ଓଡ଼ିଶା ରାଜନୀତିର ପାଣିପାଗ ଏବେ ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ଯେଉଁ ତାମିଲ ବୋହୁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନେଇ ବିଜେଡି ଭିତରେ ବିଦ୍ରୋହର ନିଆଁ ଜଳିବ ବୋଲି ବିରୋଧୀ ବିଜେପି ଆଶା ରଖିଥିଲା, ସେହି ସୁଜାତା ରାଉତ କାର୍ତ୍ତିକେୟନ ଏବେ ଶଙ୍ଖ ଶିବିରର ସବୁଠାରୁ ବଡ଼ ଆକର୍ଷଣ ପାଲଟିଛନ୍ତି। ମାତ୍ର ୧୩ ଦିନ ଭିତରେ ସବୁ ଅସନ୍ତୋଷ ଗାଏବ! ବରିଷ୍ଠଠାରୁ ଆରମ୍ଭ କରି କନିଷ୍ଠ— ସମସ୍ତେ ଏବେ ସୁଜାତାଙ୍କ ଦରବାରରେ ହାଜିରା ପକାଇବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶଙ୍ଖ ଭବନରେ ଏବେ ଏମିତି ଏକ ପରିବେଶ ସୃଷ୍ଟି ହୋଇଛି, ଯାହା ବିଜେପିର ଶୀର୍ଷ ନେତୃତ୍ୱକୁ ଚିନ୍ତାରେ ପକାଇ ଦେଇଛି।
ଅପରପକ୍ଷରେ, ଶାସକ ଦଳ ବିଜେପିର ମହିଳା ଚେହେରା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଣ ଦଳର କର୍ମୀଙ୍କ ମନୋବଳ ବଢ଼ାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି? ପଖାଳ ଖିଆ ପାଇଁ ଅଢ଼େଇ କୋଟିର ସରକାରୀ ଖର୍ଚ୍ଚଠାରୁ ଆରମ୍ଭ କରି ମହାପୁରୁଷ ବଳରାମ ଦାସଙ୍କ ପବିତ୍ର ‘ଲକ୍ଷ୍ମୀ ପୁରାଣ’ର ସଂଶୋଧନ ବିବାଦକୁ ନେଇ କାହିଁକି ହଠାତ୍ ବ୍ୟାକ୍ଫୁଟ୍କୁ ଚାଲିଯାଇଛି ବିଜେପି?
ସୁଜାତାଙ୍କ ଏଣ୍ଟ୍ରି ଏବଂ ବିଜେଡିର ସ୍ଥିତିରେ ପରିବର୍ତ୍ତନ
ଗତ ମାସ ୨୫ ତାରିଖ। ଓଡ଼ିଶା ରାଜନୀତି ପାଇଁ ଏକ ବଡ଼ ଦିନ ଥିଲା। ତାମିଲନାଡ଼ୁ ନିବାସୀ ତଥା ବିଜେଡିର ତଥାକଥିତ ସନ୍ୟାସୀ ନେତା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଲେ। ଜଣେ ପୂର୍ବତନ ଆଇଏଏସ୍ ଅଫିସର, ଯିଏ ଦୀର୍ଘ ବର୍ଷ ଧରି ମିଶନ ଶକ୍ତି ଜରିଆରେ ଓଡ଼ିଶାର କୋଣ ଅନୁକୋଣରେ, ପ୍ରତିଟି ଗାଁର ମହିଳାମାନଙ୍କ ଭିତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି, ତାଙ୍କର ରାଜନୀତିରେ ପ୍ରବେଶ ସାଧାରଣ କଥା ନଥିଲା।
ଯେତେବେଳେ ସୁଜାତା ବିଜେଡିକୁ ଆସିଲେ, ସେତେବେଳେ ରାଜନୈତିକ ସମୀକ୍ଷକମାନେ ଏବଂ ବିଜେପିର ଆଇଟି ସେଲ୍ ଏକ ବଡ଼ ପ୍ରୋପାଗାଣ୍ଡା ଚଲାଇଥିଲେ। ସେମାନେ କହୁଥିଲେ ଯେ ବିଜେଡି ଭିତରେ ବଡ଼ ବିଦ୍ରୋହ ହେବ। ପାଣ୍ଡିଆନଙ୍କ ବିରୋଧରେ ଦଳର ନେତାମାନଙ୍କ ଭିତରେ ଯେଉଁ ଅସନ୍ତୋଷ ଥିଲା, ତାହା ଏବେ ସୁଜାତାଙ୍କ ଉପରକୁ ଆସିବ ଏବଂ ବିଜେଡି ଦୁଇ ଭାଗ ହୋଇ ଭାଙ୍ଗିଯିବ। ଅନେକ ବରିଷ୍ଠ ନେତା ଦଳ ଛାଡ଼ିବେ ବୋଲି ମଧ୍ୟ ପ୍ରଚାର କରାଯାଇଥିଲା। କିନ୍ତୁ ରାଜନୀତିର ଅଙ୍କ ଏବେ ସମ୍ପୂର୍ଣ୍ଣ ଓଲଟି ଯାଇଛି।
ମାତ୍ର ୧୩ ଦିନ। ହଁ, ମାତ୍ର ୧୩ ଦିନର ସମୟ ଭିତରେ ସେହି ସବୁ ଭାବନା, ବିରୋଧୀଙ୍କ ସେହି ସବୁ ଆଶା ଏବେ ଧୂଳିସାତ ହେବାରେ ଲାଗିଛି। ବିଜେଡିର ସମସ୍ତ ଅସନ୍ତୁଷ୍ଟ ଏବଂ ସନ୍ତୁଷ୍ଟ ନେତାମାନେ ଏବେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଦର୍ଶନ କରିବାକୁ, ତାଙ୍କ ସହ ଫଟୋ ଉଠାଇ ସେମାଜିକ ଗଣମାଧ୍ୟମରେ ପ୍ରସାର କରିବାକୁ ଶଙ୍ଖ ଭବନରେ ଲାଇନ ଲଗାଇଛନ୍ତି। ଏଥିରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେଉଁ ନେତାମାନେ ଦିନେ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟଶୈଳୀକୁ ନେଇ କୋଠରୀ ଭିତରେ ଗୁମୁରି ଗୁମୁରି କାନ୍ଦୁଥିଲେ, ଗଣମାଧ୍ୟମ ଆଗରେ ଅସନ୍ତୋଷ ପୋଖୁଥିଲେ, ସେମାନେ ମଧ୍ୟ ଆଜି ସୁଜାତାଙ୍କ ସାମ୍ନାକୁ ଆସି ତାଙ୍କ ନେତୃତ୍ୱକୁ ମୁଣ୍ଡପାତି ଗ୍ରହଣ କରୁଛନ୍ତି।
ଛାତ୍ର ଏବଂ ଯୁବ ନେତାଙ୍କଠାରୁ ଆରମ୍ଭ କରି ଦଳର ଟାଣୁଆ ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ଓ ବିଧାୟକମାନେ ବି ଏବେ ସୁଜାତାଙ୍କ ରାଜନୈତିକ ରଣନୀତିକୁ ଗ୍ରହଣ କରୁଛନ୍ତି। ସୁଜାତାଙ୍କର ଏହି ଗ୍ରହଣୀୟତା ପ୍ରମାଣ କରୁଛି ଯେ, ବିଜେଡି ସୁଜାତାଙ୍କୁ ନିଜର ଆଗାମୀ ମହିଳା ଚେହେରା ତଥା ସଂଗଠନର ମୁଖ୍ୟ ସୂତ୍ରଧରଭାବେ ଗ୍ରହଣ କରିବାକୁ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି।
ଖୁବ୍ ଶୀଘ୍ର ସୁଜାତା ରାଉତ କର୍ତ୍ତିକେୟନ ପାଣ୍ଡିଆନ ରାଜ୍ୟର ସବୁଅଞ୍ଚଳ ବୁଲିବା ସହିତ କର୍ମୀମାନଙ୍କ ସାକ୍ଷାତ୍ କରିବେ ବୋଲି ବିଜେଡି ଯୋଜନା ପ୍ରସ୍ତୁତ କରିଛି। ଯାହାଫଳରେ ଯେଉଁ କରକମୀମାନେ ଅଭିମାନରେ ଅଛନ୍ତି ସେମାନଙ୍କ ମାନଭଞ୍ଜନ କରିବେ।
ବିଜେଡି ଆଇଟି ସେଲ୍ର ପୁନର୍ଜନ୍ମ ଓ ଡିଜିଟାଲ୍ ଆଟାକ୍
ଏତିକିରେ କଥା ସରିନାହିଁ। ସୁଜାତାଙ୍କ ଏଣ୍ଟ୍ରି ପରେ ଦଳର ସଂଗଠନରେ ଯେଉଁ ପରିବର୍ତ୍ତନ ଆସିଛି, ତା’ଠାରୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ଡିଜିଟାଲ୍ ଦୁନିଆରେ। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଦଳର ଆଇଟି ସେଲ୍ (IT Cell) ସମ୍ପୂର୍ଣ୍ଣ ଭାବେ ଦିଗହୀନ ଓ ନେତୃତ୍ୱହୀନ ହୋଇପଡ଼ିଥିଲା। ସୋସିଆଲ ମିଡିଆରେ ବିଜେପିର ଆକ୍ରମଣ ଓ ଟ୍ରୋଲିଂ ଆଗରେ ବିଜେଡିର ଡିଜିଟାଲ୍ ସେନା ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଦେଇଥିଲା ଭଳି ମନେହେଉଥିଲା। ବିଜେଡିର କୌଣସି ପ୍ରତିବାଦ ସୋସିଆଲ ମିଡିଆରେ ଭାଇରାଲ୍ ହୋଇପାରୁନଥିଲା।
କିନ୍ତୁ ସୁଜାତାଙ୍କ ଆଗମନ ପରେ ଏହି ସୋସିଆଲ ମିଡିଆର ଚିତ୍ର ବି ରାତାରାତି ବଦଳିଛି। ସୁଜାତା ନିଜେ ଜଣେ ବ୍ୟୁରୋକ୍ରାଟ୍ ହୋଇଥିବାରୁ ସେ ଜାଣନ୍ତି କେଉଁଠି ଏବଂ କେମିତି ଆଟାକ୍ କରିବାକୁ ହେବ। ଏବେ ବିଜେଡି ଆଇଟି ସେଲ୍ ହଠାତ୍ ସକ୍ରିୟ ହୋଇଉଠିଛି। ବିଜେପି ସରକାରର ପ୍ରତିଟି କାମ, ପ୍ରତିଟି ନିଷ୍ପତ୍ତି, ଆଇନ ଶୃଙ୍ଖଳା ପରିସ୍ଥିତିଠାରୁ ଆରମ୍ଭ କରି ପ୍ରଶାସନିକ ନିଯୁକ୍ତି ପର୍ଯ୍ୟନ୍ତ— ସବୁକୁ ସୋସିଆଲ ମିଡିଆରେ କେବଳ ପ୍ରଶ୍ନ କରାଯାଉନାହିଁ, ବରଂ ନିଦରେ ଶୋଇଥିବା ବିଜେପି ସରକାରକୁ ତଥ୍ୟ ସହିତ କଡ଼ା ସମାଲୋଚନା କରି ଜବାବ ଦିଆଯାଉଛି।
ବିଜେଡିର ଏହି ସଂଗଠିତ ଡିଜିଟାଲ୍ ଆଟାକ୍ ବିଜେପି କ୍ୟାମ୍ପକୁ ଏବେ ବଡ଼ ଚିନ୍ତାରେ ପକାଇଦେଇଛି। ଯେଉଁ ବିଜେପି ଦିନେ ସୋସିଆଲ ମିଡିଆରେ ଏକଚାଟିଆ ରାଜ୍ କରୁଥିଲା, ସେ ଏବେ ରକ୍ଷଣାତ୍ମକ ମୁଦ୍ରା ବା ଡିଫେନ୍ସିଭ୍ ମୋଡ୍କୁ ଆସିବାକୁ ବାଧ୍ୟ ହୋଇଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବିଫଳତା ଓ ବିବାଦର ପୋଷ୍ଟମର୍ଟମ
ଏବେ ଆସନ୍ତୁ ମୁଦ୍ରାର ଅପର ପାର୍ଶ୍ୱକୁ ଦେଖିବା। ଗୋଟିଏ ପଟେ ସୁଜାତାଙ୍କ ଗ୍ରାଫ୍ ଉପରକୁ ଉଠୁଥିବାବେଳେ ବିଜେପି ସରକାରର ମହିଳା ଫେସ୍ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସ୍ଥିତି ଏବେ କଣ?
ଓଡ଼ିଶାର ଜଣେ ବରିଷ୍ଠ, ଅଭିଜ୍ଞ ମହିଳା ନେତ୍ରୀ ଭାବେ ତାଙ୍କ ଉପରେ ଦଳ ଏବଂ ସାଧାରଣ ଜନସାଧାରଣଙ୍କ ଅନେକ ଆଶା ଥିଲା। କିନ୍ତୁ ଗ୍ରାଉଣ୍ଡ ରିପୋର୍ଟ ଓ ବାସ୍ତବତା ହେଉଛି, ସେ ନିଜ ଦଳର ମହିଳା କର୍ମୀ ଏବଂ ତୃଣମୂଳ ସ୍ତରର କର୍ମକର୍ତ୍ତାଙ୍କ ମନୋବଳ ବୃଦ୍ଧି କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏପରିକି ସେ ଯେଉଁ ସବୁ ଯୋଜନା ବା ପଦକ୍ଷେପ ନେଉଛନ୍ତି, ତାହା ଦଳ ପାଇଁ ଲାଭ ଆଣିବା ବଦଳରେ ଓଡ଼ିଶାର ଜନମାନସରେ ରାଜ୍ୟ ବିରୋଧୀ ବୋଲି ପ୍ରମାଣିତ ହେବାରେ ଲାଗିଛି।
ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ନେଇ ଏବେ ଦୁଇଟି ବଡ଼ ବିବାଦ ରାଜ୍ୟ ରାଜନୀତିକୁ ସମ୍ପୂର୍ଣ୍ଣ ଗରମ କରିଦେଇଛି।
• ପ୍ରଥମ ବିବାଦ: ସାମାନ୍ୟ ପଖାଳ ଆୟୋଜନ ପାଇଁ ପ୍ରାୟ ଅଢ଼େଇ କୋଟି ଟଙ୍କାର ବିପୁଳ ସରକାରୀ ଖର୍ଚ୍ଚ। ଯେଉଁ ଓଡ଼ିଶାରେ ଗରିବ ଲୋକଟିଏ ଦୁଇ ଓଳି ଖାଇବାକୁ ସଂଘର୍ଷ କରୁଛି, ସେଠାରେ କେବଳ ପଦର୍ଶନୀ ଓ ପ୍ରଚାର ପାଇଁ ଅଢ଼େଇ କୋଟି ଟଙ୍କା ଉଡ଼ାଇ ଦେବାକୁ ଓଡ଼ିଶାର ଜନସାଧାରଣଙ୍କ ଟିକସ ପଇସାର ଖୋଲା ଅପଚୟ ବୋଲି ସାଧାରଣରେ ଅଭିଯୋଗ କରାଯାଉଛି।
• ଦ୍ୱିତୀୟ ଏବଂ ସବୁଠାରୁ ସମ୍ବେଦନଶୀଳ ବିବାଦ: ପଞ୍ଚସଖା ଯୁଗର ମହାପୁରୁଷ ବଳରାମ ଦାସଙ୍କ ପବିତ୍ର ଓ ଆବେଗଭରା ‘ଲକ୍ଷ୍ମୀ ପୁରାଣ’ର ମୂଳ ରଚନାକୁ ସଂଶୋଧନ କରି ଛାପିବା ଏବଂ କିଛି ନିର୍ଦ୍ଦିଷ୍ଟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ତାର ଗୀତ ରେକର୍ଡିଂ କରିବା। ଏହି ନିଷ୍ପତ୍ତିକୁ ଓଡ଼ିଆ ଅସ୍ମିତା, ଓଡ଼ିଆ ସାହିତ୍ୟ ଏବଂ ଜଗନ୍ନାଥ ସଂସ୍କୃତି ଉପରେ ଏକ ବଡ଼ ଆଘାତ ବୋଲି କୁହାଯାଉଛି।
ରାଜ୍ୟର ବଡ଼ ବଡ଼ ବିଦ୍ୱାନ, ଜଗନ୍ନାଥ ସଂସ୍କୃତିର ଗବେଷକ ଓ ପଣ୍ଡିତମାନେ ସ୍ପଷ୍ଟ କହିଲେଣି ଯେ, ବଳରାମ ଦାସଙ୍କ ଶତାବ୍ଦୀ ଶତାବ୍ଦୀର ପୁରୁଣା କାଳଜୟୀ ଲେଖନୀକୁ ସଂଶୋଧନ କରିବାକୁ ଚେଷ୍ଟା କରିବା ଏକ ଗର୍ହିତ ଅପରାଧ। ଏହା ଓଡ଼ିଆ ସାହିତ୍ୟ ଓ ସନାତନ ପରମ୍ପରା ପ୍ରତି ଚରମ ଅପମାନ। କେବଳ ସେତିକି ନୁହେଁ, ଏହି ଯୋଜନା ପାଇଁ ଉପମୁଖ୍ୟମନ୍ତ୍ରୀ ଯେଉଁ କଣ୍ଠଶିଳ୍ପୀମାନଙ୍କୁ ଚୟନ କରିଛନ୍ତି, ତାହା କେଉଁ ମାପଦଣ୍ଡରେ କରାଯାଇଛି, ତାକୁ ନେଇ ଓଡ଼ିଶାର ସ୍ଥାନୀୟ କଳାକାର ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜନୈତିକ ଚର୍ଚ୍ଚା ହେଉଛି ଯେ ଏହି ସମଗ୍ର ସରକାରୀ ମାମଲା ଏବେ କୋର୍ଟ କଚେରୀ ପର୍ଯ୍ୟନ୍ତ ମଧ୍ୟ ଯାଇପାରେ, ଯାହା ବିଜେପିକୁ ଆହୁରି ଅଡ଼ୁଆରେ ପକାଇବ।
ବିଜେପିର ହିନ୍ଦୁତ୍ୱ କାର୍ଡ ବନାମ ସୁଜାତା ଫ୍ୟାକ୍ଟର
ବିଜେପି ରଣନୀତିକାରମାନେ ଭାବୁଥିଲେ ଯେ, ସେମାନେ ରାଜ୍ୟସାରା ସରକାରୀ ସ୍ତରରେ ଲକ୍ଷ୍ମୀପୁରାଣ ବାଣ୍ଟିବେ, ନିଜର ପାରମ୍ପରିକ ହିନ୍ଦୁତ୍ୱ ରାଜନୀତି କରିବେ ଏବଂ ଏହି ଭାବପ୍ରବଣତା ଆଧାରରେ ବିଜେଡିର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ସହଜରେ କାଉଣ୍ଟର କରିଦେବେ। କିନ୍ତୁ ବିଜେପିର ଏହି ଯୋଜନା ଏବେ ଏକ ଦୁଃସ୍ୱପ୍ନରେ ପରିଣତ ହେବାକୁ ଯାଉଛି। କାରଣ ସୁଜାତାଙ୍କୁ କାଉଣ୍ଟର କରିବା ଏତେ ସହଜ ନୁହେଁ।
ଭୁବନେଶ୍ୱରର ରାଜନୈତିକ କରିଡରରେ ଏବେ ଗୋଟିଏ ବଡ଼ ଆଲୋଚନା ହେଉଛି— ସୁଜାତା ରାଉତ କାର୍ତ୍ତିକେୟନଙ୍କ ଦୀର୍ଘ ବର୍ଷର ପ୍ରଶାସନିକ ଦକ୍ଷତା, ମିଶନ ଶକ୍ତିର ୭୦ ଲକ୍ଷରୁ ଅଧିକ ମହିଳାମାନଙ୍କ ସହ ତାଙ୍କର ସିଧାସଳଖ ଓ ବ୍ୟକ୍ତିଗତ ସମ୍ପର୍କ ଏବଂ ତାଙ୍କର ସାଂଗଠନିକ କ୍ଷମତାକୁ ଗ୍ରାଉଣ୍ଡ ସ୍ତରରେ ମୁକାବିଲା କରିବା ପାଇଁ ଏବେ ଓଡ଼ିଶା ବିଜେପି ପାଖରେ କୌଣସି ଶକ୍ତିଶାଳୀ ମହିଳା ନେତ୍ରୀ ନାହାନ୍ତି। ପ୍ରଭାତୀ ପରିଡ଼ା ବିବାଦ ଘେରରେ ଥିବାବେଳେ ଅନ୍ୟ ମହିଳା ନେତ୍ରୀମାନଙ୍କର ସେଭଳି ଜନପ୍ରିୟତା ନାହିଁ। ନେତ୍ରୀଙ୍କ କଥା ଛାଡ଼ନ୍ତୁ, ବିଜେପିରେ ଏମିତି କୌଣସି ବଡ଼ ନେତା ବି ନାହାନ୍ତି, ଯିଏ ଗ୍ରାଉଣ୍ଡ ସ୍ତରରେ ମହିଳା ଭୋଟ୍ ବ୍ୟାଙ୍କ ଉପରେ ଥିବା ସୁଜାତାଙ୍କ ପ୍ରଭାବକୁ ସହଜରେ ରୋକିପାରିବେ। ଫଳରେ ସୁଜାତା ଫ୍ୟାକ୍ଟର ଏବେ ଶାସକ ଦଳ ପାଇଁ ସବୁଠାରୁ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି।
ତେବେ ଏହି ସମଗ୍ର ପରିସ୍ଥିତିକୁ ଦେଖିଲା ପରେ, ଆଜି ‘କିଛି ବଡ଼ ପ୍ରଶ୍ନ ଉଠୁଛି, ଯାହାର ଜବାବ ଆଗାମୀ ସମୟ ଦେବ:
• ପ୍ରଶ୍ନ ୧: କଣ ସୁଜାତା ରାଉତ କାର୍ତ୍ତିକେୟନଙ୍କ ଏହି ସାଂଗଠନିକ ନେତୃତ୍ୱରେ ବିଜେଡି ପୁଣିଥରେ ନିଜର ପୁରୁଣା ହଜିଯାଇଥିବା ଦୁର୍ଗ ଫେରିପାଇବାରେ ସଫଳ ହେବ?
• ପ୍ରଶ୍ନ ୨: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ଏହି ପଖାଳ ଖର୍ଚ୍ଚ ଏବଂ ଲକ୍ଷ୍ମୀ ପୁରାଣ ଭଳି ବିବାଦୀୟ ନିଷ୍ପତ୍ତିଗୁଡ଼ିକ କଣ ଆଗାମୀ ଦିନରେ ବିଜେପି ସରକାରର ଓଡ଼ିଆ ଅସ୍ମିତା ଭାବମୂର୍ତ୍ତିକୁ ବଡ଼ କ୍ଷତି ପହଞ୍ଚାଉଛି?
• ଏବଂ ସବୁଠାରୁ ବଡ଼ ପ୍ରଶ୍ନ: ଆଗାମୀ ଦିନରେ ଓଡ଼ିଶା ରାଜନୀତିରେ ଏହି ‘ସୁଜାତା ଫ୍ୟାକ୍ଟର’ ବିଜେପି ପାଇଁ ସତରେ କଣ କାଳ ସାଜିବ?


