ଆଜିର ସମୟରେ ରାଜନୀତିରେ ‘ଦଳବଦଳ’ ବା ଦଳ ଛାଡ଼ି ଅନ୍ୟ ଦଳକୁ ଯିବା ଏକ ଅତି ସାଧାରଣ ନୀତି ଏବଂ ଦୈନନ୍ଦିନ ଘଟଣା ପାଲଟିଯାଇଛି। ବିଭିନ୍ନ ଦଳର ନେତାମାନେ ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳକୁ ଯାଉଛନ୍ତି ଏବଂ ଏହା ପଛରେ ଅନେକ କାରଣ ମଧ୍ୟ ରହୁଛି। କେହି ନିଜ ଦଳରେ ଅସନ୍ତୋଷ ଅନୁଭବ କରି ଚାଲିଯାଉଛି, କେହି ନିଜର ବ୍ୟବସାୟ ଓ ଆର୍ଥିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ଦଳ ବଦଳାଉଛି, ତ ଆଉ କେହି ନିଜର ବ୍ୟକ୍ତିଗତ ମହତ୍ତ୍ୱାକାଂକ୍ଷାକୁ ଚରିତାର୍ଥ କରିବା ପାଇଁ ଅନ୍ୟ ଦଳରେ ଆଶ୍ରୟ ନେଉଛି। ତେଣୁ ଦଳବଦଳ ରାଜନୀତି ଆଜିର ଦିନରେ ନୂଆ କଥା ନୁହେଁ।
କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳୁଛି। ଯେଉଁ ଦଳ ଓଡ଼ିଶାରେ ସବୁଠାରୁ ଲମ୍ବା ସମୟ ଧରି କ୍ଷମତାରେ ରହି ଏକ ବଡ଼ ରେକର୍ଡ କରିଥିଲା—ସେହି ବିଜୁ ଜନତା ଦଳ (ବିଜେଡି) ଏବଂ ତାର ସଭାପତି ନବୀନ ପଟ୍ଟନାୟକ ଯେତେବେଳେ ନିଜ ଦଳର ନେତାମାନଙ୍କ ପାଇଁ କିଛି ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର କରନ୍ତି, ସେତେବେଳେ ଓଡ଼ିଶାବାସୀ ଚିନ୍ତା କରିବାକୁ ବାଧ୍ୟ ହୁଅନ୍ତି। ନବୀନ ପଟ୍ଟନାୟକଙ୍କ ମୁହଁରୁ ବାହାରୁଥିବା ଶବ୍ଦ ଯେପରିକି—”ବିଶ୍ୱାସଘାତକ” (Traitor), “ବେଇମାନ” କିମ୍ବା “ଦଳବିରୋଧୀ”। ଏହି ଶବ୍ଦଗୁଡ଼ିକ କଣ ପ୍ରକୃତରେ ନୀତି ଏବଂ ନୈତିକତା ଉପରେ ଆଧାରିତ, ନା ଏହା ପଛରେ ବିଜେଡି ସଭାପତିଙ୍କର ଏକ ବଡ଼ ‘ଡବଲ୍ ଷ୍ଟାଣ୍ଡାର୍ଡ’ ବା ଦୁଇମୁହାଁ ନୀତି ଲୁଚି ରହିଛି?
ପ୍ରଭାତ ବିଶ୍ୱାଳ ଓ ପ୍ରଭାତ ତ୍ରିପାଠୀ: ଦୁର୍ନୀତିରେ ସହଯୋଗ, ଦଳ ଛାଡ଼ିଲେ ‘ବିଶ୍ୱାସଘାତକ’!
ନିକଟରେ ଏକ ବଡ଼ ଘଟଣା ଘଟିଲା। ବିଜୁ ଜନତା ଦଳର ପୂର୍ବତନ ବରିଷ୍ଠ ବିଧାୟକ ପ୍ରଭାତ ବିଶ୍ୱାଳ ବିଜେଡି ଛାଡ଼ି ଭାରତୀୟ ଜନତା ପାର୍ଟି (ବିଜେପି) ରେ ସାମିଲ ହେଲେ। ପ୍ରଭାତ ବିଶ୍ୱାଳ ଦଳ ଛାଡ଼ିବା ପରେ କଟକ ଚୌଦ୍ୱାର ଅଞ୍ଚଳର କିଛି ନେତା ଓ କର୍ମୀ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଲେ। ସେଠାରେ ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ବୁଝାଇବାକୁ ଯାଇ ଏକ ବଡ଼ କଥା କହିଲେ। ସେ କହିଲେ ଯେ—”ମୁଁ ପ୍ରଭାତ ବିଶ୍ୱାଳଙ୍କୁ ଅନେକ ସୁଯୋଗ ଦେଇଥିଲି। ଯେତେବେଳେ ସେ ଚିଟ୍ଫଣ୍ଡ ମାମଲାରେ ଜେଲ୍ ଯାଇଥିଲେ, ମୁଁ ତାଙ୍କୁ ସବୁ ପ୍ରକାର ସହଯୋଗ କରିଥିଲି ଏବଂ ତାଙ୍କୁ ଦୁଇ ଦୁଇ ଥର ଦଳରୁ ବିଧାୟକ ଟିକେଟ୍ ଦେଇ ଜିତାଇଥିଲି।”
ଚିନ୍ତା କରନ୍ତୁ, ନବୀନ ପଟ୍ଟନାୟକ ଏହା କହି ନିଜର ମହାନତା ଦେଖାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏଠାରେ ସାଧାରଣ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠୁଛି—ଜଣେ ନେତା ଯିଏ ଦୁର୍ନୀତି ଅଭିଯୋଗରେ ଜେଲ୍ ଯାଇଥିଲେ, ତାଙ୍କୁ ସହଯୋଗ କରିବା ଏବଂ ପୁଣି ଟିକେଟ୍ ଦେଇ ବିଧାୟକ କରିବା କଣ ନବୀନ ପଟ୍ଟନାୟକଙ୍କର ‘ସୁଶାସନ’ର ପ୍ରତୀକ ଥିଲା? ଅର୍ଥାତ୍, ଯେ ପର୍ଯ୍ୟନ୍ତ ଆପଣ ଦୁର୍ନୀତି କରି ଜେଲ୍ ଯିବେ ଏବଂ ନବୀନ ପଟ୍ଟନାୟକଙ୍କ ପାଖରେ ନତମସ୍ତକ ହୋଇ ରହିବେ, ସେ ପର୍ଯ୍ୟନ୍ତ ଆପଣ ସୁରକ୍ଷିତ ଏବଂ ଆପଣଙ୍କୁ ପୁରସ୍କାର ମିଳିବ। କିନ୍ତୁ ଯେତେବେଳେ ଆପଣ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କଲେ କିମ୍ବା ନିଜ ଇଚ୍ଛାରେ ଦଳ ଛାଡ଼ିଲେ, ସେତେବେଳେ ଆପଣ ହଠାତ୍ “ବିଶ୍ୱାସଘାତକ” ଏବଂ “ବେଇମାନ” ପାଲଟିଗଲେ!
ଠିକ୍ ସେହିଭଳି ଆଉ ଜଣେ ପ୍ରଭାତଙ୍କ କଥା ଦେଖନ୍ତୁ—ବିଜେଡିର ପୂର୍ବତନ ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ। ତାଙ୍କ ପୁଅ ଯେତେବେଳେ ବିଜେପି ସମର୍ଥୀତ ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ, ଦଳ ତାଙ୍କୁ ନିଲମ୍ବିତ କଲା ଏବଂ ବିଜେଡିର ରାଙ୍କ ଆଣ୍ଡ ଫାଇଲ୍ ତାଙ୍କ ପାଇଁ ମଧ୍ୟ ସେହି ସମାନ ଶବ୍ଦ ବ୍ୟବହାର କଲେ—”ବିଶ୍ୱାସଘାତକ”। ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରଭାତ ତ୍ରିପାଠୀଙ୍କ ନାମରେ ମଧ୍ୟ ଚିଟ୍ଫଣ୍ଡ ଦୁର୍ନୀତିର ସଙ୍ଗୀନ ଅଭିଯୋଗ ଥିଲା ଏବଂ ସେ ମଧ୍ୟ ଜେଲ୍ ଯାଇଥିଲେ। ସେତେବେଳେ ନବୀନ ପଟ୍ଟନାୟକ ତାଙ୍କୁ ପ୍ରଶ୍ରୟ ଦେଲେ, ତାଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀଙ୍କୁ ଟିକେଟ୍ ଦେଇ ବିଧାୟକ କଲେ। ଅର୍ଥାତ୍, ଦୁର୍ନୀତିଗ୍ରସ୍ତ ନେତାଙ୍କୁ ପାଖରେ ରଖିବା ଏବଂ ତାଙ୍କ ବଦଳରେ ତାଙ୍କ ପୁଅକୁ ଟିକେଟ୍ ଦେବା ହେଉଛି ନବୀନ ପଟ୍ଟନାୟକଙ୍କ ରାଜନୀତିର ଏକ ଅଲିଖିତ ନିୟମ, ଯେ ପର୍ଯ୍ୟନ୍ତ ସେମାନେ ଦଳରେ ଅଛନ୍ତି, ସେ ପର୍ଯ୍ୟନ୍ତ ସେମାନେ ପବିତ୍ର, କିନ୍ତୁ ଦଳ ଛାଡ଼ିବା ମାତ୍ରେ ସେମାନେ ବେଇମାନ୍।
ପ୍ରତାପ ଜେନା ଓ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର: ଦଳରେ ରହିଲେ ସୁରକ୍ଷିତ, ନାହିଁ କୌଣସି କାର୍ଯ୍ୟାନୁଷ୍ଠାନ!
ଓଡ଼ିଶା ରାଜନୀତିର ଆଉ କିଛି ବଡ଼ ଚେହେରାଙ୍କ ଉପରୁ ପରଦା ହଟାଇବା। ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା। ତାଙ୍କ ବିରୋଧରେ କଣ ଅଭିଯୋଗ ଥିଲା, ତାହା ସାରା ଓଡ଼ିଶାବାସୀ ଜାଣନ୍ତି। ମାହାଙ୍ଗା ଟ୍ରପଲ୍ ମର୍ଡର କେସ୍ ଭଳି ଏକ ଅତି ସଙ୍ଗୀନ ଅପରାଧିକ ମାମଲାରେ ତାଙ୍କ ନାମ ଆସିଲା। କିନ୍ତୁ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବାହାର କଲେ କି? ନା ! ଗତ ନିର୍ବାଚନରେ ତାଙ୍କ ପୁଅ ଅଙ୍କିତ ଜେନାଙ୍କୁ ଟିକେଟ୍ ଦେଇ ପୁରସ୍କୃତ କଲେ। କାରଣ ପ୍ରତାପ ଜେନା ଏପର୍ଯ୍ୟନ୍ତ ଦଳ ଛାଡ଼ିନାହାନ୍ତି କିମ୍ବା ନବୀନ ପଟ୍ଟନାୟକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିନାହାନ୍ତି। ତେଣୁ ସେ ନବୀନ ପଟ୍ଟନାୟକଙ୍କ ପାଇଁ ଜଣେ ଆଦର୍ଶ ନେତା! ତାଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ଶବ୍ଦକୋଷରେ “ବିଶ୍ୱାସଘାତକ” କିମ୍ବା “ବେଇମାନ୍” ଭଳି ଶବ୍ଦ ହିଁ ନାହିଁ।
ଠିକ୍ ସେହିଭଳି ଆଉ ଏକ ଉଦାହରଣ ହେଉଛନ୍ତି କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର। ତାଙ୍କ ବିରୋଧରେ ମଧ୍ୟ ଏକାଧିକ ସଙ୍ଗୀନ ଅପରାଧିକ ମାମଲାରେ ସଂଶ୍ଳିଷ୍ଟ ଥିବାର ଅଭିଯୋଗ ଆସିଲା, ଯାହା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ବିରୋଧୀଙ୍କ ପ୍ରବଳ ଚାପ ସତ୍ତ୍ୱେ ନବୀନ ପଟ୍ଟନାୟକ ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବାହାର କରିନଥିଲେ ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ତାଙ୍କୁ କ୍ରମାଗତ ଭାବେ ଦଳରୁ ଟିକେଟ୍ ଦେଇ ଆସୁଛନ୍ତି। କାରଣ ସେ ନବୀନ ପଟ୍ଟନାୟକଙ୍କର ଜଣେ ଅତି ପରମ ଅନୁଗତ।
ଏହି ସମସ୍ତ ଉଦାହରଣରୁ ଓଡ଼ିଶାର ସାଧାରଣ ଜନସାଧାରଣ କଣ ବୁଝିବେ? ନବୀନ ପଟ୍ଟନାୟକଙ୍କ ରାଜନୈତିକ ସମୀକରଣ ଅନୁଯାୟୀ—ଆପଣ ଦୁର୍ନୀତି କରନ୍ତୁ, ଆପଣଙ୍କ ବିରୋଧରେ ଅପରାଧିକ ମାମଲା ରହୁ, କିନ୍ତୁ ଯଦି ଆପଣ ଚୁପ୍ଚାପ୍ ନବୀନ ପଟ୍ଟନାୟକଙ୍କ ଚାରି କାନ୍ଥ ଭିତରେ ଅନୁଗତ ହୋଇ ରହିବେ, ତେବେ ଆପଣ ମହାନ ଏବଂ ସେହି ଅନୁଗତତାକୁ ପ୍ରଶ୍ରୟ ଦେବା ହେଉଛି ନବୀନ ପଟ୍ଟନାୟକଙ୍କର ମହାନତା! କିନ୍ତୁ ଯଦି ଆପଣ ଦଳୀୟ ବ୍ୟବସ୍ଥା ଭିତରେ ନିଜର ସ୍ୱାଧୀନ ମତ ରଖିବେ କିମ୍ବା ଦଳ ଛାଡ଼ିବାକୁ ଚେଷ୍ଟା କରିବେ, ତେବେ ଆପଣ ତୁରନ୍ତ ‘ବେଇମାନ୍’ ପାଲଟିଯିବେ। କଣ ଏହା ଏକ ବଡ଼ ଦୁଇମୁହାଁ ନୀତି ନୁହେଁ?
ପ୍ରଫୁଲ୍ଲ ଘଡ଼େଇ ଓ ପ୍ୟାରୀମୋହନ ମହାପାତ୍ର: ଇତିହାସର ସେହି କଳା ପୃଷ୍ଠା
ଆସନ୍ତୁ ଇତିହାସର ପୃଷ୍ଠାକୁ ଟିକେ ଓଲଟାଇବା। ବେଶ୍ କିଛି ବର୍ଷ ପୂର୍ବେ ବିଜେଡିର ଅତି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ଗୋଟିଏ ପ୍ରମୁଖ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଓଡ଼ିଶା ରାଜନୀତିରେ ଏକ ବଡ଼ ଚାଞ୍ଚଲ୍ୟ ଖେଳାଇ ଦେଇଥିଲେ। ସେ ସେହି ସାକ୍ଷାତକାରରେ ସିଧାସଳଖ କହିଥିଲେ ଯେ, ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ଅଫିସର ବା ପିଏ (PA) ମାନଙ୍କ ଉପରେ ନିର୍ଭରଶୀଳ ଏବଂ ସେ ମେଣ୍ଟାଲି ଓ ଫିଜିକାଲି ଡଲ୍ (Dull) ହୋଇଯାଇଛନ୍ତି। ଏହାପରେ ନବୀନ ପଟ୍ଟନାୟକ ତୁରନ୍ତ ତାଙ୍କୁ ଦଳରୁ ବହିଷ୍କାର କଲେ ଏବଂ ତାଙ୍କୁ “ବିଶ୍ୱାସଘାତକ” ର ଆଖ୍ୟା ଦିଆଗଲା। କିନ୍ତୁ ପରବର୍ତ୍ତୀ ସମୟରେ କଣ ହେଲା? ସେହି ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରଣବ ପ୍ରକାଶ ଘଡ଼େଇଙ୍କୁ ନବୀନ ପଟ୍ଟନାୟକ ଟିକେଟ୍ ଦେଲେ, ବିଧାୟକ ଓ ମନ୍ତ୍ରୀ କଲେ। କାରଣ ପରବର୍ତ୍ତୀ ସମୟରେ ସେମାନେ ପୁଣି ନବୀନ ପଟ୍ଟନାୟକଙ୍କ ପାଖରେ ଆତ୍ମସମର୍ପଣ କରି ଅନୁଗତ ହୋଇ ରହିଲେ।
ଏହାଠାରୁ ଆହୁରି ବଡ଼ ଉଦାହରଣ ହେଉଛନ୍ତି ଓଡ଼ିଶା ରାଜନୀତିର ଚାଣକ୍ୟ କୁହାଯାଉଥିବା ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର। ଯେଉଁ ପ୍ୟାରୀମୋହନ ମହାପାତ୍ର ବିଜୁ ଜନତା ଦଳକୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳର ମାନ୍ୟତା ଦେଇ ଦୀର୍ଘ ସମୟ ଓଡ଼ିଶା ଶାସନ କରିବାର ସମସ୍ତ ସୁବିଧା ଓ ସୁଯୋଗ ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରସ୍ତୁତ କରିଦେଇଥିଲେ, ତାଙ୍କ ସହ କଣ ହେଲା? ୨୦୧୨ ମସିହାର ସେହି ତଥାକଥିତ “ମିଡ୍ନାଇଟ୍ ଅପରେସନ୍” ବା ମଧ୍ୟରାତ୍ରିର ରାଜନୈତିକ ଗତିବିଧି ପରେ, ନବୀନ ପଟ୍ଟନାୟକ ତାଙ୍କୁ ଅତି ଅପମାନଜନକ ଭାବେ ଦଳରୁ ବାହାରକୁ ରାସ୍ତା ଦେଖାଇଲେ।
ସେତେବେଳେ ମଧ୍ୟ ନବୀନ ପଟ୍ଟନାୟକ ସେହି ସମାନ ରାଜନୈତିକ ଶବ୍ଦ ବ୍ୟବହାର କରିଥିଲେ—”ବିଶ୍ୱାସଘାତକ” ଏବଂ “ବେଇମାନ”। ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ପ୍ରଭାତ ବିଶ୍ୱାଳଙ୍କ ପର୍ଯ୍ୟନ୍ତ, ନବୀନ ପଟ୍ଟନାୟକଙ୍କ ମୁହଁରୁ ଏହି ଶବ୍ଦ ପୁଞ୍ଜ ବାରମ୍ବାର ଓଡ଼ିଶାବାସୀ ଶୁଣିବାକୁ ପାଉଛନ୍ତି।
ପ୍ରକୃତ ପ୍ରଶ୍ନ: ଶବ୍ଦଗୁଡ଼ିକ ନବୀନ ପଟ୍ଟନାୟକଙ୍କର ନା କାହା ଦ୍ୱାରା ପରିଚାଳିତ?
ବର୍ତ୍ତମାନ ଓଡ଼ିଶାର ସାଧାରଣ ଜନସାଧାରଣ ଓ ରାଜନୈତିକ ସମୀକ୍ଷକମାନେ ଏକ ବଡ଼ ପ୍ରଶ୍ନ ଉଠାଉଛନ୍ତି। ନବୀନ ପଟ୍ଟନାୟକ ଯେଉଁ ସବୁ ଶବ୍ଦ ଏବଂ ଭାଷା ନେତାମାନଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି, ସେଗୁଡ଼ିକ କଣ ପ୍ରକୃତରେ ତାଙ୍କର ନିଜସ୍ୱ ଅଭିବ୍ୟକ୍ତି? ସେହି ଶବ୍ଦଗୁଡ଼ିକ କଣ ସେ ନିଜେ ଚିନ୍ତା କରି କୁହନ୍ତି, ନା ତାଙ୍କ ଚାରିପାଖରେ ଥିବା ଏକ ନିର୍ଦ୍ଦିଷ୍ଟ କୋଟେରୀ ବା ପ୍ରଶାସନିକ ଗୋଷ୍ଠୀ ତାଙ୍କୁ ଯାହା ଲେଖି ଦିଅନ୍ତି, ସେ କେବଳ ତାହାକୁ ଏକ ରେକର୍ଡିଂ ମେସିନ୍ ଭଳି ପଢ଼ି ଦିଅନ୍ତି?
ଓଡ଼ିଶାବାସୀ ଏବେ ଚିନ୍ତା କରୁଛନ୍ତି ଯେ, ଯେଉଁ ନେତାମାନେ ବର୍ଷ ବର୍ଷ ଧରି ଦଳ ପାଇଁ ରକ୍ତଝାଳ ବୁହାଇଲେ, ସେମାନେ ଦଳରେ ଥିବା ସମୟରେ ଯେତେ ଦୁର୍ନୀତି କଲେ ମଧ୍ୟ ସେମାନଙ୍କୁ ସୁରକ୍ଷା ଦିଆଗଲା। କିନ୍ତୁ ଦଳ କ୍ଷମତାରୁ ଯିବା ପରେ କିମ୍ବା ସେମାନେ ନିଜର ଭବିଷ୍ୟତ ପାଇଁ ଅନ୍ୟ ଦଳକୁ ଯିବା ମାତ୍ରେ, ସେମାନଙ୍କ ଉପରେ ‘ବେଇମାନ୍’ ର ଟୀକା ମାରିଦେବା କେତେଦୂର ନୈତିକତା ସମ୍ପନ୍ନ? ଏହା ହିଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଶୈଳୀ ଏବଂ ତାଙ୍କ ଦଳ ଭିତରେ ଥିବା ‘ଡବଲ୍ ଷ୍ଟାଣ୍ଡାର୍ଡ’ ବା ଦୁଇମୁହାଁ ନୀତିକୁ ସମ୍ପୂର୍ଣ୍ଣ ଭାବେ ପଦାରେ ପକାଉଛି।
ତେବେ ବନ୍ଧୁଗଣ, ଆଜିର ରାଜନୀତିରେ ନୀତି ଏବଂ ନୈତିକତାର କୌଣସି ସ୍ଥାନ ନାହିଁ, ଏହା କେବଳ ସୁବିଧାବାଦୀ ରାଜନୀତି ଉପରେ ହିଁ ଚାଲିଛି। ଲୋକମାନେ ନେତାଙ୍କୁ ଭୋଟ୍ ଦେଇ ନିର୍ବାଚିତ କରୁଛନ୍ତି, ନେତାମାନେ ନିଜ ସୁବିଧା ଅନୁସାରେ ଦଳ ବଦଳାଉଛନ୍ତି। କିନ୍ତୁ ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଶାସନ କରିଥିବା ଜଣେ ପରିପକ୍ୱ ରାଜନେତା ନବୀନ ପଟ୍ଟନାୟକ ଯେଉଁଭଳି ଭାବେ ନିଜର ଶବ୍ଦକୋଷକୁ ଦୁଇଟି ଭିନ୍ନ ମାପଦଣ୍ଡରେ ବ୍ୟବହାର କରୁଛନ୍ତି, ତାହା ସାଧାରଣ ଲୋକଙ୍କ ମନରେ ଏକ ବଡ଼ ଦ୍ୱନ୍ଦ୍ୱ ଏବଂ ପ୍ରଶ୍ନବାଚୀ ସୃଷ୍ଟି କରିଛି।
AlsoRead; https://purvapaksa.com/bmc-demolishes-houses-of-notorious-criminals/
କୁଖ୍ୟାତ ଅପରାଧୀମାନଙ୍କ ଘର ଭାଙ୍ଗିଲା ବିଏମସି || BMC demolishes houses of notorious criminals


