ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ (ମେଟା) ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ ହଟାଯିବା ମାମଲା ଏବେ ଦେଶରେ ନୂଆ ବିବାଦ ସୃଷ୍ଟି କରିଛି। ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀର ସୂଚନା ଦେଇ ସଂସଦର ସୂଚନା ପ୍ରଯୁକ୍ତିବିଦ୍ୟା ସ୍ଥାୟୀ କମିଟିର ଅଧ୍ୟକ୍ଷ ତଥା ବିଜେପି ସାଂସଦ ନିଶିକାନ୍ତ ଦୁବେ ମେଟା ର ସିଇଓ ମାର୍କ ଜୁକରବର୍ଗ ନିଜେ ଏଥିପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି। ଯଦି ଜୁକରବର୍ଗ କ୍ଷମା ନମାଗନ୍ତି, ତେବେ ଆଇଟି ଆଇନ ଅଧୀନରେ କମ୍ପାନୀକୁ ମିଳୁଥିବା ଆଇନଗତ ସୁରକ୍ଷା ‘ସେଫ୍ ହାର୍ବର’ ପ୍ରତ୍ୟାହାର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

୫ ଘଣ୍ଟା ପାଇଁ ଗାଏବ ଥିଲା ପ୍ରଧାନମନ୍ତ୍ରୀଙ୍କ ଭିଡିଓ
ସଂସଦୀୟ ସ୍ଥାୟୀ କମିଟିର ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ନିଶିକାନ୍ତ ଦୁବେ କହିଛନ୍ତି ଯେ, “ମେଟା ପ୍ରତିନିଧିମାନେ ନିଜେ ସ୍ୱୀକାର କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ପୋଷ୍ଟଟି ରାତି ୧୨:୩୦ ରୁ ସକାଳ ୫:୦୦ ପର୍ଯ୍ୟନ୍ତ (ପ୍ରାୟ ୫ ଘଣ୍ଟା) ପ୍ଲାଟଫର୍ମରୁ ଗାଏବ ଥିଲା। ଭାରତର ପ୍ରଧାନମନ୍ତ୍ରୀଙ୍କ ଭିଡିଓକୁ ଯଦି ଏଭଳି ଭାବେ ହଟାଇ ଦିଆଯାଉଛି, ତେବେ ଏହା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ। ଏହା କେବଳ ବୈଷୟିକ ତ୍ରୁଟି କହି ଏଡ଼ାଇ ଦିଆଯାଇପାରିବ ନାହିଁ।”
୧୦ ଦିନ ମଧ୍ୟରେ ଲିଖିତ ଜବାବ ମାଗିଲା କମିଟି

ପେପର ଲିକ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ବାର୍ତ୍ତା ସମ୍ବଳିତ ଭିଡିଓକୁ ଫେସବୁକ୍ କିଛି ସମୟ ପାଇଁ ବ୍ଲକ୍ କରିଦେଇଥିଲା। ଏହି ଘଟଣାକୁ ନେଇ ଆଇଟି ମନ୍ତ୍ରଣାଳୟ ଏବଂ ସଂସଦୀୟ କମିଟି ମେଟାର ବରିଷ୍ଠ ଅଧିକାରୀଙ୍କୁ ସମନ କରି ପଚରାଉଚୁରା କରିଛନ୍ତି।
ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ : ଯଦି ଜୁକରବର୍ଗ ବ୍ୟକ୍ତିଗତ ଭାବେ କ୍ଷମା ନମାଗନ୍ତି, ତେବେ IT Act ର ଧାରା ୭୯ ଅଧୀନରେ ମେଟାକୁ ମିଳୁଥିବା ‘ସେଫ୍ ହାର୍ବର’ ସୁରକ୍ଷା ହଟାଯିବ, ଯାହା ଦ୍ୱାରା ପ୍ଲାଟଫର୍ମରେ ପୋଷ୍ଟ ହେଉଥିବା ବେଆଇନ କଣ୍ଟେଣ୍ଟ ପାଇଁ ମେଟା ସିଧାସଳଖ ଆଇନଗତ ଭାବେ ଦାୟୀ ରହିବ।
୧୦ ଦିନର ସମୟ : ସଂସଦୀୟ କମିଟି ମେଟାକୁ ଏହି ସମ୍ପୂର୍ଣ୍ଣ ବିଭ୍ରାଟ ଉପରେ ୧୦ ଦିନ ମଧ୍ୟରେ ଲିଖିତ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି।
‘ଦେଶକୁ ଅସ୍ଥିର କରିବାର ଚକ୍ରାନ୍ତ’
VIDEO | Delhi: Informing about Parliamentary Standing Committee on Communication and Information Technology, BJP MP Nishikant Dubey says, “Meta India is removing Prime Minister Modi’s content. This is not the first time Meta India has done this… Their mindset is to destabilise… pic.twitter.com/Zv9HTIRL0I
— Press Trust of India (@PTI_News) August 3, 2026
ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି ଯେ ମେଟା ପ୍ରଥମ ଥର ପାଇଁ ଏଭଳି କରିନାହିଁ। ୨୦୨୪ ନିର୍ବାଚନ ଫଳାଫଳକୁ ନେଇ ମଧ୍ୟ ଜୁକରବର୍ଗ ବିବାଦୀୟ ବୟାନ ଦେଇଥିଲେ। ସୋସିଆଲ ମିଡିଆ ଆଲଗୋରିଦମ୍ରେ ପକ୍ଷପାତିତା କରାଯାଉଛି, ଯେଉଁଥିରେ ସାଧାରଣ ଓ ପ୍ରାମାଣିକ କଣ୍ଟେଣ୍ଟକୁ ବ୍ଲକ୍ କରାଯାଉଥିବା ବେଳେ ଆପତ୍ତିଜନକ ସାମଗ୍ରୀ ବୁଲୁଛି।
ଅପରପକ୍ଷରେ, ବୈଠକରେ ଉପସ୍ଥିତ ଥିବା ବିରୋଧୀ ଦଳର ସାଂସଦମାନେ ମତ ଦେଇଛନ୍ତି ଯେ, ସୋସିଆଲ ମିଡିଆରେ ଗଣତାନ୍ତ୍ରିକ ଆଲୋଚନା ଓ ଅସମ୍ମତି ପାଇଁ ସ୍ଥାନ ରହିବା ଜରୁରୀ ଏବଂ ସରକାରଙ୍କ ପ୍ରତି ସମାଲୋଚନାକୁ ‘ଦେଶବିରୋଧୀ’ ଭାବେ ଦେଖାଯିବା ଉଚିତ୍ ନୁହେଁ।


