ଭାରତୀୟ ରାଜନୀତିରେ ଯେତେବେଳେ କୌଣସି ଦଳ କ୍ଷମତାକୁ ଆସେ କିମ୍ବା ନିଜର ସଂଗଠନକୁ ମଜଭୁତ କରିବାକୁ ଚାହେଁ, ସେତେବେଳେ ରାଜନୈତିକ ମୁଖ୍ୟାଳୟ ବା ହେଡକ୍ୱାର୍ଟର୍ସର ଅର୍ଥ ଏବଂ ଗୁରୁତ୍ୱ ବଦଳିଯାଏ। ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ୱାରା ନିଆଯାଇଥିବା ଏପରି ଏକ ବଡ଼ ଏବଂ ଐତିହାସିକ ପଦକ୍ଷେପ ବିଷୟରେ, ଯାହା କେବଳ ଓଡ଼ିଶା ନୁହେଁ, ବରଂ ସମଗ୍ର ପୂର୍ବ ଭାରତର ରାଜନୈତିକ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ!
ବିଜେପି ପକ୍ଷରୁ ଏକ ବଡ଼ ରଣନୈତିକ ପଦକ୍ଷେପ ନିଆଯାଇ ପୂର୍ବ ଭାରତର ମୁଖ୍ୟ କାର୍ଯ୍ୟାଳୟକୁ ଦିଲ୍ଲୀ ବଦଳରେ ସିଧାସଳଖ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। କେବଳ ସେତିକି ନୁହେଁ, ପାର୍ଟିର ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ସୌଦାନ ସିଂହଙ୍କୁ ଏହି କମାଣ୍ଡ୍ ସେଣ୍ଟରର ମୁଖ୍ୟ ଭାବରେ ଦାୟିତ୍ୱ ଦିଆଯାଇଛି, ଯାହାଙ୍କ ଅଧୀନରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ୪ଟି ବଡ଼ ରାଜ୍ୟର ସାଙ୍ଗଠନିକ କାର୍ଯ୍ୟ ପରିଚାଳିତ ହେବ।
ତେବେ ଏହି ବଡ଼ ପଦକ୍ଷେପର ଅର୍ଥ କ’ଣ? କାହିଁକି ଦିଲ୍ଲୀ ବଦଳରେ ଭୁବନେଶ୍ୱରକୁ ବଛାଗଲା? ଏବଂ ଆଗାମୀ ଦିନରେ ଏହା ବିଜେଡି ଏବଂ କଂଗ୍ରେସ ଉପରେ କି ପ୍ରକାର ପ୍ରଭାବ ପକାଇବ? ଏପରିକି ରାଜ୍ୟ ବିଜେପିରେ ଯେଉଁ ଗୋଷ୍ଠୀ ବିବାଦ ଚାଲିଛି ତାହାର ଅନ୍ତ ହେବ ନା ଆହୁରି ବଢ଼ିବ?
ଐତିହାସିକ ପରିବର୍ତ୍ତନ: ଦିଲ୍ଲୀରୁ ନୁହେଁ, ଏବଂ କେବଳ ରିମୋଟ୍ କଣ୍ଟ୍ରୋଲ୍ ନୁହେଁ— ଭୁବନେଶ୍ୱର ହେଲା ପୂର୍ବ ଭାରତର କମାଣ୍ଡ୍ ସେଣ୍ଟର
ଏହି ନିଯୁକ୍ତି ନେଇ ରାଜ୍ୟର ରାଜନୈତିକ କରିଡରରେ ହେଉଥିବା ଆଲୋଚନା ଅନୁସାରେ ଏହା କେବଳ ଏକ ନିୟମିତ କିମ୍ବା ସାଧାରଣ ସାଙ୍ଗଠନିକ ଅଦଳବଦଳ ନୁହେଁ। ଏହା ଏକ ବଡ଼ ରଣନୈତିକ ପରିବର୍ତ୍ତନ। ପୂର୍ବରୁ ବିଜେପିର ପୂର୍ବାଞ୍ଚଳ କ୍ଷେତ୍ରର ସମସ୍ତ ନୀତି ନିର୍ଦ୍ଧାରଣ ଏବଂ ପରିଚାଳନା ମୁଖ୍ୟତଃ ନୂଆଦିଲ୍ଲୀ କିମ୍ବା ଅନ୍ୟାନ୍ୟ କେନ୍ଦ୍ରୀୟ ହବ୍ରୁ ହେଉଥିଲା। ରାଜ୍ୟଗୁଡ଼ିକୁ କେବଳ ଦିଲ୍ଲୀରୁ ରିମୋଟ୍ ମନିଟରିଂ କରାଯାଉଥିଲା।
କିନ୍ତୁ ବର୍ତ୍ତମାନ, ବିଜେପିର ନୂତନ ସାଙ୍ଗଠନିକ ପଦକ୍ଷେପ ଅନୁଯାୟୀ, ଓଡ଼ିଶା ମାଟିରୁ ଏହି ପୂର୍ବାଞ୍ଚଳ ବ୍ଲକ୍ ପରିଚାଳିତ ହେବ। ଇତିହାସରେ ପ୍ରଥମଥର ପାଇଁ ପୂର୍ବ ଭାରତର ସାଙ୍ଗଠନିକ କମାଣ୍ଡ୍ ସେଣ୍ଟରକୁ ଏକ ଶାସକ ରାଜ୍ୟର ଭୂମି, ଅର୍ଥାତ୍ ଭୁବନେଶ୍ୱରରେ ସ୍ଥାୟୀଭାବେ ଅବସ୍ଥାପିତ କରାଯାଇଛି।
ଏହାର ମାନେ କ’ଣ? ପୂର୍ବରୁ ଓଡ଼ିଶା କେବଳ ଏକ ନିର୍ବାଚନୀ ରଙ୍ଗମଞ୍ଚ ଥିଲା, ଯେଉଁଠାରେ ବିଜେପି ସରକାରରେ ନ ଥାଇ ମଧ୍ୟ ସଂଗଠନ ଗଢ଼ିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଆଜି ଓଡ଼ିଶା ହେଉଛି ପୂର୍ବ ଭାରତରେ ବିଜେପିର ଶାସନର ମୁଖ୍ୟ ପ୍ରୟୋଗଶାଳା। ତେଣୁ ଏହି ପଦକ୍ଷେପ ଭୁବନେଶ୍ୱରକୁ ଏକ ସାଧାରଣ ରାଜ୍ୟ ପାର୍ଟି ହେଡକ୍ୱାର୍ଟର୍ସରୁ ଏକ ଶକ୍ତିଶାଳୀ ଆଞ୍ଚଳିକ ସାଙ୍ଗଠନିକ କମାଣ୍ଡ୍ ସେଣ୍ଟରରେ ପରିଣତ କରିଛି।
ସୌଦାନ ସିଂହଙ୍କୁ କାହିଁକି ଦିଆଗଲା ଏହି ବଡ଼ ଦାୟିତ୍ୱ? ଏବଂ ଭୁବନେଶ୍ୱରକୁ କାହିଁକି ବଛାଗଲା?
ବର୍ତ୍ତମାନ ପ୍ରଶ୍ନ ଆସୁଛି— ଏହି ଗୁରୁତ୍ୱପୂର୍ଣ୍ଣ କମାଣ୍ଡ୍ ସେଣ୍ଟରର ମୁଖ୍ୟ ଭାବରେ ସୌଦାନ ସିଂହଙ୍କୁ କାହିଁକି ଚୟନ କରାଗଲା? ଏବଂ ଭୁବନେଶ୍ୱରକୁ ହିଁ ପୂର୍ବ ଭାରତର ମୁଖ୍ୟ କେନ୍ଦ୍ର ଭାବରେ କାହିଁକି ବଛାଗଲା?
ସୌଦାନ ସିଂହ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ପୂର୍ବରୁ ମଧ୍ୟ ଓଡ଼ିଶାରେ ବିଜେପିର ସଂଗଠନକୁ ଗଢ଼ିବାରେ ଏବଂ ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶାର ରାଜନୈତିକ ପରିସ୍ଥିତି, ଏଠାକାର କ୍ୟାଡ଼ର ନେଟୱାର୍କ ଏବଂ ଭୂଗୋଳ ସମ୍ପର୍କରେ ସେ ଯେତିକି ଭଲ ଭାବରେ ଅବଗତ ଅଛନ୍ତି, ତାହା ଅନ୍ୟ କୌଣସି ନେତାଙ୍କ ପକ୍ଷେ ସମ୍ଭବ ନୁହେଁ। ଦଳର ଅନ୍ୟ ବରିଷ୍ଠ ନେତାମାନେ କେବଳ ଭୁବନେଶ୍ୱର ଆସି ସମୀକ୍ଷା ବୈଠକ କରି ଫେରି ଯାଆନ୍ତି। କିନ୍ତୁ ସୌଦାନ ସିଂହ ଓଡ଼ିଶାର ପ୍ରତିଟି ଜିଲ୍ଲାର ନେତାମାନଙ୍କ ସହିତ ପୂର୍ବରୁ ସମ୍ପର୍କରେ ଅଛନ୍ତି। ସେ ରାଜ୍ୟର ଗ୍ରାମାଞ୍ଚଳ ସଂଗଠନ ସମ୍ପର୍କରେ ଅବଗତ ମଧ୍ୟ ଅଛନ୍ତି।
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିର ପଛରେ ରହିଛି “ରିମୋଟ୍ ମନିଟରିଂ”ରୁ ସିଧାସଳଖ “ରିଅଲ୍-ଟାଇମ୍ ଇଣ୍ଟରଭେନସନ୍” ବା ପ୍ରତ୍ୟକ୍ଷ ହସ୍ତକ୍ଷେପକୁ ଡେଇଁବାର ରଣନୀତି। ଦିଲ୍ଲୀରେ ବସି ରିପୋର୍ଟକୁ ଅପେକ୍ଷା କରିବା ବଦଳରେ, ବର୍ତ୍ତମାନ ନେତୃତ୍ୱ ସିଧାସଳଖ ମଇଦାନରେ ରହି ପ୍ରତିଟି ଘଟଣା ଉପରେ ନଜର ରଖିବେ।
ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ— ଏହି ଚାରିଟି ରାଜ୍ୟରେ ଆଗାମୀ ଦିନରେ ନିର୍ବାଚନ ଏବଂ ସାଙ୍ଗଠନିକ ପ୍ରତିଦ୍ୱନ୍ଦ୍ୱିତା ଅତ୍ୟନ୍ତ କଡ଼ା ହେବାକୁ ଯାଉଛି। ବିଶେଷ କରି ପଶ୍ଚିମବଙ୍ଗ ଏବଂ ବିହାରର ରାଜନୈତିକ ସମୀକରଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ଏହି ବ୍ଲକକୁ ପରିଚାଳନା କରିବା ବିଜେପି ପାଇଁ ଅଧିକ ସୁବିଧାଜନକ ଏବଂ ପ୍ରଭାବଶାଳୀ ହେବ। ଏହାର ଅର୍ଥ ହେଲା, ପୂର୍ବ ଭାରତକୁ ଏବେ ଆଉ ଦିଲ୍ଲୀରୁ ନୁହେଁ, ବରଂ ଓଡ଼ିଶାରୁ ନିୟନ୍ତ୍ରଣ କରାଯିବ। ଓଡ଼ିଶା ଏହାର କେନ୍ଦ୍ରରେ ରହିବ।
ବିଜେଡି ଏବଂ କଂଗ୍ରେସ ପାଇଁ ଏହାର ଅର୍ଥ କ’ଣ? ଏବଂ ଦଳ ଭିତରର ଅସନ୍ତୋଷ
ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ବିଜେପିର ଏହି ଐତିହାସିକ ପଦକ୍ଷେପ ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ଏବଂ ଜାତୀୟ କଂଗ୍ରେସ ପାଇଁ କ’ଣ ସୂଚାଉଛି?
ଯେତେବେଳେ ଗୋଟିଏ ଜାତୀୟ ଦଳ ଏକ ରାଜ୍ୟକୁ କେବଳ ନିଜର ରାଜ୍ୟ କାର୍ଯ୍ୟାଳୟ ନୁହେଁ, ବରଂ ଏକାସାଙ୍ଗରେ ୪ଟି ରାଜ୍ୟର କମାଣ୍ଡ୍ ସେଣ୍ଟରରେ ପରିଣତ କରେ, ସେତେବେଳେ ସେମାନଙ୍କର ସାଙ୍ଗଠନିକ ମେସିନାରୀ କିପରି କାମ କରେ, ତାହା ସହଜରେ ଅନୁମେୟ।
ବିଜେଡି ପାଇଁ ଚ୍ୟାଲେଞ୍ଜ
ପୂର୍ବରୁ ବିଜେଡି ଓଡ଼ିଶାରେ ଏକଛତ୍ରବାଦୀ ଏବଂ ଏକମାତ୍ର ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବରେ ଦୀର୍ଘ ୨୪ ବର୍ଷ ଧରି ନିରଙ୍କୁଶ ଭାବରେ ଶାସନ କରିଥିଲା। କିନ୍ତୁ ଗତ ବିଧାନସଭା ନିର୍ବାଚନରେ କ୍ଷମତା ହରାଇବା ପରେ ଏବେ ଦଳ ପାଇଁ ସ୍ଥିତି ବଦଳି ଯାଇଛି। ବିଜେପି ଯେତେବେଳେ ନିଜର କେନ୍ଦ୍ରୀୟ ନେତୃତ୍ୱ ଏବଂ ଜଣେ ଅଭିଜ୍ଞ ରଣନୀତିଜ୍ଞ ଯେପରିକି ସୌଦାନ ସିଂହଙ୍କୁ ଭୁବନେଶ୍ୱରରେ ସ୍ଥାୟୀ ଭାବେ ବସାଇ ପୂର୍ବ ଭାରତର ମେକାନିଜିମ୍ ଚାଳନ କରିବ, ସେତେବେଳେ ବିଜେଡିକୁ କେବଳ କେତୋଟି ପ୍ରସଙ୍ଗରେ ହଟ୍ଟଗୋଳ କରିବା କିମ୍ବା ଆନ୍ଦୋଳନ କରିବାରୁ ବାହାରି ଏକ ସ୍ଥାୟୀ ଓ ମଜଭୁତ ସାଙ୍ଗଠନିକ ଲଢ଼େଇ କରିବାକୁ ପଡ଼ିବ। କେବଳ ଉପରଠାଉରିଆ ବିରୋଧ ପ୍ରଦର୍ଶନ କଲେ ଚଳିବ ନାହିଁ, ବରଂ ବିଜେପିର ଏହି କ୍ରମାଗତ ଓ ସ୍ଥାୟୀ ସାଙ୍ଗଠନିକ ଚାପର ମୁକାବିଲା କରିବାକୁ ପଡ଼ିବ। ଏପରିକି ବିଜେଡି ଯେପରି ଅମଲାତାନ୍ତ୍ରିକ ଓ ବାହାର ରାଜ୍ୟର ନେତାଙ୍କ ଭରଷାରେ ଚାଲିଛି ତାହା ସୌଦାନ ସିଂହଙ୍କ ସଫଳ ଗୋଟି ଚାଳନାରେ ବିଜେପି ପାଇଁ ପଥ ଆହୁରି ସହଜ ହୋଇଯିବ।
କଂଗ୍ରେସ ପାଇଁ ଚ୍ୟାଲେଞ୍ଜ
ରାଜ୍ୟରେ ଆଗରୁ ଦୁର୍ବଳ ଥିବା କଂଗ୍ରେସ ପାଇଁ ଏହି କଡ଼ା ପ୍ରତିଯୋଗିତା ଆହୁରି ମୁଣ୍ଡବିନ୍ଧାର କାରଣ ପାଲଟିବ। ଯେତେବେଳେ ଦୁଇଟି ପ୍ରମୁଖ ଶକ୍ତି (ବିଜେପି ଏବଂ ବିଜେଡି) ମଧ୍ୟରେ ଲଢ଼େଇ ଚାଲିଥିବ, ସେତେବେଳେ ବିଜେପିର ଏହି ସାଙ୍ଗଠନିକ କେନ୍ଦ୍ରୀକରଣ କଂଗ୍ରେସକୁ ନିଜର ସ୍ଥିତି ବଜାୟ ରଖିବା ପାଇଁ ଆହୁରି ଅଧିକ ପରିଶ୍ରମ କରାଇବ।
ବିଜେପିର ଆଭ୍ୟନ୍ତରୀଣ ଅସନ୍ତୋଷ ଦୂର ହେବ କି?
ରାଜ୍ୟରେ ସରକାର ଗଠନ ହେବା ପରଠାରୁ ଗତ ଅଢ଼େଇ ବର୍ଷ ମଧ୍ୟରେ ସରକାର ଓ ସଂଗଠନ ଭିତରେ ବଡ଼ ସଂଘର୍ଷ ଚାଲିଛି। ରାଜ୍ୟର କର୍ମୀମାନେ ଏବେ ସରକାର ଓ ଦଳୀୟ ନେତାମାନଙ୍କ ବିରୋଧରେ ନିଜର ଅସନ୍ତୋଷ ପ୍ରକାଶ କରିବାରେ ଲାଗିଲେଣି। ଏପରିକି ଦଳର ସାଂସଦ ଓ ବିଧାୟକମାନେ ସରକାର ଓ ସରକାରୀ କଳ ବିରୋଧରେ ମଧ୍ୟ ବିଷୋଦଗାର କରିବା ଆରମ୍ଭ କଲେଣି। ମନ୍ତ୍ରୀମାନଙ୍କର କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। କାରଣ ମନ୍ତ୍ରୀମାନେ ଦଳୀୟ ନେତୃତ୍ୱକୁ ହେୟ ମନେକରି ଅହଂକାରୀ ହୋଇପଡ଼ି ମନଇଚ୍ଛା କାମ କରୁଛନ୍ତି। ଏପରିକି ଅନେକ ସମୟରେ ସେମାନେ ରାଜ୍ୟର ଅମଲାମା଼ଭ୍କ ଚକ୍ରବ୍ୟୁହରେ ପଡ଼ି କାଠ କଣ୍ଢେଇ ଭଳି କାମ କରୁଛନ୍ତି।
ଏଭଳି ପରିସ୍ଥିତିରେ ବିଜେପିର ନବ ନିଯୁକ୍ତ କ୍ଷେତ୍ରୀୟ ଅଧିକାରୀ ସୌଦାନ ସିଂହଙ୍କ ପାଇଁ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ଯେତିକି ଚ୍ୟାଲେଞ୍ଜ ନୁହେଁ, ତାଠାରୁ ଅଧିକ ବଡ଼ ଆହ୍ୱାନ ହେଉଛି ଓଡ଼ିଶା ଭିତରର ଦଳୀୟ ସଂଗଠନ, କର୍ମୀ ଓ ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା। କିନ୍ତୁ ସବୁଠାରୁ ବଡ଼ ଆଶ୍ୱାସନାର ବିଷୟ ହେଉଛି, ସୌଦାନ ସିଂହଙ୍କର ମୁଖ୍ୟାଳୟ ସିଧାସଳଖ ଭୁବନେଶ୍ୱର ହୋଇଥିବାରୁ, ଏହି ସମସ୍ୟାଗୁଡ଼ିକୁ ସେ ପାଖରେ ରହି ସମାଧାନ କରିବାରେ ସଫଳ ହେବେ ବୋଲି ଆଶା କରାଯାଉଛି।
ଭବିଷ୍ୟତର ଚିତ୍ର
ତେଣୁ, ଏସବୁରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଏ ଯେ, ବିଜେପି ଆଉ କେବଳ ନିର୍ବାଚନ ସମୟରେ ସକ୍ରିୟ ହେଉଥିବା ଦଳ ନୁହେଁ। ଏହା ଏକ ସ୍ଥାୟୀ, ନିରନ୍ତର ଏବଂ ଦୂରଦୃଷ୍ଟିସମ୍ପନ୍ନ ରଣନୀତି ସହିତ କାର୍ଯ୍ୟ କରୁଛି। ଭୁବନେଶ୍ୱରରୁ ପୂର୍ବ ଭାରତର ଏହି ନୂତନ କମାଣ୍ଡ୍ ସେଣ୍ଟର ପ୍ରତିଷ୍ଠା ହେବା ଦ୍ୱାରା ଆଗାମୀ ଦିନରେ ଓଡ଼ିଶା ରାଜନୀତି କେବଳ ରାଜ୍ୟ ଭିତରେ ସୀମିତ ନ ରହି, ସମଗ୍ର ପୂର୍ବ ଭାରତର ରାଜନୈତିକ ଦିଗ୍ଦର୍ଶନକୁ ନିୟନ୍ତ୍ରଣ କରିବ।
ବିଜେଡି ଏବଂ କଂଗ୍ରେସ ପାଇଁ ଏହା ଏକ ବଡ଼ ସତର୍କଘଣ୍ଟି। ବିରୋଧୀଦଳଗୁଡ଼ିକ ଏବେ କେବଳ ଗଣମାଧ୍ୟମରେ ବୟାନ୍ ଦେବା ବା ନାଟକ କରିବା ବଦଳରେ, ଏହି ମଜଭୁତ ସାଙ୍ଗଠନିକ ଯନ୍ତ୍ରଣାର ମୁକାବିଲା କିପରି କରିବେ, ତାହା ଚିନ୍ତା କରିବାର ସମୟ ଆସିଯାଇଛି।


