ସିନ୍ଧୁ ଜଳ ଚୁକ୍ତି ଏବଂ ଜମ୍ମୁ-କାଶ୍ମୀରରେ ଭାରତର ଜଳ ପ୍ରକଳ୍ପକୁ ନେଇ ପାକିସ୍ତାନରେ ହଲଚଲ ସୃଷ୍ଟି ହୋଇଛି। ଭାରତ ପକ୍ଷରୁ ଚିନାବ ପ୍ରକଳ୍ପ କାର୍ଯ୍ୟକୁ ଦ୍ରୁତ ଗତିରେ ଶେଷ କରିବା ସହ ଐତିହାସିକ ରଣବୀର କେନାଲର ସମ୍ପ୍ରସାରଣ ଏବଂ ‘ଚିନାବ-ବ୍ୟାସ ଲିଙ୍କ୍ ଟନେଲ୍’ ନିର୍ମାଣ ଯୋଜନାକୁ ନେଇ ପାକିସ୍ତାନୀ ସେନାର ଜଣେ ପୂର୍ବତନ ବଡ଼ ଅଧିକାରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କ ପୂର୍ବତନ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ମୁହମ୍ମଦ ସୟିଦ ପାକିସ୍ତାନର ପ୍ରମୁଖ ଖବରକାଗଜ ‘ଡନ୍’ ରେ ଏକ ପ୍ରବନ୍ଧ ଲେଖି ଭାରତର ଏହି ପଦକ୍ଷେପକୁ ପାକିସ୍ତାନ ପାଇଁ ଏକ ବଡ଼ ରଣନୀତିକ ବିପଦ ବୋଲି ଦର୍ଶାଇଛନ୍ତି।
ପାକିସ୍ତାନ ପାଇଁ ଜଳ ଓ ଖାଦ୍ୟ ସୁରକ୍ଷାର ସଙ୍କଟ
ମୁହମ୍ମଦ ସୟିଦ ଲେଖିଛନ୍ତି ଯେ, ଭାରତ ପକ୍ଷରୁ ସିନ୍ଧୁ ଜଳ ଚୁକ୍ତିର ନିୟମକୁ ଏକତରଫା ଭାବେ ରୋକିବା ଏବଂ ପଶ୍ଚିମ ନଦୀଗୁଡ଼ିକ ଉପରେ ଦ୍ରୁତ ଗତିରେ ଭିତ୍ତିଭୂମି ବିକାଶ କରିବା ପାକିସ୍ତାନର ଜଳ, ଖାଦ୍ୟ ଏବଂ ଶକ୍ତି ସୁରକ୍ଷା ପ୍ରତି ଏକ ଗମ୍ଭୀର ରଣନୀତିକ ବିପଦ ସଦୃଶ। ଭାରତ ମେ ୨୦୨୫ ପରଠାରୁ ପଶ୍ଚିମ ନଦୀଗୁଡ଼ିକର ଉପର ମୁଣ୍ଡରେ ଅତିରିକ୍ତ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଦେଇଛି, ଯେଉଁଥିରେ ରଣବୀର କେନାଲର ସମ୍ପ୍ରସାରଣ ଏବଂ ଚିନାବ-ବ୍ୟାସ ଲିଙ୍କ୍ ଟନେଲ୍ ସାମିଲ ରହିଛି।
ତଥ୍ୟ ନମିଳିବାରୁ ଛଟପଟ ପାକିସ୍ତାନ
ପାକିସ୍ତାନୀ ସେନାର ଏହି ପୂର୍ବତନ ଅଧିକାରୀଙ୍କ ଅନୁସାରେ, ଭାରତ ସିନ୍ଧୁ ଜଳ ଚୁକ୍ତି ଅଧୀନରେ ପଶ୍ଚିମ ନଦୀଗୁଡ଼ିକର ଜଳ ପ୍ରବାହ ସମ୍ପର୍କିତ ହାଇଡ୍ରୋଲୋଜିକାଲ୍ ଡାଟା ପାକିସ୍ତାନ ସହ ସେୟାର କରିବା ବନ୍ଦ କରିଦେଇଛି। ଏହି କାରଣରୁ ୨୦୫ ବନ୍ୟା ଋତୁରେ ପାକିସ୍ତାନ ଜଳ ପ୍ରବାହର ସଠିକ୍ ସୂଚନା ପାଇପାରିଲା ନାହିଁ, ଯାହାଫଳରେ ସେଠାରେ ବନ୍ୟା ପୂର୍ବାନୁମାନ ଓ ଜରୁରୀକାଳୀନ ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଥିଲା ଏବଂ ଲୋକଙ୍କ ଜୀବନଜୀବିକା ବିପନ୍ନ ହୋଇଥିଲା।

ରଣବୀର କେନାଲ ସମ୍ପ୍ରସାରଣ ଯୋଜନା କଣ ?
ସୂଚନାଯୋଗ୍ୟ ଯେ, ଜମ୍ମୁ ଏବଂ ସାମ୍ବା ଜିଲ୍ଲାର କୃଷି କ୍ଷେତ୍ରକୁ ଅଧିକ ସମୃଦ୍ଧ ଓ ଆଧୁନିକ କରିବା ପାଇଁ ଭାରତ ସରକାର ପ୍ରାୟ ୯୯୮.୭୬ କୋଟି ଟଙ୍କାର ଏକ ପ୍ରସ୍ତାବ କେନ୍ଦ୍ରୀୟ ଜଳ ଆୟୋଗ (CWC) କୁ ପଠାଇଛନ୍ତି। ଚିନାବ ବେସିନର ଜଳ ଉପରେ ଆଧାରିତ ଏହି ଐତିହାସିକ ପ୍ରକଳ୍ପ ମାଧ୍ୟମରେ ୪୦ କିଲୋମିଟର ଲମ୍ବର ମୁଖ୍ୟ ରଣବୀର କେନାଲର ସମ୍ପୂର୍ଣ୍ଣ ମରାମତି କରାଯିବା ସହ ଏହାର ୪୦୦ କିଲୋମିଟର ବ୍ୟାପ୍ତ ଶାଖା କେନାଲ ନେଟୱର୍କର ଆଧୁନିକୀକରଣ କରାଯିବ।
ଏହି ପ୍ରକଳ୍ପ ଦ୍ୱାରା ପାଣି ନଷ୍ଟ ହେବା କମିବ ଏବଂ ଭାରତୀୟ ଚାଷୀଙ୍କୁ ସୁବିଧାରେ ଜଳ ମିଳିପାରିବ। ଭାରତର ଏହି ସମ୍ପ୍ରସାରଣ ଯୋଜନା ଯୋଗୁଁ ଆଗକୁ ପାକିସ୍ତାନକୁ ମିଳୁଥିବା ପାଣିର ପରିମାଣ ଆହୁରି କମିଯିବ, ଯାହାକୁ ନେଇ ଏବେ ପାକିସ୍ତାନୀ ସେନା ଓ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି।


