, ଚମ୍ବଲ ପାଣି ଏବଂ ସ୍ୱାସ୍ଥ୍ୟ ସମସ୍ୟା ଉପରେ ସେ ସବୁବେଳେ ସକ୍ରିୟ ରହିଛନ୍ତି।
ଏବେ ଆସିବା ତିନି ନମ୍ବର ସ୍ଥାନକୁ। ବିହାରର ସମସ୍ତିପୁର ଲୋକସଭା ଆସନରୁ ଲୋକ ଜନଶକ୍ତି ପାର୍ଟି (ରାମବିଲାସ)ର ସାଂସଦ ଶାମ୍ଭବୀ ଚୌଧରୀ। ମାତ୍ର ୨୫ ବର୍ଷ ବୟସରେ (୨୦୨୪ରେ) ସେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।
• ଦିଲ୍ଲୀର ପ୍ରତିଷ୍ଠିତ ‘ଲେଡ଼ି ଶ୍ରୀରାମ କଲେଜ’ରୁ ସମାଜଶାସ୍ତ୍ରରେ ଗ୍ରାଜୁଏସନ୍ ଏବଂ ‘ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନମିକ୍ସ’ରୁ ପୋଷ୍ଟ ଗ୍ରାଜୁଏସନ୍ କରିବା ପରେ ସେ ସିଭିଲ୍ ସର୍ଭିସେସ୍ ପ୍ରସ୍ତୁତି କରୁଥିଲେ। ତାଙ୍କ ପିତା ଅଶୋକ ଚୌଧରୀ ବିହାର ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ।
• ସମସ୍ତିପୁରରେ କଂଗ୍ରେସ ପ୍ରାର୍ଥୀ ସନ୍ନି ହଜାରୀଙ୍କୁ ପାଖାପାଖି ସାଢ଼େ ଦୁଇ ଲକ୍ଷ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ।
• ସଂସଦରେ ପ୍ରଦର୍ଶନ: ପରିବାରର ପୃଷ୍ଠଭୂମି ଥଲେ ମଧ୍ୟ ସେ ନିଜକୁ ସଂସଦରେ ସବୁଠାରୁ ସକ୍ରିୟ ସାବ୍ୟସ୍ତ କରିଛନ୍ତି। ତାଙ୍କର ଉପସ୍ଥିତି ୯୬% ଥିବାବେଳେ, ସେ ୪୦ଟି ଆଲୋଚନାରେ ଭାଗ ନେଇଛନ୍ତି, ୨୨୭ଟି ପ୍ରଶ୍ନ ପଚାରିଛନ୍ତି ଏବଂ ୩ଟି ପ୍ରାଇଭେଟ୍ ମେମ୍ବର ବିଲ୍ ମଧ୍ୟ ଆଣିଛନ୍ତି।
ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଉତ୍ତର ପ୍ରଦେଶର ମଚ୍ଛଳୀ ସହରରୁ ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜ।
• ଆମିଟି ବିଶ୍ୱବିଦ୍ୟାଳୟରୁ ଏଲ୍.ଏଲ୍.ବି କରିଥିବା ପ୍ରିୟା ରାଜନୀତିକୁ ଆସିବା ପୂର୍ବରୁ ଜୁଡିସିଆଲ୍ ସର୍ଭିସେସ୍ (ଜଜ୍) ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ତାଙ୍କ ପିତା ତୁଫାନୀ ସରୋଜ ଜଣେ ପୁରୁଣା ସମାଜବାଦୀ ନେତା ତଥା ତିନିଥରର ସାଂସଦ।
• ୨୦୨୪ରେ ବିଜେପି ପ୍ରାର୍ଥୀଙ୍କୁ ପ୍ରାୟ ୩୬,୦୦୦ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ।
• ସଂସଦରେ ତାଙ୍କର ଉପସ୍ଥିତି ୯୭% ରହିଛି। ସେ ୨୦ଟି ଆଲୋଚନାରେ ଭାଗ ନେଇ ୮୫ଟି ପ୍ରଶ୍ନ ପଚାରିଛନ୍ତି। ଜଣେ ଆଇନଜ୍ଞା ଭାବେ ସେ ସଂସଦର ସ୍ଥାୟୀ ସମିତି ଏବଂ ସାମାଜିକନ୍ୟା ସମିତିରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।
ଏବେ ବର୍ତ୍ତମାନ ଆସୁଛୁ ସେହି ଯୁବ ନେତାଙ୍କ ପାଖାପାଖି, ଯେଉଁମାନେ ୧୮୫ ଲୋକସଭାରେ ସମଗ୍ର ଦେଶର ସବୁଠାରୁ କମ୍ ବୟସ୍କ ସାଂସଦ ଅଟନ୍ତି । ସେ ହେଉଛନ୍ତି ଉତ୍ତର ପ୍ରଦେଶର କୌଶାମ୍ବୀ ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ସାଂସଦ ପୁଷ୍ପେନ୍ଦ୍ର ସରୋଜ।
• ଦୁନିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରୁ ଗୋଟିଏ-ଲଣ୍ଡନର ‘କ୍ୱିନ୍ ମେରୀ ୟୁନିଭରସିଟି’ରୁ ଆକାଉଣ୍ଟିଂ ଏବଂ ମ୍ୟାନେଜମେଣ୍ଟରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ତାଙ୍କ ପିତା ଇନ୍ଦ୍ରଜିତ୍ ସରୋଜ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ତଥା ଏସପିର ରାଷ୍ଟ୍ରୀୟ ମହାସଚିବ।
• ମାତ୍ର ୨୫ ବର୍ଷ ବୟସରେ କୌଶାମ୍ବୀ ଆସନରେ ବିଜେପିର ଦୁଇଥରର ସାଂସଦ ତଥା ଦିଗ୍ଗଜ ନେତା ବିନୋଦ ସୋନକରଙ୍କୁ ପ୍ରାୟ ୧ ଲକ୍ଷ ୪୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବଡ଼ଧରଣର ବିଜୟ ହାସଲ କରିଥିଲେ।
• ସଂସଦରେ ତାଙ୍କର ଉପସ୍ଥିତି ୯୬% ଥିବାବେଳେ ସେ ୨୭ଟି ଆଲୋଚନାରେ ଭାଗ ନେଇଛନ୍ତି ଏବଂ ପୂରା ୧୪୦ଟି ପ୍ରଶ୍ନ ପଚାରି ଜାତୀୟ ହାରକୁ ଟପି ଯାଇଛନ୍ତି। କୌଶାମ୍ବୀର ବିକାଶ, ଗଙ୍ଗା-ଯମୁନା ଉପରେ ପୋଲ୍ ନିର୍ମାଣ ଏବଂ ଶିକ୍ଷାଗତ ପ୍ରସଙ୍ଗକୁ ସେ ଜୋରଦାର ଭାବେ ଉଠାଇଛନ୍ତି।
ତେବେ ଏହି ୫ ଜଣ ଯୁବ ସାଂସଦଙ୍କ କାହାଣୀରୁ ଏହା ସ୍ପଷ୍ଟ ହୋଇଯାଏ ଯେ ଆଜିର ଯୁବପିଢ଼ି କେବଳ ସୋସିଆଲ୍ ମିଡିଆରେ ସୀମିତ ନାହାନ୍ତି, ବରଂ ଦେଶର ବୃହତ୍ତମ ଗଣତାନ୍ତ୍ରିକ ମଞ୍ଚରେ ମଧ୍ୟ ନିଜର ଦକ୍ଷତା ପ୍ରମାଣିତ କରୁଛନ୍ତି। ବଂଶବାଦର ପ୍ରସଙ୍ଗ ଯାହାଥାଉ ନା କାହିଁକି, ସଂସଦ ଭିତରେ ସେମାନଙ୍କର ସକ୍ରିୟତା ଏବଂ ପ୍ରଶ୍ନ ପଚାରିବାର ଶୈଳୀ ପ୍ରଶଂସନୀୟ।
also read
Second Marriage and Rebellion within the Government II ଦ୍ୱିତୀୟ ବିବାହ ଓ ସରକାରରେ ବିଦ୍ରୋହ
https://purvapaksa.com/second-marriage-and-rebellion-within-the-government/


