ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଚାଲିଥିବା ଅନଶନ ଆନ୍ଦୋଳନ ଏବେ ଏକ ଗମ୍ଭୀର ମୋଡ଼ ନେଇଛି। ଦେଶର ପ୍ରମୁଖ ଶିକ୍ଷାଗତ ପରୀକ୍ଷା ‘ନିଟ୍-ୟୁଜି’ ରେ ହୋଇଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ପ୍ରସିଦ୍ଧ ସାମାଜିକ କର୍ମୀ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଆମର ଅନଶନ ରବିବାର ୧୫ତମ ଦିନରେ ପହଞ୍ଚିଛି। ଦୀର୍ଘ ୧୫ ଦିନ ଧରି ଅନ୍ନଜଳ ତ୍ୟାଗ କରିବା ଫଳରେ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଛି। ଡାକ୍ତରୀ ଦଳଙ୍କ ସୂଚନା ଅନୁଯାୟୀ, ତାଙ୍କର ରକ୍ତଚାପ ଯଥେଷ୍ଟ ହ୍ରାସ ପାଇବା ସହ ଶରୀରର ଓଜନ ପ୍ରାୟ ୭ କିଲୋ ୮୦୦ ଗ୍ରାମ କମିଯାଇଛି। ବର୍ତ୍ତମାନ ତାଙ୍କର ବ୍ଲଡ୍ ପ୍ରେସର ୧୦୪/୬୬ mm Hg କୁ ଖସି ଆସିଥିବାରୁ ଡାକ୍ତରମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

ଜନସାଧାରଣଙ୍କୁ ଆହ୍ୱାନ: ‘ନିଜ ଜୀବନର ନାୟକ ନିଜେ ହୁଅନ୍ତୁ’
ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଚାଲିଥିଲେ ମଧ୍ୟ ସୋନମ ୱାଙ୍ଗଚୁକ ନିଜ ଜିଦ୍ରେ ଅଟଳ ଅଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ଭିଡିଓ ବାର୍ତ୍ତା ଜାରି କରି ସେ ଦେଶବାସୀଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି ସମୟରେ ସେ ଏକ ବଡ଼ ଭାବପ୍ରବଣ ଉକ୍ତି ରଖି କହିଛନ୍ତି, “ମୁଁ କୌଣସି ଆଧୁନିକ ଗାନ୍ଧୀ କିମ୍ବା ବଡ଼ ନାୟକ ନୁହେଁ, ମୁଁ ଜଣେ ସାଧାରଣ ନାଗରିକ ମାତ୍ର। ତେଣୁ ଦୟାକରି ଅନ୍ୟ କାହା ମଧ୍ୟରେ ହିରୋ କିମ୍ବା ନାୟକ ଖୋଜନ୍ତୁ ନାହିଁ। ନିଜ ଜୀବନର ନାୟକ ନିଜେ ବଣନ୍ତୁ ଏବଂ ଦେଶର ଜଣେ ଦାୟିତ୍ୱବାନ ନାଗରିକ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତୁ।” ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ସଂଗ୍ରାମକୁ ଆଗକୁ ବଢ଼ାଇବା ପାଇଁ ଆସନ୍ତା ଜୁଲାଇ ୨୦ ତାରିଖରେ ସଂସଦ ଭବନ ଅଭିମୁଖେ ହେବାକୁ ଥିବା ପଦଯାତ୍ରାରେ ବିପୁଳ ସଂଖ୍ୟାରେ ଯୋଗଦେବାକୁ ସେ ଅନୁରୋଧ କରିଛନ୍ତି।

୨୩ ଦିନରେ ପ୍ରତିବାଦ: ଆନ୍ଦୋଳନ କରୁଛି ‘କକ୍ରୋଚ୍ ଜନତା ପାର୍ଟି’
ସୂଚନାଯୋଗ୍ୟ ଯେ, ମେଡିକାଲ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଦୁର୍ନୀତି ବିରୋଧରେ ଜନ୍ତରମନ୍ତରଠାରେ ‘କକ୍ରୋଚ୍ ଜନତା ପାର୍ଟି’ ପକ୍ଷରୁ ଚାଲିଥିବା ଏହି ବିକ୍ଷୋଭ ପ୍ରଦର୍ଶନ ଆଜି ୨୩ ଦିନରେ ପହଞ୍ଚିଛି। ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ସୋନମ ୱାଙ୍ଗଚୁକଙ୍କ ଅନଶନକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ସରକାର କେବେ ଚେତିବେ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କେବେ ପଦକ୍ଷେପ ନେବେ? ୱାଙ୍ଗଚୁକଙ୍କ ସମେତ ‘ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ’ ର କେତେକ ବରିଷ୍ଠ ସଦସ୍ୟ ଓ ଛାତ୍ର ନେତା ମଧ୍ୟ ସେଠାରେ ପୃଥକ ମଞ୍ଚ କରି ଆମରଣ ଅନଶନ ଜାରି ରଖିଛନ୍ତି। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ବୁଦ୍ଧିଜୀବୀ ଓ ରାଜନୈତିକ ନେତାମାନେ ଜନ୍ତରମନ୍ତରରେ ପହଞ୍ଚିବାରେ ଲାଗିଛନ୍ତି।
ଦାବି ଓ ସଂସଦ ମାର୍ଚ୍ଚର ରଣନୀତି
ଆନ୍ଦୋଳନକାରୀଙ୍କ ପକ୍ଷରୁ ଦୁଇଟି ମୁଖ୍ୟ ଦାବି ଉପସ୍ଥାପନ କରାଯାଇଛି। ପ୍ରଥମତଃ, ପରୀକ୍ଷା ପରିଚାଳନାରେ ବିଫଳ ହୋଇଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ। ଦ୍ୱିତୀୟତଃ, ପରୀକ୍ଷା ଅନିୟମିତତା ଓ ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ନିରୀହ ଛାତ୍ରଛାତ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଉ। ଆସନ୍ତା ଜୁଲାଇ ୨୦ ତାରିଖରୁ ସଂସଦର ମାନସୁନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରଥମ ଦିନରେ ହିଁ ଜନ୍ତରମନ୍ତରରୁ ସଂସଦ ଭବନ ପର୍ଯ୍ୟନ୍ତ ଏକ ବିଶାଳ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରାଯିବ ବୋଲି ‘କକ୍ରୋଚ୍ ଜନତା ପାର୍ଟି’ ଘୋଷଣା କରିଛି। ନାଗରିକମାନେ ଏକଜୁଟ ହୋଇ ନିଜ ନିଜ ଅଞ୍ଚଳର ସାଂସଦମାନଙ୍କୁ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସଂସଦରେ ସ୍ୱର ଉତ୍ତୋଳନ କରିବା ପାଇଁ ବାଧ୍ୟ କରନ୍ତୁ ବୋଲି ୱାଙ୍ଗଚୁକ ନିବେଦନ କରିଛନ୍ତି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାରା ଦେଶରେ ଉଦ୍ବେଗ ପ୍ରକାଶ ପାଇଛି।


