ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାହାର ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ସକ୍ରିୟ ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇପଡ଼ିଥିବା ବେଳେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ‘ଅରେଞ୍ଜ’ ଏବଂ ‘ୟେଲୋ’ ଆଲର୍ଟ ଜାରି କରାଯାଇଛି।
![]()
ପାଣିପାଗ ବିଭାଗର ସୂଚନାନୁସାରେ, ଏହି ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ଉପକୂଳ, ଉତ୍ତର, ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଘନ ମେଘୁଆ ପରିବେଶ ସହ ଲଗାଣ ବର୍ଷା ଲାଗିରହିଛି। ଅନେକ ସ୍ଥାନରେ ୭ ରୁ ୧୧ ସେଣ୍ଟିମିଟରରୁ ନେଇ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି।
ସତର୍କତା ଜାରି: କେଉଁ ଜିଲ୍ଲା ପାଇଁ କି ଆଲର୍ଟ?
ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ସମ୍ବଲପୁର ଭଳି ପ୍ରମୁଖ ଜିଲ୍ଲାଗୁଡ଼ିକ ପାଇଁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯାଇଛି। ଏସବୁ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ଏବଂ କେତେକ ସ୍ଥାନରେ ଝଟକା ପବନ ୬୦ ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ରହିଛି।

ସେହିପରି ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ଦେଓଗଡ଼ ଆଦି ଜିଲ୍ଲା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି। ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ଲଗାଣ ବର୍ଷା ସହ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।
ପ୍ରଶାସନ ସଜାଗ: ସ୍ୱେଶାଲ ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ
ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ଏବଂ ତଳିଆ ଅଞ୍ଚଳରେ କୃତ୍ରିମ ଜଳବନ୍ଦୀ ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଶାସନ ପକ୍ଷରୁ ନିମ୍ନଲିଖିତ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି:
ନଗର ପ୍ରଶାସନକୁ ପ୍ରସ୍ତୁତି : ସହରାଞ୍ଚଳର ତଳିଆ ଅଞ୍ଚଳଗୁଡ଼ିକରେ ଜଳନିଷ୍କାସନ ପାଇଁ ହାଇ-ପାୱାର ପମ୍ପ ପ୍ରସ୍ତୁତ ରଖିବାକୁ କୁହାଯାଇଛି।
ସମ୍ଭାବ୍ୟ ଭୂସ୍କଲନ ଓ ବନ୍ୟା ମୋକାବିଲା : ପାହାଡ଼ିଆ ଓ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ଭୂସ୍କଲନ ଏବଂ କ୍ଷୁଦ୍ର ବନ୍ୟାର ସମ୍ଭାବନା ଥିବାରୁ ODRAF, NDRF ଏବଂ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ
ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ପବନ ବହିବାର ସମ୍ଭାବନା ଥିବାରୁ ଓଡ଼ିଶାର ସମସ୍ତ ବନ୍ଦରଗୁଡ଼ିକରେ ୩ ନମ୍ବର ସ୍ଥାନୀୟ ସତର୍କ ସଙ୍କେତ କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ କଠୋର ଆଡଭାଇଜରୀ ଜାରି କରାଯାଇଛି।
ଜନସାଧାରଣଙ୍କୁ ବଜ୍ରପାତ ସମୟରେ ନିରାପଦ ସ୍ଥାନରେ ରହିବାକୁ, ଗଛ ମୂଳେ ନ ଛିଡ଼ାହେବାକୁ ଏବଂ ଆବଶ୍ୟକ ନଥିଲେ ଯାତ୍ରା ନ କରିବାକୁ ପାଣିପାଗ ବିଭାଗ ଓ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
Also read : https://purvapaksa.com/temporary-pause-between-us-iran-path-opened-for-diplomatic-talks/


