ବିଦ୍ୟାର୍ଥୀ ଓ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ‘କୋକ୍ରୋଚ୍ ଜନତା ପାର୍ଟି’ (CJP) କୁ ଦିଲ୍ଲୀ ହାଇକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କୋକ୍ରୋଚ୍ ଜନତା ପାର୍ଟିର ଅଫିସିଆଲ୍ ଆକାଉଣ୍ଟ ଉପରୁ ପ୍ରତିବନ୍ଧକ ହଟାଇବା ସହ ଏହାକୁ ତୁରନ୍ତ ପୁନଃକାର୍ଯ୍ୟକ୍ଷମ କରିବାକୁ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ ଏକକ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।
![]()
ସୂଚନାଯୋଗ୍ୟ ଯେ, ଗତ ମେ ୨୧ ତାରିଖରେ କେନ୍ଦ୍ର ସରକାର ଆଇଟି ଆକ୍ଟର ଧାରା ୬୯A ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ଆକାଉଣ୍ଟକୁ ଭାରତରେ ବ୍ଲକ୍ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସଂଗଠନର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
କୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷ ଓ ନିଷ୍ପତ୍ତି
ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ”ଜୁନ୍ ୨୧ ରେ ଅନୁଷ୍ଠିତ ହେବାକୁ ଥିବା NEET ପୁନଃପରୀକ୍ଷା ସମୟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ଆତଙ୍କ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ଆକାଉଣ୍ଟକୁ ବ୍ଲକ୍ କରାଯାଇଥିଲା। ସେହି ସମୟରେ କେତେକ ପୋଷ୍ଟ ଯୋଗୁଁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଥିଲା।”

ତେବେ ସଲିସିଟର ଜେନେରାଲ କୋର୍ଟଙ୍କୁ ଜଣାଇଥିଲେ ଯେ, ଯେହେତୁ ବର୍ତ୍ତମାନ NEET ପରୀକ୍ଷା ସଫଳତାର ସହ ଶେଷ ହୋଇସାରିଛି, ତେଣୁ ସରକାରଙ୍କର ଏହି ଆକାଉଣ୍ଟକୁ ଅନ୍ବ୍ଲକ୍ କରିବାରେ ଆଉ କୌଣସି ଆପତ୍ତି ନାହିଁ। କେନ୍ଦ୍ରର ଏହି ଆଭିମୁଖ୍ୟକୁ ରେକର୍ଡ କରି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା କହିଛନ୍ତି, “ଯେହେତୁ ପରୀକ୍ଷା ଶେଷ ହୋଇସାରିଛି, ସରକାରଙ୍କର ପ୍ରାଥମିକ ଚିନ୍ତା ବା କାରଣର ଆଉ କୌଣସି ପ୍ରାସଙ୍ଗିକତା ନାହିଁ।” ତେଣୁ କୋର୍ଟ କେନ୍ଦ୍ର ସରକାରଙ୍କ ପୂର୍ବ ବ୍ଲକିଂ ନିର୍ଦ୍ଦେଶକୁ ରଦ୍ଦ କରିବା ସହ ଆକାଉଣ୍ଟଟିକୁ ତୁରନ୍ତ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଜିତ୍ ଦୀପକେଙ୍କ ପକ୍ଷରୁ ବରିଷ୍ଠ ଅଧିବକ୍ତା ଅଖିଳ ସିବଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, ସଂଗଠନର ପୋଷ୍ଟଗୁଡ଼ିକ କେବଳ ସାମାଜିକ ଓ ରାଜନୈତିକ ବ୍ୟଙ୍ଗ ଉପରେ ଆଧାରିତ। ଯଦି ସରକାରଙ୍କୁ କୌଣସି ନିର୍ଦ୍ଦିଷ୍ଟ ପୋଷ୍ଟ ପ୍ରତି ଆପତ୍ତି ଥିଲା, ତେବେ କେବଳ ସେହି ପୋଷ୍ଟକୁ ହଟାଯାଇ ପାରିଥାନ୍ତା, ମାତ୍ର ସମ୍ପୂର୍ଣ୍ଣ ଆକାଉଣ୍ଟକୁ ବନ୍ଦ କରିଦେବା ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ କୁଠାରଘାତ ଅଟେ।

କେମିତି ହେଲା କୋକ୍ରୋଚ୍ ଜନତା ପାର୍ଟିର ଜନ୍ମ ?
ଗତ ମେ ମାସରେ ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ବେକାର ଯୁବପିଢ଼ି ଓ କିଛି ସୋସିଆଲ ମିଡିଆ ଆକ୍ଟିଭିଷ୍ଟଙ୍କୁ ନେଇ ହୋଇଥିବା କେତେକ ଟିପ୍ପଣୀ ପରେ ଏହି ସାଟାୟାର୍ କଲେକ୍ଟିଭ୍ ବା ବ୍ୟଙ୍ଗାତ୍ମକ ଅନଲାଇନ୍ ଆନ୍ଦୋଳନର ଜନ୍ମ ହୋଇଥିଲା। ଦେଖୁଦେଖୁ ସୋସିଆଲ ମିଡିଆରେ ଏହାର ଲୋକପ୍ରିୟତା ଆକାଶଛୁଆଁ ହୋଇଥିଲା। ଏପରିକି ଏହାର ଇନଷ୍ଟାଗ୍ରାମ ଆକାଉଣ୍ଟର ଫଲୋଅର୍ସ ସଂଖ୍ୟା କିଛି ଦିନ ମଧ୍ୟରେ ଦେଶର ବଡ଼ ବଡ଼ ରାଜନୈତିକ ଦଳକୁ ପଛରେ ପକାଇ ଦେଇଥିଲା। ମୂଳ X ଆକାଉଣ୍ଟ ବ୍ଲକ୍ ହେବା ପରେ ସଂଗଠନ ‘କୋକ୍ରୋଚ୍ ଇଜ୍ ବ୍ୟାକ୍’ ନାମରେ ଏକ ନୂଆ ଆକାଉଣ୍ଟ ଜରିଆରେ ନିଜର ଅଭିଯାନ ଜାରି ରଖିଥିଲା।
ଜନ୍ତର ମନ୍ତରରେ ପ୍ରତିବାଦ ଜାରି, ୱାଙ୍ଗଚୁକଙ୍କ ଅନଶନ
![]()
ଅନ୍ୟପଟେ, NEET ପ୍ରଶ୍ନପତ୍ର ଲିକ୍ ମାମଲା ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଦିଲ୍ଲୀର ଜନ୍ତର ମନ୍ତରଠାରେ ଛାତ୍ରଛାତ୍ରୀ ଏବଂ ସାମାଜିକ ସଂଗଠନଗୁଡ଼ିକର ଆନ୍ଦୋଳନ ଏବେ ବି ଜାରି ରହିଛି। କୋକ୍ରୋଚ୍ ଜନତା ପାର୍ଟିର ସଦସ୍ୟମାନେ ମଧ୍ୟ ଏହି ବିକ୍ଷୋଭ ପ୍ରଦର୍ଶନରେ ସକ୍ରିୟ ଭାବେ ସାମିଲ ଅଛନ୍ତି। ଏହି ପ୍ରସଙ୍ଗରେ ସେଲିବ୍ରିଟି ପରିବେଶବିତ୍ ସୋନମ ୱାଙ୍ଗଚୁକ ମଧ୍ୟ ଛାତ୍ରଛାତ୍ରୀଙ୍କ ସମର୍ଥନରେ ଦିଲ୍ଲୀରେ ଆମରଣ ଅନଶନ ଜାରି ରଖିଛନ୍ତି, ଯାହା ଆଜି ୧୦ମ ଦିନରେ ପହଞ୍ଚିଛି। ଅଭିଜିତ୍ ଦୀପକେ ନିକଟରେ ଦିଲ୍ଲୀ ପୋଲିସ ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି।
ହାଇକୋର୍ଟଙ୍କ ଏହି ରାୟକୁ ଅଭିଜିତ୍ ଦୀପକେ ଡିଜିଟାଲ୍ ଅଧିକାର ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ଏକ ବଡ଼ ବିଜୟ ବୋଲି ଅଭିହିତ କରିଛନ୍ତି। ପରୀକ୍ଷା ସରିବା ପରେ କେନ୍ଦ୍ରର ଆପତ୍ତି ପ୍ରତ୍ୟାହାର ଏବଂ କୋର୍ଟଙ୍କ ହସ୍ତକ୍ଷେପ ଫଳରେ ସୋସିଆଲ ମିଡିଆରେ ଗଣତାନ୍ତ୍ରିକ ସ୍ୱରକୁ ଚାପି ଦେବା ପ୍ରୟାସକୁ ଏକ ଶକ୍ତ ଧକ୍କା ଲାଗିଛି।
Also read : https://purvapaksa.com/indian-warship-rescues-15-indian-sailors-from-the-sea/


