ଓଡ଼ିଶାର ମାଟି, ଆଉ ଭାରତର ଗୌରବ! ଶତ୍ରୁ ଶିବିରକୁ ସଂପୂର୍ଣ୍ଣ ଧୂଳିସାତ କରିବା ପାଇଁ ଭାରତୀୟ ସେନାର ଚିତାବାଘ ଏବେ ଆହୁରି ଶକ୍ତିଶାଳୀ ହୋଇଯାଇଛି। ଓଡ଼ିଶାର ଚାନ୍ଦିପୁର ପ୍ରତିରକ୍ଷାଘାଟିରୁ ଆସିଛି ଏକ ବଡ଼ ଏବଂ ଗର୍ବର ଖବର। ଦେଶର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ବା DRDO, ଲଙ୍ଗ ରେଞ୍ଜ ଗାଇଡେଡ୍ ପିନାକା ରକେଟର ଏକ ବଡ଼ ଧରଣର ସଫଳ ଉଡ଼ାଣ ପରୀକ୍ଷଣ ବୁଧବାର ଦିନ କରିଛି। ଏମିତି ଏକ ସଫଳ ପରୀକ୍ଷଣ, ଯାହା ଶତ୍ରୁ ଦେଶ ମାନଙ୍କର ନିଦ ହଜାଇ ଦେଇଛି।
ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦିନକୁ ଦିନ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଏହି କ୍ରମରେ, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର ବା ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR) ଠାରେ ଲଙ୍ଗ ରେଞ୍ଜ ଗାଇଡେଡ୍ ପିନାକା ରକେଟ୍ (LRGR) ର ଏକ ସଫଳ ଫ୍ଲାଇଟ୍ ଟେଷ୍ଟ କରିଛି। ସବୁଠାରୁ ବଡ଼ କଥା ହେଉଛି, ଏହି ପରୀକ୍ଷଣ ବ୍ୟବହାରକାରୀ ବା ୟୁଜର୍ସଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ୬୦ କିଲୋମିଟର ଦୂରତା ବା ମାରକ କ୍ଷମତା ପାଇଁ କରାଯାଇଥିଲା।
ସର୍ବନିମ୍ନ ୬୦ କିଲୋମିଟରର ଅର୍ଥ କଣ? ସାଧାରଣତଃ ଆମେ ରକେଟ୍ କିମ୍ବା ମିସାଇଲର ସର୍ବାଧିକ ଦୂରତା ବିଷୟରେ ଶୁଣିଥାଉ, କିନ୍ତୁ ଏହି ପରୀକ୍ଷଣରେ ଏହାର ଲୋ-ରେଞ୍ଜ୍ ବା ସର୍ବନିମ୍ନ ସୀମାର କ୍ଷମତାକୁ ମାପିବା ପାଇଁ ଚେଷ୍ଟା କରାଯାଇଥିଲା। ଏବଂ ଏହି ଟେଷ୍ଟ ସମୟରେ, ଏହି ଗାଇଡେଡ୍ ରକେଟ୍ଟି ପୂର୍ବ ନିର୍ଦ୍ଧାରିତ ଫ୍ଲାଇଟ୍ ପାଥ୍ ବା ଗତିପଥକୁ ଅତି ସୂକ୍ଷ୍ମ ଭାବରେ ପାଳନ କରି ନିଜର ଲକ୍ଷ୍ୟସ୍ଥଳକୁ ସଫଳତାର ସହ ଆଘାତ କରିଛି। ଲଞ୍ଚ ହେବା ଠାରୁ ଆରମ୍ଭ କରି ଟାର୍ଗେଟ୍ ହିଟ୍ କରିବା ପର୍ଯ୍ୟନ୍ତ, ରେଞ୍ଜରେ ମୁତୟନ ଥିବା ସମସ୍ତ ରାଡାର, ଏକ୍ଟ୍ରୋ-ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ ଏବଂ ଟେଲିମେଟ୍ରି ଉପକରଣଗୁଡ଼ିକ ଏହି ରକେଟ୍ ଉପରେ କଡ଼ା ନଜର ରଖିଥିଲେ ଏବଂ ଏହାର ପ୍ରଦର୍ଶନ ଶତପ୍ରତିଶତ ସଠିକ୍ ରହିଥିଲା।
ଆସନ୍ତୁ ଜାଣିବା ଏହି ମାରାତ୍ମକ ରକେଟ୍ ସିଷ୍ଟମକୁ କିଏ ଏବଂ କେମିତି ତିଆରି କରିଛି। ଏହି ପିନାକା ଲଙ୍ଗ ରେଞ୍ଜ ଗାଇଡେଡ୍ ରକେଟର ସମ୍ପୂର୍ଣ୍ଣ ଡିଜାଇନ ଏବଂ ବିକାଶ କାମ ଆମ ଦେଶର ବୈଜ୍ଞାନିକମାନେ ନିଜେ କରିଛନ୍ତି। DRDOର ପ୍ରମୁଖ ଲାବୋରେଟୋରୀ ‘ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ’ ବା ARDE ଏବଂ ‘ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବୋରେଟୋରୀ’ ବା HEMRL ମିଳିତ ଭାବରେ ଏହାର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି। ଏହା ସହିତ ‘ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଲାବୋରେଟୋରୀ’ (DRDL) ଏବଂ ହାଇଦ୍ରାବାଦର ‘ରିସର୍ଚ୍ଚ ସେଣ୍ଟର ଇମାରତ’ (RCI) ମଧ୍ୟ ଏହି ପ୍ରୋଜେକ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ଏଠାରେ ଆଉ ଏକ ମାନବୀୟ ଏବଂ ବୈଷୟିକ ଦିଗ ଉପରେ ଆମକୁ ନଜର ପକାଇବାକୁ ହେବ। ଏହି ପରୀକ୍ଷଣ ସମୟରେ ରକେଟ୍ଟିକୁ ଭାରତୀୟ ସେନାରେ ପୂର୍ବରୁ ସାମିଲ ଥିବା ପିନାକା ଲଞ୍ଚର (Pinaka Launcher) ରୁ ହିଁ ଫାୟାର୍ କରାଯାଇଥିଲା। ଏହାର ସରଳ ଅର୍ଥ ହେଉଛି, ଭାରତୀୟ ସେନାକୁ ଏହି ନୂଆ ଏବଂ ଅଧିକ ଦୂରଗାମୀ ରକେଟ୍ ବ୍ୟବହାର କରିବା ପାଇଁ କୌଣସି ନୂଆ ଗାଡ଼ି କିମ୍ବା ନୂଆ ଲଞ୍ଚର କିଣିବାକୁ ପଡ଼ିବ ନାହିଁ। ଆମ ପାଖରେ ଯେଉଁ ପୁରୁଣା କିମ୍ବା ବର୍ତ୍ତମାନର ଲଞ୍ଚର ସିଷ୍ଟମ ରହିଛି, ସେଥିରୁ ହିଁ ଭିନ୍ନ ଭିନ୍ନ ମାରକ କ୍ଷମତା ବିଶିଷ୍ଟ ପିନାକା ରକେଟ୍ ଗୁଡ଼ିକୁ ସଫଳତାର ସହ ଉତକ୍ଷେପଣ କରାଯାଇପାରିବ। ଏହାକୁ ପ୍ରତିରକ୍ଷା ଭାଷାରେ ‘ଭର୍ସାଟାଲିଟି’ ବା ବହୁମୁଖୀ ବ୍ୟବହାର ଉପଯୋଗୀ ବୋଲି କୁହାଯାଏ, ଯାହା ଯୁଦ୍ଧ ସମୟରେ ସେନାର ଖର୍ଚ୍ଚ କମାଇବା ସହ ଶକ୍ତିକୁ ଦୁଇଗୁଣିତ କରିଥାଏ।
ବର୍ତ୍ତମାନ ଆସନ୍ତୁ ଆଲୋଚନା କରିବା, ଏହି ପିନାକା ରକେଟ୍ ଲଞ୍ଚର ସିଷ୍ଟମ କାହିଁକି ଏତେ ଭୟଙ୍କର ଏବଂ ଦୁନିଆର ଅନ୍ୟତମ ଶ୍ରେଷ୍ଠ ରକେଟ୍ ସିଷ୍ଟମ?
• ମାତ୍ର ୪୪ ସେକେଣ୍ଡରେ ୧୨ଟି ରକେଟ୍: ହଁ ଦର୍ଶକବନ୍ଧୁ, ଏହି ସ୍ୱଦେଶୀ ସିଷ୍ଟମର ସବୁଠାରୁ ବଡ଼ ବୈଶିଷ୍ଠ୍ୟ ହେଉଛି, ଏହା ମାତ୍ର ୪୪ ସେକେଣ୍ଡ ମଧ୍ୟରେ ଏକାସାଙ୍ଗରେ ୧୨ଟି ରକେଟ୍ର ପୂରା ‘ସାଲଭୋ’ (Salvo) ବା ବ୍ୟାଚ୍ ଫାୟାର୍ କରିପାରେ। ଏହାର ଅର୍ଥ ଶତ୍ରୁ କିଛି ଭାବିବା ଆଗରୁ ଆକାଶରୁ ନିଆଁର ବର୍ଷା ହେବ।
• ପିନପଏଣ୍ଟ ସଠିକତା (Pinpoint Accuracy): ଏହା ଏକ ଗାଇଡେଡ୍ ଭାରିଆଣ୍ଟ (Guided Variant)। ଏଥିରେ ଆଡଭାନ୍ସଡ୍ ଗାଇଡାନ୍ସ ଏବଂ ନେଭିଗେସନ୍ ସିଷ୍ଟମ ଲାଗିଛି। ଏହାର ଅର୍ଥ ହେଉଛି, ଏହା କେବଳ ପବନରେ ମାଡ଼ ହୁଏନାହିଁ, ବରଂ ଶତ୍ରୁର ବଙ୍କର, ଟାଙ୍କି କିମ୍ବା ସେନା ଶିବିର ଯେଉଁଠି ଥିବ, ତାକୁ ଖୋଜି ଖୋଜି ଠିକ୍ ସେହି ସ୍ଥାନରେ ହିଁ ଆଘାତ କରିବ।
• ‘ସୁଟ୍ ଆଣ୍ଡ ସ୍କୁଟ୍’ ଟେକ୍ନୋଲୋଜି: ଯୁଦ୍ଧ କ୍ଷେତ୍ରରେ ନିଜକୁ ବଞ୍ଚାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପିନାକା ଲଞ୍ଚରଟି ଏକ ମୋବାଇଲ୍ ଟ୍ରକ୍ ଉପରେ ମାଉଣ୍ଟ ହୋଇଥାଏ। ଏହା ଶତ୍ରୁ ଉପରକୁ ଆଟାକ୍ କରିବା ମାତ୍ରେ ତୁରନ୍ତ ନିଜର ସ୍ଥାନ ପରିବର୍ତ୍ତନ କରିଦିଏ। ଏହାଦ୍ୱାରା ଶତ୍ରୁ ପକ୍ଷ ଓଲଟା ଆକ୍ରମଣ ବା କାଉଣ୍ଟର-ଆଟାକ୍ କରିବା ପୂର୍ବରୁ ଆମ ଲଞ୍ଚର ସେଠାରୁ ସୁରକ୍ଷିତ ଭାବେ ବାହାରି ଯାଇଥାଏ।
ଏହି ପିନାକ ରକେଟ ଭାରତର ଦୁଇ ପ୍ରମୁଖ ପଡ଼ୋଶୀ ଏବଂ ପ୍ରତିଦ୍ୱନ୍ଦ୍ୱୀ ଦେଶ ଚୀନ (China) ଏବଂ ପାକିସ୍ତାନ (Pakistan) ପାଇଁ ଏହି ଗାଇଡେଡ୍ ପିନାକା ରକେଟ୍ ସିଷ୍ଟମ ଏକ ବଡ଼ ଚେତାବନୀ ଓ ବିପଦ।
ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC) ବା ଚୀନ ସୀମାରେ ଥିବା ଅଧିକାଂଶ ଅଞ୍ଚଳ ହେଉଛି ଉଚ୍ଚ ପାହାଡ଼ିଆ ଅଞ୍ଚଳ। ପିନାକା ରକେଟ୍ ସିଷ୍ଟମର ଏକ ବଡ଼ ଖାସିୟତ ହେଉଛି ଏହାକୁ ଅତି ସହଜରେ ଉଚ୍ଚ ପାର୍ବତ୍ୟାଞ୍ଚଳକୁ ନିଆଯାଇପାରିବ। ଚୀନ ଯଦି ପାର୍ବତ୍ୟ ଅଞ୍ଚଳରେ ନିଜର ସେନା ଛାଉଣୀ କିମ୍ବା ବଙ୍କର ପ୍ରସ୍ତୁତ କରେ, ତେବେ ପିନାକାର ଏହି ନୂଆ ୬୦ କିଲୋମିଟର ପ୍ଲସ୍ ଗାଇଡେଡ୍ ଭାରିଆଣ୍ଟ ପାହାଡ଼ ଆରପାରିରେ ଥିବା ଶତ୍ରୁର ବେସକୁ ସମ୍ପୂର୍ଣ୍ଣ ସଠିକତା (Pinpoint Accuracy) ସହ ଧ୍ୱଂସ କରିଦେବ।
୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ପିନାକାର ପ୍ରାରମ୍ଭିକ ସଂସ୍କରଣ ପାକିସ୍ତାନୀ ସେନାର ବଙ୍କରଗୁଡ଼ିକୁ ଛତ୍ରଭଙ୍ଗ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏବେ ଏହା ଆହୁରି ଆଧୁନିକ ହୋଇଛି। ପାକିସ୍ତାନ ସୀମାରେ ଥିବା ଶତ୍ରୁର ଆର୍ମର କଲମ (ଟାଙ୍କି ସମୂହ), ଲଜିଷ୍ଟିକ୍ସ ଡିପୋ ଏବଂ ସେନା ଛାଉଣୀକୁ ମାତ୍ର ୪୪ ସେକେଣ୍ଡରେ ୧୨ଟି ରକେଟ୍ ମାଡ଼ କରି ମାଟିରେ ମିଶାଇ ଦେବାର କ୍ଷମତା ଏହାର ରହିଛି।
ଚୀନ କିମ୍ବା ପାକିସ୍ତାନର ରାଡାର ଭାରତୀୟ ରକେଟ୍ର ଅବସ୍ଥିତି ଚିହ୍ନଟ କରି ଓଲଟା ଆକ୍ରମଣ (Counter-Attack) କରିବା ପୂର୍ବରୁ ହିଁ ପିନାକା ଲଞ୍ଚର ସେଠାରୁ ନିଜର ସ୍ଥାନ ବଦଳାଇ ଦେଇଥାଏ। ତେଣୁ ଶତ୍ରୁ ଦେଶ ପାଇଁ ଏହାକୁ ଟାର୍ଗେଟ୍ କରିବା ପ୍ରାୟ ଅସମ୍ଭବ।
ସଂକ୍ଷେପରେ କହିବାକୁ ଗଲେ: ଏହି ରକେଟର ନୂଆ ପରୀକ୍ଷଣ ଦର୍ଶାଉଛି ଯେ ଭାରତୀୟ ସେନା ଏବେ ସୀମା ଭିତରେ ରହି ମଧ୍ୟ ଶତ୍ରୁ ଦେଶର ୬୦ ରୁ ୯୦ କିଲୋମିଟର ଭିତରକୁ ପଶି ସଠିକ୍ ଆକ୍ରମଣ କରିପାରିବ। ଏହା ସୀମା ସୁରକ୍ଷାକୁ ଦୁଇଗୁଣିତ କରିବା ସହ ଶତ୍ରୁ ପକ୍ଷକୁ ଆକ୍ରମଣ କରିବା ପୂର୍ବରୁ ଶହେ ଥର ଭାବିବାକୁ ବାଧ୍ୟ କରିବ।
ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ DRDO, ଭାରତୀୟ ସେନା ଏବଂ ଏହି ପ୍ରୋଜେକ୍ଟ ସହ ଜଡ଼ିତ ସମସ୍ତ ପ୍ରତିରକ୍ଷା ଶିଳ୍ପ ଜଗତକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ଲଙ୍ଗ ରେଞ୍ଜ ଗାଇଡେଡ୍ ରକେଟର ସ୍ୱଦେଶୀ ଡିଜାଇନ ଏବଂ ବିକାଶ ଭାରତର ପ୍ରତିରକ୍ଷା ସାମର୍ଥ୍ୟକୁ ଏକ ନୂଆ ଶିଖରକୁ ନେଇଯାଇଛି।
ଏହା ସହିତ ପ୍ରତିରକ୍ଷା ସଚିବ ତଥା DRDOର ଅଧ୍ୟକ୍ଷ ରାଜେଶ କୁମାର ସିଂ ମଧ୍ୟ ଏହି ସମ୍ପୂର୍ଣ୍ଣ ପରୀକ୍ଷଣ ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ସେ ସଫଳ ପରୀକ୍ଷଣ ସହ ଜଡ଼ିତ ସମସ୍ତ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା ଟିମ୍କୁ ପ୍ରଶଂସା କରିଛନ୍ତି। ବାସ୍ତବରେ ଦେଖିବାକୁ ଗଲେ, ପିନାକା ରକେଟ୍ ସିଷ୍ଟମ ହେଉଛି ଭାରତର ‘ମେକ୍ ଇନ୍ ଇଣ୍ଡିଆ’ (Make in India) ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନର ଏକ ଜ୍ୱଳନ୍ତ ଉଦାହରଣ। କାର୍ଗିଲ୍ ଯୁଦ୍ଧ ସମୟରେ ଯେତେବେଳେ ଭାରତକୁ ଏଭଳି ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ଥିଲା, ସେତେବେଳେ ଆମେ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲୁ।
AlsoRead; https://purvapaksa.com/4-more-gates-opened-at-hirakud-dam-first-floodwater-released/


