ରାଜ୍ୟରେ ଏବେ ବନ୍ୟା ପରିସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବା ପାଇଁ ରାଜନୈତିକ ଦଳର କର୍ମୀ, ନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ଭୂମିକା କିପରି ହେବା ଉଚିତ, ତାହାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।
ବିଜୁ ଜନତା ଦଳର ତଥାକଥିତ ଅସାଧାରଣ କର୍ମୀ, ତଥା ପୂର୍ବତନ ଅଘୋଷିତ କର୍ତ୍ତୃତ୍ୱ ଜାହିର କରୁଥିବା ନେତା ତାମିଲନାଡ଼ୁ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନେଇ ଏବେ ରାଜନୈତିକ କରିଡରରେ ବଡ଼ଧରଣର ବିତର୍କ ଆରମ୍ଭ ହୋଇଯାଇଛି।
ଦଳର ମେରୁଦଣ୍ଡବିହୀନ ନେତା ଓ କର୍ମୀମାନେ ବହୁତ ଆଶା କରି ବସିଥିଲେ ଯେ, ରାଜ୍ୟରେ ବନ୍ୟା ଦେଖାଦେବା ପରେ ସୁଜାତା ରାଉତ କାର୍ତ୍ତିକେୟନ ବନ୍ୟାଞ୍ଚଳରେ ପହଞ୍ଚି ସ୍ଥାନୀୟ ନେତା ଓ କର୍ମୀମାନଙ୍କର ମନୋବଳ ବଢ଼ାଇବେ। କିନ୍ତୁ ଏଭଳି ଆଶା ଶେଷରେ ନିରାଶାରେ ପରିଣତ ହୋଇଛି। ଆଜି ଆମେ ଆଲୋଚନା କରିବା, କାହିଁକି ସୁଜାତାଙ୍କ ଏଭଳି ପଦକ୍ଷେପକୁ ନେଇ ଦଳ ଭିତରେ ନୈରାଶ୍ୟ ଦେଖାଦେଇଛି ଏବଂ ଏହା ପଛର ପ୍ରକୃତ କାରଣ କ’ଣ?
ବନ୍ୟାଞ୍ଚଳରୁ ଦୂରତା ଏବଂ ସାମାଜିକ ଗଣମାଧ୍ୟମରେ ନେତୃତ୍ୱ ଜାହିର
ସାଧାରଣତଃ ଯେତେବେଳେ ରାଜ୍ୟରେ କୌଣସି ବଡ଼ ଧରଣର ବିପର୍ଯ୍ୟୟ ଆସେ, ସେତେବେଳେ ଜନନେତାମାନେ ଗୋଡ଼ରେ କାଦୁଅ ଲଗାଇ ଲୋକଙ୍କ ପାଖରେ ପହଞ୍ଚିଥା’ନ୍ତି। କିନ୍ତୁ ସୁଜାତା ରାଉତ କାର୍ତ୍ତିକେୟନ ବନ୍ୟାଞ୍ଚଳରେ ପହଞ୍ଚିବା ପରିବର୍ତ୍ତେ କେବଳ ସାମାଜିକ ଗଣମାଧ୍ୟମ ଓ ଖବରକାଗଜରେ ବନ୍ୟା ପରିଚାଳନା ନେଇ ପ୍ରବନ୍ଧ ଲେଖାଲେଖି କରି ନିଜର ନେତୃତ୍ୱ ଜାହିର କରିବାରେ ବ୍ୟସ୍ତ ଅଛନ୍ତି।
ପୂର୍ବରୁ ବିଜେଡି ଶାସନ କାଳରେ ତାଙ୍କ ସ୍ୱାମୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଦଳକୁ ଏକ ପ୍ରକାର ହାଇଜାକ କରି ହେଲିକପ୍ଟରରେ ରାଜ୍ୟସାରା ବୁଲୁଥିଲେ। ତେଣୁ ସୁଜାତା ମଧ୍ୟ ହେଲିକପ୍ଟରରେ ବୁଲିବା ଉଚିତ ବୋଲି ବୋଧହୁଏ ଚିନ୍ତା କରୁଛନ୍ତି। କିନ୍ତୁ ଆଜି ପରିସ୍ଥିତି ବଦଳି ଯାଇଛି। ଦଳର ଜଣେ ତଥାକଥିତ ଅସାଧାରଣ କର୍ମୀ ଏବେଠାରୁ ହେଲିକପ୍ଟରରେ ବୁଲିଲେ ତାହା ପୂର୍ବଭଳି ବୁମେରାଂ ହୋଇପାରେ— ଏହି ଆଶଙ୍କାରେ ସେ ଚିନ୍ତିତ ଥିବା ଦେଖିବାକୁ ମିଳୁଛି।
ତା’ ସହିତ, ଗୋଡ଼ରେ କାଦୁଅ ଓ ଅପରିଷ୍କାର ପାଣି ଲାଗି ସଂକ୍ରମଣ ହୋଇଯିବ— ଏଭଳି ଭୟ ଯୋଗୁଁ ସେ ବନ୍ୟାଞ୍ଚଳକୁ ଯାଇପାରୁ ନାହାନ୍ତି ବୋଲି ଏବେ ଦଳୀୟ ମହଲରେ ମଧ୍ୟ କୁହାଯାଉଛି। ଏହା କେବଳ ଏକ ଚର୍ଚ୍ଚା ନୁହେଁ, ବରଂ ତୃଣମୂଳ କର୍ମୀମାନଙ୍କ ମନରେ ଏହାକୁ ନେଇ ଗଭୀର କ୍ଷୋଭ ଜାତ ହୋଇଛି।
ବନ୍ୟା ପରିଚାଳନାର ପ୍ରତିଫଳନ” ଏବଂ ଅମଲା ମାନସିକତା
ଏହାରି ଭିତରେ ରାଜ୍ୟର ଏକ ପ୍ରତିଷ୍ଠିତ ଖବରକାଗଜର ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ସୁଜାତା ରାଉତ କାର୍ତ୍ତିକେୟନଙ୍କ ଏକ ଆଲେଖ୍ୟକୁ ନେଇ ରାଜନୈତିକ କରିଡରରେ ବଡ଼ଧରଣର ବିତର୍କ ଆରମ୍ଭ ହୋଇଯାଇଛି।
ଏହି ଲେଖାର ଶୀର୍ଷକ ଥିଲା— “ବନ୍ୟା ପରିଚାଳନାର ପ୍ରତିଫଳନ”। ଏହି ଆଲେଖ୍ୟରେ ଲେଖିକା ମୁଖ୍ୟତଃ ବର୍ତ୍ତମାନର ସରକାରଙ୍କୁ ବନ୍ୟା ପରିଚାଳନାରେ ବିଫଳ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ପୂର୍ବ ସରକାର ଅମଳରେ ପ୍ରସ୍ତୁତ ହୋଇଥିବା ମଡେଲକୁ ବର୍ତ୍ତମାନର ସରକାର ଠିକ୍ ଭାବେ କାର୍ଯ୍ୟକାରୀ କରିପାରୁନାହାନ୍ତି ବୋଲି ସେ ଦର୍ଶାଇଛନ୍ତି।
କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ଚିନ୍ତାଜନକ ବିଷୟଟି ହେଲା ସେହି ଆଲେଖ୍ୟର ପ୍ରକୃତ ବାର୍ତ୍ତା। ଲେଖିକା ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ, ବନ୍ୟା ପରିଚାଳନାରେ ସରକାର ବିଫଳ ହେବାର ମୁଖ୍ୟ କାରଣ ହେଉଛି— “ଶାସକ ଦଳର ନେତା ଓ କର୍ମୀମାନେ ବନ୍ୟା ପରିଚାଳନାକୁ ନିଜ ହାତକୁ ନେଇଯାଉଛନ୍ତି ଏବଂ ଏହାକୁ ସେମାନେ ସେବା ନ ଭାବି ରୋଜଗାର ବା ଉପାର୍ଜନର ମାଧ୍ୟମ ଭାବେ ଚିନ୍ତା କରୁଛନ୍ତି”।
ଥରେ ଭାବନ୍ତୁ , ଜଣେ ଦଳୀୟ ନେତ୍ରୀ ଯତେବେଳେ ନିଜ ଦଳର ବା ଅନ୍ୟ ଦଳର ତୃଣମୂଳ କର୍ମୀମାନଙ୍କ କାମକୁ ଏତେ ତୁଚ୍ଛ ଏବଂ ସନ୍ଦେହଜନକ ଭାବେ ଚିତ୍ରଣ କରନ୍ତି, ସେତେବେଳେ ତାହା ପଛରେ ଏକ ପ୍ରକାରର ସାମନ୍ତବାଦୀ ଏବଂ ଅହଙ୍କାରୀ ମାନସିକତା ଲୁଚି ରହିଥିବା ସ୍ପଷ୍ଟ ଜାଣିହୁଏ। ଏହି ଲେଖାରୁ ତାଙ୍କର ସ୍ପଷ୍ଟ ଅମଲା ମାନସିକତା ପ୍ରକାଶ ପାଇଛି, ଯେଉଁଠି ଜନନେତା ହେବାର କୌଣସି ସୂଚନା ନାହିଁ। କାରଣ ଲୋକମାନଙ୍କ ଉପରେ ହୁକୁମ ଚଳାଇ କାମ ହାସଲ କରିବା ପାଇଁ ତାଙ୍କର ପ୍ରଶିକ୍ଷଣ ହୋଇଛି। ଏପରି ସରକାରୀ ଚାକିରି କାଳରେ ସେ କେବଳ ହୁକୁମ ଚଳାଇ ଏପର୍ଯ୍ୟନ୍ତ ଆସିଛନ୍ତି। ତେଣୁ ସେହି ବାବୁ ରାଜର ଶିକ୍ଷାଦୀକ୍ଷା କ’ଣ ସହଜରେ ମନରୁ ଯିବ କି? ସେ ରାଜନୀତିରେ ଯୋଗ ଦେବା ପରେ ମଧ୍ୟ ମନରୁ ବାବୁ ରାଜ ଓ ହୁକୁମ ଚଳାଇବାର ପ୍ରବୃତ୍ତିକୁ ଛାଡ଼ି ପାରୁ ନାହାନ୍ତି।
ଇତିହାସର ପୁନରାବୃତ୍ତି: ପାଣ୍ଡିଆନ ଯୁଗର ସେହି ଅହଙ୍କାର ଏବଂ ବାବୁ-କେନ୍ଦ୍ରିକ ମଡେଲ୍
ଏହି ଘଟଣା ଆମକୁ ପୂର୍ବତନ ବିଜେଡି ସରକାରର ସେହି ଦିନଗୁଡ଼ିକୁ ମନେ ପକାଇଦିଏ, ଯେତେବେଳେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପ୍ରଶାସନ ଓ ଦଳକୁ ନିଜ ମୁଠାରେ ରଖିଥିଲେ।
ସେତେବେଳେ ମଞ୍ଚ ଉପରେ କେବଳ ବାବୁ କିମ୍ବା ଅଧିକାରୀମାନେ ରହୁଥିଲେ ଏବଂ ବିଜେଡିର ବରିଷ୍ଠ ନେତାମାନେ ମଞ୍ଚ ତଳେ ରହି ଭିଡ଼ ନିୟନ୍ତ୍ରଣ କରୁଥିବା ଦୃଶ୍ୟ ଓଡ଼ିଶାବାସୀ ଦେଖିଛନ୍ତି। ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସ (ବବି ଦାସ)ଙ୍କ ଭଳି ବରିଷ୍ଠ ନେତାମାନଙ୍କୁ ଟ୍ରାଫିକ ପୋଲିସ ଭଳି ବ୍ୟବହାର କରାଯିବା ଦୃଶ୍ୟ ସେତେବେଳେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ସେହି ଅହଙ୍କାର ଏବଂ ସାମନ୍ତବାଦୀ ମାନସିକତା ହିଁ ଶେଷରେ ୨୪ ବର୍ଷର ସରକାରକୁ କ୍ଷମତାଚ୍ୟୁତ କରିବାର ମୁଖ୍ୟ କାରଣ ସାଜିଥିଲା।
ଆଜି ଯେତେବେଳେ ସୁଜାତା ରାଉତ କାର୍ତ୍ତିକେୟନ ସେହି ପୁରୁଣା ଶୈଳୀରେ ଲେଖାଲେଖି ମାଧ୍ୟମରେ ଦଳୀୟ କର୍ମୀମାନଙ୍କୁ ଛୋଟ ଦେଖାଇବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ପ୍ରଶ୍ନ ଉଠୁଛି— କ’ଣ ବିଜେଡି ଭିତରେ ବାବୁ-କେନ୍ଦ୍ରିକ ବା ଅଫିସର-ଡ୍ରିଭେନ୍ ମଡେଲ୍ଟି ଏବେ ବି ଜୀବନ୍ତ ଅଛି? ଚେହେରା ବଦଳି ଯାଇଛି, ପାଣ୍ଡିଆନଙ୍କ ବଦଳରେ ତାଙ୍କ ପତ୍ନୀ ଆସିଛନ୍ତି, କିନ୍ତୁ ମାନସିକତା ଏବଂ ଦୃଷ୍ଟିକୋଣରେ କୌଣସି ପରିବର୍ତ୍ତନ ଆସିନାହିଁ!
ଗଣତାନ୍ତ୍ରିକ ବ୍ୟବସ୍ଥାରେ ସର୍ବୋପରି ଜନସାଧାରଣ ଏବଂ ସେମାନଙ୍କ ଦ୍ୱାରା ନିର୍ବାଚିତ ଜନପ୍ରତିନିଧି ଏବଂ ତୃଣମୂଳ ସ୍ତରର କର୍ମୀମାନେ ରହିବା କଥା। ଗଣତନ୍ତ୍ରରେ ରାଜନୈତିକ ଦଳର କର୍ମୀ ଓ ନେତାମାନେ ହିଁ ଜନସାଧାରଣ ଏବଂ ପ୍ରଶାସନ ଭିତରେ ସେତୁ ସାଜିଥାନ୍ତି।
କିନ୍ତୁ ଯଦି କେବଳ ବାବୁମାନେ ଉଚ୍ଚରେ ରହିବେ ଏବଂ ଜନତାଙ୍କ ପାଇଁ କାମ କରୁଥିବା କର୍ମୀମାନଙ୍କୁ ତୁଚ୍ଛ ବା ସନ୍ଦେହର ଚକ୍ଷୁରେ ଦେଖାଯିବ, ତେବେ ତାହା କେବେ ମଧ୍ୟ ଗ୍ରହଣୀୟ ହୋଇପାରିବ ନାହିଁ। ଆଜିର ଏହି ପ୍ରସଙ୍ଗରେ ଆମର ଆପଣଙ୍କୁ ଗୋଟିଏ ପ୍ରଶ୍ନ— ଆପଣଙ୍କ ମତରେ କ’ଣ କେବଳ ଅଫିସର କେନ୍ଦ୍ରିୟ ମାନସିକତା ପାଇଁ ଆଜି ବିଜେଡିର ଏପରି ଅବସ୍ଥା ହୋଇଛି, ନା ଏଥିରେ ଆହୁରି କିଛି ଗୁପ୍ତ ରାଜନୈତିକ ରଣନୀତି ଲୁଚି ରହିଛି?

