ଭାରତୀୟ ବାୟୁସେନା ର ଆକ୍ରମଣାତ୍ମକ କ୍ଷମତାକୁ ବଜାୟ ରଖିବା ଏବଂ ପୁରୁଣା ହେଉଥିବା ଯୁଦ୍ଧବିମାନ ସ୍କ୍ୱାଡ୍ରନ୍ଗୁଡ଼ିକୁ ସକ୍ରିୟ ରଖିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଏବଂ କୌଶଳପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବାୟୁସେନାରେ ‘ଶମଶେର’ ନାମରେ ପରିଚିତ ଜଗୁଆର୍ ଯୁଦ୍ଧବିମାନର ପାର୍ଟସ୍ ସମସ୍ୟା ଦୂର କରିବା ପାଇଁ ବ୍ରିଟେନ ସରକାର ନିଜର ୯ଟି ଅବସରପ୍ରାପ୍ତ ତଥା ଡିକମିସନ୍ଡ୍ ଜଗୁଆର୍ ବିମାନକୁ ଭାରତ ପଠାଇଛନ୍ତି। ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଦିଆଯାଇଥିବା ଲିଖିତ ଉତ୍ତର ଅନୁଯାୟୀ, ଏହି କନସାଇନ୍ମେଣ୍ଟ୍ ମଧ୍ୟରେ ୫ଟି ଜଗୁଆର୍ ‘GR1’ ସଂସ୍କରଣ ଏବଂ ୪ଟି ‘T2’ ଟ୍ରେନର୍ ଯୁଦ୍ଧବିମାନ ସାମିଲ ଅଛି। ଏହି ବିମାନଗୁଡ଼ିକ ଏବେ ଉଡ଼ିବା ଅବସ୍ଥାରେ ନାହାନ୍ତି, ତେଣୁ ଭାରତ ଆଣିବା ପରେ ଏଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଖୋଲାଯିବ ଏବଂ ଏହାର ଇଞ୍ଜିନ, ହାଇଡ୍ରୋଲିକ୍ସ, ଆଭିଓନିକ୍ସ ଏବଂ ଲ୍ୟାଣ୍ଡିଂ ଗିୟର ଭଳି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶକୁ ଭାରତୀୟ ବାୟୁସେନାର ସକ୍ରିୟ ଜଗୁଆର୍ ବିମାନଗୁଡ଼ିକରେ ‘ସ୍ପେୟାର୍ ପାର୍ଟସ୍’ ଭାବେ ବ୍ୟବହାର କରାଯିବ।

ଜଗୁଆର୍ ଯୁଦ୍ଧବିମାନକୁ ଶୀତଳ ଯୁଦ୍ଧ ସମୟରେ ବ୍ରିଟେନ ଏବଂ ଫ୍ରାନ୍ସ ମିଳିତ ଭାବେ ବିକଶିତ କରିଥିଲେ। କମ୍ ଉଚ୍ଚତାରେ ଉଡ଼ି ଶତ୍ରୁ ଶିବିରର ଅତି ଗଭୀରକୁ ଯାଇ ସଠିକ୍ ଆକ୍ରମଣ କରିବାରେ ଏହି ଟ୍ୱିନ୍-ଇଞ୍ଜିନ୍ ଯୁଦ୍ଧବିମାନ ଅତ୍ୟନ୍ତ ମାହିର। ବର୍ତ୍ତମାନ ସମଗ୍ର ବିଶ୍ୱରେ ଭାରତ ହିଁ ଏହି ଶକ୍ତିଶାଳୀ ବିମାନର ଏକମାତ୍ର ବଡ଼ ଅପରେଟର ଭାବେ ରହିଛି। ବାୟୁସେନା ପାଖରେ ଏଭଳି ପ୍ରାୟ ୧୨୦ଟି ସକ୍ରିୟ ଜଗୁଆର୍ ବିମାନ ରହିଛି, ଯାହା ୬ଟି ସ୍କ୍ୱାଡ୍ରନ୍ ମାଧ୍ୟମରେ କାର୍ଯ୍ୟ କରୁଛି। ଯେହେତୁ ବ୍ରିଟେନ, ଫ୍ରାନ୍ସ ଏବଂ ଓମାନ ଭଳି ଦେଶଗୁଡ଼ିକ ଅନେକ ବର୍ଷ ପୂର୍ବରୁ ଏହି ବିମାନକୁ ବ୍ୟବହାର କରିବା ବନ୍ଦ କରିଦେଇଛନ୍ତି, ତେଣୁ ଏହାର ପ୍ରକୃତ ପାର୍ଟସ୍ ବଜାରରେ ମିଳିବା କଷ୍ଟକର ହୋଇପଡ଼ିଛି। ପୂର୍ବରୁ ମଧ୍ୟ ଭାରତ ସରକାର ସମାନ ଢଙ୍ଗରେ ଫ୍ରାନ୍ସ ଓ ଓମାନଠାରୁ ଅବସରପ୍ରାପ୍ତ ଜଗୁଆର୍ ଆଣି ବାୟୁସେନାର ଆବଶ୍ୟକତା ପୂରଣ କରିଥିଲେ।

ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ର ଯନ୍ତ୍ରୀମାନଙ୍କ ଦ୍ୱାରା ବ୍ରିଟେନରୁ ଆସିଥିବା ଏହି ୯ଟି ବିମାନର ପାର୍ଟସ୍ ଗୁଡ଼ିକୁ ଅଲଗା କରାଯିବ। ବର୍ତ୍ତମାନ ଭାରତୀୟ ବାୟୁସେନାରେ ସମୁଦାୟ ସ୍ୱୀକୃତ ୪୨ଟି ଫାଇଟର୍ ସ୍କ୍ୱାଡ୍ରନ୍ ବଦଳରେ ମାତ୍ର ୨୯ଟି ସ୍କ୍ୱାଡ୍ରନ୍ ସକ୍ରିୟ ରହିଛି, ଯାହା ବାୟୁସେନା ପାଇଁ ଏକ ଚିନ୍ତାର ବିଷୟ। ଭାରତ ସରକାର ସ୍ୱଦେଶୀ ତେଜସ (Tejas Mk-1A) ର ବଡ଼ ଅର୍ଡର ଦେଇଥିଲେ ହେଁ HAL ପକ୍ଷରୁ ଏହାର ଯୋଗାଣରେ ବିଳମ୍ବ ହେଉଛି। ସେହିପରି ଫ୍ରାନ୍ସରୁ ୧୧୪ଟି ନୂଆ ରାଫେଲ୍ ଯୁଦ୍ଧବିମାନ କିଣିବା ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ ସେଗୁଡ଼ିକ ଭାରତ ଆସିବା ପାଇଁ ୨୦୨୮-୩୦ ପର୍ଯ୍ୟନ୍ତ ସମୟ ଲାଗିବ। ଏଭଳି ସ୍ଥିତିରେ ବାୟୁସେନାର ଶକ୍ତିକୁ କମିବାକୁ ନଦେବା ପାଇଁ ଜଗୁଆର୍ ଭଳି ପୁରୁଣା ବିଶ୍ୱସ୍ତ ଯୁଦ୍ଧବିମାନକୁ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଆକାଶରେ ସକ୍ରିୟ ରଖିବା ଅତ୍ୟନ୍ତ ଜରୁରୀ। ସେଥିପାଇଁ ବ୍ରିଟେନରୁ ଆସିଥିବା ଏହି ସ୍କ୍ରାପ୍ ବା ଅବସରପ୍ରାପ୍ତ ବିମାନଗୁଡ଼ିକ ବାୟୁସେନାର ଶମଶେର ବାହିନୀକୁ ଗୁରୁତ୍ୱପୂର୍ଣ୍ଣ ସାମରିକ ଶକ୍ତି ଯୋଗାଇବାରେ ସଫଳ ହେବେ।


