ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ASI) କୁ ମିଳିଛି ଏକ ବଡ଼ ସଫଳତା। ତେଲଙ୍ଗାନାର ଗୁଣ୍ଡରମ ପାହାଡ଼ର ଗୁମ୍ଫା ମଧ୍ୟରୁ ବ୍ରାହ୍ମୀ ଲିପିର ଦୁଇଟି ପ୍ରାଚୀନ ଶିଳାଲେଖ ଆବିଷ୍କୃତ ହୋଇଛି। ଏହି ଆବିଷ୍କାରକୁ ଭାରତର ପ୍ରାଚୀନ ଐତିହ୍ୟ ଓ ଇତିହାସ କ୍ଷେତ୍ରରେ ଏକ ଅମୂଲ୍ୟ ସମ୍ପତ୍ତି ବୋଲି କୁହାଯାଉଛି। ବ୍ରାହ୍ମୀ ଲିପିକୁ ଭାରତର ସବୁଠାରୁ ପ୍ରାଚୀନ ଲିପି ମାନାଯାଏ, ଯାହା ପ୍ରାୟ ସମସ୍ତ ଆଧୁନିକ ଭାରତୀୟ ଭାଷାର ଜନନୀ। ଏହି ଶିଳାଲେଖଗୁଡ଼ିକ ମାଧ୍ୟମରେ ଦାକ୍ଷିଣାତ୍ୟରେ ରାଜତ୍ୱ କରୁଥିବା ପ୍ରସିଦ୍ଧ ବ୍ରାହ୍ମଣ ଶାସକ ‘ସାତବାହନ ବଂଶ’ର ଇତିହାସ ସମ୍ପର୍କରେ ଅନେକ ନୂତନ ତଥ୍ୟ ସାମ୍ନାକୁ ଆସିବ।

ASI ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ (X) ରେ ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ସମ୍ପର୍କରେ ସୂଚନା ଦିଆଯାଇଛି। ସଂସ୍ଥା ଅନୁସାରେ, ଏହି ଶିଳାଲେଖଗୁଡ଼ିକ ଅଞ୍ଚଳର ପ୍ରାରମ୍ଭିକ ଇତିହାସ ଏବଂ ସାତବାହନ ଶାସନ କାଳକୁ ବୁଝିବାରେ ବିଶେଷ ସହାୟକ ହେବ।
ଚୁଟୁ ଏବଂ ସାତବାହନ ବଂଶର ସମ୍ପର୍କ
ASI ର ସୂଚନା ଅନୁଯାୟୀ, ଆବିଷ୍କୃତ ହୋଇଥିବା ପ୍ରଥମ ଶିଳାଲେଖରୁ ଜଣାପଡ଼ିଛି ଯେ ‘ହାରିତିପୁତ୍ର’ ବଂଶର ଜଣେ ସଦସ୍ୟ ବୌଦ୍ଧ ଭିକ୍ଷୁମାନଙ୍କ ପାଇଁ ଏହି ଗୁମ୍ଫା ନିର୍ମାଣ କରିଥିଲେ। ଏହି ବ୍ୟକ୍ତିଜଣକ ସମ୍ଭବତଃ ‘ଚୁଟୁ’ ରାଜବଂଶର ଥିଲେ ଏବଂ ସାତବାହନ ବଂଶର ରାଜକୁମାର ‘କୁମାର ହକୁସିରି’ଙ୍କର ଘନିଷ୍ଠ ମିତ୍ର ଥିଲେ। ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ପ୍ରାଚୀନ କାଳରେ ଚୁଟୁ ଏବଂ ସାତବାହନ ରାଜବଂଶ ମଧ୍ୟରେ ଅତି ମଧୁର ଓ ପାରିବାରିକ ସମ୍ପର୍କ ରହିଥିଲା।
ଶିଳାଲେଖରେ ରହିଛି ତ୍ରିଶୂଳ ଓ ଡ଼ମ୍ବରୁ ଚିହ୍ନ
ଦ୍ୱିତୀୟ ଶିଳାଲେଖଟି ଦକ୍ଷିଣ ଭାରତର ସବୁଠାରୁ ପୁରୁଣା ଓ ବିରଳ ଶିଳାଲେଖ ଭାବେ ଗଣାଯାଉଛି, କାରଣ ଏଥିରେ ଲେଖା ସହିତ ପବିତ୍ର ଧାର୍ମିକ ପ୍ରତୀକ ‘ତ୍ରିଶୂଳ’ ଏବଂ ‘ଡମରୁ’ର ଚିତ୍ର ଖୋଦିତ ହୋଇଛି। ଏଥିରୁ ସୂଚନା ମିଳିଛି ଯେ, ସେହି ପାହାଡ଼ର ପୂର୍ବ ଭାଗଟି ‘ସିରି ଦେବରାନ’ଙ୍କ ଅଧିକାର କ୍ଷେତ୍ରରେ ଥିଲା।
ବ୍ରାହ୍ମୀ ଲିପି ଓ ସାତବାହନ ବଂଶ
ବ୍ରାହ୍ମୀ ଲିପି ଅତିକମରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ପୁରୁଣା ଏବଂ ଏହା ବାମରୁ ଡାହାଣକୁ ଲେଖାଯାଏ। ଅନ୍ୟପଟେ, ସାତବାହନ ବଂଶର ଶାସକମାନେ ଥିଲେ ବ୍ରାହ୍ମଣ। ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀ ପର୍ଯ୍ୟନ୍ତ ସମଗ୍ର ଦାକ୍ଷିଣାତ୍ୟ ଅଞ୍ଚଳରେ ଏମାନଙ୍କର ବିଶାଳ ସାମ୍ରାଜ୍ୟ ଥିଲା, ଯାହାର ପ୍ରାରମ୍ଭିକ ରାଜଧାନୀ ମହାରାଷ୍ଟ୍ରର ପ୍ରତିଷ୍ଠାନପୁର (ପୈଠଣ) ଏବଂ ପରେ ଆନ୍ଧ୍ରପ୍ରଦେଶର ଅମରାବତୀଠାରେ ରହିଥିଲା।
ଏହି ନୂତନ ପ୍ରତ୍ନତାତ୍ତ୍ୱିକ ଆବିଷ୍କାର ଦ୍ୱାରା ଦକ୍ଷିଣ ଭାରତର ପ୍ରାଚୀନ ରାଜନୈତିକ ସମ୍ପର୍କ ଏବଂ ସେ ସମୟର ସାଂସ୍କୃତିକ ଓ ଧାର୍ମିକ ବିଶ୍ୱାସ ଉପରୁ ପରଦା ହଟିବ ବୋଲି ଐତିହାସିକମାନେ ମତ ପ୍ରକାଶ କରିଛନ୍ତି।


