ଦେଶରେ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବା ଲକ୍ଷ୍ୟରେ ସରକାରଙ୍କ ଦ୍ୱାରା ଅଣାଯାଇଥିବା E20 ପେଟ୍ରୋଲ୍ ଏବେ ଗାଡ଼ି ଚାଳକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏକ ନୂତନ ସର୍ଭେ ରିପୋର୍ଟରୁ ସାମ୍ନାକୁ ଆସିଥିବା ତଥ୍ୟ ଅନୁଯାୟୀ, ଦେଶର ପ୍ରାୟ ୬୬% ଗ୍ରାହକ ଦାବି କରିଛନ୍ତି ଯେ ,”E20 ପେଟ୍ରୋଲ୍ ବ୍ୟବହାର କରିବା ପରେ ସେମାନଙ୍କ ଗାଡ଼ିର ମାଇଲେଜ୍ ବହୁ ପରିମାଣରେ ହ୍ରାସ ପାଇଛି। ଏହା ସହିତ ୫୩% ଲୋକ ଏହି ବ୍ୟବସ୍ଥାର ପ୍ରଣୟନ ବା ରୋଲ୍ଆଉଟ୍ ପ୍ରକ୍ରିୟା ଅତ୍ୟନ୍ତ ଦୁର୍ବଳ ବୋଲି ଅଭିହିତ କରିଛନ୍ତି। ପେଟ୍ରୋଲ୍ରେ ଇଥାନଲ୍ ମିଶ୍ରଣ ଯୋଗୁଁ ଗାଡ଼ିର ଇଞ୍ଜିନ ଓ କାର୍ଯ୍ୟଦକ୍ଷତା ଉପରେ ଖରାପ ପ୍ରଭାବ ପଡ଼ୁଥିବାରୁ ଏବେ ବଜାରରେ ପ୍ରିମିୟମ୍ ପେଟ୍ରୋଲ୍ ର ଚାହିଦା ହଠାତ୍ ବୃଦ୍ଧି ପାଇବାରେ ଲାଗିଛି।”
![]()
ଲୋକାଲ୍ ସର୍କଲ୍ସ ପକ୍ଷରୁ କରାଯାଇଥିବା ଏହି ଦେଶବ୍ୟାପୀ ସର୍ଭେରେ ହଜାର ହଜାର ଗାଡ଼ି ଚାଳକ ନିଜର ପ୍ରତିକ୍ରିୟା ରଖିଛନ୍ତି। ରିପୋର୍ଟ ଅନୁସାରେ, “E20 ପେଟ୍ରୋଲ୍ ବଜାରକୁ ଆସିବା ପରଠାରୁ ଗ୍ରାହକମାନେ ଆଶାନୁରୂପ ମାଇଲେଜ୍ ପାଇପାରୁ ନାହାନ୍ତି, ଯାହାଫଳରେ ସେମାନଙ୍କର ମାସିକ ପେଟ୍ରୋଲ୍ ଖର୍ଚ୍ଚ ବଢ଼ିଯାଇଛି। ସର୍ଭେରେ ସାମିଲ ହୋଇଥିବା ଅଧିକାଂଶ ଚାଳକ କହିଛନ୍ତି ଯେ, କେବଳ ମାଇଲେଜ୍ କମିନାହିଁ ବରଂ ଗାଡ଼ି ଷ୍ଟାର୍ଟ ହେବାରେ ସମସ୍ୟା, ପିକଅପ୍ କମିଯିବା ଏବଂ ଇଞ୍ଜିନରୁ ଅସ୍ବାଭାବିକ ଶବ୍ଦ ଆସିବା ଭଳି ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖାଦେଉଛି। ବିଶେଷ କରି ପୁରୁଣା ଗାଡ଼ିଗୁଡ଼ିକର ଇଞ୍ଜିନ୍ E20 ପେଟ୍ରୋଲ୍ ଅନୁକୂଳ ନହୋଇଥିବାରୁ ସେଗୁଡ଼ିକ ଶୀଘ୍ର ଖରାପ ହେବାର ଆଶଙ୍କା ରହିଛି।”
ସରକାରୀ ନୀତି ଅନୁଯାୟୀ, “ଦେଶକୁ ସବୁଜ ଶକ୍ତି ଆଡ଼କୁ ଅଗ୍ରସର କରାଇବା ପାଇଁ ପେଟ୍ରୋଲ୍ରେ ଇଥାନଲ୍ ବ୍ଲେଣ୍ଡିଂ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯାଇଛି। ମାତ୍ର ଏହା ସମ୍ପର୍କରେ ସାଧାରଣ ଜନତାଙ୍କୁ ସଠିକ୍ ଭାବେ ଅବଗତ କରାଯାଇ ନାହିଁ ବୋଲି ୫୩% ଲୋକ ଅଭିଯୋଗ କରିଛନ୍ତି। ପେଟ୍ରୋଲ୍ ପମ୍ପଗୁଡ଼ିକରେ କେଉଁଟି ସାଧାରଣ ପେଟ୍ରୋଲ୍ ଏବଂ କେଉଁଟି E20 ପେଟ୍ରୋଲ୍, ସେ ନେଇ କୌଣସି ସ୍ପଷ୍ଟ ସୂଚନା ବା ବୋର୍ଡ ମଧ୍ୟ ଲଗାଯାଉ ନାହିଁ, ଯାହା ଗ୍ରାହକଙ୍କ ଭ୍ରମିତ କରୁଛି।”
![]()
ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଏବେ ଦୁଇଚକିଆ ଏବଂ ଚାରିଚକିଆ ଗାଡ଼ି ଚାଳକମାନେ ସାଧାରଣ ପେଟ୍ରୋଲ୍ ବଦଳରେ ‘ପ୍ରିମିୟମ୍’ କିମ୍ବା ‘ହାଇ-ଅକ୍ଟେନ୍’ ପେଟ୍ରୋଲ୍ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଯଦିଓ ପ୍ରିମିୟମ୍ ପେଟ୍ରୋଲ୍ର ମୂଲ୍ୟ ଲିଟର ପିଛା କିଛି ଟଙ୍କା ଅଧିକ, ତଥାପି ଗାଡ଼ିର ଇଞ୍ଜିନ୍କୁ ସୁରକ୍ଷିତ ରଖିବା ଏବଂ ଭଲ ମାଇଲେଜ୍ ପାଇବା ପାଇଁ ଲୋକେ ଏହାକୁ କିଣିବାକୁ ବାଧ୍ୟ ହେଉଛନ୍ତି। ଏହି କାରଣରୁ ପେଟ୍ରୋଲ୍ ପମ୍ପଗୁଡ଼ିକରେ ପ୍ରିମିୟମ୍ ଇନ୍ଧନର ବିକ୍ରି ଗତ କିଛି ମାସ ମଧ୍ୟରେ ବେଶ୍ ବୃଦ୍ଧି ପାଇଛି। ପରିବେଶ ସୁରକ୍ଷା ପାଇଁ ସରକାରଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ ହୋଇଥିଲେ ହେଁ, ଗ୍ରାହକଙ୍କ ଆର୍ଥିକ ବୋଝ ଏବଂ ଗାଡ଼ିର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନୀତିରେ କିଛି ସଂସ୍କାର ଆଣିବା କିମ୍ବା ଗ୍ରାହକଙ୍କୁ ବିକଳ୍ପ ଯୋଗାଇଦେବା ଜରୁରୀ ହୋଇପଡ଼ିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
Also read : https://purvapaksa.com/no-minister-has-completed-their-term-in-these-important-ministries-since-2014/


