ଓଡ଼ିଶା ରାଜନୀତିର ସବୁଠାରୁ ଚର୍ଚ୍ଚିତ ଏବଂ ହଟ୍ ସିଟ୍ କହିଲେ ଶ୍ରୀକ୍ଷେତ୍ର ପୁରୀକୁ ହିଁ ବୁଝାଏ। କିନ୍ତୁ ଏବେ ପୁରୀ ବିଜେଡି ଭିତରେ ଯେଉଁ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି, ତାହା ଦଳର ହାଇକମାଣ୍ଡଙ୍କ ନିଦ ହଜାଇ ଦେଇଛି। ଦଳର ସାଂଗଠନିକ ଦାୟିତ୍ୱରେ ଥିବା ବରିଷ୍ଠ ନେତ୍ରୀ ସୁଜାତା କାର୍ତ୍ତିକେୟନ ଏବେ ପୁରୀ ରାଜନୀତିର ଏମିତି ଏକ ଦୋଛକିରେ ଛିଡ଼ା ହୋଇଛନ୍ତି, ଯେଉଁଠି ଗୋଟିଏ ପଟେ ଅଛନ୍ତି ଦଳର ପୁରୁଖା ତଥା ନିର୍ବାଚନ ହାରିଥିବା ନେତା ସଞ୍ଜୟ ଦାସବର୍ମା ଏବଂ ଅନ୍ୟପଟେ ଅଛନ୍ତି ପୁରୀର ନବନିର୍ବାଚିତ ଯୁବ ବିଧାୟକ ସୁନିଲ ମହାନ୍ତି।
ସମୟ ବଦଳିବା ସହ ପୁରୀ ରାଜନୀତିର ସମୀକରଣ ମଧ୍ୟ ବଦଳି ଯାଇଛି। ଦିନ ଥିଲା ଯେତେବେଳେ ସ୍ୱର୍ଗତ ମହେଶ୍ୱର ମହାନ୍ତି ଏବଂ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଭଳି ହେଭିୱେଟ୍ ନେତାମାନେ ପୁରୀ ଜିଲ୍ଲା ବିଜେଡିର ମୁରବୀ ସାଜିଥିଲେ। ସେମାନଙ୍କ ଗୋଟିଏ ନିର୍ଦ୍ଦେଶରେ ସାରା ଜିଲ୍ଲାର ସଂଗଠନ ଉଠୁଥିଲା ଏବଂ ବସୁଥିଲା। କିନ୍ତୁ ଏହି ଦୁଇ ପ୍ରଭାବଶାଳୀ ବରିଷ୍ଠ ନେତାଙ୍କ ବିୟୋଗ ପରେ, ପୁରୀ ବିଜେଡି ଏବେ ସମ୍ପୂର୍ଣ୍ଣ ଭାବେ ମୁରବୀ ଶୂନ୍ୟ ହୋଇପଡ଼ିଛି। ବର୍ତ୍ତମାନ ପୁରୀ ରାଜନୀତିରେ ଯେଉଁମାନେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ନୂଆ ଏବଂ ଯୁବ ଚେହେରା।
ଆଉ ଠିକ୍ ଏହି ଶୂନ୍ୟସ୍ଥାନକୁ ଲକ୍ଷ୍ୟ କରିଛନ୍ତି ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା। ନିର୍ବାଚନରେ ବାରମ୍ବାର ପରାଜୟର ସ୍ୱାଦ ଚାଖିଥିଲେ ମଧ୍ୟ ସଞ୍ଜୟ ବାବୁ ଏବେ ନିଜକୁ ପୁରୀ ଜିଲ୍ଲା ବିଜେଡିର ଅଘୋଷିତ ମୁରବୀ ବା ପୁରୁଖା ନେତା ଭାବେ ପ୍ରତିଷ୍ଠିତ କରିବାକୁ ଜୋରଦାର ଚେଷ୍ଟା ଚଳାଇଛନ୍ତି। ସେ ଭାବୁଛନ୍ତି ବରିଷ୍ଠତା ଆଧାରରେ ଜିଲ୍ଲାର କମାଣ୍ଡ ତାଙ୍କ ହାତକୁ ଆସିବା ଦରକାର। କିନ୍ତୁ ବାସ୍ତବତା ହେଉଛି, ପୁରୀ ରାଜନୀତିର ମଇଦାନ ଏତେ ସହଜ ନୁହେଁ। କାରଣ ସେଠାରେ ଛିଡ଼ା ହୋଇଛନ୍ତି ପୁରୀର ବର୍ତ୍ତମାନର ବିଧାୟକ ସୁନିଲ ମହାନ୍ତି, ଯିଏ କି ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ।
ସୁନିଲ ମହାନ୍ତି ମଧ୍ୟ ସହଜରେ କ୍ଷେତ୍ର ଛାଡ଼ିବା ଲୋକ ନୁହନ୍ତି। ସେ ଜଣେ ଯୁବ ବିଧାୟକ ହୋଇପାରନ୍ତି, କିନ୍ତୁ ତାଙ୍କ ପଛରେ ତାଙ୍କ ବାପାଙ୍କର ଦୀର୍ଘ ବର୍ଷର ସାଂଗଠନିକ ସାମ୍ରାଜ୍ୟ ଓ ଜନସମର୍ଥନ ରହିଛି। ଗତ ନିର୍ବାଚନ ଆଗରୁ ହିଁ ପୁରୀ ବିଜେଡି ଭିତରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିଲା। ବିଶେଷ କରି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଏବଂ ବିଧାୟକ ସୁନିଲ ମହାନ୍ତିଙ୍କ ମଧ୍ୟରେ ଥିବା ଶୀତଳ ଯୁଦ୍ଧ କାହାକୁ ଅଜଣା ନାହିଁ। ପୁରୀ ସହରରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଶୁଭାଶିଷ ଏବଂ ସୁନିଲଙ୍କ ଭିତରେ ସର୍ବଦା ଟକ୍କର ଚାଲିଛି।
କିନ୍ତୁ ରାଜନୈତିକ ସମୀକ୍ଷକମାନେ କହୁଛନ୍ତି, ଏହି ଖେଳ ପଛର ଅସଲ ମାଷ୍ଟରମାଇଣ୍ଡ ହେଉଛନ୍ତି ସଞ୍ଜୟ ଦାସବର୍ମା। ସୁନିଲ ମହାନ୍ତିଙ୍କ ପ୍ରଭାବକୁ କ୍ଷୀଣ କରିବା ପାଇଁ ସଞ୍ଜୟ ବାବୁ ଶୁଭାଶିଷ ଖୁଣ୍ଟିଆଙ୍କୁ ବ୍ୟବହାର କରି ପଛରୁ ଗେମ୍ ଖେଳୁଥିବା ନେଇ ପୁରୀ ରାଜନୀତିରେ ଜୋରଦାର ଚର୍ଚ୍ଚା ହେଉଛି। ଆଉ ଏହି କଥାକୁ ସୁନିଲ ମହାନ୍ତି କୌଣସି ପରିସ୍ଥିତିରେ ବି ଆଡଜଷ୍ଟ କରିବାକୁ ପ୍ରସ୍ତୁତ ନାହାନ୍ତି। ସୁନିଲ ଚାହୁଁନାହାନ୍ତି ଯେ ପୁରୀ ସହର କିମ୍ବା ଜିଲ୍ଲା ରାଜନୀତିରେ ସଞ୍ଜୟ ଦାସବର୍ମା କିମ୍ବା ଶୁଭାଶିଷ ଖୁଣ୍ଟିଆ ତାଙ୍କ ଉପରେ ଦାଦାଗିରି କରନ୍ତୁ।
ଏହି ବିବାଦ ଭିତରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା କେତେବେଳେ ଘଟିଲା ଜାଣନ୍ତି? ଯେତେବେଳେ ସଂଗଠନର କୌଣସି କାର୍ଯ୍ୟକ୍ରମ ପାଇଁ ସୁନିଲ ମହାନ୍ତିଙ୍କୁ ଆନୁଷ୍ଠାନିକ ଡକରା ବା ନିମନ୍ତ୍ରଣ ମିଳିଲାନି। ନିଜର ସ୍ୱାଭିମାନରେ ଆଘାତ ଲାଗିବାରୁ ବାବୁ ସୁନିଲ ମହାନ୍ତି ସିଧାସଳଖ ଦଳୀୟ ପ୍ରଭାରୀ ସୁଜାତା ମାଡାମ୍ଙ୍କୁ ଦେଖା କରିବାକୁ ପହଞ୍ଚିଗଲେ। ସେ ପୁଣି କେଉଁଠି? ସିଧାସଳଖ ପୁରୀ ଶ୍ରୀମନ୍ଦିର ପାଖରେ, ଯେଉଁଠାରେ ସୁଜାତା କାର୍ତ୍ତିକେୟନ ଉପସ୍ଥିତ ଥିଲେ। ବିଧାୟକ ସୁନିଲ ମହାନ୍ତି ସେଠାକୁ ଯାଇ ସୁଜାତାଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛନ୍ତି ଏବଂ ପୁରୀ ବିଜେଡି ଭିତରେ ତାଙ୍କ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ର ଓ ଅଣଦେଖା କରାଯାଉଥିବା ନେଇ ସିଧାସଳଖ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ଘଟଣା ପରେ ସୁଜାତା କାର୍ତ୍ତିକେୟନଙ୍କ ପାଇଁ ସ୍ଥିତି ଅତ୍ୟନ୍ତ ସଂଗୀନ ହୋଇପଡ଼ିଛି। ଗୋଟିଏ ପଟେ ଦଳର ବରିଷ୍ଠତା ଦେଖାଇ ସଂଗଠନକୁ ହାତକୁ ନେବାକୁ ଚାହୁଁଥିବା ସଞ୍ଜୟ ଦାସବର୍ମା ଏବଂ ତାଙ୍କ ସହଯୋଗୀ ଶୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ, ଏବଂ ଅନ୍ୟପଟେ ନିଜ ବାପାଙ୍କ ଗଡ଼କୁ ବଞ୍ଚାଇବା ପାଇଁ ଲଢ଼ୁଥିବା ଯୁବ ବିଧାୟକ ସୁନିଲ ମହାନ୍ତି। ଏହି ଦୁଇ ପ୍ରତିଦ୍ବନ୍ଦ୍ବୀ ଗୋଷ୍ଠୀ ଭିତରେ ଚାଲିଥିବା ଶୀତଳ ଯୁଦ୍ଧକୁ ସୁଜାତା ମାଡାମ୍ କେମିତି ସମ୍ଭାଳିବେ, ତାହା ଏବେ ତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସାଜିଛି।
ରାଜନୈତିକ ସମୀକ୍ଷକମାନଙ୍କ ମତରେ, ପୁରୀ ବିଜେଡିର ଏହି ଆନ୍ତଃକନ୍ଦଳ ଯଦି ଠିକ୍ ସମୟରେ ସମାଧାନ ନହୁଏ, ତେବେ ଆଗାମୀ ଦିନରେ ଦଳ ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯିବ। ସୁଜାତା କାର୍ତ୍ତିକେୟନ ଏବେ ଏମିତି ଏକ ସ୍ଥିତିରେ ଅଛନ୍ତି ଯେ ସେ ଯଦି ସଞ୍ଜୟ ଦାସବର୍ମାଙ୍କୁ ସପୋର୍ଟ କରୁଛନ୍ତି, ତେବେ ଜଣେ ଜିତିଥିବା ଯୁବ ବିଧାୟକ ଓ ତାଙ୍କ ସମର୍ଥକମାନେ ଦଳ ପ୍ରତି ବିଦ୍ରୋହୀ ଆଚରଣ କରିବେ। ଆଉ ଯଦି ସେ ସୁନିଲ ମହାନ୍ତିଙ୍କ ପକ୍ଷ ନେଉଛନ୍ତି, ତେବେ ଜିଲ୍ଲାର ପୁରୁଖା ନେତା ଓ ସାଂସଦ ଗୋଷ୍ଠୀ ଦଳୀୟ ସଂଗଠନକୁ ଅସହଯୋଗ କରିବେ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ବଦା ଶୃଙ୍ଖଳାକୁ ଗୁରୁତ୍ୱ ଦିଅନ୍ତି, କିନ୍ତୁ ପୁରୀ ମଇଦାନରେ ଏବେ ଯେଉଁଭଳି ଭାବେ ନେତାମାନେ ପରସ୍ପର ବିରୋଧରେ ଗେମ୍ ଖେଳୁଛନ୍ତି, ତାହା ସ୍ପଷ୍ଟ କରୁଛି ଯେ ମୁରବୀ ନଥିବା ପୁରୀ ବିଜେଡି ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ତେଣୁ ହିଁ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି କି – “ପୁରୀ ରାଜନୀତିର ଦୋଛକିରେ ସୁଜାତା”।
AlsoRead; https://purvapaksa.com/why-dharmendra-mohan-feud-cold-war-in-bjp/
କାହିଁକି ଧର୍ମେନ୍ଦ୍ର-ମୋହନ ବିବାଦ ବିଜେପିରେ ଶୀତଳ ଯୁଦ୍ଧ || Why Dharmendra-Mohan feud? Cold war in BJP


