ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ ଧରଣର ଭୂକମ୍ପ ଦେଖାଦେଇଛି। ଗୋଟିଏ ପଟେ ଦେଶସାରା ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ, ଅନ୍ୟପଟେ ନୂଆଦିଲ୍ଲୀରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗୋଟିଏ ମନ୍ତବ୍ୟ ରାଜନୈତିକ ମାହୋଲକୁ ସମ୍ପୂର୍ଣ୍ଣ ଗରମ କରିଦେଇଛି।
ଦିଲ୍ଲୀରେ ରହି ନବୀନ ବାବୁ ସିଧାସଳଖ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି— ଏହି ଦାବି ପଛରେ ପ୍ରକୃତରେ ଛାତ୍ରଛାତ୍ରୀଙ୍କ ସ୍ଵାର୍ଥ ଅଛି, ନା ଏହା ପଛରେ ରହିଛି କୌଣସି ଗୁପ୍ତ ରାଜନୈତିକ ଗୋଟିଚାଳନା?
କ’ଣ ତାମିଲ ବୋହୂ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ସୁରକ୍ଷା ଦେବା ଏବଂ ତାଙ୍କ ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ନବୀନ ପଟ୍ଟନାୟକ ଏପରି ଦାବି କରିଛନ୍ତି?
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀରେ ରହି ବିରୋଧୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଏପରିକି ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଦଳର ଛାମୁଆ ନେତା ଓ ନେତ୍ରୀମାନଙ୍କୁ ତୁରନ୍ତ ଦିଲ୍ଲୀ ଡକାଇଥିଲେ। ଯଦିଓ କୌଣସି କାରଣବଶତଃ ସେମାନେ ସେଠାରେ ସାମିଲ ହୋଇପାରିନଥିଲେ, କିନ୍ତୁ ଗଣମାଧ୍ୟମ ସାମ୍ନାକୁ ଆସି ନବୀନ ପଟ୍ଟନାୟକ ସିଧାସଳଖ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା ଦାବି କଲେ।
ନବୀନଙ୍କର ଏହି ଗୋଟିଏ ବୟାନ ପରେ ରାଜନୀତିକ ମହଲରେ ଏବେ ଗୋଟିଏ କଥାକୁ ନେଇ ଚର୍ଚ୍ଚା:
“ଯେଉଁ ନବୀନ ପଟ୍ଟନାୟକ ନିଜ ୨୪ ବର୍ଷର ଶାସନ କାଳରେ ଅନେକ ସମ୍ବେଦନଶୀଳ ମାମଲାରେ ନୀରବ ରହିଥିଲେ, ସେ ହଠାତ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ପଛରେ ଏତେ ହାତଧୋଇ କାହିଁକି ପଡ଼ିଗଲେ?”
ରାଜନୈତିକ ସମୀକ୍ଷକମାନଙ୍କ ମତରେ, ଏହି ସବୁ ଦାବି ପଛର ମୂଳ କାରଣ ହେଉଛନ୍ତି ସୁଜାତା ରାଉତ କାର୍ତ୍ତିକେୟନ— ଯାହାଙ୍କୁ ଚର୍ଚ୍ଚାରେ ‘ତାମିଲ ବୋହୂ’ ବୋଲି କୁହାଯାଉଛି।
ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପ୍ରଭାବ ବିଜେଡିରେ କେତେ ଅଧିକ ଥିଲା। ଏବେ ଚର୍ଚ୍ଚା ହେଉଛି ଯେ, ଆଗାମୀ ଦିନରେ ସୁଜାତାଙ୍କ ରାଜନୈତିକ କ୍ୟାରିଅର୍କୁ ଆଗକୁ ବଢ଼ାଇବା ପାଇଁ ବିଜେଡି ଯୋଜନା କରୁଛି। କିନ୍ତୁ ସୁଜାତାଙ୍କ ବାଟରେ ଯଦି କେହି ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିପାରନ୍ତି, ସେ ହେଉଛନ୍ତି ବିଜେପିର ଟାଣୁଆ ନେତା ଧର୍ମେନ୍ଦ୍ର ପ୍ରଧାନ!
ବିଜେପିର ଅନ୍ୟ କୌଣସି ନେତା ହୁଏତ ସୁଜାତାଙ୍କୁ ସେହିଭଳି ଟକ୍କର ଦେଇପାରିବେ ନାହିଁ। ତେଣୁ, ଯେତେବେଳେ ନିଟ୍ ମାମଲାକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଟିକିଏ ଚାପରେ ଅଛନ୍ତି, ସେତିକିବେଳେ ସୁଯୋଗ ଦେଖି ତାଙ୍କ ମନୋବଳକୁ ଭାଙ୍ଗିବା ଏବଂ ତାଙ୍କ ରାଜନୈତିକ ଦୂର୍ଗକୁ ଦୁର୍ବଳ କରିବା ପାଇଁ ନବୀନ ପଟ୍ଟନାୟକ ଏହି ଇସ୍ତଫା ଦାବିର କାର୍ଡ ଖେଳିଛନ୍ତି।
ତେବେ ଏଠାରେ ଗୋଟିଏ କଥା ଚର୍ଚ୍ଚା ନ କଲେ ନ ଚଳେ। ଅନେକ ଲୋକ କହୁଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯାହା ହେଉଛି, ତାହା ଅନେକାଂଶରେ ତାଙ୍କ ନିଜ ଭୁଲ୍ ପାଇଁ।
ମନେପକାନ୍ତୁ, ଯେତେବେଳେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ, ସେତେବେଳେ ଧର୍ମେନ୍ଦ୍ର ପ୍ରଧାନ ଯେପରି ନବୀନ ପଟ୍ଟନାୟକଙ୍କ ପାଇଁ ବ୍ୟସ୍ତ ଓ ନିୟୋଜିତ ହୋଇପଡ଼ୁଥିଲେ, ତାହା ସାରା ଓଡ଼ିଶା ଦେଖିଛି।
ସେତିକି ନୁହେଁ, ୨୦୨୪ ରଥଯାତ୍ରା ସମୟରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ପାଇଁ ଧର୍ମେନ୍ଦ୍ର ଏତେ ବ୍ୟସ୍ତ ହୋଇପଡ଼ିଥିଲେ ଯେ ମାନ୍ୟବର ରାଷ୍ଟ୍ରପତିଙ୍କୁ ମଧ୍ୟ ଠିଆ ହୋଇରହିବାକୁ ଏକପ୍ରକାର ବାଧ୍ୟ ହେବାକୁ ପଡ଼ିଥିଲା।
ଯେଉଁ ନେତା ପ୍ରତିପକ୍ଷଙ୍କୁ ଏତେ ସମ୍ମାନ ଓ ସୁଯୋଗ ଦିଅନ୍ତି, ସେହି ପ୍ରତିପକ୍ଷ ଆଜି ସୁଯୋଗ ପାଇଲା ମାତ୍ରେ ତାଙ୍କ ଇସ୍ତଫା ଦାବି କରୁଛନ୍ତି। ତେଣୁ ରାଜନୀତିରେ ଏପରି ପରାଭବ ପାଇବା କୌଣସି ନୂଆ କଥା ନୁହେଁ।
ବର୍ତ୍ତମାନ ଆସନ୍ତୁ ଦେଖିବା ନବୀନ ପଟ୍ଟନାୟକଙ୍କ ଏହି ଦାବି ପଛର ଅସଲ ମୁଖା।
ଆଜି ଯେଉଁ ବିଜେଡି ପ୍ରଶ୍ନପତ୍ର ଲିକ୍ ମାମଲାରେ ହଟଚମଟ ସୃଷ୍ଟି କରୁଛି, ସେହି ବିଜେଡି ଶାସନ ସମୟରେ ଓଡ଼ିଶାରେ ଅନେକ ଥର ପ୍ରଶ୍ନପତ୍ର ଲିକ୍ ହୋଇଛି। ଓଏସଏସଏସସି (OSSSC), ଓପିଏସସି (OPSC) ବୋର୍ଡ ପରୀକ୍ଷାଠାରୁ ଆରମ୍ଭ କରି ନିଯୁକ୍ତି ପରୀକ୍ଷା ପର୍ଯ୍ୟନ୍ତ— ସବୁଥିରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ସେତେବେଳେ ବିଜେଡି ସରକାର କାହିଁକି କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ନେଲାନି? କାହିଁକି ଚୁପ୍ ରହିଲା?
କାରଣ ଅଭିଯୋଗ ହୁଏ ଯେ, ସେହିସବୁ ପ୍ରଶ୍ନପତ୍ର ଲିକ୍ ମାମଲାରେ ସ୍ଵୟଂ ବିଜେଡିର ନେତା ଓ ସେମାନଙ୍କ ଘନିଷ୍ଠ ଲୋକମାନେ ସମ୍ପୃକ୍ତ ଥିଲେ!
ସେତିକି ନୁହେଁ, ଗତବର୍ଷର ଘଟଣାକୁ ମନେ ପକାନ୍ତୁ। ଫକୀର ମୋହନ କଲେଜର ଜଣେ ମେଧାବୀ ଛାତ୍ରୀ ଅଧ୍ୟାପକଙ୍କ କ୍ରମାଗତ ନିର୍ଯାତନା ସହି ନପାରି ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଥିଲା।
କିନ୍ତୁ ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ଏହି ସମ୍ବେଦନଶୀଳ ଘଟଣାରେ ସମ୍ପୂର୍ଣ୍ଣ ନୀରବ ରହିଲା। କଂଗ୍ରେସ ଏହି ପ୍ରସଙ୍ଗକୁ ଉଠାଇ ରାଜନୈତିକ ବାଜି ମାରିନେଲା।
ବିଜେଡି ନୀରବ ରହିବାର କାରଣ କ’ଣ ଥିଲା ଜାଣନ୍ତି? ଅଭିଯୋଗ ହୋଇଥିଲା ଯେ ସମ୍ପୃକ୍ତ ଅଧ୍ୟାପକ ଜଣକ ବିଜେଡିର ଜଣେ ସକ୍ରିୟ ସମର୍ଥକ ଏବଂ ହାଇପ୍ରୋଫାଇଲ୍ ନେତାଙ୍କ ସମ୍ପର୍କୀୟ ଥିଲେ! ନିଜ ଲୋକଙ୍କୁ ବଞ୍ଚାଇବା ପାଇଁ ସେତେବେଳେ ଜଣେ ଝିଅର ଜୀବନ ଓ ନ୍ୟାୟ ଅପେକ୍ଷା ରାଜନୀତି ବଡ଼ ହୋଇଗଲା?
ଆଉ ଏବେ, ରାଜ୍ୟର କୋମଳମତି ଶିଶୁମାନଙ୍କୁ ଭୁଲ୍ ବହି ପାଠ ପଢ଼ିବାକୁ ଦିଆଯାଉଥିବା ନେଇ ଅଭିଯୋଗ ଉଠୁଛି। ଏହି ଗୁରୁତର ମାମଲାରେ ମଧ୍ୟ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ମୌନ ଅଛନ୍ତି।
କାରଣ କୁହାଯାଉଛି, ତାମିଲନାଡ଼ୁ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିକଟତର ଏବଂ ତାଙ୍କ ‘ଇକୋସିଷ୍ଟମ୍’ରେ ଜଡ଼ିତ ଥିବା କିଛି ପ୍ରଶାସନିକ ଅଫିସର ଏହି ବହି ଛାପା ଓ ବଣ୍ଟନ ଦୁର୍ନୀତିରେ ସାମିଲ ଅଛନ୍ତି!
ସତ କହିବାକୁ ଗଲେ, ଓଡ଼ିଶାରେ ପ୍ରାଥମିକଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ସ୍ତର ପର୍ଯ୍ୟନ୍ତ, ଛାତ୍ରଛାତ୍ରୀଙ୍କର ଯଦି କେହି ସବୁଠାରୁ ଅଧିକ କ୍ଷତି କରିଛନ୍ତି, ସେ ହେଉଛି ବିଜେଡି ଶାସନ।
• ପ୍ରାଥମିକ ଶିକ୍ଷା ସ୍ତରରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ବର୍ଷ ବର୍ଷ ଧରି ବନ୍ଦ ରଖାଗଲା।
• ଯେଉଁ କୋଠା ଓ ଗୁଣାତ୍ମକ ଶିକ୍ଷାର ଡିଣ୍ଡିମ୍ ପିଟାଗଲା, ସେଠାରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ପାଠ ପଢ଼ାଇବା ଅପେକ୍ଷା ଦଳୀୟ ପ୍ରଚାର ଓ ସରକାରୀ କାମରେ ଅଧିକ ନିୟୋଜିତ କରାଗଲା।
• ଆଜି ବି ରାଜ୍ୟର ଶହ ଶହ କଲେଜରେ ସ୍ଥାୟୀ ଅଧ୍ୟାପକ ନାହାନ୍ତି। ଅତିଥି ଅଧ୍ୟାପକ (Guest Faculty)ଙ୍କ ଭରସାରେ ଚାଲିଛି ଓଡ଼ିଶାର ଶିକ୍ଷା ବ୍ୟବସ୍ଥା।
ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ପରାଜୟର ପରାଭବକୁ ଭୁଲି ପାରୁନାହାନ୍ତି। ତେଣୁ ଗତ ରାଜ୍ୟସଭା ନିର୍ବାଚନ କାଳରେ କଂଗ୍ରେସ ସହିତ ଅଲିଖିତ ମେଣ୍ଟ କରିଥିଲେ। ଏହି ମେଣ୍ଟର ପରିଣତି କ’ଣ ହେଲା। ନିଜେ ନବୀନ ପଟ୍ଟନାୟକ ଲୋକହସା ହେବା ସହିତ ଦଳର ୮ଜଣ ବିଧାୟକ ଓ ଜଣେ ରାଜ୍ୟସଭା ସାଂସଦ ଦଳ ଛାଡ଼ିଲେ।
ଏହାପରେ ବି ନବୀନ ପଟ୍ଟନାୟକଙ୍କ କଂଗ୍ରେସ ପ୍ରୀତି ଛାଡ଼ି ନାହିଁ। ଆଗକୁ ଉତ୍ତରପ୍ରଦେଶ ଓ ପଞ୍ଚାବ ନିର୍ବାଚନ ଥିବାରୁ ରାହୁଲ ଗାନ୍ଧି ଏବେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ସେହି ରାହୁଲ ଗାନ୍ଧିଙ୍କୁ ସମର୍ଥନ କରିବା ପାଇଁ ବିଜୁ ଜନତା ଦଳ ଏବେ ଅଣ୍ଟା ଭିଡ଼ି ବାହାରିଛି। ଯଦି ଏହି ଧାରା ଜାରି ରୁହେ, ତେବେ ଖୁବ୍ଶୀଘ୍ର ବିଜେଡି ବାକି ଥିବା ୫ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇଜଣଙ୍କୁ ଛାଡ଼ିଦେଲେ ଅନ୍ୟ ତିନିଜଣ ବିଜେଡି ଯିବା ପାଇଁ ପଛଘୁଞ୍ଚା ଦେବେ ନାହିଁ। ରାଜ୍ୟସଭାକୁ ନୂଆକରି ନିର୍ବାଚିତ ହୋଇଥିବା ସାଂସଦ ସଂତୃପ୍ତ ମିଶ୍ରଙ୍କ ପାଇଁ ବଡ଼ ବାସଗୃହ ତୁରନ୍ତ ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଚିଠି ଲେଖିବା ଘଟଣା ଏପରି ଘଟଣାକୁ ବଳ ଦେଇଛି।
ତେଣୁ ଆଜି ଯେତେବେଳେ ନବୀନ ପଟ୍ଟନାୟକ ଦିଲ୍ଲୀରେ ବସି ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛନ୍ତି, ସେତେବେଳେ ଓଡ଼ିଶାବାସୀ ପ୍ରଶ୍ନ ପଚାରୁଛନ୍ତି—
“ଏହା ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ଆନ୍ତରିକତା, ନା ‘ତାମିଲ ବୋହୂ’ଙ୍କ ସୁରକ୍ଷା ଓ ରାଜନୈତିକ ସେଟିଂ ପାଇଁ ଏକ ନୂଆ ଚାଲ୍?”
ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜନୈତିକ ସ୍ତରରେ ଦୁର୍ବଳ କରିପାରିଲେ ହୁଏତ ଆଗାମୀ ଦିନରେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ସୁରକ୍ଷିତ ରହିବ, କିନ୍ତୁ ଓଡ଼ିଶାର ଜନସାଧାରଣ ଏହି ସବୁ ରାଜନୈତିକ ଗୋଟିଚାଳନାକୁ ବେଶ୍ ଭଲ ଭାବେ ବୁଝିସାରିଛନ୍ତି।
AlsoRead; https://purvapaksa.com/how-important-is-the-electoral-affidavit-in-a-politicians-asset-declaration/


